ଓଡ଼ିଶାଲାଇଭ୍‌ ବ୍ୟୁରୋ

ହ୍ଵାଟ୍‌ସଆପ୍‌ ଭାରତରେ ମିଥ୍ୟା ଖବର ଓ ଗୁଜବ ପ୍ରସାର ରୋକିବାକୁ ପ୍ରଚେଷ୍ଟା ଆରମ୍ଭ କରିଛି।

ଗତ କିଛିଦିନ ଧରି ମେସେଜିଂ ଆପ୍ଲିକେସନ୍‌ ହ୍ଵାଟ୍‌ସଆପ୍‌ ଜରିଆରେ ପିଲାଚୋରି ଗୁଜବ ଖବର ବ୍ୟାପିବାରେ ଲାଗିଛି। ଏହାର କୁପରିଣତି ସ୍ୱରୂପ ଦେଶରେ ମୋଟ ୩୦ଟି ହତ୍ୟାକାଣ୍ଡ ଘଟିସାରିଲାଣି।

ଏ ପରିପ୍ରେକ୍ଷୀରେ ହ୍ଵାଟ୍‌ସଆପ୍‌ ଦ୍ୱାରା ମିଥ୍ୟା ଖବର ଓ ଗୁଜବ ପ୍ରସାର ବନ୍ଦ କରିବା ପାଇଁ ଭାରତ ସରକାର ନିର୍ଦ୍ଦେଶ ଦେଇଥିଲେ। ହ୍ଵାଟ୍‌ସଆପ୍‌ ବର୍ତ୍ତମାନ ଭାରତରେ ଏହାକୁ ରୋକିବାକୁ ପ୍ରଚେଷ୍ଟା ଆରମ୍ଭ କରିଛି।

ହ୍ଵାଟ୍‌ସଆପ୍‌ ବିଭିନ୍ନ ଖବରକାଗଜ ଗୁଡିକରେ ଫୁଲ୍‌ ପେଜ୍‌ ବିଜ୍ଞାପନ ମାଧ୍ୟମରେ ଲୋକମାନଙ୍କୁ ମିଥ୍ୟା ଖବର ତଥା ଭିତ୍ତିହୀନ ମେସେଜ୍‌ରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛି। ଲୋକମାନଙ୍କୁ ସଚେତନତାର ବାର୍ତ୍ତା ଦେଇ ଏହା ଅବାସ୍ତବ ତଥା ମିଥ୍ୟା ଖବର ଚିହ୍ନଟ କରିବା ପାଇଁ ଟିପ୍ସ ପ୍ରଦାନ କରିଛି।

କେମିତି ଜାଣିବେ ହ୍ଵାଟ୍ସଆପ୍ ଫେକ୍ ନ୍ୟୁଜ୍‌ ମେସେଜ୍‌: ଜାଣି ରଖନ୍ତୁ କିଛି ଟିପ୍ସ

ଫର୍ୱାଡେଡ୍ଲେବଲ ଦେଖନ୍ତୁ

ଫେକ ନ୍ୟୁଜ ରୋକିବା ପାଇଁ ହ୍ଵାଟ୍‌ସଆପ୍‌ ଏକ ନୂଆ ଫିଚର ଆଣୁଛି, ଯାହାଦ୍ୱାରା ୟୁଜରମାନେ ଜାଣିପାରିବେ ଯେ ଏହି ମେସେଜ୍‌ ଆଗରୁ କାହାକୁ ପଠାଯାଇଛି କି ନାହିଁ। ହ୍ଵାଟ୍‌ସଆପ୍‌ ଏହି ବିଟା ଭର୍ସନ ୨.୧୮.୨୦୪ରେ ଦିଆଯାଇଛି। ଖୁବ୍‌ଶୀଘ୍ର ଏହାକୁ ସମସ୍ତ ହ୍ଵାଟ୍‌ସଆପ୍‌ ବ୍ୟବହାରକାରୀଙ୍କୁ ଯୋଗାଇ ଦିଆଯିବ।

ଅବିଶ୍ଵସନୀୟ ମେସେଜ୍ ପରଖନ୍ତୁ

ଅବିଶ୍ୱସନୀୟ ଖବରକୁ ଯାଞ୍ଚ କରିବା ପରେ ସେୟାର କରନ୍ତୁ। ଆମେ ଅନେକ ସମୟରେ ହ୍ଵାଟ୍‌ସଆପ୍‌ରେ ଏଭଳି ଖବର ପାଇଥାଉ ଯାହାକୁ ବିଶ୍ୱାସ କରିବା କଷ୍ଟକର ହୋଇଥାଏ। ତେବେ ଏଭଳି ଖବରଗୁଡିକୁ ଅନ୍ଧ ଭାବରେ ବିଶ୍ୱାସ ନ କରି ଏହାର ସତ୍ୟତା ଜାଣିବାକୁ ଚେଷ୍ଟା କରନ୍ତୁ।

