ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀମନ୍ଦିର ପରିଚାଳନା ନେଇ ସୁପ୍ରିମକୋର୍ଟ କଡ଼ା ମନ୍ତବ୍ୟ ଦେଇଛନ୍ତି।

ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପରିଚାଳନା ନେଇ ଆଜି ସୁପ୍ରିମକୋର୍ଟ କଡ଼ା ମନ୍ତବ୍ୟ ଦେଇଛନ୍ତି। ଏଥିସହ ମନ୍ଦିରର ଉପଯୁକ୍ତ ପରିଚାଳନା ପାଇଁ ବିସ୍ତୃତ ପରାମର୍ଶ ଦେଇଛନ୍ତି। ପୁରୀ ମନ୍ଦିରରେ ଠାକୁର ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କୁ ଶୋଷଣ ନକରିବା ପାଇଁ ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି।

ଖାଲି ସେତିକି ନୁହେଁ ଯାତ୍ରୀ ଓ ଶ୍ରଦ୍ଧାଳୁମାନେ କି ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାର ଏକ ରିପୋର୍ଟ ଦେବା ପାଇଁ ପୁରୀ ଜିଲ୍ଲା ଜଜଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀମନ୍ଦିରର ଦୈନନ୍ଦିନ ପରିଚାଳନାକୁ ମଜଭୁତ କରିବା ପାଇଁ ଏକ କମିଟି ଗଠନ କରିବା ସକାଶେ ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟି ଦେଶର ଅନ୍ୟ ବଡ଼ ବଡ଼ ମନ୍ଦିରର ପରିଚାଳନା କିଭଳି ହେଉଛି ତାହାର ଅନୁଧ୍ୟାନ କରିବେ।

ବୈଷ୍ଣୋଦେବୀ, ଅମୃତସରର ସ୍ୱର୍ଣ୍ଣ ମନ୍ଦିର ଓ ଗୁଜରାଟର ସୋମନାଥ ମନ୍ଦିର ପ୍ରଶାସନ ତରଫରୁ ବିଭିନ୍ନ ପ୍ରସଙ୍ଗରେ କିଭଳି ପଦକ୍ଷେପ ନିଆଯାଉଛି ତାହାର ଅନୁଧ୍ୟାନ କରି ଶ୍ରୀଜଗନ୍ନାଥ ମନ୍ଦିରରେ ମଧ୍ୟ ସେହି ସବୁ ପରିଚାଳନା ସମ୍ବନ୍ଧୀୟ ନୀତି ନିୟମକୁ ଲାଗୁ କରିବା ପାଇଁ ଓଡ଼ିଶା ସରକାରଙ୍କୁ କୁହାଯାଇଛି।

ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବରିଷ୍ଠ ଆଇନଜୀବୀ ଗୋପାଳ ସୁବ୍ରମଣ୍ୟମଙ୍କୁ ସୁପ୍ରିମକୋର୍ଟ ନିଯୁକ୍ତି ଦେଇଛନ୍ତି ଯିଏ କି ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା ପାଇଁ ଏକ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବା କାର୍ଯ୍ୟରେ ସୁପ୍ରିମକୋର୍ଟକୁ ସାହାଯ୍ୟ କରିବେ।

ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସ୍ୱାର୍ଥରକ୍ଷା ଓ ସେମାନଙ୍କ ମୌଳିକ ସୁବିଧା ଉପରେ ସୁପ୍ରିମକୋର୍ଟର ବିଚାରପତିମାନେ ଗୁରୁତ୍ୱ ଆରୋପ କରିଛନ୍ତି।

ଭକ୍ତମାନେ ବିନା ଅସୁବିଧାରେ ଓ ହରକତ ନହୋଇ ଯେମିତି ଠାକୁର ଦର୍ଶନ କରିପାରିବେ ସେଥିପ୍ରତି ଦୃଷ୍ଟି ଦିଆଯିବା ସହ ଯାତ୍ରୀଙ୍କୁ ଶୋଷଣ ବନ୍ଦ ହେବା ଦରକାର ବୋଲି ସୁପ୍ରିମକୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି। ଶେଷରେ କୋର୍ଟ କହିଛନ୍ତି ଯେ ଯାତ୍ରୀ ଓ ଭକ୍ତମାନଙ୍କୁ ଶୋଷଣ କରିବା ଆମ ସଂସ୍କୃତିର ପରିଚାୟକ ନୁହେଁ।

ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ମଧ୍ୟ ସୁପ୍ରିମକୋର୍ଟ ମତ ରଖିଛନ୍ତି। କହିଛନ୍ତି, ଏହି ମାମଲା ହାଇକୋର୍ଟରେ ବିଚାରାଧୀନ ରହିଥିବାରୁ ହାଇକୋର୍ଟ ହିଁ ଏ ସମ୍ପର୍କରେ ନିଷ୍ପତ୍ତି ନେବେ।

ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାସଙ୍କୁ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି। ତିନି ମାସ ମଧ୍ୟରେ ସେ ତାଙ୍କର ରିପୋର୍ଟ ଦେବେ।

Comment