ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ମହେଶ୍ୱର ମହାନ୍ତି।

ଲଗାଣ ବର୍ଷାରେ ସାରା ରାଜ୍ୟ ବେହାଲ୍ ହୋଇଯାଇଛି। ଚାଷଜମି ଜଳମଗ୍ନ ହୋଇଯାଇଥିବା ବେଳେ ରାସ୍ତାଘାଟ ବିଚ୍ଛିନ୍ନ ହୋଇଯାଇଛି। କେତେକ ନଦୀରେ ବନ୍ୟାଜଳ ପ୍ରବେଶ କରିଛି। ତେବେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ସବୁ ଜିଲ୍ଲାପାଳମାନଙ୍କୁ ରାଜସ୍ୱ ଏବଂ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ମହେଶ୍ୱର ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି।

ମହେଶ୍ୱର ମହାନ୍ତି କହିଛନ୍ତି, “ଦୁଇ ଦିନ ଧରି ହୋଇଥିବା ଲଗାଣ ବର୍ଷାରେ କେତେକ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଆମେ ବିଭିନ୍ନ ନଦୀର ସ୍ଥିତି ସମୀକ୍ଷା କରୁଛୁ। ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ସଜାଗ ରହିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।”

ଲଗାଣ ବର୍ଷାରେ ଓଡ଼ିଶାର ପ୍ରମୁଖ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। କେତେକ ନଦୀରେ ଜଳ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ସୋମବାରଠାରୁ ମଙ୍ଗଳବାର ଭିତରେ ସାରା ରାଜ୍ୟରେ ୨୮.୯ ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି।

କଟକ, ଦେବଗଡ଼, ଭଦ୍ରକ, ପୁରୀ, ଢେଙ୍କାନାଳ, ମାଲକାନଗିରି, ସମ୍ବଲପୁର ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଏପଟେ ଅଗାମୀ ୨୪ ଘଣ୍ଟା ଭିତରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି।

Comment