ଓଡ଼ିଶାଲାଇଭ୍ ବ୍ୟୁରୋ

କର୍ଣ୍ଣାଟକ ଫର୍ମୁଲା ଏବେ ବିହାର, ମେଘାଳୟ, ଗୋଆ ଓ ମଣିପୁରରେ ହଲଚଲ ସୃଷ୍ଟି କରିଛି।

କର୍ଣ୍ଣାଟକ ନିର୍ବାଚନରେ ସବୁଠାରୁ ବଡ଼ ଦଳ ରୂପେ ସାମ୍ନାକୁ ଆସିଥିବା ବିଜେପିକୁ ସରକାର ଗଠନ ପାଇଁ ସୁଯୋଗ ମିଳିଲା ପରେ ଏହି ଫର୍ମୁଲାକୁ ଅନ୍ୟ ରାଜ୍ୟରେ ବି କାର୍ଯ୍ୟକାରୀ କରାଯାଉ ବୋଲି ପ୍ରବଳ ଦାବି ଉଠିଛି। ଫଳରେ ୪ଟି ରାଜ୍ୟରେ ଏବେ ରାଜନୈତିକ ଅସ୍ଥିରତା ଆରମ୍ଭ ହୋଇଛି।

କର୍ଣ୍ଣାଟକ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ସେଠି କଂଗ୍ରେସ ଓ ଜେଡ଼ିଏସ ବିରୋଧ କରୁଥିବା ବେଳେ ଏହି ଫର୍ମୁଲାକୁ ନେଇ ବିହାର, ମେଘାଳୟ, ଗୋଆ ଓ ମଣିପୁରରେ ହଲଚଲ ସୃଷ୍ଟି ହୋଇଛି। ଏହି ଚାରି ରାଜ୍ୟର ବିରୋଧୀ ଦଳମାନେ ନିଜ ନିଜ ରାଜ୍ୟପାଳଙ୍କ ନିକଟରେ କର୍ଣ୍ଣାଟକ ସୂତ୍ର ଲାଗୁ କରିବା ସହ ସରକାର ଗଠନ ପାଇଁ ସୁଯୋଗ ଦିଆଯାଉ ବୋଲି ଦାବି ଉଠାଇଛନ୍ତି।

ଖବର ଅନୁସାରେ ବିହାର ବିଧାନସଭା ନିର୍ବାଚନରେ ସବୁଠାରୁ ବଡ଼ ଦଳ ଭାବେ ସାମ୍ନାକୁ ଆସିଥିବା ଆରଜେଡ଼ି ନେତା ତଥା ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ବିଧାନସଭାରେ ନିଜ ଦଳର ବିଧାୟକଙ୍କ ପରେଡ଼ କରାଇବେ। ଠିକ୍ ସେହିଭଳି ଗୋଆରେ ସବୁଠାରୁ ବଡ଼ ଦଳ ଭାବରେ କଂଗ୍ରେସ ମଧ୍ୟ ସରକାର ଗଠନ ପାଇଁ ଦାବି କରିବ ଓ ବିଧାୟକଙ୍କ ପ୍ରତ୍ୟକ୍ଷ ପ୍ରଦର୍ଶନ କରିବ।

ଖାଲି ସେତିକି ନୁହେଁ, ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀ ଇବୋବି ସିଂ ଓ ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଳ ସାଙ୍ଗମା ମଧ୍ୟ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିବେ। ଏଥିପାଇଁ ସେମାନେ ଶୁକ୍ରବାର ଦିନ ସମୟ ମାଗିଛନ୍ତି।

ପ୍ରକୃତ କଥା ହେଉଛି ଏହି ୪ ରାଜ୍ୟରେ ସବୁଠାରୁ ବଡ଼ ଦଳ ଭାବେ ଆଗକୁ ଆସିଥିଲେ ମଧ୍ୟ ବିରୋଧୀ ଦଳମାନଙ୍କୁ ସରକାର ଗଠନ ପାଇଁ ସୁଯୋଗ ଦିଆ ଯାଇନଥିଲା ଓ ବିଭିନ୍ନ ଉପାୟ ଅବଲମ୍ବନ କରି ବିଜେପି ସରକାର ଗଠନ କରିଥିଲା କିମ୍ବା ସରକାରରେ ସାମିଲ ହୋଇଥିଲା।

କର୍ଣ୍ଣାଟକ ଘଟଣା ପରେ ଦେଶର ରାଜନୈତିକ ସ୍ଥିତି ଆଗାମୀ ଦିନରେ ଅସ୍ଥିରତା ଆଡ଼କୁ ଗତି କରିବ ବୋଲି ଅନୁମାନ କରାଯାଉଛି।

Comment