ଓଡ଼ିଶାଲାଇଭ୍‍ ବ୍ୟୁରୋ

ରସଗୋଲା କାହାର? ଏ ନେଇ ସୃଷ୍ଟି ହୋଇଥିବା ବିବାଦ ଥମିବା ନାମ ଧରୁନାହିଁ। ଦୀର୍ଘ ଦୁଇ ବର୍ଷ ଧରି ଢ଼େର ବୟାନବାଜି ପରେ ବି ରସଗୋଲାକୁ ନେଇ ଯେଉଁ ବିବାଦ ସୃଷ୍ଟି ହୋଇଥିଲା ତାହାର ସମାଧାନ ନ ହୋଇପାରିବା କାରଣରୁ ଏହା ଏବେ ଅଦାଲତମୁଖୀ।

ମନେପକାଇ ଦିଆଯାଇପାରେ ଯେ ଉଭୟ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସରକାର ରସଗୋଲାର ଜନ୍ମ ନିଜ ନିଜ ରାଜ୍ୟରେ  ବୋଲି ଦାବି କରିଆସୁଛନ୍ତି।

ବଙ୍ଗଳାର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ଅବ୍ଦୁର୍ ରଜାକ୍ ମୋଲା ବୁଧବାର ଦିନ ଏକ ଦୈନିକ ଇଂରେଜୀ ସମ୍ବାଦପତ୍ରକୁ କହିଛନ୍ତି ଯେ ଓଡ଼ିଶାର ରସଗୋଲା ଦାବିକୁ ସେ କଦାପି ସଫଳ ହେବାକୁ ଦେବେ ନାହିଁ।

‘ରସଗୋଲାର ଜନ୍ମ ବେଙ୍ଗଲରେ ଓ ଏଥିପାଇଁ ଆମେ କୋର୍ଟର ଆଶ୍ରୟ ନେବାକୁ ସ୍ଥିର କରିଛୁ। ଅଦାଲତ ନିଷ୍ପତ୍ତି କରନ୍ତୁ ସତ କଣ। ଶେଷ ପର୍ଯ୍ୟନ୍ତ ଆମେ ଏଥିପାଇଁ ଲଢିବୁ’,ଏହା କହିଛନ୍ତି ରଜାକ୍।

ରସଗୋଲାକୁ ନେଇ ଦୁଇ ପଡୋଶୀ ରାଜ୍ୟ ମଧ୍ୟରେ ବିବାଦ ୨୦୧୫ରେ ଚରମ ସୀମାରେ ପହଁଚି ଯାଇଥିଲା ଯେତେବେଳେ ତତ୍କାଳୀନ ବିଜ୍ଞାନ ଓ କାରିଗରୀ ବିଭାଗ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା ଯେ ବିଭିନ୍ନ କମିଟି ଯେଉଁ ମତ ଦେଇଛନ୍ତି ତାହାରି ଅନୁସାରେ ୬୦୦ ବର୍ଷ ତଳେ ଓଡ଼ିଶାରେ ରସଗୋଲାର ପ୍ରଚଳନ ଥିଲା,ଏଣୁ ରସଗୋଲାର ଜନ୍ମ ଓଡ଼ିଶାରେ।

ରସଗୋଲାକୁ ନେଇ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଦେଖା ଦେଇଥିବା ବିବାଦ କେବଳ ‘ଆବେଗ’ରେ ସୀମିତ ନୁହେଁ। ମୂଳ ଅଧିକାର ଯାହାକୁ ବି ମିଳିବ ସେହି ରାଜ୍ୟର ମିଠା ବ୍ୟବସାୟୀମାନଙ୍କ ପାଇଁ ଏହା ପ୍ରଚୁର ପରିମାଣରେ ବ୍ୟାବସାୟିକ ସୁଯୋଗ ସୃଷ୍ଟି କରିବ ବୋଲି ଆକଳନ କରାଯାଉଛି।

ପଶ୍ଚିମବଙ୍ଗର ଜଣେ ଅଧିକାରୀ କହିଛନ୍ତି ଯେ କୋର୍ଟରେ ଏନେଇ ମାମଲା ରୁଜୁ କରିବା ବ୍ୟତୀତ ରସଗୋଲାର ଜିଆଇ ଟ୍ୟାଗ ପାଇଁ ମଧ୍ୟ ଆବେଦନ କରାଯିବ। ଜିଆଇ ଟ୍ୟାଗ ବୌଦ୍ଧିକ ଅଧିକାର ଭଳି ଓ ଏହାକୁ କେହି ଉଲ୍ଲଙ୍ଘନ କରି ପାରିବେ ନାହିଁ।

ବଙ୍ଗଳା ସରକାର ଦାବି କରିଛନ୍ତି ଯେ ୧୮୬୮ ମସିହାରେ ନବୀନ ଚନ୍ଦ୍ର ଦାସ ନାମକ ଜଣେ ବ୍ୟକ୍ତି ରସଗୋଲାର ଉଦ୍‌ଭାବନ କରିଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ବିଶ୍ଵ ଦରବାରରେ ରସଗୋଲାକୁ ତାଙ୍କ ରାଜ୍ୟର ଆମ୍ବାସଡର କରିବା ପାଇଁ ପ୍ରବଳ ଭାବରେ ଲାଗି ପଡିଛନ୍ତି। ଏହାଦ୍ୱାରା ସେ ବଙ୍ଗଳାର ମିଠା ବ୍ୟବସାୟୀଙ୍କ ପାଇଁ ଆନ୍ତର୍ଜାତିକ ସ୍ତରରେ ଏକ ବୃହତ୍‍ ବଜାର ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛନ୍ତି।

ଏଣେ ଓଡ଼ିଶା ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ରସଗୋଲାର ଜନ୍ମ ପୁରୀରେ ହୋଇଥିଲା। ପ୍ରସିଦ୍ଧ ପାହାଳ ରସଗୋଲା ମଧ୍ୟ ଓଡ଼ିଶା ସରକାରଙ୍କ ଦାବିର ଅଂଶବିଶେଷ। ରସଗୋଲା ଦାବିକୁ ଆଗେଇ ନେବା ପାଇଁ ଓଡ଼ିଶାରେ ୨୦୧୫ରୁ ଜୁଲାଇ ୩୦କୁ ରସଗୋଲା ଦିବସ ରୂପେ ମଧ୍ୟ ପାଳନ କରାଯାଉଛି।

‘ରସଗୋଲାର ସୃଷ୍ଟି କେଉଁଠି’ ଏହି ଦାବିକୁ ନେଇ ଓଡ଼ିଶା ସରକାର ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଯେଉଁ ଲଢ଼େଇ ଚାଲିଛି ସେଥିରେ କାହାର ଜିତାପଟ ହେବ ତାହା ଦେଖିବାକୁ ବାକି ରହିଲା।

Comment