ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଇବା ପରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ତଦନ୍ତ ଆରମ୍ଭ କରିଥିଲା କ୍ରାଇମବ୍ରାଞ୍ଚ। ବଲାଙ୍ଗିରରେ ଡେରା ପକାଇ କ୍ରାଇମବ୍ରାଞ୍ଚ କରିଥିଲେ ବି ଏଯାଏଁ ବୋମା ବିସ୍ଫୋରଣ ଉପରୁ ପରଦା ହଟିନି। ବୋମା ବିସ୍ଫୋରଣ ପଛର ଖଳନାୟକ କିଏ ତାର ଖୁଲାସା କରିବାରେ ସମର୍ଥ ହୋଇନି କ୍ରାଇମବ୍ରାଞ୍ଚ।

ବଲାଙ୍ଗିର ପୋଲିସ ଉପରୁ ଭରସା ତୁଟାଇବା ପରେ କ୍ରାଇମବ୍ରାଞ୍ଚ ଉପରେ ଆସ୍ଥା ପ୍ରକଟ କରିଥିଲେ ପାର୍ସଲ ବୋମା ବିସ୍ଫୋରଣରେ ମୃତକଙ୍କ ପରିବାର। ହେଲେ ପାର୍ସଲ ବୋମା ବିସ୍ଫୋରଣର ଖଳନାୟକ କିଏ ତା’ ଉପରୁ ପରଦା ହଟାଇବାରେ ସମର୍ଥ ହୋଇନି କ୍ରାଇମବ୍ରାଞ୍ଚ ଟିମ୍। ବଲାଙ୍ଗିରରେ ୧୫ ଦିନ ଡେରା ପକାଇ ବିସ୍ଫୋରଣ ଘଟଣାର ଖୋଳତାଡ଼ କରି ଫେରି ଆସିଛି କ୍ରାଇମବ୍ରାଞ୍ଚ ଟିମ୍। ହେଲେ ଅଭିଯୁକ୍ତକୁ କାବୁ କରିବାରେ ତଦନ୍ତକାରୀ ଟିମ୍ ଫେଲ୍ ମାରିଛନ୍ତି।

ମାର୍ଚ୍ଚ ୨୪ରେ ବଲାଙ୍ଗିର ଆସିଥିଲା କ୍ରାଇମବ୍ରାଞ୍ଚ ଟିମ୍

ପାର୍ସଲ ବୋମା ବିସ୍ଫୋରଣରେ ପୁଅକୁ ହରାଇ ଦୁଃଖରେ ଭାଙ୍ଗିପଡ଼ିଥିଲେ ବଲାଙ୍ଗିର ପାଟଣାଗଡ଼ର ରବୀନ୍ଦ୍ର ନାରାୟଣ ସାହୁ। ବୋମା ବିସ୍ଫୋରଣର ଖିଅ ଖୋଜିବାରେ ବଲାଙ୍ଗିର ପୋଲିସ ସମର୍ଥ ନହେବାରୁ ମୃତ ସୌମ୍ୟଶେଖର ସାହୁଙ୍କ ମା’ ମାର୍ଚ୍ଚ ୨୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ଏହାପରେ ବିସ୍ଫୋରଣରେ ଗୁରୁତର ହୋଇଥିବା ସୌମ୍ୟଶେଖରଙ୍କ ସ୍ତ୍ରୀ ରିମାରାଣୀ ସାହୁ ବି ଘଟଣାର ତଦନ୍ତ କରି ଦୋଷୀକୁ ଧରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ।

ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ତଦନ୍ତ ଆଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଆଦେଶ ପରେ କ୍ରାଇମବ୍ରାଞ୍ଚ ୪ ଜଣିଆ ଏସ୍‌ଆଇଟି ଗଠନ କରିଥିଲା। କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସ୍‌ପି ଅନିଲ କୁମାର ଦାସଙ୍କ ନେତୃତ୍ୱରେ ଟିମ୍ ତଦନ୍ତ ଆରମ୍ଭ କରିଥିଲା। ୨୩ ତାରିଖରେ କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ରିମାରାଣୀ ସାହୁଙ୍କୁ ପଚରା ଉଚରା କରିବା ପରେ ୨୪ ତାରିଖରେ କ୍ରାଇମବ୍ରାଞ୍ଚ ବଲାଙ୍ଗିର ଯାଇ ଘଟଣାର ଖୋଳତାଡ଼ କରିଥିଲା।

