ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡ ସୁପରଷ୍ଟାର ଅନୁଭବ କାଳିଆ ବନିଛନ୍ତି, ଜଗା ବି ସାଜିଛନ୍ତି, ହେଲେକଳି ଯୁଗର କାଳିଆବନି ପାରିନଥିଲେ ଆସନ୍ତୁ ଜାଣିବା କାହିଁକି

ଓଡ଼ିଶା ହେଉଛି ଜଗତର ନାଥ ଜଗନ୍ନାଥଙ୍କ ଧାମ। ଏଠାକାର ଠାକୁର ହେଉଛନ୍ତି ବଡ଼ ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥ। ଏଥିପାଇଁ ଅନେକ ଲୋକ ନିଜର ପିଲାମାନଙ୍କ ନାଁ ଜଗନ୍ନାଥ, କାଳିଆ, ଜଗା ରଖିଥାନ୍ତି। ଏଇ କଥାକୁ ଚଳଚ୍ଚିତ୍ର କାହାଣୀକାର ଓ ନିର୍ଦ୍ଦେଶକମାନେ ବି ବଜାୟ ରଖିଛନ୍ତି। ଏମିତି ଅନେକ ଓଡ଼ିଆ ସିନେମା ଅଛି, ଯେଉଁଥିରେ ନାୟକର ନାଁ ଜଗା, ଜଗନ୍, ଜଗନ୍ନାଥ, କାଳିଆ ଆଦି ରହିଛି।

ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ବି କେତୋଟି ସିନେମାରେ ଏହି ନାଁ ଥିବା ଚରିତ୍ର ନିଭାଇଛନ୍ତି ପରଦା ଉପରେ।

ଜଣାଶୁଣା ପ୍ରଯୋଜକ ବିଜୟ କନ୍ଦୋଇ ଓ ଦିବଙ୍ଗତ ନିର୍ଦ୍ଦେଶକ ହର ପଟ୍ଟନାୟକଙ୍କ ଏକ ଫିଲ୍ମ ଥିଲା ‘ଥ୍ୟାଙ୍କ୍‌ ୟୁ ଭଗବାନ୍’। ଏହି ସିନେମାରେ ନାୟକ ଭୂମିକା ନିଭାଇଥିଲେ ଅନୁଭବ। ଏଥିରେ ଦର୍ଶକ ତାଙ୍କର ପ୍ରିୟ ନାୟକଙ୍କୁ ପ୍ରଥମ ଥର ପାଇଁ ଡବଲ ରୋଲ୍‌ରେ ଦେଖିବାକୁ ପାଇଥିଲେ।

‘ଥ୍ୟାଙ୍କ୍ ୟୁ ଭଗବାନ’ ସିନେମାରେ ଅନୁଭବଙ୍କ ଅଭିନୀତ ଗୋଟିଏ ଚରିତ୍ରର ନାଁ ହେଲା ‘କାଳିଆ’। ଏହି ସିନେମାରେ ଅନୁଭବଙ୍କ ଭୂମିକାଟି ବେଶ୍ ଦମଦାର ଓ ମଜାଦାର ମଧ୍ୟ ଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବର୍ଷା ପ୍ରିୟଦର୍ଶିନୀ, ହର ପଟ୍ଟନାୟକ, ବାଙ୍କୁ ଓ ବ୍ରଜ ସିଂହ ପ୍ରମୁଖ ଅଭିନୟ କରିଥିଲେ।

‘ଜଗା ହାତରେ ପଘା’ ସିନେମାରେ ଅନୁଭବଙ୍କ ଅଭିନୀତ ଚରିତ୍ରର ନାଁ ଥିଲା ‘ଜଗା’। ଏହି ଚଳଚ୍ଚିତ୍ରରେ ଜଣେ ପ୍ରତିଶୋଧ ପରାୟଣ ଯୁବକ ଭୂମିକା ନିଭାଇଥିଲେ ଅନୁଭବ। ଏହି ସିନେମାଟି ୨୦୧୫ରେ ରିଲିଜ୍‌ ହୋଇଥିଲା। ତରଙ୍ଗ ସିନେ ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ କେ. ମୁରଲୀ କ୍ରିଷ୍ଣା।

‘ଜଗା ହାତରେ ପଘା’ ସିନେମାରେ ଅନୁଭବଙ୍କ ବ୍ୟତୀତ ମହାଶ୍ୱେତା, ବୁଦ୍ଧାଦିତ୍ୟ, ଝିଲିକ୍‌, ଅସିତ ପତି, ମୀନକେତନ ଓ ଅଜିତ ଦାସ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିଥିଲେ।

ଏହି ଫିଲ୍ମରେ ବି ଅନୁଭବଙ୍କର ଥିଲା ଡବଲ୍‍ ରୋଲ୍‍। ଏଥିମଧ୍ୟରୁ ଗୋଟିଏରେ ସେ କ୍ରିଷ୍ଣା ବନିଥଇବା ବେଳେ ଅନ୍ୟଟିରେ ତାଙ୍କ ନାଁ ଥିଲା ଜଗା। ଦର୍ଶକ କ୍ରିଷ୍ଣା ଅପେକ୍ଷା ‘ଜଗା’ ଚରିତ୍ରକୁ ଅଧିକ ପସନ୍ଦ କରିଥିଲେ।

ଅନୁଭବ ଜଗା ଓ କାଳିଆ ଭାବେ ସିନା ପରଦା ଉପରେ ନଜର ଆସିଥିଲେ, ହେଲେ ତାଙ୍କୁ ସିନେ ପ୍ରେମୀ ‘କଳିଯୁଗର କାଳିଆ’ ଭାବେ ଦେଖିପାରିନଥିଲେ।

‘କଳିଯୁଗର କାଳିଆ’ ଟାଇଟଲରେ ଏକ ସିନେମା ତିଆରି ହେବାର ଯୋଜନା ଥିଲା ୨୦୦୭ରେ। ଏହି ଫିଲ୍ମରେ ଶୀର୍ଷକ ଭୂମିକା ନିଭାଇଥାଆନ୍ତେ ଅନୁଭବ। ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ ବିଶ୍ୱମୋହନ ମହାପାତ୍ର। ଏହାର ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଥିଲେ ଏନ୍. ପାଢ଼ୀ। ଏନ ପାଢ଼ୀ ‘ଏ ମନ ମାନେନା’, ‘ମୁନ୍ନା ଏ ଲଭ ଷ୍ଟୋରି’, ‘ଆରେ ସାଥୀ ଆ’ ଭଳି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି।

ଏହି ଚଳଚ୍ଚିତ୍ରର ସଂଳାପ ରଚନା କରିଥିଲେ ଡ. ରଜନୀ ରଞ୍ଜନ। ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗଗନ ଜେନା ଓ ବିପିନ ବାରିକ। ଫିଲ୍ମର ମ୍ୟୁଜିକ୍‌ ରେକର୍ଡିଂ ବି ଶେଷ ହୋଇଥିଲା।

‘କଳିଯୁଗର କାଳିଆ’ ସିନେମାର ସୁଟିଂ ଠିକ୍ ସମୟରେ ଆରମ୍ଭ ହୋଇପାରିନଥିଲା। ଏହି କାରଣରୁ ଅନୁଭବ ପରଦାରେ ‘କଳିଯୁଗର କାଳିଆ’ ଭାବେ ନଜର ଆସିପାରିନଥିଲେ।

Comment