(ଓଡ଼ିଶାଲାଇଭ୍ ପ୍ରମୁଖ ପ୍ରତିନିଧି)

  • ରାଜ୍ୟର ମୋଟ ୭୨ଟି ସରକାରୀ ଆଇଟିଆଇ ମଧ୍ୟରୁ ୪୫ଟିରେ ଶତ ପ୍ରତିଶତ ନାମଲେଖା ଶେଷ
  • ଅନ୍ୟ ୨୭ଟି ଆଇଟିଆଇରେ ଖାଲି ଥିବା ୩୬୫ଟି ସିଟ୍ ଲାଗି ନାମଲେଖା ପ୍ରକ୍ରିୟା ଜାରି
  • ପଲିଟେକନିକ୍‌ରେ ୯୯.୭୮% ସିଟ୍ ଭର୍ତ୍ତି, ମୋଟ ଉପରେ ମାତ୍ର ୧୯ଟି ସିଟ୍ ଖାଲି ରହିଛି

ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ସରକାରୀ ଆଇଟିଆଇ ଏବଂ ପଲିଟେକନିକ୍ ଶିକ୍ଷାନୁଷ୍ଠାନରେ ବିଭିନ୍ନ ଟ୍ରେଡ୍‌ରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତି ବର୍ଷ ଆଗ୍ରହ ବଢ଼ିବାରେ ଲାଗିଛି। ଚଳିତ ଶିକ୍ଷାବର୍ଷରେ ରାଜ୍ୟର ମୋଟ୍ ୭୨ଟି ସରକାରୀ ଆଇଟିଆଇ ମଧ୍ୟରୁ ୪୫ଟିରେ ଇତିମଧ୍ୟରେ ୧୦୦ ପ୍ରତିଶତ ନାମଲେଖା ହୋଇଛି। ସେହିପରି ପଲିଟେକନିକ୍ କ୍ଷେତ୍ରରେ ୯୯.୭୮ ପ୍ରତିଶତ ସିଟ୍‌ରେ ନାମଲେଖା ହୋଇଯାଇଛି। ୨୯ ଅଗଷ୍ଟ ଅପରାହ୍ଣ ସୁଦ୍ଧା ଏହି ତଥ୍ୟ ରେକର୍ଡ କରାଯାଇଥିବା ସୂଚନା ମିଳିଛି।

ରାଜ୍ୟ ସରକାରଙ୍କ ‘ସ୍କିଲ୍‌ଡ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ଦକ୍ଷତା ବିକାଶକୁ ବିଶେଷ ଅଗ୍ରାଧିକାର ଦିଆଯାଉଛି। ଏହା ଫଳରେ ଓଡ଼ିଶାର ସହର ଓ ଗ୍ରାମାଞ୍ଚଳର ଯୁବପିଢ଼ିଙ୍କ ମଧ୍ୟରେ ବିଭିନ୍ନ ବିଷୟରେ ଦକ୍ଷତା ବିକାଶ କରି ନିଯୁକ୍ତି ସୁଯୋଗ ଲାଗି ଆଗ୍ରହ ଦେଖିବାକୁ ମିଳିଛି। ଦିନେ ଓଡ଼ିଶାର ଆଇଟିଆଇଗୁଡ଼ିକରେ ଛାତ୍ରୀଙ୍କ ସଂଖ୍ୟା କମ୍ ରହିଥିଲା। କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ଏହା ବଢ଼ି ଏକ ନୂଆ ରେକର୍ଡ ସୃଷ୍ଟି କରିପାରିଛି।

ଚଳିତ ଶିକ୍ଷାବର୍ଷରେ ରାଜ୍ୟର ୭୨ଟି ସରକାରୀ ଆଇଟିଆଇରେ ବିଭିନ୍ନ ଟ୍ରେଡକୁ ନେଇ ମୋଟ୍ ସିଟ୍ ସଂଖ୍ୟା ରହିଛି ୨୩ ହଜାର ୪୮୪। ତା’ ମଧ୍ୟରୁ ୨୩ ହଜାର ୧୧୯ଟି ସିଟ୍‌ରେ ଇତିମଧ୍ୟରେ ନାମଲେଖା ସରିଛି। ଏହି ପାଠ୍ୟକ୍ରମରେ ୭ ହଜାର ୧୮୮ ଜଣ ଛାତ୍ରୀ ନାମ ଲେଖାଇଛନ୍ତି। ଫଳରେ ରାଜ୍ୟର ଆଇଟିଆଇରେ ନାମଲେଖା ଲାଗି ଛାତ୍ରୀମାନଙ୍କ ସଂଖ୍ୟା ୩୦.୬୦ ପ୍ରତିଶତ ରେକର୍ଡ କରାଯାଇଛି। ୨୦୧୫ ମସିହା ବେଳକୁ ଏହି ସଂଖ୍ୟା ପ୍ରାୟ ୬ ପ୍ରତିଶତରୁ କମ୍ ରହିଥିଲା।