ରାୟପୁର ଯାଇଥିଲା କ୍ରାଇମବ୍ରାଞ୍ଚ ଟିମ୍

୨୫ ତାରିଖରେ ସ୍କାଏକିଙ୍ଗ୍ କୋରିଅର ସଂସ୍ଥାର ମାଲିକ ଏବଂ ସର୍ଭିସ ବୟେକୁ ପଚରା ଉଚୁରା କରିବା ପରେ ମୃତ ସୌମ୍ୟଶେଖରର ମା’ ବାପାଙ୍କୁ ଡାକି କ୍ରାଇମବ୍ରାଞ୍ଚ ଜେରା କରିଥିଲା। କ୍ରାଇମବ୍ରାଞ୍ଚ ଡିଏସ୍‌ପିଙ୍କ ନେତୃତ୍ୱରେ ଗୋଟିଏ ଟିମ୍‌ ଘଟଣାର ଛାନଭିନ୍ କରିବା ପାଇଁ ରାୟପୁର ଯାଇଥିଲା। ହେଲେ ସେଠାରୁ ଖାଲି ହାତରେ ଫେରି ଆସିଥିଲା। ୧୫ ଦିନ ଧରି ବଲାଙ୍ଗିରରେ ଡେରା ପକାଇଥିବା କ୍ରାଇମବ୍ରାଞ୍ଚ ଟିମ୍ ଏବେ କଟକ ଫେରି ଆସିଛି। ବିଭିନ୍ନ ଲୋକଙ୍କୁ ଡାକି ବିସ୍ଫୋରଣ ସମ୍ପର୍କରେ ପଚାରିଛି। ହେଲେ ବିସ୍ଫୋରଣ କିଏ ଏବଂ କାହିଁକି କଲା ସେ ସମ୍ପର୍କରେ କିଛି ଖୁଲାସା କରିପାରିନି ତଦନ୍ତକାରୀ ଟିମ୍।

କେମିତି ଘଟିଲା ବିସ୍ଫୋରଣ?

ଫେବ୍ରୁଆରି ୨୩ ତାରିଖର ଘଟଣା। ୧୮ ତାରିଖରେ ପାଟଣାଗଡ଼ର ରବୀନ୍ଦ୍ର ସାହୁଙ୍କ ପୁଅ ସୌମ୍ୟଶେଖରଙ୍କର ବାହାଘର ହୋଇଥିଲା ଧୁମ୍‌ଧାମରେ। ବେଙ୍ଗାଳୁରରେ ଇଞ୍ଜିନିୟର ଥିବା ସୌମ୍ୟ ସୋନପୁରର ରିମାଙ୍କୁ ବିବାହ କରିଥିଲେ। ୨୦ ତାରିଖରେ ବଡ଼ ଜାକଜମକରେ ହୋଇଥିଲା ରିସେପ୍‌ସନ୍। ବାହାଘରର ସବୁ କାମରୁ ଫୁରସତ୍ ପାଇ ଶୁକ୍ରବାର ଦିନବେଳେ ଖୋଲା ଯାଇଥିଲା ଗିଫ୍ଟ ପ୍ୟାକେଟ୍। ଏହି ସମୟରେ ରାୟପୁରରୁ ଶୁକ୍ରବାର ଏକ ଗିଫ୍ଟ ପାର୍ସଲ ଆସି ପହଞ୍ଚିଥିଲା। କିଏ କ’ଣ ଉପହାର ଦେଇଛନ୍ତି ତାକୁ ଦେଖିବା ପାଇଁ ରିମା ଏବଂ ସୌମ୍ୟଶେଖର ଗୋଟିଏ ପରେ ଗୋଟି ଗିଫ୍ଟ ଖୋଲି ଖୁସି ମନାଉଥିଲେ। ଆଉ ଏହି ଖୁସିରେ ସାମିଲ୍ ହୋଇଥିଲେ ଜେଜେମା ଜେମାମଣି। ହେଲେ ଏହି ଖୁସି ବେଶୀ ସମୟ ରହି ନଥିଲା। ପାର୍ସଲରେ ଆସିଥିବା ଗିଫ୍ଟ ପ୍ୟାକେଟ୍ ଖୋଲୁଖୋଲୁ ହଠାତ୍ ବିସ୍ଫୋରଣ ହୋଇଥିଲା। ଏଥିରେ ଗୁରୁତର ଭାବେ ଆହତ ହୋଇଥିଲେ ନବ ଦମ୍ପତ୍ତି ଏବଂ ଜେଜେମା। ବିସ୍ଫୋରଣର ଶବ୍ଦ ଏତେ ଶକ୍ତିଶାଳୀ ଥିଲା ଯେ ଘରର କାନ୍ଥ ବି ସମ୍ଭାଳି ପାରି ନଥିଲା।

