ବାଲେଶ୍ୱରରୁ କୃଷ୍ଣକୁମାର ମହାନ୍ତି

ଟିଭିରେ କିମ୍ବା ଟେପ୍‌ ରେକର୍ଡରେ ଗୀତ ବାଜିଲେ ଛୋଟ ବେଳେ ରୋନାଲିସାଙ୍କର ଗୋଡ଼ ଆପଣାଛାଏଁ ଉଠି ଯାଉଥିଲା। ତାଙ୍କର ସ୍ୱପ୍ନ ଥିଲା ଯେ, ସେ ଜଣେ ଭଲ ନୃତ୍ୟଶିଳ୍ପୀ ହେବେ। ହେଲେ ସେ ବାହା ହୋଇଗଲେ ସିନା ତାଙ୍କ ସ୍ୱପ୍ନ ଅଧୁରା ରହିଗଲା। ବାହା ହେବା ପରେ ରୋନାଲିସା ତାଙ୍କ ସ୍ୱପ୍ନକୁ ସାକାର କରି ପାରିଛନ୍ତି। ନିଜେ ନାଚ ଶିଖିବା ସହ ପିଲାଙ୍କୁ ନାଚ ଶିଖାଉଛନ୍ତି।

“ଛୋଟବେଳୁ ମୋର ନାଚ ପ୍ରତି ଆଗ୍ରହ ଥିଲା। ଘରେ କିନ୍ତୁ ମୋ ଆଗ୍ରହକୁ ଅଣଦେଖା କରାଗଲା। ନାଚ ବଦଳରେ ବାପା ଗୀତ ଶିଖିବାକୁ କହିଲେ।୧୪ ବର୍ଷ ବୟସରେ ସଂଗୀତ ମହାବିଦ୍ୟାଳୟରେ ଗୀତ ଶିଖିଲି। ୧୯୯୬ରେ ସଂଗୀତରେ ବି. ମ୍ୟୁଜିକ୍ କୋର୍ସ ଶେଷ କଲି। ହେଲେ ନାଚ ଶିଖିବାର ନିଶା ମୋ ମନରୁ ଓହ୍ଲାଇ ନଥିଲା,’’ କହିଛନ୍ତି ରୋନାଲିସା।

ବାଲେଶ୍ୱର ସହରରର ସହଦେବଖୁଣ୍ଟାରେ ସ୍ୱାମୀ ଅରୁଣାଂଶୁ ପାଣିଗ୍ରାହୀ ଏବଂ ଝିଅ ଅର୍ଚ୍ଚିସାଙ୍କୁ ନେଇ ରହୁଛନ୍ତି ରୋନାଲିସା।

ଓଡ଼ିଶାର ପ୍ରଖ୍ୟାତ ନାଟ୍ୟକାର ଓ ଲେଖକ ଡକ୍ଟର ରମେଶ ପ୍ରସାଦ ପାଣିଗ୍ରାହୀଙ୍କ ପୁଅ ଅରୁଣାଂଶୁ ପାଣିଗ୍ରାହୀଙ୍କୁ ୨୦୦୭ରେ ବାହା ହୋଇଥିଲେ ସେ। ବାହାଘର ପରେ ହିଁ ସ୍ୱପ୍ନାଭିଳାଷୀ ରୋନାଲିସାଙ୍କ ଜୀବନର ମୋଡ଼ ବଦଳି ଯାଇଥିଲା।

