ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ହିନ୍ଦୀ ସିନେମାରେ ବିବାହ ଦୃଶ୍ୟ ପ୍ରାୟତଃ ଦେଖିବାକୁ ମିଳିଥାଏ। ହେଲେ ଏମିତି ବି କିଛି ସିନେମା ଅଛି, ଯାହା ବାହାଘରକୁ ନେଇ ଗତିଶୀଳ।

ଭାରତୀୟ ଦର୍ଶକମାନେ ଫିଲ୍ମରେ ରୋମାନ୍ସ, ଗୀତ, ଡ୍ୟାନ୍ସ ଓ ଡ୍ରାମାକୁ ପସନ୍ଦ କରନ୍ତି। ଆଉ ଏସବୁ କଥା ଉଠିଲେ ବିବାହର ଦୃଶ୍ୟ କଥା ମନକୁ ଆପେ ଆପେ ଚାଲିଆସେ।

ଏବେ ଆସନ୍ତୁ ଜାଣିବା ବଲିଉଡର ଏଭଳି ସାତଟି ଫିଲ୍ମ ସମ୍ପର୍କରେ ଯାହାର ମୁଖ୍ୟ ପ୍ରସଙ୍ଗ ଥିଲା ବିବାହ…

ହମ୍ ଆପ୍‌କେ ହେ କୌନ୍

ପ୍ରଖ୍ୟାତ ନିର୍ଦ୍ଦେଶକ ସ୍ୱରୂପ ବଡ଼ଜାତ୍ୟାଙ୍କ ‘ହମ୍‌ ଆପ୍‌କେ ହେ କୌନ୍’ ଏକ ବ୍ଲକବଷ୍ଟର ମୁଭି। ଏହାର କଥାବସ୍ତୁ ମୁଖ୍ୟତଃ ଦୁଇ ଭାଇଙ୍କ ଉପରେ ଆଧାରିତ ଥିଲା। ଏଥିରେ ସଲମାନ୍ ଖାନ୍ ଓ ମହନିଶ ବହଲ ଭାଇ ଭୂମିକାରେ ଅଭିନୟ କରିଥିଲେ। ‘ହମ୍‌ ଆପ୍‌କେ ହେ କୌନ୍’ରେ ମହନିଶ ବହଲ ଓ ରେଣୁକା ସହାଣେଙ୍କ ବାହାଘରକୁ ଖୁବ୍ ଆକର୍ଷଣୀୟ ଢ଼ଙ୍ଗରେ ଉପସ୍ଥାପନା କରାଯାଇଥିଲା।

ଦିଲୱାଲେ ଦୁଲହନିଆ ଲେ ଜାଏଙ୍ଗେ

ବଲିଉଡ ସୁପରଷ୍ଟାର ଶାହରୁଖ୍ ଖାନ୍ ଓ କାଜୋଲଙ୍କ ଅଭିନୀତ ଏହି ସିନେମାରେ ସିମରନ୍ (କାଜୋଲ)ଙ୍କର ବାହାଘର ହିଁ ମୁଖ୍ୟ ପ୍ରସଙ୍ଗ। ଏଥିରେ ନାୟକ ଓ ନାୟିକା ଭାରତୀୟ ସଂସ୍କୃତିର ରକ୍ଷା କରିଥିଲେ। ଆଦିତ୍ୟ ଚୋପ୍ରା ଏହାର ନିର୍ଦ୍ଦେଶକ। ଏହି ଫିଲ୍ମରେ ବାହାଘର ଗୀତ ଡୋଲି ସଜାକେ ରଖ୍‌ନା…. ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା।

ବିବାହ

୨୦୦୬ରେ ରିଲିଜ୍ ହୋଇଥିବା ଏକ ସୁପରହିଟ୍ ସିନେମା ହେଲା ‘ବିବାହ’। ଏହାର ନିର୍ଦ୍ଦେଶନା ଦେଇଥିଲେ ସ୍ବରୂପ ଆର୍ ବଡ଼ଜାତ୍ୟା। ଏଥିରେ ଶାହିଦ୍ କପୁର ଓ ଅମ୍ରିତା ରାଓ ଲିଡ୍ ରୋଲ୍‌ରେ ଥିଲେ।

‘ବିବାହ’ର ଟାଇଟଲ୍‌ରୁ ହିଁ ଜଣାପଡୁଛି ଯେ ଏହାର କାହାଣୀ ବାହାଘର ଉପରେ ଆଧାରିତ। ତେବେ ନାୟକ ପ୍ରେମ ଓ ନାୟିକା ପୁନମ୍ ବାହାଘର ଏକ ଭିନ୍ନ ପରିସ୍ଥିତିରେ ହୋଇଛି।