ସେହିପରି ରାଜ୍ୟର ବିଭିନ୍ନ ସରକାରୀ ପଲିଟେକନିକ୍‌ରେ ଝିଅମାନଙ୍କ ନାମଲେଖା ହାର ମଧ୍ୟ ଚଳିତବର୍ଷ ବେଶ୍ ଉତ୍ସାହଜନକ ରହିଛି। ରାଜ୍ୟର ୩୪ଟି ପଲିଟେକନିକ୍‌ରେ ମୋଟ ୮ ହଜାର ୭୩୫ଟି ସିଟ୍ ରହିଛି। ତା’ ମଧ୍ୟରୁ ଇତିମଧ୍ୟରେ ୮ ହଜାର ୭୧୬ଟି ସିଟ୍ ଲାଗି ନାମଲେଖା ସରିଲାଣି। ସେମାନଙ୍କ ମଧ୍ୟରୁ ୩ ହାଜାର ୧୬୦ ଜଣ ଛାତ୍ରୀ ବିଭିନ୍ନ ଟ୍ରେଡ୍‌ରେ ନାମଲେଖାଇଛନ୍ତି। ପଲିଟେକନିକ୍‌ର ମୋଟ ସିଟ୍ ସହ ତୁଳନା କଲେ ନାମ ଲେଖାଇଥିବା ଛାତ୍ରୀଙ୍କ ହାର ୩୬.୧୮ ପ୍ରତିଶତ ରହିଛି।

ଓଡ଼ିଶାରେ ବିଭିନ୍ନ ବୈଷୟିକ ଓ ପେସାଦାର ଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢ଼ୁଥିଲେ ମଧ୍ୟ ବିଭିନ୍ନ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ବା ଆଇଟିଆଇରେ ସିଟ୍ ଖାଲି ପଡ଼ୁଥିଲା। ତା’ସାଙ୍ଗକୁ ଆଇଟିଆଇରେ ତାଲିମ ନେବା ପାଇଁ ଅଧିକ ସଂଖ୍ୟାରେ ଛାତ୍ରୀମାନେ ଆସୁନଥିଲେ। ବିଭିନ୍ନ ପରିବାରରେ ଅଭିଭାବକମାନେ ଝିଅମାନଙ୍କୁ ଆଇଟିଆଇ ପଠାଇବା ଲାଗି ଭାବୁନଥିଲେ।

ରାଜ୍ୟ ସରକାର ୨୦୧୫ ମସିହାରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଗଠନ କରି ସୁବ୍ରତ ବାଗ୍‌ଚିଙ୍କୁ ଏହାର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଥିଲେ। ଫଳରେ ଦକ୍ଷତା ବିକାଶର କ୍ଷେତ୍ର ଏକ ନୂଆ ମିଶନ୍ ଏବଂ ଆକର୍ଷଣ ଭାବେ ଗଢ଼ି ଉଠିଲା। ଗତ କିଛି ବର୍ଷ ମଧ୍ୟରେ ଏ କ୍ଷେତ୍ରରେ ଯେଉଁ ପରିବର୍ତ୍ତନ ଆସିଛି ଆଜି ତାହାର ଫଳାଫଳ ବିଭିନ୍ନ ସରକାରୀ ଆଇଟିଆଇର ନାମଲେଖା ସଂଖ୍ୟାରୁ ଆକଳନ କରାଯାଇପାରେ। ବିଶେଷକରି ଆଇଟିଆଇ ଏବଂ ପଲିଟେକନିକ୍‌ରେ ବହୁସଂଖ୍ୟାରେ ଛାତ୍ରୀ ଭର୍ତ୍ତି ହେବା ଆଜି ଏକ ଉତ୍ସାହଜନକ ବିଷୟ ଭାବେ ବିଚାର କରାଯାଇପାରେ।

