ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ବହୁ ସୁପରହିଟ୍ ଫିଲ୍ମ ନିର୍ମାଣ କରିଥିବା ରାଜ ଖୋସଲା ପ୍ରଥମେ ଗାୟକ ହେବା ପାଇଁ ବମ୍ବେ ଆସିଥିଲେ କିନ୍ତୁ ସମୟକ୍ରମେ ସେ ଗାୟକ ପରିବର୍ତ୍ତେ ହୋଇଯାଇଥିଲେ ବଲିଉଡର ଜଣେ ପ୍ରଖ୍ୟାତ ନିର୍ଦ୍ଦେଶକ

ପଚାଶରୁ ଅଶି ଦଶକ ଭିତରେ ଅନେକ ହିନ୍ଦୀ ସିନେମା ନିର୍ମାଣ କରିଥିଲେ ଜଣେ ଖ୍ୟାତନାମା ନିର୍ଦ୍ଦେଶକ। ଏହି ନିର୍ଦ୍ଦେଶକଙ୍କ ନାଁ ହେଲା ରାଜ୍ ଖୋସ୍‌ଲା।

ଖ୍ୟାତନାମା ନିର୍ଦ୍ଦେଶକ ରାଜ୍ ଖୋସଲା ୧୯୨୫ ମସିହା ମଇ ୩୧ ତାରିଖ ପଞ୍ଜାବର ଲୁଧିଆନାଠାରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୫୪ ମସିହାରେ ପ୍ରଥମେ ‘ମିଲାପ’ ସିନେମାର ନିର୍ଦ୍ଦେଶନା ଦେଇଥିଲେ।

‘ମିଲାପ’ ସିନେମାରେ ଦେବ ଆନନ୍ଦ ଥିଲେ ନାୟକ ଭୂମିକାରେ। ଏହା ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା। ୧୯୫୬ରେ ରିଲିଜ୍ ହୋଇଥିଲା ଖ୍ୟାତନାମା ନିର୍ଦ୍ଦେଶକ ରାଜ୍ ଖୋସଲାଙ୍କର ଦ୍ୱିତୀୟ ହିନ୍ଦୀ ସିନେମା ‘ସିଆଇଡି’। ଏହା ସୁପରହିଟ୍ ହୋଇଥିଲା। ତା’ପରେ ରାଜ୍ ଖୋସଲା ଆଉ ପଛକୁ ଫେରି ଚାହିଁ ନଥିଲେ।

ଖ୍ୟାତନାମା ନିର୍ଦ୍ଦେଶକ ରାଜ ଖୋସଲାଙ୍କ ଅନ୍ୟ ହିନ୍ଦୀ ସିନେମାଗୁଡ଼ିକ ହେଲା- କାଲାପାନି (୧୯୫୮), ସୋଲ୍‌ଭାସାଲ୍‌ (୧୯୫୮), ବମ୍ବଇ କା ବାବୁ (୧୯୬୦), ଏକ୍ ମୁସାଫିର୍ ଏକ ହସିନା (୧୯୬୨), ୱ କୌନ୍ ଥି (୧୯୬୪), ମେରା ସାୟା (୧୯୬୬), ଦୋ ବଦନ୍ (୧୯୬୬), ଅନୀତା (୧୯୬୭), ଚିରାଗ୍ (୧୯୬୯), ଦୋ ରାସ୍ତେ (୧୯୬୯), ମେରା ଗାଓଁ ମେରା ଦେଶ୍ (୧୯୭୧), ସରିଫ୍ ବଦମାସ୍ (୧୯୭୩), କଚ୍ଚେ ଧାଗେ (୧୯୭୩), ପ୍ରେମ କାହାନୀ (୧୯୭୫), ନେହଲେ ପେ ଦେହଲା(୧୯୭୬), ମେଁ ତୁଲ୍‌ସୀ ତେରେ ଆଙ୍ଗନ୍ କି (୧୯୭୮), ଦୋସ୍ତାନା (୧୯୮୦), ଓ ସନ୍ନି (୧୯୮୪)। ଏହାଛଡ଼ା ସେ ଦୋ ଚୋର୍ (୧୯୭୨) ଟାଇଟଲରେ ଏକ ଫିଲ୍ମର ପ୍ରଯୋଜନା ମଧ୍ୟ କରିଥିଲେ।

