ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏକ ରହସ୍ୟ ରୋମାଞ୍ଚଭରା ଅପରାଧ! ଏକ ପ୍ରତିହିଂସା ପରାୟଣ ମଣିଷର ଘୃଣ୍ୟ ପରିଣାମ! ବଲିଉଡ ସିନେମା କାହାଣୀଠାରୁ କିଛି କମ୍‌ ନୁହେଁ!

  • ପାର୍ସଲ ବୋମା ପଛରେ କେଉଁମାନେ?
  • କିଏ ତିଆରି କରିଥିଲେ ପାର୍ସଲ ବୋମା?
  • ରାୟପୁରକୁ ପାର୍ସଲ ଗଲା କେମିତି?
  • ବଲାଙ୍ଗିର ଏସ୍‌ପିଙ୍କୁ ଚିଠି ଲେଖି ଭୂତାଉଥିଲା କିଏ?
  • କେମିତି ଅପରାଧର ଦୁର୍ଗ ଭାଙ୍ଗିଲା କ୍ରାଇମବ୍ରାଞ୍ଚ?
  • ପ୍ରତିହିଂସା କେମିତି ନେଲା ଅପରାଧର ରୂପ?

ବଲାଙ୍ଗିର ପାଟଣାଗଡ଼ରେ ଘଟିଥିବା ପାର୍ସଲ ବୋମା ବିସ୍ଫୋରଣ ଘଟଣା ପଛର ବିସ୍ମୟ ଆଜି ଖୋଲିଯାଇଛି। ଏହି ଅପରାଧ ଉପରୁ ପରଦା ହଟାଇଛି ଓଡ଼ିଶା କ୍ରାଇମବ୍ରାଞ୍ଚ ପୋଲିସ। କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ବୁଧବାର ଦିନ ବଲାଙ୍ଗିରଠାରେ ସାମ୍ବାଦିକ ସମ୍ମିଳନୀରେ ଏହି ଲୋମହର୍ଷକ ଅପରାଧର ସମ୍ପୂର୍ଣ୍ଣ ଘଟଣାକ୍ରମ ମିଡିଆ ସାମ୍‌ନାରେ ରଖିଛନ୍ତି। ଏହି ଅପରାଧ ପଛର ମୁଖ୍ୟ ଏବଂ ଏକମାତ୍ର ଅଭିଯୁକ୍ତ ହେଉଛନ୍ତି ଭଇଁଷାସ୍ଥିତ ଜ୍ୟୋତି ବିକାଶ ଜୁନିୟର କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର।

ପୁଞ୍ଜିଲାଲଙ୍କୁ କ୍ରାଇମବ୍ରାଞ୍ଚ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ବଲାଙ୍ଗିର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରିବା ପରେ କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲଙ୍କୁ ୧୪ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା। ହେଲେ କୋର୍ଟ ୬ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି।

