ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସୋବର ବଏ ସବ୍ୟସାଚୀ ଓଲିଉଡର କେତେକ ନାମୀ ନିର୍ଦ୍ଦେଶକଙ୍କ ସହ ଏଯାବତ୍ କାମ କରିନାହାନ୍ତି ଆସନ୍ତୁ ନଜର ପକାଇବା ସେମାନଙ୍କ ଉପରେ

ଓଲିଉଡର ସୋବର ବଏ ସବ୍ୟସାଚୀ ପ୍ରଖ୍ୟାତ ନିର୍ଦ୍ଦେଶକ ହର ପଟ୍ଟନାୟକଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ପାଗଳପ୍ରେମୀ’ରୁ ହିରୋ ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି।

ସବ୍ୟସାଚୀ ହର ପଟ୍ଟନାୟକ, ବସନ୍ତ ସାହୁଙ୍କଠୁ ଆରମ୍ଭ କରି ରମେଶ ରାଉତଙ୍କ ଯାଏଁ ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି। ହେଲେ ଓଲିଉଡର କିଛି ନାମୀ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶନାରେ କାମ କରିନାହାନ୍ତି, ଯେଉଁମାନଙ୍କ ସହ ଅନ୍ୟ ଆଗଧାଡ଼ିର ନାୟକମାନେ କାମ କରିବାର ସୁଯୋଗ ପାଇଛନ୍ତି।

ପ୍ରଶାନ୍ତ ନନ୍ଦ

ଓଲିଉଡର ସୋ’ମ୍ୟାନ୍ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶନାରେ ଓଲିଉଡର ତିନି ସୁପରଷ୍ଟାର ଅନୁଭବ, ଅରିନ୍ଦମ୍ ଓ ବାବୁସାନ୍ କାମ କରିଛନ୍ତି। ହେଲେ ଏଯାଏଁ ସବ୍ୟସାଚୀଙ୍କୁ ନେଇ ପ୍ରଶାନ୍ତ ନନ୍ଦ କୌଣସି ସିନେମା ତିଆରି କରିନାହାନ୍ତି।

ସୁଧାଂଶୁ ମୋହନ ସାହୁ

ଓଲିଉଡର ଷ୍ଟାଇଲିସ ମେକର୍ ହେଲେ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ। ତାଙ୍କ ନିର୍ଦ୍ଦେଶନାରେ ଅନୁଭବ, ଅରିନ୍ଦମ୍, ବାବୁସାନ୍, ଆକାଶ, ଜ୍ୟୋତି, ସୁନୀଲ କୁମାର, ସମ୍ବିତ ଓ ଅମ୍ଳାନ ପ୍ରମୁଖ ନାମୀ ନାୟକମାନେ କାମ କରିଛନ୍ତି। ଗତ ୨୦ ବର୍ଷ ଧରି ନିର୍ଦ୍ଦେଶନା ଦେଇ ଆସୁଥିବା ଏହି ଲୋକପ୍ରିୟ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶିତ ସିନେମାରେ ଏଯାଏଁ ନଜର ଆସି ନାହାନ୍ତି ସୋବର ବୟ ସବ୍ୟସାଚୀ।

ହିମାଂଶୁ ପରିଜା

ଜଣାଶୁଣା ନିର୍ଦ୍ଦେଶକ ହିମାଂଶୁ ପରିଜା (ଚଣ୍ଡୀ) ଅନୁଭବଙ୍କୁ ନେଇ ‘ହାତ ଧରି ଚାଲୁଥା’, ‘ସୁନା ଚଢ଼େଇ ମୋ ରୂପା ଚଢ଼େଇ’, ଅରିନ୍ଦମଙ୍କୁ ନେଇ ‘ଲଭ ୟୁ ହମେଶା’, ବାବୁସାନଙ୍କୁ ନେଇ, ‘ଲଭ ମାଷ୍ଟର’ ଭଳି ସିନେମା ତିଆରି କରିଛନ୍ତି। କିନ୍ତୁ ଏଯାଏଁ ହିମାଂଶୁଙ୍କ ଫିଲ୍ମରେ ଦେଖା ଦେଇନାହାନ୍ତି ସବ୍ୟସାଚୀ।

ସୁଧାକର ବସନ୍ତ

କୋରିଓଗ୍ରାଫରରୁ ନିର୍ଦ୍ଦେଶକ ସାଜିଥିଲେ ସୁଧାକର ବସନ୍ତ। ସେ ଏଯାବତ୍ ଅରିନ୍ଦମ୍, ଅନୁଭବ ଓ ବାବୁସାନଙ୍କ ଭଳି ତିନି ଟପ୍ ହିରୋଙ୍କୁ ନେଇ ଫିଲ୍ମ ତିଆରି କରିଛନ୍ତି, ହେଲେ ଏଯାଏଁ ସବ୍ୟସାଚୀ ସୁଧାକର ବସନ୍ତଙ୍କ ନିର୍ଦ୍ଦେଶନାରେ କାମ କରିବାର ସୁଯୋଗ ପାଇନାହାନ୍ତି ।

