ଓଡ଼ିଶାଲାଇଭ୍‌ ବ୍ୟୁରୋ

ହ୍ୱାଟ୍‌ସଆପ୍‌ ଗ୍ରୁପ୍‌ରେ ଦେଶ ବିରୋଧୀ ମ୍ୟାସେଜ ପଠାଇବା ଅଭିଯୋଗରେ ମଧ୍ୟପ୍ରଦେଶର ଏକ ହ୍ୱାଟ୍‌ସଆପ୍‌ ଗ୍ରୁପ୍‌ର ଆଡମିନଷ୍ଟ୍ରେଟର ଜୁନେଦ ଖାନ୍‌ ୫ ବର୍ଷ ହେଲା ଜେଲ୍ ଯାଇଛନ୍ତି।

ପିଲା ଚୋରି ଗୁଜବ ସଂପର୍କିତ ମେସେଜ୍‌କୁ କେନ୍ଦ୍ର କରି ଚର୍ଚ୍ଚାରେ ରହିଛି ‘ହ୍ୱାଟ୍‌ସଆପ୍‌’ । ପିଲା ଚୋର ସନ୍ଦେହରେ ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ ୩୦ ଜଣଙ୍କୁ ଉତ୍ତ୍ୟକ୍ତ ଲୋକେ ପିଟି ପିଟି ମାରି ଦେବା ପରେ ‘ହ୍ୱାଟ୍‌ସଆପ୍‌’ରେ ଆଖିବୁଜା ମେସେଜ୍‌ ଫରୱାର୍ଡ କରିବା ଉପରେ କିଭଳି କଟକଣା ଲାଗି ପାରିବ ଏବଂ ଗୁଜବକୁ କିଭଳି ରୋକାଯାଇ ପାରିବ ସେ ଦିଗରେ ଉଦ୍ୟମ କରାଯାଉଛି। କିନ୍ତୁ ଏହାର ଅର୍ଥ ନୁହେଁ ଯେ ‘ହ୍ୱାଟ୍‌ସଆପ୍‌’ରେ ଯିଏ ଯେଉଁ ମେସେଜ୍‌କୁ ଚାହିଁଲେ ଫରୱାର୍ଡ କରିଦେଇପାରିବେ।

ଆପତ୍ତିଜନକ ମେସେଜ ପ୍ରସାରିତ ହେଉଥିବା ଅଭିଯୋଗ ଭିତ୍ତିରେ ମେସେଜ୍‌ ପଠାଇଥିବା ବ୍ୟକ୍ତି ବା ସଂପୃକ୍ତ ‘ହ୍ୱାଟ୍‌ସଆପ୍‌’ ଗ୍ରୁପ୍‌ ଆଡମିନିଷ୍ଟ୍ରେଟରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ରହିଛି। ଭାରତୀୟ ଦଣ୍ଡବିଧି ଆଇନ ଏବଂ ସୂଚନା ଓ ବୈଷୟିକ ଜ୍ଞାନକୌଶଳ ଆଇନ ବା ଆଇଟି ଆକ୍‌ଟ ବଳରେ ଆପତ୍ତିଜନକ ମେସେଜ୍‌ ପଠାଇଥିବା ବ୍ୟକ୍ତିଙ୍କୁ ଜେଲ୍‌ଦଣ୍ଡ ଏବଂ ଜୋରିମାନା କରାଯାଇପାରିବ। ଏହି ଆଇନଗତ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ବଳରେ ପାଞ୍ଚ ମାସ ହେଲା ଜେଲ୍‌ରେ ଅଛନ୍ତି ମଧ୍ୟ ପ୍ରଦେଶର ଜଣେ ୨୧ ବର୍ଷୀୟ ଯୁବକ।

ମଧ୍ୟ ପ୍ରଦେଶର ରାଜଗଡ଼ ଜିଲ୍ଲା ଅନ୍ତର୍ଗତ ତାଲେନ୍‌ ସହରର ଜୁନେଦ ଖାନ୍‌। ବିଏସ୍‌ସି ଛାତ୍ର ଜୁନେଦଙ୍କୁ ଗତ ଫେବ୍ରୁଆରି ୧୮ ତାରିଖ ଦିନ ପୋଲିସ ଗିରଫ କରିଥିଲା। ତାଙ୍କ ବିରୋଧରେ ଅଭିଯୋଗ ଥିଲା ଯେ ସେ ଯେଉଁ ‘ହ୍ୱାଟ୍‌ସଆପ୍‌’ ଗ୍ରୁପ୍‌ର ଆଡମିନିଷ୍ଟ୍ରେଟର ସେହି ଗ୍ରୁପ୍‌ରୁ ଆପତ୍ତିଜନକ ଏବଂ ଦେଶବିରୋଧୀ ମେସେଜ୍‌ ଫରୱାର୍ଡ କରାଯାଇଥିଲା । ବିଡ଼ମ୍ବନାର କଥା, ନା ସେ ଗ୍ରୁପ୍‌ ଗଢ଼ିଥିଲେ ବା ଗ୍ରୁପ୍‌ର ମୂଳ ଆଡମିନିଷ୍ଟ୍ରେଟର ଥିଲେ ଏବଂ ନା ସେ ମେସେଜ୍‌ ନିଜେ ଫରୱାର୍ଡ କରିଥିଲେ? ଜୁନେଦ ଯେଉଁ ଗ୍ରୁପ୍‌ର ସଦସ୍ୟ ଥିଲେ ସେହି ଗ୍ରୁପ୍‌ର ମୂଳ ଆଡମିନିଷ୍ଟ୍ରେଟର ଥିଲେ ଅନ୍ୟ ଜଣେ ଯୁବକ।

