ଓଡ଼ିଶାଲାଇଭ୍‌ ବ୍ୟୁରୋ

ତଥ୍ୟରେ ଅମେଳ: ଐତିହ୍ୟ ତାଲିକାରୁ ବାଦ୍‍ ପଡ଼ିଲା ଭିତରକନିକା

ପ୍ରକୃତି ରାଣୀ ଓଡ଼ିଶାକୁ କେଉଁଥିରେ ଊଣା କରିନି। ପ୍ରାକୃତିକ ସୌନ୍ଦର୍ଯ୍ୟର ଚାଦର ସମଗ୍ର ରାଜ୍ୟରେ ଘୋଡ଼ାଇ ଦେଇଛି। ଆଉ ଏହାକୁ ଉପଭୋଗ କରିବା ପାଇଁ କାହିଁ କେତେ ଦୂରରୁ ପର୍ଯ୍ୟଟକମାନେ ଓଡ଼ିଶା ଧାଇଁ ଆସୁଛନ୍ତି। ସେଥିମଧ୍ୟରୁ କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅନ୍ତର୍ଗତ ଭିତରକନିକା ଜାତୀୟ ଉଦ୍ୟାନ ଅନ୍ୟତମ।

ଏହି ଅଞ୍ଚଳ କେବଳ ବଉଳା କୁମ୍ଭୀର ପାଇଁ ସୁନାମ ଅର୍ଜନ କରିନି, ଏହାର ପ୍ରାକୃତିକ ପରିବେଶ ସମସ୍ତଙ୍କୁ ଆକୃଷ୍ଟ କରିଥାଏ। ହେଲେ ନିକଟରେ ପର୍ଯ୍ୟଟକ ଓ ପ୍ରକୃତିପ୍ରେମୀଙ୍କୁ ବଡ଼ ଝଟକା ଲାଗିଛି। ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ବିଶ୍ୱ ଐତିହ୍ୟସ୍ଥଳୀ (ୱାର୍ଲଡ୍‌ ହେରିଟେଜ୍ ସାଇଟ୍)ର ମାନ୍ୟତା ପାଇବାରୁ ବଞ୍ଚିତ ହୋଇଛି। ୨୦୦୬ରେ ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଦୀର୍ଘ ୧୧ ବର୍ଷ ଧରି ମୂଲ୍ୟାୟନ କରାଯିବା ପରେ ଭିତରକନିକା ଏହି ମାନ୍ୟତାରୁ ବଞ୍ଚିତ ହେବା ଘଟଣା ଓଡ଼ିଶାବାସୀଙ୍କୁ ଚକିତ କରିଛି।

ୟୁନେସ୍କୋ ଓ ଆଇୟୁସିଏନ୍‌ର ଅନ୍ତର୍ଜାତୀୟ ପ୍ରତିନିଧି ଦଳ ୪ ନଭେମ୍ବର ୨୦୧୬ରେ ଫାଇନାଲ୍ ସର୍ବେକ୍ଷଣ ପାଇଁ ଭିତରକନିକା ଗସ୍ତରେ ଆସିଥିଲେ। ଦୀର୍ଘ ୩ ଦିନ ଧରି ଭିତରକନିକାର ଜୈବ ବିଭିନ୍ନତା, ଭିତରକନିକାର ରକ୍ଷଣାବେକ୍ଷଣା ଉପରେ ଅନୁଧ୍ୟାନ କରିଥିଲେ। ଭବିଷ୍ୟତ ଜନସାଧାରଣ ଓ ମଣିଷ ସମାଜ ପାଇଁ ଭିତରକନିକାର ଆବଶ୍ୟକତା, ସାମୁଦ୍ରିକ ଝଡ଼ କବଳରୁ ରକ୍ଷା କରିବା ପାଇଁ ଭିତରକନିକାର ଲୁଣା ଜଙ୍ଗଲ ଓ ହେନ୍ତାଳ ବଣ କିପରି ସହାୟତା କରୁଛି ତାହା ନିରୀକ୍ଷଣ କରିଥିଲେ। ଭିତରକନିକାର ରାଜନଗରର ରାଜ୍ୟ, ଦେଶ ଓ ଅନ୍ତର୍ଜାତୀୟ ସ୍ତର ପ୍ରତି କ’ଣ କ’ଣ ଅବଦାନ ରହିଛି ସେନେଇ ଏହି ପ୍ରତିନିଧି ଦଳ ତର୍ଜମା ଓ ଅନୁଧ୍ୟାନ କରିଥିଲେ। ଏହାବାଦ୍‌ ଭିତରକନିକାକୁ ଆସୁଥିବା ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ କି ବ୍ୟବସ୍ଥା ଗ୍ରହଣ କରାଯାଇଛି ତାହା ପରଖିଥିଲେ। ଏହାସହ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟି ମତାମତ ସଂଗ୍ରହ ମଧ୍ୟ କରିଥିଲେ।

