ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିକୃତ ଜଣାଣ ଗାଇ ବିବାଦରେ ଥିବା ସୋନା ମହାପାତ୍ରଙ୍କୁ ନିରଞ୍ଜନ ପଟ୍ଟନାୟକ ସମର୍ଥନ କରି ନବୀନ ପଟ୍ଟନାୟକଙ୍କୁ ମାରିଛନ୍ତି ରାଜନୀତିର ତୀର।

କୌଣସି ଘଟଣାକୁ ହାତଛଡ଼ା କରିବାକୁ ଚାହୁଁ ନାହାନ୍ତି ରାଜନେତା। ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରତିପକ୍ଷଙ୍କୁ କେମିତି ରାଜନୀତି ତୀର ମରାଯାଏ ତାହା ଆଜି ଦେଖିବାକୁ ମିଳିଛି। ଗାୟିକା ସୋନା ମାହାପାତ୍ରଙ୍କ ବିକୃତ ଜଣାଣକୁ ନେଇ ଓଡ଼ିଶା ଉଠୁଥିବା ପଡ଼ୁଥିବା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କିନ୍ତୁ ଏଥିରୁ ରାଜନୀତିକ ଫାଇଦା ନେବାକୁ ଆଗେଇ ଆସିଛନ୍ତି।

ସୋନା ବିକୃତ କରି ଗାଇଥିବା ଲୋକପ୍ରିୟ ଜଣାଣ ‘ଆହେ ନୀଳ ଶଇଳ’କୁ ସମର୍ଥନ କରି ନିରଞ୍ଜନ ସିଧା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ତୀର ମାରିଛନ୍ତି।

ନିରଞ୍ଜନ କହିଛନ୍ତି, “ସୋନା ମହାପାତ୍ର ବିକୃତ କରି ଗୀତ ଗାଇ ନାହାନ୍ତି। ଓଡ଼ିଆ ଭାଷାକୁ ଟିକେ ବଙ୍କେଇ ଉଚ୍ଚାରଣ କରିଛନ୍ତି। ସୋନା ହେଉଛନ୍ତି ଓଡ଼ିଆ ଝିଅ। ସେ ଓଡ଼ିଆ ଭଲରେ ଶିଖି ନାହାନ୍ତି କି ପଢ଼ି ନାହାନ୍ତି। ହେଲେ ଓଡ଼ିଆ ଭଜନ ଗାଉଛନ୍ତି। ସେ ଗୀତ ଗାଇବା ବେଳେ ଗୋଟିଏ କି ଦୁଇଟି ଶବ୍ଦ ଏପାଖ ସେପାଖ ହୋଇଗଲା ବୋଲି ତାକୁ ଲୋକେ ଧରୁଛନ୍ତି। କିନ୍ତୁ ଓଡ଼ିଶାର ମୁଖ୍ୟ ନବୀନ ପଟ୍ଟନାୟକ ଓଡ଼ିଆରେ କହି ନପାରି ଯେତେବେଳେ ଭାଷାକୁ ଅଶ୍ଳୀଳ କରୁଛନ୍ତି ସେତେବେଳେ ସବୁ ଓଡ଼ିଆ ତାଳି ମାରୁଛନ୍ତି। ସେତେବେଳେ କାହିଁକି କେହି ଏତଲା ଦେଉ ନାହାନ୍ତି?”

ଭକ୍ତ ସାଲବେଗଙ୍କ ଲୋକପ୍ରିୟ ଜଣାଣାକୁ ବିକୃତ ଭାବେ ଗାଇ ବିବାଦରେ ରହିଛନ୍ତି ସୋନା ମହାପାତ୍ର। ସୋସିଆଲ ମିଡିଆରେ ସେ ତୀବ୍ର ସମାଲୋଚନାର ଶିକାର ହୋଇଛନ୍ତି।

ସାଲବେଗକୁ ‘ସାଲେବେଗ’, ମତ୍ତକୁ ‘ମାତ’, ଉଦ୍ଧାରିଲକୁ ‘ଉଦ୍ଧାରିଲା’, ଜଣାଣକୁ ‘ଜନନ’ ଆଦି ଗାଇ ସୋନା ବିବାଦରେ ରହିଛନ୍ତି। ପୁରୀରେ ସୋନାଙ୍କ କୁଶପୁତ୍ତଳିକା ଦାହ କରାଯାଇଥିବା ବେଳେ ନିରଞ୍ଜନ ତାଙ୍କ ସମର୍ଥନରେ ବାହାରି ରାଜନୀତିରେ ହଟଚମଟ ସୃଷ୍ଟି କରିଛନ୍ତି।

Comment