ଗତ କିଛି ବର୍ଷ ତଳେ ରାଜ୍ୟ ସରକାର ‘ସୁଦକ୍ଷା’ ନାମରେ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ରାଜ୍ୟର ବିଭିନ୍ନ ସରକାରୀ ଆଇଟିଆଇରେ ଛାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ପଢ଼ିବା ଓ ତାଲିମ ନେବାର ସୁଯୋଗ ମିଳୁଛି। ଚଳିତବର୍ଷଠାରୁ ପଲିଟେକନିକ୍ ଶିକ୍ଷାକୁ ଏହି ଯୋଜନା ସହ ଯୋଡ଼ିବା ଫଳରେ ଏବେ ଆହୁରି ଅଧିକ ଛାତ୍ରୀଙ୍କ ଆକାଂକ୍ଷା ପୂରଣ କରିବା ସମ୍ଭବ ହୋଇପାରିବ। ବିଶେଷକରି, ରାଜ୍ୟର ଗ୍ରାମାଞ୍ଚଳ, ଆଦିବାସୀ କ୍ଷେତ୍ର ଏବଂ ଆର୍ଥିକ ଅନଗ୍ରସର ପରିବାରଗୁଡ଼ିକରୁ ଆସୁଥିବା ଛାତ୍ରୀମାନେ ଆଜି ଆଇଟିଆଇ ଏବଂ ପଲିଟେକନିକ୍‌ରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ନେଇ ନୂଆ କ୍ୟାରିୟର ସ୍ୱପ୍ନ ଦେଖିପାରୁଛନ୍ତି।

ଚଳିତ ନାମଲେଖା ସିଜନ୍‌ରେ ବିଭିନ୍ନ ସରକାରୀ ଆଇଟିଆଇରେ ଯେଉଁ ୩୬୫ଟି ଆସନ ବର୍ତ୍ତମାନ ସୁଦ୍ଧା ଖାଲି ରହିଛି, ତା’ମଧ୍ୟରେ ସର୍ବାଧିକ ସିଟ ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଥିବା ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ ଆଇଟିଆଇରେ ଅଛି। ଏଠାରେ ଥିବା ମୋଟ ୩୧୨ଟି ଆସନରୁ ଏପର୍ଯ୍ୟନ୍ତ ୧୯୩ଟିରେ ନାମଲେଖା ହୋଇଛି।

ସେହିପରି ଅନୁଗୁଳ ଜିଲ୍ଲା ତାଳଚେରରେ ୪୨, ପୁରୀ ଜିଲ୍ଲା ରୁଆ ଏବଂ କଳାହାଣ୍ଡିର ଜୁନାଗଡ଼ ଆଇଟିଆଇ ଉଭୟରେ ୪୧ଟି ଆସନ ଭର୍ତ୍ତି ହେବାକୁ ବାକି ରହିଛି। କଟକସ୍ଥିତ ମଧୁସୂଦନ ଆଇଟିଆଇରେ ୪୦, ଗଞ୍ଜାମ ପୁରୁଷୋତ୍ତମପୁର ଆଇଟିଆଇରେ ୧୬, ବଲାଙ୍ଗିର ଆଇଟିଆଇରେ ୧୫ ଏବଂ କଟକ ଆଇଟିଆଇରେ ୧୦ଟି ଆସନ ଖାଲି ରହିଛି। ସିଟ୍ ଖାଲି ରହିଥିବା ଅନ୍ୟ ଆଇଟିଆଇଗୁଡ଼ିକ ମଧ୍ୟରେ ମାତ୍ର ୧ରୁ ୫ ଭିତରେ ସିଟ୍ ରହିଛି।

ରାଜ୍ୟର ବିଭିନ୍ନ ସରକାରୀ ଏବଂ ଘରୋଇ ଆଇଟିଆଇ ତଥା ପଲିଟେକନିକ୍‌ରେ ବିଭିନ୍ନ ତାଲିମ ପାଠ୍ୟକ୍ରମ ଶେଷ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଶା ସରକାର ଏକ ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି। ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଏଥିପାଇଁ ପ୍ରତିଷ୍ଠା ହୋଇଛି ଏକ ଅନ୍ତର୍ଜାତୀୟ ସ୍ତରର ଅତ୍ୟାଧୁନିକ ତାଲିମ ଅନୁଷ୍ଠାନ ଯାହର ନାଁ ରହିଛି ବିଶ୍ୱ ଦକ୍ଷତା କେନ୍ଦ୍ର।

