ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ସାରା ରାଜ୍ୟରେ ପାଳିତ ହେଉଛି ପବିତ୍ର ପ୍ରଥମାଷ୍ଟମୀ। ଆଜିର ଦିନରେ ବଂଶର ପ୍ରଥମ ସନ୍ତାନ ବା ବଡ଼ ପୁଅ ଝିଅ ନୂଆ ବସ୍ତ୍ର ପିନ୍ଧି ପୂଜା ହୋଇଛନ୍ତି। ଏହି ଅବସରରେ ସବୁ ଓଡ଼ିଆ ଘରେ ପିଠାପଣାର ଆସର ଜମିଛି।

ଓଡ଼ିଆ ପରମ୍ପରା ଅନୁସାରେ ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପ୍ରଥମାଷ୍ଟମୀ ପାଳିତ ହୋଇଥାଏ। ଏହିଦିନ ମା‘ମାନେ ଘରେ ନିଜର ବଡ଼ ପୁଅ ଝିଅଙ୍କୁ ଠାକୁରଙ୍କ ଆଗରେ ବସାଇ ପୂଜାର୍ଚ୍ଚନା କରିଥା’ନ୍ତି। ପୁଅ ଓ ଝିଅଙ୍କୁ ପିଢ଼ା ଉପରେ ବସାଇ ଦୁଇ କାନରେ ଫୁଲ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୁବ, ବରକୋଳି ପତ୍ର ଓ ହଳଦୀମିଶା ଚାଉଳରେ ବନ୍ଦାପନା କରନ୍ତି।

ନୂଆ ଡ୍ରେସରେ ବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନ ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହିତ ପିତାମାତା ଓ ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନିଅନ୍ତି। ପରିବାରର ଜ୍ୟେଷ୍ଠ ପୁତ୍ର ବା ଜ୍ୟେଷ୍ଠା କନ୍ୟାର ନବ ବସ୍ତ୍ର ପରିଧାନ ଓ ବନ୍ଦାପନା ହେବାର ଏହି ବିଶେଷ ବିଧିକୁ ‘ପଢ଼ୁଆଁ ହେବା’ କୁହାଯାଏ।

ସାଧାରଣତଃ ପ୍ରଥମାଷ୍ଟମୀରେ ବଡ଼ ସନ୍ତାନଙ୍କୁ ପୋଢ଼ୁହାଁ କରିବା ପାଇଁ ନୂଆ ବସ୍ତ୍ର ଦେବା ଦାୟିତ୍ଵ ମାମୁଁଙ୍କର ଥାଏ। ଏହିଦିନ ମାମୁଁମାନେ ଭଣଜା ଭାଣିଜିଙ୍କ ପାଇଁ ନୂଆ ପୋଷକ, ମିଠା ଆଦି ନେଇ ଆସିଥାନ୍ତି।

ସେହିପରି ଆଜିର ଦିନରେ ପ୍ରତ୍ୟେକ ଘରେ ଏଣ୍ଡୁରି ପିଠା ସହ ଅନ୍ୟାନ୍ୟ ପିଠାପଣାର ମଧ୍ୟ ପ୍ରସ୍ତୁତ ହୋଇଥାଏ। ଏଣ୍ଡୁରି ପିଠା ପ୍ରଥମାଷ୍ଟମୀର ଅନ୍ୟ ଏକ ବିଶେଷତ୍ଵ। ଏହି ପିଠା ହଳଦୀ ପତ୍ରରେ ଛେନା, ନଡ଼ିଆ, ଗୁଡ଼ପୁର ଦିଆଯାଇ ଅରୁଆ ଚାଉଳ ଓ ବିରିରେ ପ୍ରସ୍ତୁତ କରାଯାଇଥାଏ।

ପ୍ରଥମାଷ୍ଟମୀରେ ପ୍ରଥମ ସନ୍ତାନଙ୍କୁ କାହିଁକୁ ପୂଜା କରାଯାଏ?

ଓଡ଼ିଆ ପରମ୍ପରା ଅନୁଯାୟୀ ଘରର ପ୍ରଥମ ପୁଅ ଝିଅଙ୍କୁ ଘରର ସୌଭାଗ୍ୟ ବୋଲି ଗ୍ରହଣ କରାଯାଇଥାଏ। ପିତାଙ୍କ ପରେ ବଡ଼ପୁଅ ଘରର ଉତ୍ତରାଧିକାରୀ ହୋଇଥାଏ। ତେଣୁ ପ୍ରଥମାଷ୍ଟମୀରେ ଘରର ପ୍ରଥମ ପୁଅଙ୍କୁ ପୂଜାର୍ଚ୍ଚନା କରାଯାଏ। ସେହିପରି ଘରର ଝିଅଙ୍କୁ ଘରର ସମ୍ମାନ କୁହାଯାଏ। ତେଣୁ ପ୍ରଥମାଷ୍ଟମୀରେ ବଡ଼ ଝିଅଙ୍କୁ ମଧ୍ୟ ପୂଜା କରାଯାଇଥାଏ।

Tags: #Prathamastami #Celebrations #Rituals #OdiaFamily #Odisha

Comment