ଲିଚୁ ବଲ୍‌ବରୁ ବୋମା, ବାଣରୁ ବାରୁଦ

ଏଭଳି ଏକ ଜଘନ୍ୟ ଅପରାଧକୁ ରୂପରେଖ ଦେବାକୁ ଯାଇ ପୁଞ୍ଜିଲାଲ ଆରମ୍ଭ କରିଥିଲେ ପରୀକ୍ଷା ନିରୀକ୍ଷା। ସେ ଗତ ଦୀପାବଳିରୁ ବଜାରରୁ ବାଣ କିଣି ବାରୁଦ ବାହାର କରି ରଖିଥିଲେ। ପୁଞ୍ଜିଲାଲଙ୍କ ଅପରାଧି ମନକୁ ଛୁଇଁଥିଲା ଗୋଟିଏ ସରଳ ସୂତ୍ର। ଲିଚୁ ବଲ୍‌କୁ କିଭଳି ବୋମା ବିସ୍ଫୋରଣ ପାଇଁ ବ୍ୟବହାର କରାଯାଇ ପାରିବ। ଫଳରେ ସେ ଲିଚୁ ବଲ୍‌ବର କାଚକୁ ଭାଙ୍ଗି ତାର ଫିଲାମେଣ୍ଟକୁ ନେଇ ବାରମ୍ବାର ପରୀକ୍ଷା କରିଥିଲେ। ପ୍ରାୟ ୧୦୦ ଥର ପରୀକ୍ଷା ପରିବା ପରେ ସେ ନିଶ୍ଚିତ ହୋଇଥିଲେ ଯେ ଲିଚୁ ବଲ୍‌ବ ଓ ବାରୁଦକୁ ଯୋଡ଼ି ଭୟଙ୍କର ବିସ୍ଫୋରଣ ସୃଷ୍ଟି କରାଯାଇ ପାରିବ। ତେବେ ସେ ଭଇଁସା କଲେଜର ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ପରିବାରକୁ ସଫା କରିବା ପାଇଁ ଠିକଣା ସୁଯୋଗ ଅପେକ୍ଷାରେ ଥିଲେ। କ୍ରାଇମବ୍ରାଞ୍ଚ ପୋଲିସ ପୁଞ୍ଜିଲାଲଙ୍କ ଘରୁ ଏଭଳି ଅନେକ ଲିଚୁ ବଲ୍ବ, ଫିଲାମେଣ୍ଟ ଏବଂ ବାରୁଦ ଜବତ କରିଛି। ପୁଞ୍ଜିଲାଲ ମଧ୍ୟ କ୍ରାଇମବ୍ରାଞ୍ଚ ସାମ୍ନାରେ ଲିଚୁ ବଲ୍‌ବରୁ କିଭଳି ବିସ୍ଫୋରଣ କରାଯାଇ ପାରିବ ତାହା କରି ଦେଖାଇଥିଲେ।

ଇଣ୍ଟରନେଟ୍‌ରୁ ଶିଖିଲେ ବୋମା ତିଆରି ଫଣ୍ଡା

ସାଧାରରତଃ ଉଗ୍ରପନ୍ଥୀମାନେ ବିଭିନ୍ନ ପ୍ରକାରର ପରୀକ୍ଷା ନିରୀକ୍ଷା କରି ନୂଆ ନୂଆ ବିସ୍ଫୋରଣର ରାସ୍ତା ବାହାର କରିଥାନ୍ତି। ହେଲେ ଓଡ଼ିଶାର ପାଟଣାଗଡ଼ ଭଳି ସ୍ଥାନରେ ଜଣେ ବ୍ୟକ୍ତି ଯେ ସେହି ରାସ୍ତାରେ ଯାଇ ଏକ ଘୃଣ୍ୟ ଅପରାଧ ଘଟାଇପାରେ ଏକଥା ପୋଲିସକୁ ମଧ୍ୟ ଚମକାଇ ଦେଇଛି।

ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ଜଣେ ସ୍ମାର୍ଟ ବ୍ୟକ୍ତି। ଇଣ୍ଟରନେଟ୍‌ର ବ୍ୟବହାର କରି ଅନେକ ଦିନ ଧରି ସେ ବୋମା ତିଆରି କରିବାର କୌଶଳ ଶିଖିବାକୁ ଚେଷ୍ଟା କରୁଥିଲେ। ଗୁଗୁଲ ସର୍ଚ୍ଚ ଏବଂ ୟୁଟ୍ୟୁବ୍ ଭିଡିଓ ତାଙ୍କୁ ଏଦିଗରେ ବେଶ୍ ସହାୟକ ହୋଇଥିଲା। ନିଜ ଅପରାଧୀ ମନକୁ ସନ୍ତୁଷ୍ଟ କରିବାକୁ ଯାଇ ପୁଞ୍ଜିଲାଲ ରାତି ପରେ ରାତି ଏବଂ ଦିନ ପରେ ଦିନ ଜଣେ ରିସର୍ଚ୍ଚ ସ୍କଲାର ଭଳି ବୋମା ତିଆରି ଫଣ୍ଡା ଆୟତ୍ତ କରିଥିଲେ। ଘର ଭିତରେ ରାତି ଅନିଦ୍ରା ହୋଇ ଅଧ୍ୟାପକ ପୁଞ୍ଜିଲାଲ ଥେସିସ୍ ଲେଖିବା ବଦଳରେ ଲିଚୁ ବଲ୍‌ବ ଫିଲାମେଣ୍ଟ ସହ ବାରୁଦ ମିଶିଲେ କେମିତି ବିସ୍ଫୋରଣ ହେବ ତାର ରିସର୍ଚ୍ଚ କରୁଥିଲେ। ଏହି ପରୀକ୍ଷା ସଫଳ ହେବା ପରେ ତାକୁ ପାର୍ସଲ କରିବାକୁ ଲାଗିପଡ଼ିଥିଲେ ଅଧ୍ୟାପକ। ସେ କ୍ରାଇମବ୍ରାଞ୍ଚ ପୋଲିସ ଆଗରେ ସବୁ କଥା ବର୍ଣ୍ଣନା କରି କହିଛନ୍ତି।

