ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ୨ଟି ବିଭାଗର ୫ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏଠାରେ ଆଦିବାସୀଙ୍କୁ ରୋଜଗାର ଯୋଗାଇବା ତଥା ସେମାନଙ୍କ ଉତ୍ପାଦିତ ସାମଗ୍ରୀର ବଜାରୀକରଣ ପାଇଁ ‘ଲଘୁ ବନଜାତ ଦ୍ରବ୍ୟ କ୍ରୟ’ (ଲାଭ) ଯୋଜନାର ପ୍ରସ୍ତାବ ପାରିତ ହୋଇଛି। ସେହିପରି ଆଦିବାସୀଙ୍କ ଅଧିକାର ଓ ଭାଷାର ସୁରକ୍ଷା ପାଇଁ ଅନ୍ୟାନ୍ୟ ପ୍ରସ୍ତାବ ଉପରେ ମୋହର ବାଜିଛି।

ଆଦିବାସୀଙ୍କ ପାଇଁ ହୋଇଥିବା ‘ଲଘୁ ବନଜାତ ଦ୍ରବ୍ୟ କ୍ରୟ’ (ଲାଭ) ଯୋଜନାରେ ବନଜାତ ଦ୍ରବ୍ୟ କିଣିବା ପାଇଁ ରାଜ୍ୟ ସରକାର ଶତ ପ୍ରତିଶତ ଆର୍ଥିକ ସହାୟତା ଯୋଗାଇଦେବେ। ଏଥିପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ଏହାସହ ପ୍ରଥମଥର ପାଇଁ ଲଘୁ ବନଜାତ ଦ୍ରବ୍ୟ ଉପରେ ରାଜ୍ୟ ସରକାର ଏମଏସପି ଧାର୍ଯ୍ୟ କରିବେ। ପ୍ରତିବର୍ଷ ଦ୍ରବ୍ୟଗୁଡ଼ିକର ସର୍ବନିମ୍ନ ମୂଲ୍ୟ ନିର୍ଣ୍ଣୟ କରାଯିବ। ଆଦିବାସୀମାନେ ସେମାନଙ୍କ ସାମଗ୍ରୀ ରାଜ୍ୟ ସରକାରଙ୍କ ଧାର୍ଯ୍ୟ ମୂଲ୍ୟରେ ଆଦିବାସୀ ଉନ୍ନୟନ ସମବାୟ ନିଗମ ଓଡ଼ିଶା ଲିମିଟେଡରେ (ଟିଡିସିସିଓଏଲ୍‌) ବିକ୍ରି କରିପାରିବେ। ସାମଗ୍ରୀ ବିକିବା ପରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ତାଙ୍କ ପ୍ରାପ୍ୟ ଟଙ୍କା ଜମା କରାଯିବ। 

ସେହିପରି ଲାଭ ଯୋଜନା ଅନ୍ତର୍ଗତ ଆଦିବାସୀଙ୍କଠାରୁ ବନଜାତ ଦ୍ରବ୍ୟ କିଣିବା କାର୍ଯ୍ୟକୁ ମିଶନ ଶକ୍ତି ଏସଏଚଜିଗୁଡ଼ିକ ଦ୍ଵାରା ପରିଚାଳନା କରାଯିବ। ଏଥିପାଇଁ ଉକ୍ତ ଏସଏଚଜିଗୁଡ଼ିକ ୨ ପ୍ରତିଶତ କମିଶନ ମିଳିବ। ଏହାସହ ଲାଭ ଯୋଜନାରେ ରାଜ୍ୟ ସରକାର ରାୟଗଡ଼ାରେ ୨୫ କୋଟି ଟଙ୍କା ବ୍ୟୟରେ ଏକ ହଳଦୀ ପ୍ରୋସେସିଂ ପ୍ଲାଣ୍ଟ ନିର୍ମାଣ କରିବେ।

ଅନ୍ୟପଟେ ବିଭିନ୍ନ ଆଦିବାସୀ ଭାଷାର ସଂରକ୍ଷଣ ଓ ପ୍ରଚାର ପ୍ରସାର ପାଇଁ ଏକ ଆଦିବାସୀ ଭାଷା କମିଶନ ଗଠନ ହେବ। ଏହି କମିଶନ ଓଡ଼ିଶାରେ ଥିବା ୨୧ଟି ଆଦିବାସୀ ଭାଷାର ସଂରକ୍ଷଣ, ପ୍ରଚାର, ପ୍ରୋତ୍ସାହନ, ସୁରକ୍ଷା କରିବା ଦିଗରେ କାର୍ଯ୍ୟ କରିବ।

ଏହାସହ ଆଦିବାସୀ ଭାଷା କମିଶନ ହୋ, ମୁଣ୍ଡାରି, କୁଇ ଏବଂ ସଉରା ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ପାଇଁ କେନ୍ଦ୍ର ସରକାରଙ୍କ ସହ ନିୟମିତ ଯୋଗାଯୋଗରେ ରହିବ।

ସେହିପରି ଆଦିବାସୀଙ୍କ ଜମି କିଣାବିକା ନେଇ ପୂର୍ବେ ହୋଇଥିବା କ୍ୟାବିଟେନର ନିଷ୍ପତ୍ତିକୁ ଏବେ ପ୍ରତ୍ୟାହାର କରାଯାଇଛି। ୨୦୨୨ ନଭେମ୍ବର ୧୪ ତାରିଖରେ ରାଜ୍ୟ କ୍ୟାବିନେଟରେ ଏହି ନିଷ୍ପତ୍ତି ନିଆଯାଇଥିଲା।

ସୋମବାର ହୋଇଥିବା କ୍ୟାବିନେଟ ବୈଠକରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ତଥା ରାଜସ୍ୱ ଏବଂ ବିପର୍ଜୟ ପରିଚାଳନା ବିଭାଗର ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ତଥା ପଛୁଆବର୍ଗ କଲ୍ୟାଣ ବିଭାଗର ମନ୍ତ୍ରୀ ଜଗନ୍ନାଥ ସାରକା, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏବଂ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗର ସଚିବ ରୂପାରୋଶନ ସାହୁ ପ୍ରମୁଖ ଯୋଗ ଦେଇଥିଲେ।  

Tags: #CabinetMeeting #Govtproposals #StateCabinet #CMNaveenPatnaik #Odisha

Comment