ଆହତ ୩ ଜଣଙ୍କୁ ପ୍ରଥମେ ପାଟଣାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବଲାଙ୍ଗିର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଜେମାମଣି ଏବଂ ସୌମ୍ୟଶେଖର ଆଗ ପଛ ହୋଇ ଚାଲି ଯାଇଥିଲେ। ରିମାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ଏବେ ରିମା କଟକ ଏସ୍‌ସିବିର ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ଚିକିତ୍ସାଧିନ ଅଛନ୍ତି।

ଫେଲ୍‌ ମାରିଗଲା ବଲାଙ୍ଗିର ପୋଲିସ

ଯେଉଁଦିନ ଏହି ଶକ୍ତିଶାଳି ବିସ୍ଫୋରଣ ଘଟିଲା ସେହିଦିନ ହିଁ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ କରିଥିଲେ ପାଟଣାଗଡ଼ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍। ଗିଫ୍ଟ ପ୍ୟାକେଟ୍ କେଉଁଠୁ ଆସିଥିଲା ତାକୁ ନେଇ ପୋଲିସ ଖୋଳତାଡ଼ କରିଥିଲା। ଏହି ଗିଫ୍ଟ ପ୍ୟାକଟି ରାୟପୁରରୁ ଆସିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଥିଲା। ଫେବ୍ରୁଆରି ୨୪ରେ ଜୋରଦାର ହୋଇଥିଲା ତଦନ୍ତ। ସମ୍ବଲପୁରରୁ ବୋମା ବିଶେଷଜ୍ଞ ଏବଂ ଫେରେନ୍‌ସିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ଛାନଭିନ୍ କରିଥିଲେ। ଯେଉଁ କୋରିଅର୍ ସଂସ୍ଥାରେ ପାର୍ସଲ ଆସିଥିଲା ସେହି ସଂସ୍ଥାର କର୍ତ୍ତୃପକ୍ଷଙ୍କୁ ପୋଲିସ ଡାକି ପଚରାଉଚରା କରିଥିଲା। କିନ୍ତୁ କୌଣସି ସୁରାକ୍ ପାଇ ନଥିଲା ତଦନ୍ତକାରୀ ଦଳ।

ଫେବ୍ରୁଆରି ୨୬ରେ ପାଟଣାଗଡ଼ ବିଧାୟକ କନକବର୍ଦ୍ଧନ ସିଂଦେଓ ଏହାକୁ ଦୃଢ଼ ନିନ୍ଦା କରିଥିଲେ। ଘଟଣାର ସିବିଆଇ ତଦନ୍ତ କରିବାକୁ ଦାବି କରିଥିଲେ। ଏନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିଥିଲେ। ଏହାପରେ ବଲାଙ୍ଗିର ପୋଲିସ ସୋନପୁର ଯାଇଥିଲା। ସେଠାରେ ବିଭିନ୍ନ ଲୋକଙ୍କୁ ପଚରାଉଚରା କରିଥିଲା।