ଏକୁଟିଆ ରଚିଥିଲେ ପୂରା ଷଡ଼ଯନ୍ତ୍ର

ସାଧାରତଃ ଏଭଳି ଅପରାଧ ପଛରେ ତାଲିମପ୍ରାପ୍ତ ତଥା ଏକାଧିକ ଅପରାଧୀଙ୍କ ହାତ ରହିଥାଏ। ତେଣୁ ପୋଲିସ ଓଡ଼ିଶା ଏବଂ ରାୟପୁରରେ ସେହି ଅପରାଧୀମାନଙ୍କୁ ଖୋଜିଖୋଜି ଥକି ପଡ଼ିଥିଲା। ଅପରାଧ ବିଜ୍ଞାନୀମାନଙ୍କୁ ଚମକାଇ ପୁଞ୍ଜିଲାଲ ପ୍ରମାଣିତ କରିଛନ୍ତି ଯେ ଜଣେ ବ୍ୟକ୍ତି ଅନ୍ୟ କାହାରିକୁ ସାଥୀରେ ନରଖି ଏକକ ଭାବେ କିଭଳି ଏକ ଷଡ଼ଯନ୍ତ୍ରକୁ ଚୂଡ଼ାନ୍ତ ରୂପ ଦେଇପାରେ।

ଅନ୍ୟ କାହାକୁ ସାଥୀରେ ରଖିଲେ ଘଟଣା ଜଣାପଡ଼ିଯିବ। ଏହି କଥା ଭାବି ପୁଞ୍ଜିଲାଲ ଏକୁଟିଆ ଅପରାଧର ଅ’ଠାରୁ କ୍ଷ’ ପର୍ଯ୍ୟନ୍ତ ନିଜେ କରିଥିଲେ। ତେଣୁ ତାଙ୍କର ଏହି ମାୟା ଜାଲକୁ ଭେଦ କରିବାକୁ ପୋଲିସକୁ ଦୁଇ ମାସରୁ ଅଧିକ ସମୟ ଲାଗିଯାଇଥିଲା।

କେବଳ ବୋମା ତିଆରି ନୁହେଁ, ଘଟଣାର ଶେଷ ପର୍ଯ୍ୟନ୍ତ ଏକୁଟିଆ ଭାବେ ପୁଞ୍ଜିଲାଲ ସବୁ କଥା କରିଥିଲେ। ପାର୍ସଲ ବୋମା ପ୍ରସ୍ତୁତ କରିବା ପରେ ତାକୁ ରାୟପୁର ନେଇଯାଇଥିଲେ ପୁଞ୍ଜିଲାଲ। ଭବିଷ୍ୟତରେ କୌଣସି ପ୍ରକାର ଚିହ୍ନା ନପଡ଼ିବେ ସେଥିପାଇଁ ପାର୍ସଲକୁ କୋରିଅର ଅଫିସକୁ ନିଜେ ନେଇ ଯାଇନଥିଲେ ସେ। ଜଣେ ଅଟୋ ଚାଳକ ହାତରେ ପାର୍ସଲକୁ ବୁକିଂ କରି ପାଟଣାଗଡ଼କୁ ଫେରି ଆସିଥିଲେ। ଏଥିପାଇଁ ଅଟୋ ଚାଳକକୁ ଅଧିକ ଟଙ୍କା ଦେଇଥିଲେ ପୁଞ୍ଜିଲାଲ।