୨୦୦୦ ମସିହାରେ ରମାଦେବୀ ମହିଳା କଲେଜରୁ ସ୍ନାତକ ଶେଷ କରିଥିଲେ ରୋନାଲିସା। ପରେ ଶିଶୁ ମନସ୍ତତ୍ତ୍ୱରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର କରିବା ପରେ ହୋମ୍ ଟାଉନ୍ ସମ୍ବଲପୁରରେ ସେ ଆରମ୍ଭ କଲେ ପ୍ଲେ ସ୍କୁଲ୍। ୨୦୦୩ରୁ ୨୦୦୬ ପର୍ଯ୍ୟନ୍ତ ଏହି ପ୍ଲେ ସ୍କୁଲର ସେ ଥିଲେ ପ୍ରିନ୍ସିପାଲ୍। ଏହାପରେ ବିବାହ ହୁଏ ଅରୁଣାଂଶୁଙ୍କ ସହିତ। ବିବାହର ବର୍ଷକ ପରେ ୨୦୦୮ରେ ରୋନାଲିସା ମାଆ ହୁଅନ୍ତି। ଜୀବନର ଭିନ୍ନ ଏକ ଅନୁଭବ ନେଇ ଅର୍ଚ୍ଚିସା ଆସେ ତାଙ୍କ କୋଳକୁ। ଝିଅର ଲାଳନପାଳନରେ ବ୍ୟସ୍ତ ମାଆର ଭୂମିକାରେ ଛଅ ସାତ ବର୍ଷ କାଟିଦିଅନ୍ତି ରୋନାଲିସା। ୨୦୧୪ରେ ଯେତେବେଳେ ନିଜ ଝିଅକୁ ‘ନାଚ୍ ଡ୍ୟାନ୍ସ ଇନ୍‌ଷ୍ଟିଚ୍ୟୁଟ୍’ରେ ନାଚ ଶିଖିବାକୁ ଭର୍ତ୍ତି କରନ୍ତି, ଦେଖାହୁଏ ନାଚ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଆଧୁନିକ ନୃତ୍ୟର ଗୁରୁ ଏସ୍. କେ. ରାଜାଙ୍କ ସହିତ। ରୋନାଲିସାଙ୍କ ମରି ଆସୁଥିବା ସ୍ୱପ୍ନରେ ଲାଗେ ନୂଆ ପକ୍ଷ। ରୋନାଲିସା କହନ୍ତି, ନୃତ୍ୟଗୁରୁ ଏସ୍.କେ. ରାଜାଙ୍କ ସହିତ ମୋର ଭେଟ ହୋଇନଥିଲେ ନାଚକୁ ନେଇ ମୋ ମନରେ ରହିଥିବା ସ୍ୱପ୍ନ କେବଳ ସ୍ୱପ୍ନ ହୋଇ ରହି ଯାଇଥାନ୍ତା। ମୁଁ ଜଣେ ନୃତ୍ୟଶିଳ୍ପୀ ହେବା ପଛରେ ମୋ ସ୍ୱାମୀଙ୍କର ଅବଦାନ ଯେତିକି ନୃତ୍ୟଗୁରୁଙ୍କ ଅବଦାନ ମଧ୍ୟ ସେତିକି। ଏହାସହ ନାଚ ପାଇଁ ମଧ୍ୟ ମୁଁ ବହୁତ ପରିଶ୍ରମ କରିଛି।

ନୃତ୍ୟଗୁରୁ ଏସ୍‌ କେ ରାଜାଙ୍କ ସହ ଦେଖା ହେବା ପରେ ମୋ ମନ ଭିତରେ ଅବଦମିତ ଇଛାସବୁ ପୁଣି ଚହଲି ଉଠିଲେ। ନାଚ ଶିଖିବା କଥା ମୁଁ ପ୍ରଥମେ ମୋ ସ୍ୱାମୀଙ୍କୁ ଜଣାଇଲି। ଭାବିନଥିଲି ସେ ସହଜରେ ରାଜି ହେବେ। ସେ ଖୁବ୍ ଇବ୍ରଡ୍ ମାଇଣ୍ଡ୍ ମଣିଷ। ମୋତେ ଖାଲି ଅନୁମତି ଦେଲେନି, ଏତେ ବେଶୀ ସହଯୋଗ କଲେ ଯେ ମୁଁ ପରିବାର କଥା ବୁଝି ନାଚ ଶିଖିବା ଓ ଅଭ୍ୟାସ କରିବାରେ ଟିକିଏ ବି ଅସୁବିଧା ଅନୁଭବ କରିପାରିଲିନି। ଯାହା ମୋ ବାପା ମାଆ କରିନଥିଲେ, ସେକଥା ମୋ ସ୍ୱାମୀ କଲେ। ଝିଅ ଜନ୍ମହେବା ପରେ ହିଁ ସ୍ବପ୍ନ ସାକାର ହୋଇଥିଲା ବୋଲି ରୋନାଲିସା କୁହନ୍ତି।

