ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡ ଷ୍ଟାର ସିଦ୍ଧାନ୍ତ ଚୁଲବୁଲି ନାୟିକା ରଚନାଙ୍କ ଯୋଡ଼ିକୁ ଖୁବ୍‌ ପସନ୍ଦ କରିଆସିଛନ୍ତି ଓଡ଼ିଆ ସିନେପ୍ରେମୀମାନେ ବେଶ୍‌ କିଛି ବର୍ଷ ପରେ ଏହି ଯୋଡ଼ିଙ୍କୁ ଖୁବ୍‌ ଶୀଘ୍ର ଦେଖିବାକୁ ମିଳିବ ପରଦା ଉପରେ

ଓଲିଉଡର ଦୁଇଟି ଲୋକପ୍ରିୟ ଯୋଡି ହେଲେ ସିଦ୍ଧାନ୍ତ-ରଚନା ଏବଂ ସିଦ୍ଧାନ୍ତ-ଅନୁ ଚୌଧୁରୀ। ଏହି ଯୋଡିକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ ପରଦାରେ।

ସିଦ୍ଧାନ୍ତ ଓ ରଚନା ପ୍ରଥମେ ପ୍ରଖ୍ୟାତ ନିର୍ଦ୍ଦେଶକ ରବି କିନ୍ନାଗୀ ନିର୍ଦ୍ଦେଶିତ ‘ଭାଇ ହେଲା ଭଗାରି’ରେ ଏକାଠି ନଜର ଆସିଥିଲେ। ଏହାପରେ ‘କଳକି ଅବତାର’, ‘ଗଙ୍ଗାଯମୁନା’, ‘ସୁହାଗ ସିନ୍ଦୂର’, ‘ଧର୍ମ ସହିଲେ ହେଲା’, ‘ମୋ କୋଳ ତୋ ଝୁଲଣା’, ‘ସନ୍ତାନ’ ଆଦି ଓଡିଆ ସିନେମାରେ ଦେଖିବାକୁ ପାଇଛନ୍ତି।

ଅପରପକ୍ଷରେ ସିଦ୍ଧାନ୍ତ ଓ ଅନୁ ଚୌଧୁରୀଙ୍କ ଯୋଡି ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’, ‘ରକତ କହିବ କିଏ କାହାର’, ‘ଓମ୍ ଶାନ୍ତି ଓମ୍’, ‘ଚକା ଚକା ଭଉଁରୀ’, ‘ପୁଅ ମୋର ଜଗତଜିତା’, ‘ଅଗ୍ନି ପରୀକ୍ଷା’, ‘କାଳୀଶଙ୍କର’ ଏବଂ ‘ଗଡ ଫାଦର’ ଆଦି ଓଡ଼ିଆ ସିନେମାରେ ନଜର ଆସିଛନ୍ତି।

ସିଦ୍ଧାନ୍ତ-ରଚନା ଯୋଡ଼ିଙ୍କର ଶେଷ ସିନେମା ଥିଲା ୨୦୦୨ରେ ମୁକ୍ତିଲାଭ କରିଥିବା ସୁପରହିଟ୍ ଫିଲ୍ମ ‘ସନ୍ତାନ’। ଅର୍ଥାତ୍ ଦୀର୍ଘ ୧୬ ବର୍ଷ ହେବ ଏହି ଯୋଡ଼ି କୌଣସି ଓଡ଼ିଆ ସିନେମାରେରେ ଏକାଠି କାମ କରିନାହାନ୍ତି। ଅପରପକ୍ଷରେ ସିଦ୍ଧାନ୍ତ-ଅନୁଙ୍କ ଯୋଡ଼ି ଶେଷ ଥର ପାଇଁ ୨୦୧୭ରେ ରିଲିଜ ହୋଇଥିବା ‘ଗଡଫାଦର’ରେ ନଜର ଆସିଥିଲେ।

ନିର୍ଦ୍ଦେଶକ ମାଧବ ପରିଡା ତାଙ୍କର ଆଗାମୀ ସିନେମାରେ ପ୍ରଥମ ଥର ପାଇଁ ସିଦ୍ଧାନ୍ତ, ରଚନା ଓ ଅନୁ ଚୌଧୁରୀଙ୍କୁ ଏକାଠି ଆଣିବାକୁ ଉଦ୍ୟମ କରୁଛନ୍ତି। ଏହି ସିନେମାର ଶୀର୍ଷକ ରହିଛି ‘ରକ୍ତ ଚିହ୍ନେ ରକ୍ତକୁ’।

ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ମାଧବ ପରିଡା। ଏହା ଏକ ଦ୍ୱିଭାଷୀ ସିନେମା ହେବ। ଏହାକୁ ଉଭୟ ଓଡ଼ିଆ ଓ ବଙ୍ଗଳା ଭାଷାରେ ନିର୍ମାଣ କରାଯିବ। ଏହି ଫିଲ୍ମରେ ବରିଷ୍ଠ ଅଭିନେତା ଅସିତ୍ ପତିଙ୍କୁ ମୁଖ୍ୟ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ ବୋଲି ମଧ୍ୟ ଜଣାଯାଇଛି। ଏଥିରେ ବଙ୍ଗଳାର କେତେକ କଳାକାରଙ୍କୁ ମଧ୍ୟ ନିଆଯିବ ବୋଲି ସୂଚନା ମିଳିଛି। ଏହି ସିନେମାର ଗୀତିକାର ଓ ସଙ୍ଗୀତକାର ହେଲେ ସ୍ୱରୂପ ନାୟକ।

ଇତିମଧ୍ୟରେ ‘ରକ୍ତ ଚିହ୍ନେ ରକ୍ତକୁ’ର ଗୀତ ରେକର୍ଡିଂ ଶେଷ ହୋଇଛି। ଏହାର ଟ୍ରାକ୍ କୋଲକତାଠାରେ ପ୍ରସ୍ତୁତ କରାଯାଇଛି। ଏହି ଚଳଚ୍ଚିତ୍ରର ଭଏସ୍ ଡବିଂ ମଧ୍ୟ ଶେଷ ହୋଇଛି।

‘ରକ୍ତ ଚିହ୍ନେ ରକ୍ତକୁ’ ସିନେମାରେ ଟି.ସୌରି, କୁମାର ବାପି, ଶଶାଙ୍କ, ତପୁ ମିଶ୍ର, ଅସୀମା ପଣ୍ଡା ପ୍ରମୁଖ କଣ୍ଠଦାନ କରିଛନ୍ତି। ଖୁବ୍‌ ଶୀଘ୍ର ‘ରକ୍ତ ଚିହ୍ନେ ରକ୍ତକୁ’ର ସୁଟିଂ ଆରମ୍ଭ ହେବ ବୋଲି ଜଣାଯାଇଛି।

କିଛି ମାସ ତଳେ ଚର୍ଚ୍ଚା ହେଉଥିଲା ଯେ ସିଦ୍ଧାନ୍ତ ଓ ରଚନାଙ୍କ ଯୋଡ଼ିକୁ ଜଣେ ନାମୀ ନିର୍ଦ୍ଦେଶକ ଓଡ଼ିଆ ସିନେମାରେ ଆଣିବେ। ଏହି ନିର୍ଦ୍ଦେଶକ ହେଲେ ଏସ୍.କେ ମୁରଲୀଧରନ୍। ସେ ସିଦ୍ଧାନ୍ତ -ରଚନା ଯୋଡିକୁ ନେଇ ଏକ ଓଡ଼ିଆ ସିନେମା ନିର୍ମାଣ କରିବେ ବୋଲି ଠିକ୍ କରିଥିଲେ। ଏଥିପାଇଁ ସେ ଉଭୟ କଳାକାରଙ୍କ ସହମତି ବି ନେଇଥିଲେ। ହେଲେ ଏଯାବତ୍ ତାହା ସମ୍ଭବ ହୋଇପାରିନାହିଁ।

ଅତୀତରେ କୌଣସି ବି ସିନେମାରେ ସିଦ୍ଧାନ୍ତ, ରଚନା ଓ ଅନୁ ଚୌଧୁରୀଙ୍କୁ ଏକାଠି ଦେଖିବାକୁ ମିଳିନାହିଁ। ଏବେ ଦେଖିବା କଥା ନିର୍ଦ୍ଦେଶକ ମାଧବ ପରିଡାଙ୍କର ଏହି ପ୍ରୟାସକୁ ଦର୍ଶକମାନେ କେତେ ପସନ୍ଦ କରୁଛନ୍ତି।

Comment