ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏବେଠୁ ସଜବାଜ ଆରମ୍ଭ କଲାଣି ବିଜେପି।

ଲୋକସଭା ନିର୍ବାଚନ ପୂର୍ବରୁ ସଙ୍ଗଠନ ସଜାଡୁଛି ଦଳ। ମଙ୍ଗଳବାର ଦିନ ୪ଟି ରାଜ୍ୟରେ ବଡ଼ ପରିବର୍ତ୍ତନ କରିଛି ବିଜେପି। ପଞ୍ଜାବ ସହିତ ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ରାଜ୍ୟରେ ବଦଳିଛନ୍ତି ବିଜେପିର ସଭାପତି। ଏବେ ନୂଆ ଅଧ୍ୟକ୍ଷଙ୍କୁ ମିଳିଛି ଦାୟିତ୍ଵ।

କେଉଁଠି କିଏ ହେଲେ ଅଧ୍ୟକ୍ଷ?

ପଞ୍ଜାବରେ ସୁନୀଲ ଜାଖଡ଼ଙ୍କୁ ସଭାପତି ଭାବେ ନିଯୁକ୍ତ କରାଯାଇଥିବାବେଳେ ଝାଡ଼ଖଣ୍ଡରେ ବାବୁଲାଲ ମାରାଣ୍ଡି, ଆନ୍ଧ୍ରପ୍ରଦେଶରେ ପି ପୁରନ୍ଦେଶ୍ଵରୀ ଏବଂ ତେଲେଙ୍ଗାନାରେ ଜି କିଶନ ରେଡ୍ଡୀଙ୍କୁ ନିଯୁକ୍ତି ଦେଇଛି ବିଜେପି।

ଚର୍ଚ୍ଚାରେ ସୁନୀଲ ଜାଖଡ଼

ପଞ୍ଜାବରେ ବିଜେପିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିବା ସୁନୀଲ ଜାଖଡ଼ଙ୍କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏକଦା ପଞ୍ଜାବରେ କଂଗ୍ରେସର ସଭାପତି ଥିଲେ ସୁନୀଲ। ପଞ୍ଜାବରେ ସୁନୀଲ ଜାଖଡ଼ଙ୍କର ଭଲ ଅଭିଜ୍ଞତା ରହିଥିବାରୁ ୨୦୨୪ ନିର୍ବାଚନ ପୂର୍ବରୁ ତାଙ୍କ ଉପରେ ଭରସା ଦେଖାଇଛି ବିଜେପି।

ସୁନୀଲଙ୍କୁ ହିନ୍ଦୁ ଚେହେରା ଭାବେ ପଞ୍ଜାବକୁ ବିଜେପି ଆଣିଥିବା କୁହାଯାଉଛି। ଅକାଳି ଦଳ ସହ ବିଜେପିର ପୁନର୍ବାର ମହାମେଣ୍ଟ ହେବାର ସମ୍ଭାବନା ରହିଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

କୁହାଯାଉଛି ୨୦୨୪ରେ ଗୁରୁଦାସପୁର ସିଟରୁ ସୁନୀଲ ଜାଖଡ଼ ବିଜେପି ଚେହେରା ହୋଇପାରନ୍ତି। ସୁନୀଲ ଜାଖଡ଼ ପଞ୍ଜାବର ଅବୋହର ଆସନରୁ ବିଧାୟକ ରହିଥିବାବେଳେ ଗୁରୁଦାସପୁରରୁ ସାଂସଦ ରହିସାରିଛନ୍ତି। ମୋଟା ମୋଟି କହିବାକୁ ଗଲେ ପଞ୍ଜାବ ରାଜନୀତିରେ ସୁନୀଲଙ୍କର ବେଶ୍ ଭଲ ଅଭିଜ୍ଞତା ରହିଛି।

ଅଶ୍ଵିନୀ ଶର୍ମାଙ୍କ ସ୍ଥାନରେ ସୁନୀଲଙ୍କୁ ପଞ୍ଜାବର ସଭାପତି ଭାବେ ନିଯୁକ୍ତି ମିଳିଛି।

ତେଲେଙ୍ଗାନାରେ ସଞ୍ଜୟ ବନ୍ଦୀଙ୍କ ସ୍ଥାନ ନେଲେ ଜି କିଶନ ରେଡ୍ଡୀ

ତେଲେଙ୍ଗାନାରେ ସଞ୍ଜୟ ବନ୍ଦୀଙ୍କ ସ୍ଥାନରେ ବିଜେପି ସଭାପତି ଭାବେ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜି କିଶନ ରେଡ୍ଡୀଙ୍କୁ ନିଯୁକ୍ତ କରିଛି। ତେଲେଙ୍ଗାନା ବିଭାଜନ ହେବା ପୂର୍ବରୁ କିଶନ ରେଡ୍ଡୀ ବିଜେପିର ସଭାପତି ଦାୟିତ୍ଵ ତୁଲାଇଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାୟକ ବାବୁଲାଲ ମାରାଣ୍ଡିଙ୍କୁ ଝାରଖଣ୍ଡର ଦାୟିତ୍ଵ ଦିଆଯାଇଛି। ଦୀପକ ପ୍ରକାଶଙ୍କ ସ୍ଥାନରେ ତାଙ୍କୁ ଏହି ନିଯୁକ୍ତି ମିଳିଛି। ବାବୁଲାଲ ମାରାଣ୍ଡି ବିଜେପି ବିଧାୟକ ଦଳର ନେତା ଅଛନ୍ତି। ୨୦୨୦ ମସିହାରେ ବାବୁଲାଲ ନିଜର ଦଳ ଝାରଖଣ୍ଡ ବିକାଶ ମୋର୍ଚ୍ଚାକୁ ବିଜେପି ସହ ମିଶ୍ରଣ କରିଥିଲେ। ଏହା ବ୍ୟତୀତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ପୁରନ୍ଦେଶ୍ଵରୀଙ୍କୁ ଆନ୍ଧ୍ରପ୍ରଦେଶର ଦାୟିତ୍ଵ ମିଳିଛି। ସୋମୂ ଭୀରରାଜୁଙ୍କ ସ୍ଥାନରେ ତାଙ୍କୁ ଆନ୍ଧ୍ରପ୍ରଦେଶରେ ବିଜେପିର ସଭାପତି ଭାବେ ଦାୟିତ୍ଵ ଦିଆଯାଇଛି।

ଦଳ ଡିଆଁ ନେତାଙ୍କୁ ପ୍ରାଥମିକତା

ବିଜେପିରେ ଆଜି ବଡ଼ ପରିବର୍ତ୍ତନ ହୋଇଥିବାବେଳେ ଏଥିରେ ଅନ୍ୟ ଦଳରୁ ଆସିଥିବା ଅଧିକା ନେତାଙ୍କୁ ପ୍ରାଥମିକତା ଦିଆଯାଇଥିବା ଦେଖିବାକୁ ମିଳିଛି। ସୁନୀଲ ଜାଖଡ଼ ଭାରତୀୟ ରାଷ୍ଟ୍ରୀୟ ସମିତି ଛାଡ଼ି ବିଜେପିରେ ସାମିଲ ହୋଇଥିବାବେଳେ ପି ପୁରନ୍ଦେଶ୍ଵରୀ ପ୍ରଥମେ କଂଗ୍ରେସରେ ଥିଲେ। ସେ ୟୁପିଏ ସରକାରରେ ମନ୍ତ୍ରୀ ମଧ୍ୟ ରହିଥିଲେ।

Tags: #Politics #IndianPolitics #BJP

Comment