ଭିତରକନିକା ଜାତୀୟ ଉଦ୍ୟାନ, ଭିତରକନିକା ଅଭୟାରଣ୍ୟ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ବୁଲି ତଥ୍ୟ ସଂଗ୍ରହ କରିଥିଲେ। ଏହି ଟିମ୍ ସର୍ବେକ୍ଷଣ କରିବା ପରେ ବିଶ୍ୱ ଐତିହ୍ୟସ୍ଥଳ କମିଟିକୁ ତାର ରିପୋର୍ଟ ପ୍ରଦାନ କରିଥିଲା। ଚଳିତ ମାସ ୮ ତାରିଖ ଦିନ ପୋଲାଣ୍ଡରେ ଅନୁଷ୍ଠିତ ବିଶ୍ୱ ଐତିହ୍ୟସ୍ଥଳ ମାନ୍ୟତା ବୈଠକରେ ଭିତରକନିକାକୁ ବିଶ୍ୱ ଐତିହ୍ୟସ୍ଥଳ ମାନ୍ୟତା ଦିଆଯାଇନାହିଁ।

ଭିତରକନିକା ଅଞ୍ଚଳରେ ମଣିଷର ବିକାଶ ସମ୍ପର୍କିତ କାର୍ଯ୍ୟକଳାପ ବୃଦ୍ଧି ଓ ପରିବେଶ ପରିଚାଳନାଗତ ତ୍ରୁଟି ଯୋଗୁଁ ଭିତରକନିକା ବିଶ୍ୱ ମାନ୍ୟତା ପାଇବାରୁ ବଞ୍ଚିତ ହୋଇଥିବା ଜଣାପଡ଼ିଛି। ମହାନଦୀ, ବ୍ରାହ୍ମଣୀ ଏବଂ ବୈତରଣୀ ନଦୀର ତ୍ରିକୋଣଭୂମିରେ ଗଢି ଉଠିଥିବା ଭିତରକନିକାର ପ୍ରକୃତିପ୍ରେମୀ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ।

ଭିତରକନିକାର ବଉଳାକୁମ୍ଭୀର, ଅଲିଭ୍‌‍ ରିଡ୍‌‍ଲେ କଇଁଛ ସହିତ ହେନ୍ତାଳବଣ ଏବଂ ୬୩ ପ୍ରକାରର ଲୁଣାଜଙ୍ଗଲ ରହିଛି। ଭିତରକନିକା ପୂର୍ବରୁ ରାମସାର ସାଇଟ୍‌‍ର ମାନ୍ୟତା ପାଇସାରିଥିବା ବେଳେ ବିଶ୍ୱଐତିହ୍ୟ ମାନ୍ୟତାରୁ ବଞ୍ଚିତ ହେବା ଭିତରକନିକା ପାଇଁ ନିଶ୍ଚୟ ଏକ ଦୁଃଖର ବିଷୟ।

ଜୈବ ବିବିଧତାରେ ପରିପୂର୍ଣ୍ଣ ଏହି ଜାତୀୟ ଉଦ୍ୟାନ ଅଞ୍ଚଳ ମଧ୍ୟରେ ୪୧୦ଟି ଗାଁ ରହିଛି। ଜାତୀୟ ଉଦ୍ୟାନ ପରିବେଶକୁ ଚିଙ୍ଗୁଡି ଘେରି ଦୂଷିତ କରୁଛି। ନିକଟରେ ଥିବା ଅବଦୁଲ କଲାମ ଦ୍ୱୀପ ଭିତରକନିକା ଅଞ୍ଚଳରେ ସାମିଲ୍‍ ହୋଇ ନ ଥିଲେ ମଧ୍ୟ ଏହା ଖୁବ୍‍ ନିକଟରେ ରହିଛି। ଭିତରକନିକା ଅଞ୍ଚଳର ଜୀବଜନ୍ତୁ, ବିଭିନ୍ନ ପ୍ରଜାତିର ଗଛ ସଂଖ୍ୟାକୁ ନେଇ ତଥ୍ୟ ଅମେଳ ହେବାରୁ ଏହା ବିଶ୍ୱ ଐତିହ୍ୟ ତାଲିକା ଦୌଡରୁ ବାଦ୍‍ ପଡ଼ିଥିବା କୁହାଯାଉଛି।

ଏହାସହ ବିରଳ ପ୍ରଜାତିର ଅଲିଭ୍‍ ରିଡଲେ, ଦାଗଯୁକ୍ତ ହରିଣ, ଜଙ୍ଗଲୀ ବିଲେଇ, ଏସ୍କୋବିଲା, ଓଧ, ଡଲଫିନ୍‍ ଭଳି ବିରଳ ଜୀବଜନ୍ତୁଙ୍କ ସମେତ ବିଭିନ୍ନ ପ୍ରକାର ସରୀସୃପ ଭିତରକନିକାରେ ଦେଖାଯାଆନ୍ତି। ୬୭୨ ବର୍ଗ କିମି ଅଞ୍ଚଳ ଏହି ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିବା ବେଳେ ବିଶ୍ୱ ଐତିହ୍ୟ ତାଲିକାରୁ ବାଦ୍‍ ପଡିବା ଦୁଃଖଦାୟକ।

(ପ୍ରସ୍ତୁତି: ସରୋଜ)

Bhitarkanika: Crocodiles, Mangroves and Much More

Comment