ନିଜ ନିର୍ଦ୍ଦେଶିତ ଫିଲ୍ମ ଜରିଆରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିବା ଖ୍ୟାତନାମା ନିର୍ଦ୍ଦେଶକ ରାଜ ଖୋସଲା କିନ୍ତୁ ନିର୍ଦ୍ଦେଶନା କ୍ଷେତ୍ରକୁ ଆସିବାକୁ ଚାହୁଁନଥିଲେ। ଏବେ ଆପଣ ଜାଣିବାକୁ ଚାହିଁବେ, ସେ କ’ଣ ହେବାକୁ ଚାହୁଁଥିଲେ।

ରାଜ୍ ଖୋସଲା ପିଲାଟି ଦିନରୁ ସଙ୍ଗୀତ ପ୍ରତି ଆକର୍ଷିତ ଥିଲେ। ସେ ସଙ୍ଗୀତ ସାଧନା ମଧ୍ୟ କରିଥିଲେ। ଯୁବାବସ୍ଥାରେ ଜଣେ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ଭାବେ ଲୁଧିଆନାରେ ସୁପରିଚିତ ଥିଲେ ରାଜ୍ ଖୋସଲା।

ରାଜ୍ ଖୋସ୍‌ଲା ସିନେମାରେ ପ୍ରଚ୍ଛଦପଟ୍ଟ ଗାୟକ ହେବା: ସ୍ୱପ୍ନ ଦେଖୁଥିଲେ। ନିଜର ଏହି ସ୍ୱପ୍ନ ସାକାର କରିବା ଲାଗି ରାଜ୍ ବମ୍ବେ ଆସିଥିଲେ।

ମାତ୍ର ୧୯ ବର୍ଷ ବୟସରେ ରାଜ ଖୋସଲା ଆକାଶବାଣୀରେ କଣ୍ଠଶିଳ୍ପୀ ହେବାର ସୌଭାଗ୍ୟ ପ୍ରାପ୍ତ କରିଥିଲେ। ଖାଲି ସେତିକି ନୁହେଁ ସେ ଘୋଷକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

ଏହାପରେ ସେ ବମ୍ବେରେ ଗାୟକ ହେବାର ସ୍ୱପ୍ନ ନେଇ ଆସି ପହଞ୍ଚିଥିଲେ। ବମ୍ବେ ରଞ୍ଜିତ ଷ୍ଟୁଡିଓରେ ତାଙ୍କ କଣ୍ଠର ଯାଦୁରେ ବିମୋହିତ ହୋଇଥିଲେ ରଞ୍ଜିତ ଷ୍ଟୁଡିଓର ମାଲିକ ସରଦାର ଚନ୍ଦୁଲାଲ୍। ସେ ରାଜ୍‌ ଖୋସଲାଙ୍କୁ ତାଙ୍କ ପ୍ରଯୋଜିତ ଫିଲ୍ମରେ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ରଞ୍ଜିତ୍ ଷ୍ଟୁଡିଓର ମାଲିକ ରାଜଙ୍କ ପରିବର୍ତ୍ତେ ସେ ସମୟରେ ଲୋକପ୍ରିୟ ଗାୟକ ମୁକେଶଙ୍କୁ ଫିଲ୍ମରେ ନେଇଥିଲେ। ଏହାପରେ ରାଜ ଖୋସଲାଙ୍କ ମନ ଭାଙ୍ଗି ଯାଇଥିଲା।

ରାଜ ଖୋସଲାଙ୍କୁ ସେହି ସମୟରେ ପ୍ରଖ୍ୟାତ ଅଭିନେତା ଦେବ ଆନନ୍ଦ ନିର୍ଦ୍ଦେଶନା କ୍ଷେତ୍ରକୁ ଆସିବା ଲାଗି ଉତ୍ସାହିତ କରିଥିଲେ। ଦେବ ଆନନ୍ଦ ରାଜ୍‌ଙ୍କୁ ଗୁରୁଦତ୍ତଙ୍କ ସହାୟକ ଭାବେ ନିୟୋଜିତ କରିଥିଲେ। ପ୍ରଥମେ ‘ବାଜି’ ଫିଲ୍ମରେ ସେ ସହକାରୀ ନିର୍ଦ୍ଦେଶକ ବନିଥିଲେ। ତା’ ପରେ ନିର୍ଦ୍ଦେଶକ ହୋଇଥିଲେ।

Comment