ଏଠାରେ ଦୁଇ ବର୍ଷିଆ ଆଇଟିଆଇ ଏବଂ ତିନି ବର୍ଷିଆ ଡିପ୍ଲୋମା ପାଠ୍ୟକ୍ରମ କରିଥିବା ଛାତ୍ରଛାତ୍ରୀଙ୍କୁ ଏହାର ସ୍କୁଲ ଅଫ୍ ଇଞ୍ଜିନିୟରିଂ ଅଧୀନରେ ବିଭିନ୍ନ ଟ୍ରେଡ୍‌ରେ ଅତ୍ୟାଧୁନିକ ତାଲିମ ଦିଆଯାଉଛି। ସେହିପରି, ବିଶ୍ୱଦକ୍ଷତା କେନ୍ଦ୍ରର ସ୍କୁଲ ଅଫ୍ ସର୍ଭିସେସ୍ ଅଧୀନରେ ଯେକୌଣସି ବିଷୟରେ ଯୁକ୍ତ ୨ କିମ୍ବା ଡିପ୍ଲୋମା ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ତାଲିମ ପାଠ୍ୟକ୍ରମ ରହିଛି। ଚଳିତ ସେପ୍ଟେମ୍ବର ନାମଲେଖା ସେସନ୍ ପାଇଁ ଏବେ ସେଠାରେ ଏଣ୍ଟ୍ରାନ୍ସ ପରୀକ୍ଷା କରାଯାଉଛି। ଚଳିତ ବର୍ଷ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏହି କେନ୍ଦ୍ରରେ ନାମଲେଖା ପାଇଁ ଆବେଦନ କରିଥିବାର ସୂଚନା ମିଳିଛି।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଇଣ୍ଡଷ୍ଟ୍ରି ରେଡି ତାଲିମ ପାଠ୍ୟକ୍ରମ ସହ ଅତ୍ୟାଧୁନିକ ଲାବୋରେଟୋରି ରହିଛି। ସେହିପରି ମେଧାବୀ ଛାତ୍ରଛାତ୍ରୀଙ୍କୁ ସିଙ୍ଗାପୁର ଯାଇ ଉଚ୍ଚତର ତାଲିମ ଏବଂ ବିଭିନ୍ନ ଅନ୍ତର୍ଜାତୀୟ କମ୍ପାନିରେ କାମ କରିବାର ସୁଯୋଗ ମିଳୁଛି। ଏହାଫଳରେ ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ଛାତ୍ରଛାତ୍ରୀ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଉଚ୍ଚତର ତାଲିମ ନେବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି।

ରାଜ୍ୟରେ ବିଭିନ୍ନ ଆଇଟିଆଇ ଏବଂ ପଲିଟେକନିକ୍‌ରୁ ପାଠ୍ୟକ୍ରମ ସାରି ଉଚ୍ଚତର ତାଲିମ ଲାଗି ବିଶ୍ୱ ଦକ୍ଷତା କେନ୍ଦ୍ର ଆସୁଥିବା ଛାତ୍ରଛାତ୍ରୀମାନେ କ୍ୟାମ୍ପସ୍ ସାକ୍ଷାତକାରରେ ଭଲ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି। ଚଳିତ ବର୍ଷ ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀମାନେ ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ କମ୍ପାନିରେ ଯେଭଳି ନିଯୁକ୍ତି ସୁଯୋଗ ପାଇପାରୁଛନ୍ତି ତାହା ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ନିଶ୍ଚୟ ଉତ୍ସାହିତ କରିବ।

ବିଶ୍ୱ ଦକ୍ଷତା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଥିବା ଅଳକା ମିଶ୍ରଙ୍କୁ ନିକଟରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି କେନ୍ଦ୍ରରୁ ଡେପୁଟେସନ୍ ସାରି ଗତ ବର୍ଷ ଓଡ଼ିଶା ଫେରିଥିବା ଆଇଏଏସ୍ ଅଧିକାରୀ ଊଷା ପାଢ଼ୀ ଏବେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାମ କରୁଛନ୍ତି। ଓଡ଼ିଶାରେ ଦକ୍ଷତା ବିକାଶ କ୍ଷେତ୍ରକୁ ଆଉ ଏକ ଉଚ୍ଚତାକୁ ନେବା ପାଇଁ ବିଭାଗ ସହ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି।

Tags: #TechnicalEducation #SkillDevelopment #ITI&Polytechnic #WorldSkillCenter #Odisha

Comment