ବେଙ୍ଗଳୁରୁ ବି ଯାଇଥିଲା ପୋଲିସ। ସୌମ୍ୟଶେଖରଙ୍କ ସାଙ୍ଗଙ୍କୁ ପଚରା ଉଚରା କରିଥିଲା। ଲାପଟପ୍‌ ଏବଂ ମୋବାଇଲ ଜବତ କରି ଫେରି ଆସିଲା। ହେଲେ ଘଟଣାର ସୁରାକ୍ ପାଇଲାନି।

ଖୋଲୁନି ଫୋନକଲ୍‌ର ରହସ୍ୟ

ପୋଲିସ ହାତରେ ଲାଗିଲା ଆଉ ଏକ ସୁରାକ୍। ମୃତ ସୌମ୍ୟଶେଖରଙ୍କ ଭଣଜା ପପୁ ପୋଲିସକୁ ଦେଇଥିଲେ ସାଂଘାତିକ ତଥ୍ୟ। କହିଥିଲେ, ସୌମ୍ୟଶେଖର ଏବଂ ରିମାଙ୍କ ନିର୍ବନ୍ଧ ପୂର୍ବରୁ ସୌମ୍ୟଶେଖରଙ୍କୁ ଏକ ଫୋନ୍ କଲ୍ ଆସିଥିଲା। ରିମାଙ୍କୁ ବାହା ହେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଫେନରେ କେହି ଧମକ ଦେଇଥିବା ପପୁ ପୋଲିସକୁ କହିଥିଲା। ଏହାପରେ ପୋଲିସ ଫୋନକଲକୁ ନେଇ ଯେମିତି ତଦନ୍ତ କରିବା କଥା ତାହା କରି ନଥିଲା। କ୍ରାଇମବ୍ରାଞ୍ଚ ବି ଫୋନ୍‌କଲ୍‌ ବିଷୟରେ କିଛି ଖୋଳତାଡ଼ କରିପାରି ନାହିଁ। ଏହି ଫୋନ୍‌ କଲ୍‌ କିଏ ଏବଂ କେଉଁଠୁ କରିଥିଲେ ତାର ରହସ୍ୟ ଫିଟାଇ ପାରିନି କ୍ରାଇମବ୍ରାଞ୍ଚ ଟିମ୍।

ବୌଦ୍ଧ ଅଞ୍ଚଳର ଦୁଇ ଜଣ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରିଥିଲା। ଏହାସହ ବଲାଙ୍ଗିର ମେଡିକାଲରେ ଅଟକ ରହିଥିବା ଯୁବକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହାର ଦୁଇଦିନ ପୂର୍ବରୁ ପୋଲିସ କଟକ ଏସ୍‌ସିବି ମେଡିକାଲରେ ସିଆର୍‌ପିସି ଧାରା ୧୬୧ରେ ବିଚାରପତିଙ୍କ ଉପସ୍ଥିତିରେ ରିମାଙ୍କ ବୟାନ ରେକର୍ଡ କରିଥିଲା। ସେପର୍ଯ୍ୟନ୍ତ ରିମା ଜାଣି ନଥିଲେ ଯେ ଯାହାର ହାତ ଧରି ସେ ଶଶୁଘରକୁ ଆସିଥିଲେ ସେ ବୋମା ବିସ୍ଫୋରଣରେ ଆରପାରିକୁ ଚାଲି ଯାଇଛନ୍ତି। ବୟାନ ରେକର୍ଡ ପରେ ବଲାଙ୍ଗିର ପୋଲିସ ତଦନ୍ତ ଜାରି ରଖିଥିଲା। ହେଲେ ବୋମା ବିସ୍ଫୋରଣର ପରଦା ପଛର କାହାଣୀକୁ ଲୋକଙ୍କ ସାମ୍ନାକୁ ଆଣିବାରେ ସମର୍ଥ ହୋଇ ନଥିଲା।

Comment