ଓଡ଼ିଶାଲାଇଭ୍‌ ଏଣ୍ଟରାଟେନମେଣ୍ଟ ବ୍ୟୁରୋ

୨୦୧୮ର ପ୍ରଥମ ଛଅମାସ ଭିତରେ କେତୋଟି ହାତଗଣତି ସିନେମା ସୁପରହିଟ୍ ହୋଇଛି ଏଥିମଧ୍ୟରେ ରହିଛି କିଛି ସିନେମା, ଯାହା ସତ୍ୟ ଘଟଣା ଉପରେ ଆଧାରିତ ଆସନ୍ତୁ ନଜର ପକାଇବା ସେହିଭଳି ଫିଲ୍ମ ଉପରେ

ସଞ୍ଜୁ

ବଲିଉଡର ଖ୍ୟାତନାମା ନିର୍ଦ୍ଦେଶକ ରାଜ କୁମାର ହିରାନୀ ଜଣାଶୁଣା ଅଭିନେତା ସଞ୍ଜୟ ଦତ୍ତଙ୍କ ଜୀବନ ଉପରେ ‘ସଞ୍ଜୁ’ ସିନେମା ନିର୍ମାଣ କରିଛନ୍ତି। ଏହି ଫିଲ୍ମଟି ବକ୍ସ ଅଫିସରେ କମାଲ୍ ଦେଖାଇଛି। ଗତ ଜୁନ୍ ୨୯ ତାରିଖରେ ମୁକ୍ତିଲାଭ କରିଥିଲା ‘ସଞ୍ଜୁ’।

ସଞ୍ଜୟ ଦତ୍ତଙ୍କ ବାୟୋପିକର କାହାଣୀ ସୁନୀଲ ଦତ୍ତ ଓ ନରଗିସ୍ ଦତ୍ତଙ୍କ ଘରେ ୨୧ ବର୍ଷୀୟ ସଞ୍ଜୁଙ୍କଠାରୁ ଆରମ୍ଭ ହୋଇଛି। ଏହାପରେ ପିଲାଦିନେ ବୋର୍ଡିଂ ସ୍କୁଲରେ ରହିବା, ଡ୍ରଗ୍ସ ସେବନ କରିବା, ପିତାମାତାଙ୍କୁ ଅନେକ କଥା ଲୁଚାଇବା, ନରଗିସଙ୍କ ସ୍ୱାସ୍ଥ୍ୟ ଖରାପ ହେବା, ସାଙ୍ଗ କମଲେସଙ୍କ ସହ ସାକ୍ଷାତ, ‘ରକି’ ଫିଲ୍ମରେ ଡେବ୍ୟୁ କରିବା, ମୁମ୍ବାଇ ବୋମା ବିସ୍ଫୋରଣ ମାମଲାରେ ଜେଲ୍ ଯିବା, ଏଭଳି ବହୁ ରୋମାଞ୍ଚକର ଘଟଣାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି।

‘ସଞ୍ଜୁ’ରେ ରଣବୀର କପୁର ଟାଇଟଲ୍ ରୋଲ୍‌ରେ ଥିବା ବେଳେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ମନିଷା କୋଇରାଲା, ଅନୁଷ୍କା ଶର୍ମା, ସୋନମ୍ କପୁର, କରିସ୍ମା ତନ୍ନା, ପରେଶ ରାୱଲ୍ ଓ ଦୀୟା ମିର୍ଜା ପ୍ରମୁଖ ନଜର ଆସିଛନ୍ତି।

ପ୍ୟାଡ୍ମ୍ୟାନ୍

ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ପ୍ୟାଡମ୍ୟାନ୍’ ୨୦୧୮ ଫେବୃଆରୀ ୯ ତାରିଖରେ ରିଲିଜ୍ ହୋଇଥିଲା। ଏଥିରେ ଅକ୍ଷୟଙ୍କ ବ୍ୟତୀତ ରାଧିକା ଆପ୍‌ତେ ଓ ସୋନମ୍‌ କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