ପୁଞ୍ଜିଲାଲଙ୍କର ଅପରାଧିକ ଯୋଜନା ପଛରେ ଥିଲା ବିଶେଷ ପ୍ରସ୍ତୁତି। ପ୍ରତି ପାଦରେ ସେ ନିଜକୁ କିଭଳି ସୁରକ୍ଷିତ ରଖିବେ ସେଥିପାଇଁ ସେ ନିଜକୁ ପ୍ରସ୍ତୁତ କରୁଥିଲେ। ଏଣୁ ପାର୍ସଲ ବୋମା ନେଇ ଟ୍ରେନରେ କଣ୍ଟାବାଞ୍ଜିରୁ ରାୟପୁର ଗଲାବେଳେ ସିସିଟିଭରୁ ବର୍ତ୍ତିବା ପାଇଁ ମୁହଁ ଉପରେ ଟୋପିକୁ ଢାଙ୍କିବାକୁ ଚେଷ୍ଟା କରିଥିଲେ। ଏପରିକି ଟିକେଟ କାଉଣ୍ଟର ଗଲେ ସିସିଟିଭି ମୁହଁରେ ପଡ଼ିବେ ସେଥିପାଇଁ ବିନା ଟିକେଟରେ ଟ୍ରେନରେ ଯାତ୍ରା କରିଥିଲେ ପୁଞ୍ଜିଲାଲ।

ଅଭିଯୁକ୍ତ ପୁଞ୍ଜିଲାଲ କ୍ରାଇମବ୍ରାଞ୍ଚ ପୋଲିସ ଟିମ୍ ଆଗରେ ତାଙ୍କ ଷ୍ଟ୍ରାଟେର୍ଜିର ଗୋଟିଏ ଗୋଟିଏ ଫର୍ଦ୍ଦ ଖୋଲିଛନ୍ତି। ଏଣୁ ସମ୍ପୂର୍ଣ୍ଣ ଘଟଣା କୌଣସି ରହସ୍ୟ ରୋମାଞ୍ଚଭରା ଚଳଚ୍ଚିତ୍ର କାହାଣୀଠାରୁ କିଛି କମ୍ ନୁହେଁ।

ପୋଲିସକୁ ଭୂତେଇବା ପାଇଁ ଚିଠି ଲେଖିଥିଲେ ପୁଞ୍ଜିଲାଲ

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ପରେ ପୋଲିସ ଯେତେବେଳେ ଅପରାଧର ବିଭିନ୍ନ ଦିଗକୁ ତନ୍ନ ତନ୍ନ କରି ଅନୁଧ୍ୟାନ କରୁଥିଲା ପୁଞ୍ଜିଲାଲ ସେତେବେଳେ ଖେଳିଥିଲା ଆଉ ଏକ ଚାଲ୍। ଏହି ଘଟଣା ପଛରେ ପୁଞ୍ଜିଲାଲଙ୍କ କିଛି ସଂପୃକ୍ତି ଥାଇପାରେ ବୋଲି ବାହାରେ ଆଲୋଚନା ହେଉଥିବାର ଶୁଣି ସେ ଏକ ନୂଆ କଥା ଚିନ୍ତା କରିଥିଲେ। ଏହି ଅପରାଧ ପଛରେ ପ୍ରେମ ସମ୍ପର୍କ ମୁଖ୍ୟ କାରଣ ହୋଇପାରେ ବୋଲି ବଲାଙ୍ଗିର ଏସ୍‌ପିଙ୍କ ପାଖକୁ ଏକ ବେନାମୀ ଚିଠି ପଠାଇଥିଲେ। ଏହି ଚିଠି କିଏ ଏବଂ କାହିଁକି ଲେଖିଛି ତାହା ଜାଣିବା ପାଇଁ କ୍ରାଇମବ୍ରାଞ୍ଚ କରିଥିଲା ଖୋଳତାଡ଼। ଶେଷରେ ପୁଞ୍ଜିଲାଲଙ୍କ ପାଖରେ ପହଞ୍ଚିଥିଲା ପୋଲିସ।