ଆରମ୍ଭ ହେଲା ଝିଅ ସହ ମାଆଙ୍କର ନାଚ ଶିକ୍ଷା। ଜଣେ ଆଧୁନିକା ମାଆ ହଠାତ୍ ଡେଡିକେଟେଡ୍ ଡ୍ୟାନ୍ସର ବନିଗଲେ। ମାତ୍ର ତିନି ମାସ ଭିତରେ ରୋନାଲିସା ସମ୍ପୂର୍ଣ୍ଣ ଭାବେ ନାଚ ଶିଖିଗଲେ। ଶିଖିବାର ପ୍ରବଳ ଇଛା ଓ ମନୋବଳ ତାଙ୍କୁ ଦେଢ଼ମାସ ଭିତରେ ନାଚରେ ଦକ୍ଷ କରିଦେଲା। ୨୦୧୪ ମସିହା ଅଗଷ୍ଟ ୨୩ରେ ରୋନାଲିସା ଗଭୀର ଆତ୍ମବିଶ୍ୱାସର ସହ ଜୀ ଟିଭିର ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ (ଡିଆଇଡି) ପାଇଁ ଅଡିସନ୍ ଦେବାକୁ ଗଲେ ଭୁବନେଶ୍ୱର। ଅଡିସନରେ ସଫଳ ହେଲେ। ପରେ ଦ୍ୱିତୀୟ ଅଡିସନ୍ କୋଲକାତାରେ ହେଲା। ସମଗ୍ର ଇଷ୍ଟଜୋନ୍‌ରୁ ସେ ହିଁ ଏକମାତ୍ର ସିଲେକ୍ଟ ହୋଇ ମୁମ୍ବାଇ ଗଲେ ୨୦୧୫ ଫେବୃଆରୀ ୮ରେ। ୧୦୦ ଜଣ ଭିତରେ ରୋନାଲିସା ରହିଲେ। ତା’ ପରେ ସେ ଟପ୍ ୬୦କୁ ଯାଇଥିଲେ। ଫାଇନାଲ୍ ରାଉଣ୍ଡକୁ ଯାଇପାରି ନଥିବାରୁ ଦୁଇଦିନ ମନକଷ୍ଟ ହୋଇଥିଲେ ମଧ୍ୟ ତା’ ପରେ ରୋନାଲିସାଙ୍କ ଭିତରେ ଆତ୍ମବିଶ୍ୱାସ ବଢ଼ିଗଲା। ଏହି ନ୍ୟାସନାଲ୍ ରିଆଲିଟି ସୋ’ ତାଙ୍କୁ ପରିଚିତ ଦେବା ସହ ଆହୁରି ସଶକ୍ତ କଲା।

ରୋନାଲିସାଙ୍କ ଆଧୁନିକ ନାଚରେ ଗୋଟେ କରେଣ୍ଟ ଅଛି। ଖୁବ୍ ବେଶୀ ଫ୍ଲେକ୍ସିବିଲିଟୀ ଅଛି। ବଲିଉଡ୍, ହିପ୍ ଅପ୍, କଣ୍ଟେମ୍ପୋରାରୀ, ସାଲ୍‌ସା ଓ ଫ୍ରିଷ୍ଟାଇଲ୍ ନାଚରେ ପୋଖତ ମୋନାଲିସା ସୁନ୍ଦର ରୋଷେଇ କରିପାରନ୍ତି। ଏବେ ‘ନାଚ୍’ ଅନୁଷ୍ଠାନର ସେ ନାଚ ଶିକ୍ଷୟିତ୍ରୀ ଏବଂ ଛାତ୍ରୀର ଦାୟିତ୍ୱ ତୁଲାଉଛନ୍ତି। ୨ରୁ ୨୪ ବର୍ଷ ବୟସର ୪୦ରୁ ଅଧିକ ପିଲା ଏଠାରେ ନାଚ ଶିଖୁଛନ୍ତି।

 

Comment