କେ. ମୁରଲୀକ୍ରିଷ୍ଣା

କେ. ଏମ୍. କ୍ରିଷ୍ଣା ଓ କେ. ମୁରଲୀ କ୍ରିଷ୍ଣା ନାଁରେ ପରିଚିତ ଜଣେ ଲୋକପ୍ରିୟ ନିର୍ଦ୍ଦେଶକ ଇତିମଧ୍ୟରେ କେବଳ ଅନୁଭବଙ୍କୁ ଲିଡ୍ ରୋଲ୍‌ରେ ନେଇ ଫିଲ୍ମ ତିଆରି କରିଛନ୍ତି। ସେ କିନ୍ତୁ ଏଯାଏଁ ଅନ୍ୟ କୌଣସି ଟପ୍ ହିରୋଙ୍କ ସହିତ ଫିଲ୍ମ କରି ନାହାନ୍ତି। ମୁରଲୀ କ୍ରିଷ୍ଣା ଅରିନ୍ଦମ୍ ଓ ବାବୁସାନଙ୍କ ସହ କାମ କରିନାହାନ୍ତି। ଠିକ୍ ସେହିପରି ସବ୍ୟସାଚୀ ବି ତାଙ୍କ ନିର୍ଦ୍ଦେଶନାରେ ଏଯାଏଁ କାମ କରିବାର ସୁଯୋଗ ପାଇନାହାନ୍ତି।

ଅରୁଣ ମହାନ୍ତି

ଓଲିଉଡର ଜଣେ ଅଲ୍‌ରାଉଣ୍ଡର ହେଲେ ଅରୁଣ ମହାନ୍ତି। ସବ୍ୟସାଚୀ ଫିଲ୍ମ ଲାଇନ୍‌କୁ ଆସିବା ପରେ ଅରୁଣ ମହାନ୍ତିଙ୍କର ‘ପ୍ରେମ୍ ସବୁଠୁ ବଶିବାନ୍’ ସିନେମା ରିଲିଜ୍‌ ହୋଇଛି। ଏଥିରେ ନାୟକ ଭୂମିକାରେ ଦୁଷ୍ମନ୍ତ ଓ ନାୟିକା ଚରିତ୍ରରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦେଖିବାକୁ ମିଳିଥିଲା।

ଅରୁଣ ମହାନ୍ତି ଏଯାଏଁ ଅନୁଭବ, ଅରିନ୍ଦମ୍, ବାବୁସାନଙ୍କୁ ନିର୍ଦ୍ଦେଶନା ଦେଇନାହାନ୍ତି। ଠିକ୍ ସେହିପରି ସବ୍ୟସାଚୀ ବି ତାଙ୍କ ନିର୍ଦ୍ଦେଶନାରେ କାମ କରିନାହାନ୍ତି।

ଅବତାର ସିଂହ

ଓଲିଉଡର ଜଣେ ବରିଷ୍ଠ ନିର୍ଦ୍ଦେଶକ ହେଲେ ଅବତାର ସିଂହ। ସବ୍ୟସାଚୀ ଫିଲ୍ମ ଲାଇନକୁ ଆସିବା ପରେ ସେ ‘ତୁ ମୋ ଗର୍ଲ ଫ୍ରେଣ୍ଡ୍’ ଓ ‘ମୁଁ ଖାଣ୍ଟି ଓଡ଼ିଆ ଝିଅ’ ନାଁରେ ଦୁଇଟି ସିନେମା ତିଆରି କରିଛନ୍ତି। ଏଥିମଧ୍ୟରୁ ପ୍ରଥମଟିରେ ଅରିନ୍ଦମ୍ ଥିଲେ ନାୟକ ଭୂମିକାରେ। ଅବତାର ସିଂହ ବି ଏଯାଏଁ ସବ୍ୟସାଚୀଙ୍କୁ ନେଇ କୌଣସି ଫିଲ୍ମ ତିଆରି କରିନାହାନ୍ତି।

ଏନ୍ ପାଢ଼ି

ଅରିନ୍ଦମଙ୍କୁ ନେଇ ‘ଏ ମନ ମାନେନା’, ଅନୁଭବଙ୍କୁ ନେଇ ‘ମୁନ୍ନା- ଏ ଲଭ୍ ଷ୍ଟୋରି’ ଭଳି ସିନେମା ତିଆରି କରିଥିବା ଜଣାଶୁଣା ନିର୍ଦ୍ଦେଶକ ଏନ୍ ପାଢ଼ି କିନ୍ତୁ ଏଯାଏଁ ସବ୍ୟସାଚୀଙ୍କୁ ନେଇ କୌଣସି ଓଡ଼ିଆ ଫିଲ୍ମ ନିର୍ମାଣ କରିନାହାନ୍ତି।

Comment