ହେଲେ ପୋଲିସକୁ ଭୂତାଇବା ପାଇଁ ପୁଞ୍ଜିଲାଲ କରିଥିବା ଚାଲ୍ ଶେଷରେ ତାଙ୍କ ପାଇଁ କଣ୍ଟା ସାଜିଲା। ପୋଲିସ ଏହି ଚିଠିକୁ ବାରମ୍ବାର ପଢ଼ିବା ପରେ ଏହି ଘଟଣା ପଛରେ ପୁଞ୍ଜିଲାଲଙ୍କର କିଛି ନା କିଛି ସଂପୃକ୍ତି ରହିଥିବ ଭାବି ତଦନ୍ତକୁ ଆହୁରି ଜୋରଦାର କରିଥିଲା। ତେଣୁ ପୁଞ୍ଜିଲାଲଙ୍କ ଅଜାଣତରେ ପୋଲିସ ଧିରେ ଧିରେ ତାଙ୍କ ପାଖରେ ପହଞ୍ଚି ସାରିଥିଲା।

ପୁଞ୍ଜିଲାଲଙ୍କ ବଲାଙ୍ଗିର ଘରେ ଚଢ଼ାଉ କରିଥିଲା କ୍ରାଇମବ୍ରାଞ୍ଚ। ଚଢ଼ାଉ ବେଳେ ଏକ ବହି ଭିତରୁ ମିଳିଥିଲା ପାର୍ସଲ ବୋମା ପଠାଯାଇଥିବା କୋରିୟର ସଂସ୍ଥାର ସ୍ଲିପ୍। ଅନ୍ୟ ଏକ ଟିମ୍‌ ରାମପୁରସ୍ଥିତ ଘରେ ଚଢ଼ାଉ କରି ଲିଚୁ ଲାଇଟ, ଫିଲାମେଣ୍ଟ ଓ ବାରୁଦ ଜବତ କରିଥିଲେ।

ତଦନ୍ତ ବେଳେ ପୋଲିସ ପୁଞ୍ଜିଲାଲଙ୍କ ଘରୁ ୯ଟି ଲଫାପା ଜବତ କରିଛି। ପୁଞ୍ଜିଲାଲ ୧୦ଟି ଲଫାପା କିଣିଥିଲେ। ଗୋଟିଏ ବ୍ୟବହାର କରିଥିବା ବେଳେ ୯ଟି ତାଙ୍କ ଘରେ ଥିଲା। ସେହିପରି ସେ ତାଙ୍କ ଲାପଟପ୍‌ରେ ଚିଠିଟି ଟାଇପ କରିବା ପରେ ତାକୁ ପେନ୍‌ଡ୍ରାଇଭରେ ନେଇ ପ୍ରିଣ୍ଟ କରିଥିଲେ। ପରେ ପୁଞ୍ଜିଲାଲ ଲାପଟପ୍‌ରୁ ସେହି ଫାଇଲକୁ ଡିଲିଟ୍ କରିଦେଇଥିଲେ। ଏସବୁ କଥା ସେ ପୋଲିସ ଆଗରେ ସ୍ୱୀକାର କରିଛନ୍ତି।

