ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର ହାଇଟେକ୍ ହସ୍ପିଟାଲ ଏସି ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ନିଜକୁ ଦିଲ୍ଲୀପ ସାମନ୍ତରାୟ ପରିଚୟ ଦେଇଥିବା ବ୍ୟକ୍ତିଙ୍କ ଶନିବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏନେଇ ହାଇଟେକ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।  

ଏହି ବିସ୍ଫୋରଣ ଘଟଣାରେ ଏବେ ଅନେକ ସମସ୍ୟା ଉପୁଜିଛି। ଘଟଣାରେ ପ୍ରଥମେ ଦିଲ୍ଲୀପଙ୍କ ମୃତ୍ୟୁ ହୋଇଥିବା ହାଇଟେକ୍ ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା। ପରିବାର ଲୋକେ ଦିଲ୍ଲୀପଙ୍କ ମୃତଦେହ ନେଇ ସଂସ୍କାର କାର୍ଯ୍ୟ କଲେ। ଏପରିକି ଦିଲ୍ଲୀପଙ୍କର ମୃତ୍ୟୁ ଖବର ଶୁଣି ତାଙ୍କ ପତ୍ନୀ ମଧ୍ୟ ଆତ୍ମହତ୍ୟା କରିଥିଲେ। 

ପରବର୍ତ୍ତୀ ସମୟରେ ଯାହାଙ୍କୁ ଜ୍ୟୋତିରଞ୍ଜନ ମଲ୍ଲିକ ଭାବି ଚିକିତ୍ସା କରାଯାଉଥିଲା ସେ ଗୁରୁବାର ଭେଣ୍ଟିଲେଟରରୁ ବାହାରି ନିଜକୁ ଦିଲ୍ଲୀପ ସାମନ୍ତରାୟ ବୋଲି ପରିଚୟ ଦେଇଥିଲେ। ଏହାକୁ ନେଇ ଜ୍ୟୋତିରଞ୍ଜନ ମଲ୍ଲିକଙ୍କ ପରିବାର ବର୍ଗଙ୍କ ମଧ୍ୟରେ ବହୁତ ଅସନ୍ତୋଷ ଦେଖାଦେଇଛି।  

ମୃତଦେହ ଚିହ୍ନଟକୁ ନେଇ ଦ୍ଵନ୍ଦ୍ଵ

ଏବେ ମୃତଦେହ ଚିହ୍ନଟକୁ ନେଇ ଉଭୟ ଦିଲ୍ଲୀପ ଓ ଜ୍ୟୋତିଙ୍କ ପରିବାର ମଧ୍ୟରେ ଦ୍ଵନ୍ଦ୍ଵ ଉପୁଜିଛି। ଉଭୟ ପରିବାର ମୃତଦେହକୁ ନିଜର ବୋଲି କହୁଛନ୍ତି। ଏଭଳି ପରିସ୍ଥିତି ପାଇଁ ହାଇଟେକ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପରିବାର ଲୋକେ ଦାୟୀ କରିଛନ୍ତି।  

ହାଇଟେକ ହସ୍ପିଟାଲର ସୂଚନା ମୁତାବିକ ଶନିବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବ୍ୟକ୍ତି ନିଜକୁ ଦିଲ୍ଲୀପ ସାମନ୍ତରାୟ କହିଥିଲେ ମଧ୍ୟ, ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଡିଏନଏ ଟେଷ୍ଟ କରାଯିବ। ଏହାପରେ ସଠିକ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ।  

୨୦୨୩ ଡିସେମ୍ବର ୨୯ ତାରିଖରେ ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟି ୪ ଜଣ ଗୁରୁତର ଆହତ ହୋଇଥିଲେ। ଡିସେମ୍ବର ୩୧ ତାରିଖରେ ଦିଲ୍ଲୀପ ସାମନ୍ତରାୟଙ୍କର ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଥିଲା।

ଏହାପରେ ଜାନୁଆରି ୩ ତାରିଖରେ ଅନ୍ୟ ଜଣେ ଆହତ ପୁରୀ ଜିଲ୍ଲା ଡେଲାଙ୍ଗ ଚାଇଁପୁର ଗାଁର ଶ୍ରୀତମ ସାହୁଙ୍କର ମୃତ୍ୟୁ ହୋଇଥିଲା। ଶନିବାର ଜଣେ ମୃତକଙ୍କୁ ମିଶାଇ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି। ଏବେ କେବଳ ଜଣେ ଆହତ ସୀମାଞ୍ଚଳ ବିଶ୍ଵାଳଙ୍କର ଚିକିତ୍ସା ଚାଲିଛି।

Tags: #HiTechHospital #Death #DeathMystery #Bhubaneswar #GasExplosion #Odisha

Comment