‘ପ୍ୟାଡମ୍ୟାନ୍’ର କାହାଣୀ ତାମିଲନାଡ଼ୁର ପଦ୍ମ ସମ୍ମାନପ୍ରାପ୍ତ ଅରୁଣା ଚନ୍ଦମ୍ ମୁରୁଗାନାଥନଙ୍କ ବ୍ୟକ୍ତିଗତ ଜୀବନ ଉପରେ ଆଧାରିତ। ଅରୁଣା ଚନ୍ଦମଙ୍କୁ ‘ମେନଷ୍ଟ୍ରୁଆଲ୍‌ମ୍ୟାନ୍‌’ ଭାବେ ସମସ୍ତେ ଜାଣୁଥିଲେ। ସେ କମ୍ ମୂଲ୍ୟରେ ପ୍ୟାଡ୍‌ ତିଆରି କରି ପ୍ରଥମେ ନିଜର ପତ୍ନୀ, ଭଉଣୀ ଓ ଅନ୍ୟ ସମ୍ପର୍କୀୟମାନଙ୍କୁ ଋତୁସ୍ରାବ ସମୟରେ ପୁରୁଣା କପଡ଼ା ବ୍ୟବହାର କରିବାରୁ ନିବୃତ୍ତ କରାଇଥିଲେ।

ପ୍ରଥମେ ଅରୁଣାଚନ୍ଦମଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା, ହେଲେ ପରେ ସଫଳତା ହାସଲ କରିଥିଲେ। ‘ପ୍ୟାଡ୍‌ମ୍ୟାନ୍‌’ ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା।

ରେଡ୍

ବଲିଉଡର ପ୍ରତିଭାବାନ୍ ଅଭିନେତା ଅଜୟ ଦେବଗାନ୍‌ଙ୍କ ସିନେମା ‘ରେଡ୍’ ବି ସତ୍ୟ ଘଟଣା ଉପରେ ପର୍ଯ୍ୟବେସିତ ଥିଲା। ୧୯୮୧ ମସିହା ଜୁଲାଇ ୧୬ ତାରିଖରେ ଉତ୍ତରପ୍ରଦେଶର କାନପୁରର ଜଣେ ବିଶିଷ୍ଟ ବ୍ୟବସାୟୀ ତଥା ବିଧାୟକ ଇନ୍ଦର ସିଂହଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ‘ରେଡ୍’ ଶହେ କୋଟି କ୍ଲବରେ ସାମିଲ୍ ହୋଇଥିଲା।

ଏହି ଫିଲ୍ମରେ ଦୁଇଟି ଭିନ୍ନ ଭିନ୍ନ ଜାଗାରେ କରାଯାଇଥିବା ଏଭଳି ଚଢ଼ଉକୁ ମିଶାଇ ଦେଖାଯାଇଥିଲା। ’ରେଡ୍‌’ରେ ଏକ ଲମ୍ବା ଚଢ଼ଉ ଓ ସେହି ସମୟରେ ହୋଇଥିବା ହିଂସାକୁ ପ୍ରଦର୍ଶିତ କରାଯାଇଥିଲା। ଏହି ଚଢ଼ଉ ଘଟଣାର ପ୍ରକୃତ ହିରୋ ଥିଲେ ଆୟକର କମିଶନର ଶାରଦା ପ୍ରସାଦ ପାଣ୍ଡେ। ସେ ଏହି ଚଢ଼ଉକୁ ସଫଳ କରିଥିଲେ। ‘ରେଡ୍’ରେ ଅଜୟ ଦେବଗନ୍ ସେହି ଭୂମିକାଟି ନିଭାଇଥିଲେ। ଇଲିଆନା ଡିକ୍ରୁଜ୍ ତାଙ୍କ ପତ୍ନୀ ଭୂମିକାରେ ଥିଲେ।

ରାଜି

ଜଣାଶୁଣା ମହିଳା ନିର୍ଦ୍ଦେଶକ ମେଘନା ଗୁଲଜାରଙ୍କ ସୁପରହିଟ୍ ଫିଲ୍ମ ହେଲା ‘ରାଜି’। ଏହା ମେ ମାସ ୧୧ ତାରିଖରେ ରିଲିଜ୍ ହୋଇଥିଲା। ମାତ୍ର ୪୦ କୋଟି ଟଙ୍କାରେ ବ୍ୟୟରେ ନିର୍ମିତ ଏହି ଫିଲ୍ମ ସୁପରହିଟ୍ ହୋଇଛି। ଏହା ୧୨୦ କୋଟି ଟଙ୍କାର ବ୍ୟବସାୟ କରିଛି।

ଏହି ଫିଲ୍ମର କାହାଣୀ ମଧ୍ୟ ସତ୍ୟ ଘଟଣା ଉପରେ ଆଧାରିତ ବୋଲି ନିର୍ଦ୍ଦେଶିକା ମେଘନା ଗୁଲଜାର କହିଥିଲେ। ଏହି ଫିଲ୍ମରେ ଆଲିଆ ଭଟ୍ଟ ଫିମେଲ୍ ଲିଡ ରୋଲରେ ନଜର ଆସିଥିଲେ।

Comment