ଏହି ଘଟଣାରେ ଅକାଳରେ ମୃତ୍ୟୁବରଣ କରିଥିବା ସୌମ୍ୟଶେଖରଙ୍କ ପ୍ରେମ ଜୀବନକୁ ନେଇ ଅଯଥାରେ ବିଭିନ୍ନ ଆଲୋଚନା ହୋଇଥିଲା। ଏହି ଆଲୋଚନା ପଛରେ ଥିଲା ପୁଞ୍ଜିଲାଲଙ୍କ ଚିଠି। ସୌମ୍ୟଶେଖରଙ୍କର କୌଣସି ପୂର୍ବତନ ପ୍ରେମିକା ଏହି ଅପରାଧ ଘଟାଇଥିବା ସାଧାରଣରେ ଏକ ପ୍ରକାର ଧାରଣା ସୃଷ୍ଟି କରିଥିଲା। ସ୍ୱାମୀଙ୍କୁ ହରାଇବା ସହ ନିଜ ଜୀବନର ସବୁ ସୁଖ ହଜାଇ ଦେଇଥିବା ରିମାଙ୍କୁ ଏହି କଥା ସବୁଠୁ ଅଧିକ କଷ୍ଟ ଦେଇଥିଲା।

ରାତି ଅନିଦ୍ରା ହୋଇ ବୋମା ତିଆରି କରୁଥିଲେ

ପୁଞ୍ଜିଲାଲଙ୍କ ଘରେ ଥିଲା ତିନୋଟି ରୁମ୍। ମଝି ଘରେ ରହୁଥିଲେ ପୁଞ୍ଜିଲାଲ। ଏକ କାର୍ପଟେରେ ବସି ପୁଞ୍ଜିଲାଲ ବୋମା ତିଆରି କରୁଥିଲେ। କାମ ସରିବା ପରେ କାର୍ପେଟ ପୋଡ଼ି ଦେଉଥିଲେ। ପ୍ରଥମେ ଛୋଟ ଛୋଟ ବୋମା ତିଆରି କରି ପରୀକ୍ଷା କରିଥିଲେ। ପ୍ରାୟ ୧୦୦ ଥର ସେ ଏପରି ପରୀକ୍ଷା କରିବା ପରେ ଶେଷରେ ସଫଳ ହୋଇଥିଲେ।

ରିମାଙ୍କ ଟ୍ରାଜେଡି ପୁଞ୍ଜିଲାଲଙ୍କୁ ହଲାଇ ଦେଇଥିଲା

ରିମାଙ୍କ ଏହି ଦୁଃଖ କାହାଣୀ ଶେଷରେ ପୁଞ୍ଜିଲାଲଙ୍କୁ ଦୋହଲାଇ ଦେଇଥିଲା। କ୍ରାଇମବ୍ରାଞ୍ଚ ପୋଲିସ ପାରମ୍ପରିକ ଅନୁସନ୍ଧାନ ତଥା ବିଭିନ୍ନ ଅପରାଧିକ ସୂତ୍ର ପ୍ରୟୋଗ କରିବା ସହ ପୁଞ୍ଜିଲାଲଙ୍କୁ ଫଟାଇବା ପାଇଁ ମନସ୍ତାତ୍ତ୍ବିକ ଅସ୍ତ୍ର ବ୍ୟବହାର କରିଥିଲା। “ତୁମର ଶତ୍ରୁତା ସୌମ୍ୟଶେଖରଙ୍କ ମା’ ସଂଯୁକ୍ତା ସାହୁଙ୍କ ସହ ରହିଥିଲା। ହେଲେ ତୁମେ ସୌମ୍ୟ-ରିମାଙ୍କ ସୁନାର ସଂସାରକୁ ଚୁନା କଲ କ’ଣ ପାଇଁ? ରିମା ଭଳି ଜଣେ ନିରୀହ ଝିଅକୁ ଏଭଳି କଷ୍ଟ ଦେଇ ତମର କି ଲାଭ ହେଲା?” – ପୋଲିସ ବାରମ୍ବାର ଏହି ପ୍ରଶ୍ନ ପୁଞ୍ଜିଲାଲକୁ ପଚାରିଥିଲା। ନିଜର ପ୍ରତିହିଂସା ପରାୟଣ ମନର ବଶବର୍ତ୍ତି ହୋଇ ଏତେବଡ଼ ଅପରାଧ ଘଟାଇଥିଲେ ମଧ୍ୟ ଶେଷରେ ରିମାଙ୍କ ଆଖିର ଲୁହ ତାଙ୍କ ଟାଣପଣକୁ ଭାଙ୍ଗି ଦେଇଥିଲା।

କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା କହିଛନ୍ତି ଯେ ପୁଞ୍ଜିଲାଲ ଜେରା ବେଳେ ଭୋ ଭୋ କରି କାନ୍ଦି ପକାଇଥିଲେ। ତା’ସହିତ ଗୋଟି ଗୋଟି ଘଟଣା ବର୍ଣ୍ଣନା କରିଥିଲେ। ଅପରାଧକୁ ବୁଝିବା ପାଇଁ ପୋଲିସ ପୁଞ୍ଜିଲାଲଙ୍କୁ ନେଇ ବିଭିନ୍ନ ସ୍ଥାନକୁ ଯାଇଥିଲା। ପୁଞ୍ଜିଲାଲ ମଧ୍ୟ ପୋଲିସକୁ ସବୁ କଥା ଦେଖାଇଥିବା ବୋଥ୍ରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ପ୍ରତିହିଂସା ନେଲା ଅପରାଧର ରୂପ

ମଣିଷ ମନର ପ୍ରତିହିଂସା ଜଣେ ଲୋକକୁ ଜଘନ୍ୟ ଅପରାଧୀ କରିଦେଇପାରେ – ଜ୍ୟୋତି ବିକାଶ ଜୁନିୟର କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର ହେଉଛନ୍ତି ଏହାର ଏକ ଉଦାହରଣ। ଶିକ୍ଷକ ପାଲଟିଲେ ଅପରାଧୀ। ସହକର୍ମୀ ପାଲଟିଲା ଷଡ଼ଯନ୍ତ୍ରକାରୀ। କଲେଜର ବର୍ତ୍ତମାନ ଅଧ୍ୟକ୍ଷ ସଂଯୁକ୍ତା ସାହୁଙ୍କ ପରିବାରକୁ ଛାରଖାର କରିବାକୁ ଅପରାଧର ଜାଲ ବିଛାଇଲେ ପୂର୍ବତନ କାର୍ଯ୍ୟକାରୀ ଅଧ୍ୟକ୍ଷ ପୁଞ୍ଜିଲାଲ ମେହେର। କେବଳ ଓଡ଼ିଶା ନୁହେଁ, ଏହା ସମ୍ଭବତଃ ଭାରତର ବିଭିନ୍ନ ଚର୍ଚ୍ଚିତ ଅପରାଧ କାହାଣୀ ମଧ୍ୟରେ ଆଜି ଆଲୋଚିତ ହେଉଛି।

ସଂଯୁକ୍ତାଙ୍କ ପୂର୍ବରୁ କଲେଜର କାର୍ଯ୍ୟକାରୀ ଅଧ୍ୟକ୍ଷ ଥିଲେ ପୁଞ୍ଜିଲାଲ। କଲେଜର ସ୍ଥାୟୀ ଅଧ୍ୟକ୍ଷ ହେବା ପାଇଁ ତାଙ୍କ ଭିତରେ ଥିଲା ପ୍ରବଳ ଇଚ୍ଛା। ହେଲେ ତାଙ୍କର ସେ ସ୍ୱପ୍ନ ପୂରଣ ହୋଇପାରି ନଥିଲା। କଲେଜର ସ୍ଥାୟୀ ଅଧ୍ୟକ୍ଷ ଭାବେ ସଂଯୁକ୍ତା ସାହୁ ଦାୟିତ୍ବ ନେବା ପରଠାରୁ ପୁଞ୍ଜିଲାଲ ପ୍ରତିହଂସାରେ ଫାଟି ପଡ଼ିଥିଲେ। ତେବେ ତାଙ୍କ ମନରେ ଥିବା ରାଗ ଯେ ଏଭଳି ଏକ ରୂପ ନେବ ଏକଥା ସୌମ୍ୟଶେଖରଙ୍କ ମା’ ଆଜି ବି ବିଶ୍ୱାସ କରିପାରୁ ନାହାନ୍ତି। କେବଳ ସଂଯୁକ୍ତା ସାହୁ ନୁହନ୍ତି, ପୁଞ୍ଜିଲାଲ ହିଁ ଘଟଣା ପଛର ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିବା ପରେ କଲେଜର ସମସ୍ତ ଅଧ୍ୟାପକ, କର୍ମଚାରୀ ତଥା ଛାତ୍ରଛାତ୍ରୀମାନେ ଚମକି ପଡ଼ିଥିଲେ।