ବ୍ୟାଣ୍ଡ୍ ବାଜା ବାରାତ୍

ମନୀଷ ଶର୍ମାଙ୍କ ନିର୍ଦ୍ଦେଶିତ ‘ବ୍ୟାଣ୍ଡ୍ ବାଜା ବାରାତ୍’ ୨୦୧୦ର ଏକ ହିଟ୍ ସିନେମା। ଏହି ଫିଲ୍ମରୁ ରଣବୀର ସିଂ କ୍ୟାରିଅର୍ ଆରମ୍ଭ କରିଥିଲେ। ଏଥିରେ ରଣବୀରଙ୍କ ନାୟିକା ବନିଥିଲେ ଅନୁଷ୍କା ଶର୍ମା।

ଫିଲ୍ମର ଟାଇଟଲ୍‌ରୁ ଜଣାପଡ଼ୁଥିଲା ଯେ ଏହାର କାହାଣୀ ବିବାହ ପ୍ରସଙ୍ଗ ଉପରେ ଆଧାରିତ। କିନ୍ତୁ ଏହା ବିବାହ କମ୍ପାନିରେ କାମ କରୁଥିବା ଯୁବକଯୁବତୀଙ୍କ ପ୍ରେମ କାହାଣୀ।

ନମସ୍ତେ ଲଣ୍ଡନ୍

ଜଣାଶୁଣା ନିର୍ଦ୍ଦେଶକ ଦିପୁଲ ଅମୃତଲାଲ ଶାହାଙ୍କ ‘ନମସ୍ତେ ଲଣ୍ଡନ’ ୨୦୦୭ରେ ରିଲିଜ୍ ହୋଇଥିଲା। ଏଥିରେ ଅକ୍ଷୟ କୁମାର ଓ କାଟ୍ରିନା କୈଫ୍ ଲିଡ୍ ରୋଲରେ ଥିଲେ।

‘ନମସ୍ତେ ଲଣ୍ଡନ’ର କାହାଣୀ ଏକ ମିସମ୍ୟାଚ୍ କପଲଙ୍କ ଉପରେ ଆଧାରିତ। ଏନଆର୍ ଆଇ ଜସମିତ (କାଟ୍ରିନା କୈଫ୍) ଜଣେ ଭାରତୀୟ ଯୁବକ ଅର୍ଜୁନ ସିଂହଙ୍କୁ ବିବାହ ପାଇଁ ଯେତେବେଳେ ଭାରତ ଆସେ, ତା’ପରେ କ’ଣ ଘଟେ ତାହା ଏହି ସିନେମାରେ ପ୍ରଦର୍ଶିତ।

ମନସୁନ୍ ୱେଡିଂ

ପ୍ରଖ୍ୟାତ ନିର୍ଦ୍ଦେଶିକା ମୀରା ନାୟାରଙ୍କ ‘ମନସୁନ୍ ୱେଡିଂ’ ହେଉଛି ଏକ ଆଧୁନିକ ମଧ୍ୟବିତ୍ତ ପରିବାରର ଆରେଞ୍ଜ ମ୍ୟାରେଜ୍ ଉପରେ ଆଧାରିତ। ଏଥିରେ ନଶିରୁଦ୍ଦିନ ଶାହା, ଲିଲିଟ୍ ଦୁବେ, ସେଫାଲି ଶାହା ଓ ବସୁନ୍ଧରା ଦାସ ପ୍ରମୁଖ ଅଭିନୟ କରିଥିଲେ। ଏହା ୨୦୦୧ରେ ରିଲିଜ୍ ହୋଇଥିଲା।

ପ୍ରେମ୍‌ ରତନ୍‌ ଧନ୍‌ପାୟୋ

ଖ୍ୟାତନାମା ନିର୍ଦ୍ଦେଶକ ସୂରଜ ଆର୍ ବଡ଼ଜାତ୍ୟାଙ୍କ ‘ପ୍ରେମ ରତନ ଧନ ପାୟୋ’ ତାଙ୍କର ମଧ୍ୟ ବାହାଘର ପ୍ରସଙ୍ଗ ଉପରେ ପର୍ଯ୍ୟଵେସିତ। ୨୦୧୫ରେ ଏହା ରିଲିଜ୍ ହୋଇଥିଲା।

ଏହି ସିନେମାରେ ସଲମାନ୍ ଖାନ୍, ସୋନମ୍ କପୁର, ସ୍ବରା ଭାସ୍କର ଓ ନୀଲ ନିତିନ କୁକେଶ ପ୍ରମୁଖ ଅଭିନୟ କରିଥିଲେ। ଏଥିରେ ସଲମାନ୍‌ ଡବଲ୍ ରୋଲରେ ନଜର ଆସିଥିଲେ। ଏଥିରେ ରାଜ ପରିବାରର ବାହାଘରକୁ ଖୁବ୍ ଆକର୍ଷଣୀୟ ଢ଼ଙ୍ଗରେ ଉପସ୍ଥାପିତ କରିଥିଲେ ନିର୍ଦ୍ଦେଶକ।

Comment