ଆପତ୍ତିଜନକ ମେସେଜ ଫରୱାର୍ଡ ହେବା ପରେ ମୂଳ ଆଡମିନିଷ୍ଟ୍ରେଟର ଗ୍ରୁପ୍‌ ଛାଡ଼ି ଦେଇଥିଲେ ଏବଂ ‘ହ୍ୱାଟ୍‌ସଆପ୍‌’ର ସ୍ୱୟଂଚାଳିତ ବ୍ୟବସ୍ଥା ଅନୁସାରେ ଡିଫଲ୍‌ଟ ଆଡମିନିଷ୍ଟ୍ରେଟର ହୋଇଯାଇଥିଲେ ଜୁନେଦ। ପୋଲିସ ତାଙ୍କୁ ଗିରଫ କରି ଜେଲ ପଠାଇ ଦେଇଥିଲା। ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଥିଲା।

ପୋଲିସର କହିବା ଅନୁସାରେ ଆଇନ ଅନୁସାରେ ଜୁନେଦଙ୍କୁ ଗିରଫ କରାଯାଇଛି। ଯେଉଁ ସମୟରେ ମାମଲା ରୁଜୁ ହୋଇଥିଲା ସେହି ସମୟରେ ଗ୍ରୁପ୍‌ର ଆଡମିନିଷ୍ଟ୍ରେଟର ଥିଲେ ଜୁନେଦ। ତେଣୁ ତାଙ୍କ ବିରୋଧରେ ମାମଲା କରାଯାଇଛି। ଜୁନେଦଙ୍କ କହିବା ଅନୁସାରେ ସେ କେବଳ ଗ୍ରୁପ୍‌ର ସଦସ୍ୟ ଥିଲେ। ଗ୍ରୁପ୍‌ ଆଡମିନିଷ୍ଟ୍ରେଟର ଗ୍ରୁପ୍‌ ଛାଡ଼ିଦେବା ପରେ ସେ ଡିଫଲ୍‌ଟ ଆଡମିନିଷ୍ଟ୍ରେଟର ପାଲଟି ଯାଇଥିଲେ।

ଆପତ୍ତିଜନକ ମେସେଜ ସହ ତାଙ୍କର କୌଣସି ସଂପର୍କ ନାହିଁ ବୋଲି ଜୁନେଦ ଦାବି କରୁଥିଲେ ହେଁ ଆଇନ ଅନୁସାରେ ସେ ଏବେ ଜେଲ୍‌ରେ। ଦେଶଦ୍ରୋହ ମାମଲା ହୋଇଥିବାରୁ ଅଦାଲତରେ ତାଙ୍କର ଜାମିନ ଆବେଦନ ନାମଞ୍ଜୁର ହୋଇଯାଇଥିଲା। ଫଳରେ ସେ କଲେଜ ପରୀକ୍ଷା ବି ଦେଇପାରିନାହାନ୍ତି। ଏହା ମଧ୍ୟରେ ମୂଳ ଆଡମିନିଷ୍ଟ୍ରେଟରଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। କିନ୍ତୁ ଜୁନେଦଙ୍କ ବିରୋଧରେ ମାମଲା ପ୍ରତ୍ୟାହୃତ ହୋଇନାହିଁ। ଆପତ୍ତିଜନକ ମେସେଜ୍‌ ପଠାଯିବା ସମୟରେ ସେ ଆଡମିନିଷ୍ଟ୍ରେଟର ନ ଥିଲେ ସତ କିନ୍ତୁ ପୋଲିସରେ ଅଭିଯୋଗ ହେବା ସମୟରେ ସେ ଆଡମିନିଷ୍ଟ୍ରେଟର ହୋଇଯାଇଥିଲେ ।

ଗୋଟିଏ କଥା ସ୍ପଷ୍ଟ ଯେ ‘ହ୍ୱାଟ୍‌ସଆପ୍‌’ହେଉ ବା ଅନ୍ୟ କୌଣସି ମାଧ୍ୟମ, ଦେଶବିରୋଧୀ ବା ହିଂସା ଉସୁକାଇଲା ଭଳି ମେସେଜ୍‌ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ରହିଛି। ଜୁନେଦ ଜେଲରେ ରହିବା ଘଟଣା ବିଭିନ୍ନ ‘ହ୍ୱାଟ୍‌ସଆପ୍‌’ଗ୍ରୁପ୍‌ର ସଦସ୍ୟମାନଙ୍କ ପାଇଁ ସତର୍କବାଣୀ ଭଳି। ଜେଲ୍‌ ଯିବା ପାଇଁ ଆପତ୍ତିଜନକ ମେସେଜ ପଠାଯାଉଥିବା ‘ହ୍ୱାଟ୍‌ସଆପ୍‌’ ଗ୍ରୁପ୍‌ର ସଦସ୍ୟ ହେବା ହିଁ ଯଥେଷ୍ଟ।

Comment