ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୩ ବର୍ଷ ପାଇଁ ମାଟ୍ରିକ୍‌ ପରୀକ୍ଷା ଖାତାଦେଖା ଶେଷ ହୋଇଛି। ଏବେ ମେ’ ମାସ ଶେଷ ଭାଗକୁ ରେଜଲ୍ଟ ପ୍ରକାଶ ପାଇବାର ସମ୍ଭାବନା ରହିଛି। ଏନେଇ ସୋମବାର ସୂଚନା ଦେଇଛନ୍ତି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଂଜନ ମହାନ୍ତି।

“ଓଡ଼ିଶାରେ ମାଟ୍ରିକ୍‌, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷାର ଖାତା ମୂଲ୍ୟାୟନ ଶେଷ ହୋଇଛି। ତ୍ରୁଟିଶୂନ୍ୟ ଭାବେ ସବୁ ଖାତା ଦେଖା ଯାଇଛି। ରାଜ୍ୟର ୫୬ଟି କେନ୍ଦ୍ରରେ ଏହି ଖାତା ମୂଲ୍ୟାୟନ ହୋଇଥିଲା। ଏବେ ପରୀକ୍ଷା ରେଜଲ୍ଟ ପାଇଁ ଟାବୁଲେସନ୍ ଆରମ୍ଭ ହୋଇଛି”, କହିଛନ୍ତି ନିହାର ରଞ୍ଜନ ମହାନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, “ଆମେ ଅନ୍ୟ ରାଜ୍ୟର ବୋର୍ଡ ତୁଳନାରେ ଆଗୁଆ ରେଜଲ୍ଟ ବାହାର କରିବାକୁ ନେଇ ଆଶାବାଦୀ ଅଛୁ। ମେ’ ମାସ ଶେଷ ସୁଦ୍ଧା ଆମେ ମାଟ୍ରିକ ପରୀକ୍ଷା ଫଳାଫଳ ବାହାର କରିବାକୁ ଚେଷ୍ଟା କରିବୁ।”

ଓଡ଼ିଶାରେ ଏପ୍ରିଲ ୩ ତାରିଖରୁ ମାଟ୍ରିକ୍‌ ପରୀକ୍ଷା ଖାତାଦେଖା ଆରମ୍ଭ ହୋଇଥିଲା। ୧୩ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଖାତାଦେଖା ପାଇଁ ନିୟୋଜିତ ହୋଇଥିଲେ। ମାଟ୍ରିକ ଖାତାଦେଖା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରଯାଇଥିଲା।

ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷା ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖ ଯାଏଁ ଚାଲିଥିଲା। ଏଥିରେ ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ରାଜ୍ୟର ୩,୨୧୮ଟି କେନ୍ଦ୍ରରେ ଏହି ପରୀକ୍ଷା ହୋଇଥିଲା।

Tags: #MatricExam #CopyEvaluation #EvaluationCenter #Teachers #BSE #Odisha

Comment