ଓଡ଼ିଶାଲାଇଭ୍ ବ୍ୟୁରୋ

 

ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏବେ ମୌସୁମୀ ସହ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୋମବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସେହି ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ଫଳରେ ମଙ୍ଗଳବାରରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ଏନେଇ ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସମୁଦ୍ରପତ୍ତନରୁ ୫.୮ ରୁ ୭.୬ କିଲୋମିଟର ଉଚ୍ଚତାରେ ରହିଛି। ଏବେ ଜାରି ରହିଥିବା ଲଘୁଚାପର ତୀବ୍ରତା କାମୁଥିବାବେଳେ ଏହି ଘୂର୍ଣ୍ଣିବଳୟ ଫଳରେ ଏକ ନୂଆ ଲଘୁଚାପ ସୃଷ୍ଟି ହେବ।

ଅନ୍ୟପଟେ ରବିବାର ଓଡ଼ିଶାରେ ୬.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୭.୯ ମିଲିମିଟର ତୁଳନାରେ ୧୯ ପ୍ରତିଶତ କମ ରହିଛି। ଓଡ଼ିଶାର କୋରାପୁଟ ଜିଲ୍ଲାର କୋଟପାଡ଼ରେ ସର୍ବାଧିକ ୭୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ସେହିପରି ଓଡ଼ିଶାର ଅନ୍ୟ ସ୍ଥାନଗୁଡ଼ିକ ମଧ୍ୟରେ ଗଞ୍ଜାମ ଜିଲ୍ଲା ସୋରଡାରେ ୪୮.୨ ମିଲିମିଟର, କନ୍ଧମାଳର କୋଟଗଡ଼ରେ ୪୪ ମିଲିମିଟର, ରାୟଗଡ଼ା ଜିଲ୍ଲାର ଗୁଡ଼ାରିରେ ୩୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ଚଳିତ ବର୍ଷ ମୌସୁମୀ ଋତୁରେ ଏ ଯାଏଁ ଓଡ଼ିଶାରେ ୪୦୭.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହା ସ୍ଵାଭାଵିକ ବର୍ଷା ୪୬୬.୭ ମିଲିମିଟର ତୁଳନାରେ ୧୩ ପ୍ରତିଶତ କମ ରହିଛି। ଏହି ସମୟରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୬୯୬.୮ ମିଲିମିଟର ବର୍ଷା ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୨୨୭.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Tags: #Monsoon #Rainfall #LowPressure #MCBBSR #Odisha

Comment