କ୍ରାଇମବ୍ରାଞ୍ଚର ସଫଳତା

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ବଲାଙ୍ଗିର ପୋଲିସ ଯେଉଁଭଳି ନିନ୍ଦିତ ହୋଇଥିଲା ଆଜି କ୍ରାଇମବ୍ରାଞ୍ଚ ସେତିକି ପ୍ରଶଂସା ପାଇବାକୁ ଯାଉଛି। ଏହି ଘଟଣାରେ ପାଖାପାଖି ଏକ ମାସ ବିତି ଯାଇଥିଲେ ସୁଦ୍ଧା ବଲାଙ୍ଗିର ପୋଲିସ ଅପରାଧୀର ଟେର୍ ପାଇ ନଥିଲା। ବିଶେଷକରି କଟକ ବଡ଼ ମେଡିକାଲରେ ଚିକିତ୍ସା ହେଉଥିବା ବେଳେ ମିଡିଆ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୁରନ୍ତ ନ୍ୟାୟ ମାଗିଥିଲେ। ସେହିପରି ରିମାଙ୍କ ଶାଶୂ ସଂଯୁକ୍ତା ସାହୁ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଘଟଣାର ତଦନ୍ତରେ ପୋଲିସର ବିଶେଷ ଅଗ୍ରଗତି କରି ନଥିବା ବାବଦରେ କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ଅପରାଧୀକୁ ଧରି ଉଚିତ୍ ଶାସ୍ତି ଦେବା ପାଇଁ ନବୀନଙ୍କୁ ନିବେଦନ କରିଥିଲେ।

ଏହି ଘଟଣାରେ ପୋଲିସର ବିଫଳତା ନେଇ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ମାମଲା କ୍ରାଇମବ୍ରାଞ୍ଚକୁ ଦେଇଥିଲେ। କ୍ରାଇମବ୍ରାଞ୍ଚ ଟିମ୍ ପାଟଣାଗଡ଼, ରାୟପୁର ଏବଂ ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହ ଏହି ଅପରାଧ ଉପରୁ ପରଦା ହଟାଇବାକୁ ଚେଷ୍ଟା କରି ସଫଳ ହୋଇଛନ୍ତି।

“ଆମ ଟିମ୍ ବହୁତ କାମ କରିଛି। ଏପରିକି ଗତ ୩/୪ ଦିନ ଧରି ଆମେ ଶୋଇନୁ। କିନ୍ତୁ ଘଟଣାର ଖୁଲାସା କରିପାରିଥିବାରୁ ଆମକୁ ଆତ୍ମସନ୍ତୋଷ ମିଳିଛି”, ଆଜି ଗଣମାଧ୍ୟମକୁ କହିଛନ୍ତି କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା।

ଏହି ମାମଲାରେ କ୍ରାଇମବ୍ରାଞ୍ଚ ଉପରେ ଚାପ ରହିଥିଲା। ଏହି କେସ୍‌କୁ ସିବିଆଇକୁ ଦେବା ପାଇଁ ମଧ୍ୟ ଦାବି ହେଉଥିଲା। ତେଣୁ କ୍ରାଇମବ୍ରାଞ୍ଚ ଏହାକୁ ଏକ ଚାଲେଞ୍ଜ ଭାବେ ଗ୍ରହଣ କରିଥିଲା ବୋଲି କହିଛନ୍ତି ଅରୁଣ ବୋଥ୍ରା।

Comment