ଏସବୁ ଖବର ମଧ୍ୟରେ ଅଧିକାଂଶ ଗୁଜବ ରହିଥାଏ। ତେଣୁ ମେସେଜକୁ ପଢ଼ି ସେୟାର କରନ୍ତୁ।

ଫଟୋ ଓ ମେସେଜକୁ ଭଲ ଭାବେ ଯାଞ୍ଚ୍ କରନ୍ତୁ

ଭିନ୍ନ ଲାଗୁଥିବା ଖବରଗୁଡିକର ସତ୍ୟତା ଯାଞ୍ଚ କରନ୍ତୁ। ଫଟୋ ଏବଂ ଭିଡିଓଗୁଡିକୁ ଅତି ସାବଧାନର ସହ ଯାଞ୍ଚ କରନ୍ତୁ। କାରଣ ଆଜିକାଲି ଅନେକ ବିକଶିତ ଫଟୋସପ୍‌ ଟୁଲ୍‌ ଆସିଲାଣି। ଯେଉଁଥିରେ ଫଟୋ ଏବଂ ଭିଡିଓଗୁଡିକ ସହଜରେ ଏଡିଟ୍‌ ହୋଇପାରୁଛି।

ତେଣୁ ଏହା ପଛର ସତ୍ୟତା ଜାଣିବା ପାଇଁ ଉକ୍ତ ଫଟୋଟି କେଉଁଠାରୁ ଆସିଲା ତାହାକୁ ଅନ୍‌ଲାଇନ୍‌ରେ ସର୍ଚ୍ଚ କରନ୍ତୁ।

ମେସେଜ୍‌ ଲିଙ୍କକୁ ବିଭିନ୍ନ ସାଇଟରେ ଯାଞ୍ଚ୍‌ କରନ୍ତୁ

ମେସେଜ୍‌ରେ ସେୟାର କରାଯାଇଥିବା ଲିଙ୍କ୍‌କୁ ଭଲ ଭାବେ ଚେକ୍‌ କରନ୍ତୁ। ହ୍ଵାଟ୍‌ସଆପ୍‌ରେ ସେୟାର ହେଉଥିବା ଲିଙ୍କ୍‌ଗୁଡିକୁ କ୍ଲିକ୍‌ କରିବା ପୂର୍ବରୁ ସାବଧାନ ରୁହନ୍ତୁ।  ଖବରକୁ ନେଇ ଯାଞ୍ଚ କରିବା ପାଇଁ ଅନ୍ୟାନ୍ୟ ସୂତ୍ରର ସାହାଯ୍ୟ ନିଅନ୍ତୁ।

ହ୍ଵାଟ୍‌ସଆପ୍‌ରେ ସେୟାର ହୋଇଥିବା ଖବର ଉପରେ ବିଶ୍ୱାସ କରିବା ପୂର୍ବରୁ ଏହାର ବିଶ୍ୱସନୀୟତା ଯାଞ୍ଚ କରିବା ପାଇଁ ଅନ୍ୟାନ୍ୟ ନ୍ୟୁଜ୍‌ ୱେବ୍‌ସାଇଟ୍‌ ତଥା ଆପ୍‌ରେ ସର୍ଚ୍ଚ କରନ୍ତୁ। ଯଦି ଏକାଧିକ ୱେବ୍‌ସାଇଟ୍‌ରେ ଏହା ପ୍ରକାଶ ପାଇଥାଏ ତା’ହେଲେ ଜାଣିବେ ଏଥିରେ ବାସ୍ତବତା ଅଛି।

ମେସେଜ୍ ସେୟାର କରିବା ପୂର୍ବରୁ ଦୁଇଥର ଭାବନ୍ତୁ

ଯଦି କୌଣସି ମେସେଜ୍‌ ଆପଣଙ୍କ ହ୍ଵାଟ୍‌ସଆପ୍‌ରେ ଆସୁଛି ତେବେ ନଦେଖି କାହା ସେୟାର କରନ୍ତୁ ନାହିଁ। ପ୍ରଥମେ ମେସେଜର ଯଥାର୍ଥତା ପରଖନ୍ତୁ। ତାପରେ ଯାଇଁ କାହା ସେୟାର କରନ୍ତୁ।

ଗୁଜବ ମେସେଜ୍ ପଠାଉଥିବା ଲୋକଙ୍କୁ ବ୍ଲକ କରିପାରିବେ

ଭୁଲ୍ ଅବା ମିଛ ମେସେଜ୍‌ଗୁଡ଼ିକୁ ଆପଣ ସ୍ପାମ୍‌ରେ ପକାଇ ପାରିବେ ଅବା ଏଭଳି ମେସେଜ୍ ପଠାଉଥିବା ଲୋକଙ୍କୁ ବ୍ଲକ୍‌ କରିପାରିବେ।

Comment