ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆକର୍ଷଣୀୟ ଆତସବାଜି ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମଠାରେ ଆରମ୍ଭ ହୋଇଥିବା ୫ ଦିନିଆ ଏସିଆନ ଆଥଲେଟିକ୍ ଚମ୍ପିଆନସିପ୍ ସମାରୋହକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଅନ୍ୟପକ୍ଷରେ ଭାରତର ଅନ୍ୟତମ ଶ୍ରେଷ୍ଠ ଧାବିକା ଶ୍ରାବଣୀ ନନ୍ଦ ପ୍ରତିଯୋଗୀ କ୍ରୀଡ଼ାବିତ୍‌‍ମାନଙ୍କୁ ଶପଥ ପାଠ କରାଇଥିଲେ। ଏହା ବ୍ୟତୀତ ଏହି ଚମ୍ପିଆନସିପ୍‌‍ର ଭିତ୍ତିଭୂମି ସ୍ୱଳ୍ପ ସମୟରେ ପ୍ରସ୍ତୁତି କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କୁ ଆଇଏଏଏଫ୍ ପକ୍ଷରୁ ଭୂୟସୀ ପ୍ରଶଂସା କରାଯାଇଥିଲା।

ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ଏହି ସମାରୋହର ବିଧାୟକ, ସାଂସଦ, ମନ୍ତ୍ରୀମାନେ ଉପସ୍ଥିତ ଥିଲେ। ଏଥିରେ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟକୁ ନେଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସମସ୍ତଙ୍କୁ ବିଶେଷ କରି ବିଦେଶୀ କ୍ରୀଡ଼ାବିତ୍‌‍ମାନଙ୍କୁ ମୁଗ୍ଧ କରିଥିବା ଦେଖାଯାଇଥିଲା ।

ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦେଶର ଅନ୍ୟତମ ବିଶିଷ୍ଟ ସଂଗୀତଜ୍ଞ ଶଙ୍କର ମହାଦେବନ ଲୋକପ୍ରିୟ ସମ୍ବଲପୁରୀ ଗୀତ ରଙ୍ଗବତୀ ଗାନ କଲାବେଳେ ଦର୍ଶକମାନେ ମନ ଭରି ଉପଭୋଗ କରିଥିଲେ। ଅପରପକ୍ଷରେ ସେ ହିନ୍ଦୀ ଗୀତ ଗାନ କରିଥିଲେ।

ସେହିପରି ପ୍ରିନ୍‌‌‍ସ ଡ୍ୟାନ୍ସ ଗ୍ରୁପ୍‌‍ର ନୃତ୍ୟ ଅନୁରୂପ ଭାବେ ଦର୍ଶକ ମାନଙ୍କ ମନକୁ ଛୁଇଁଥିଲା। ପ୍ରଥମ କାର୍ଯ୍ୟକ୍ରମ ମାର୍ଚ୍ଚଫାଷ୍ଟ ହୋଇଥିଲା ଏବଂ ଆଥଲେଟିକ୍‌‌ମାନେ ନିଜ ନିଜ ଦେଶର ପତାକା ଧରି ମାର୍ଚ୍ଚଫାଷ୍ଟ କରିଥିଲେ।

ମୁଖ୍ୟମନ୍ତ୍ରୀ ଉଦ୍‌‌ଘାଟନୀ ଭାଷଣରେ କଳିଙ୍ଗ ସହିତ ଏସିଆ ମହାଦେଶର ବିଭିନ୍ନ ଦେଶମାନଙ୍କ ସହିତ ଥିବା ପୁରୁଣା ସମ୍ପର୍କକୁ ଦୋହରାଇବା ସହ ଆଜିର କ୍ରୀଡ଼ା କୁମ୍ଭ ମେଳା ଏହି ସମ୍ପର୍କକୁ ଆହୁରି ଅଧିକ ମଜଭୁତ କରିବ ବୋଲି କହିଥିଲେ। ଓଡ଼ିଆ ଜାତିର ଇଷ୍ଟଦେବ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଆଶୀର୍ବାଦରେ ଓଡ଼ିଶାରେ ଆନ୍ତର୍ଜାତିକ ମାନର କ୍ରୀଡ଼ା ପ୍ରତିଯୋଗିତା କରିବା ସମ୍ଭବ ହୋଇଛି। ଏହା ଓଡ଼ିଶା ବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ବର୍ତ୍ତମାନ କଳିଙ୍ଗ ଷ୍ଟାଡିୟମଠାରେ ସାରା ଏସିଆ ମହାଦେଶ ଏକତ୍ରିତ ହୋଇଛି। କମ୍ ସମୟ ମଧ୍ୟରେ ଏହି କ୍ରୀଡ଼ାର ଭିତ୍ତିଭୂମି ପ୍ରସ୍ତୁତ କରାଯିବା ସହ କଳିଙ୍ଗ ଷ୍ଟାଡିୟମକୁ ଆନ୍ତର୍ଜାତିକ ମାନର ବନାଯାଇପାରିଛି। ଏହା ତାଙ୍କ ସରକାର ପାଇଁ ଆହ୍ୱାନ ଥିଲା। ଏହି ଆହ୍ୱାନକୁ ଗ୍ରହଣ କରି ରାଜ୍ୟ ସରକାର ନିଜର ଦକ୍ଷତା ପ୍ରମାଣ କରିପାରିଛନ୍ତି। ଏହି କ୍ରୀଡ଼ା କୁମ୍ଭ ମେଳାରେ ସାରା ଏସିଆ ଆମ ସହିତ ଯୋଡ଼ି ହୋଇଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ଉଦ୍‌‍ଘାଟନୀ ଭାଷଣ ଆରମ୍ଭ କରିବା ବେଳେ ଓଡ଼ିଆରେ ଜୟ ଜଗନ୍ନାଥ ଓ ହାଲୋ ଏସିଆ ୱେଲକମ୍ କହିବା ସହ ଉପସ୍ଥିତ ଥିବା ଦର୍ଶକମାନଙ୍କୁ ବନ୍ଧୁଗଣ ସମ୍ବୋଧନ କରି ସମସ୍ତଙ୍କୁ ନମସ୍କାର କରିଥିଲେ ଶେଷରେ ମଧ୍ୟ ତାଙ୍କର ଅଭିଭାଷଣ ବନ୍ଦ କଲାବେଳେ ବନ୍ଦେ ଉତ୍କଳ ଜନନୀ କହିଲା ବେଳେ ଦର୍ଶକମାନେ ତାଳି ମାରିଥିବାର ଦେଖାଯାଇଥିଲା।

ଏଥିରେ ବିଭିନ୍ନ ଇଭେଣ୍ଟରେ ୪୩ ଦେଶର ୬୦୦ରୁ ଅଧିକ ଆଥଲେଟ୍ ଅଂଶଗ୍ରହଣ କରୁଛନ୍ତି। ଉଭୟ ପୁରୁଷ ଓ ମହିଳା ଆଥଲେଟ୍ ୨୧ଟି ଲେଖାଏଁ ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିବେ ।

Comment