ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାରାଦୀପ ସମେତ ଦେଶରେ ୪ଟି ପେଟ୍ରୋଲିୟମ, ରସାୟନ ଓ ପେଟ୍ରୋରସାୟନ ପୁଞ୍ଜି ନିବେଶ ଅଞ୍ଚଳ (ପିସିପିଆଇଆର) ପ୍ରତିଷ୍ଠା କରାଯାଉଛି। ଏଥିରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୧, ୮୨, ୭୭୨ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରାଯାଇଛି ବୋଲି କେନ୍ଦ୍ର ଯୋଜନା (ସ୍ୱାଧିନ) ଏବଂ ରସାୟନ ତଥା ସାର ରାଷ୍ଟ୍ରମନ୍ତ୍ରୀ ରାଓ ଇନ୍ଦରଜିତ ସିଂ ଏହି ସୂଚନା ଦେଇଛନ୍ତି।

ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ପାରାଦୀପରେ ୨୮୪.୧୫ ବର୍ଗ କିଲୋମିଟର ଏରିଆରେ ପେଟ୍ରୋଲିୟମ, ରସାୟନ ଓ ପେଟ୍ରୋରସାୟନ ପୁଞ୍ଜି ନିବେଶ ଅଞ୍ଚଳ ପ୍ରତିଷ୍ଠା କରାଯାଉଛି। ପାରାଦୀପ ପିସିପିଆଇଆରର ପ୍ରମୁଖ ପ୍ରକଳ୍ପ ହେଉଛି ଭାରତୀୟ ତୈଳ ନିଗମ ଲିମିଟେଡର ତୈଳ ବିଶୋଧନାଗାର।  ଏହା ଫେବ୍ରୁଆରୀ ୨୦୧୬ରେ କାର୍ଯ୍ୟକ୍ଷମ କରାଯାଇଛି ଏବଂ ଏଥିରେ ୪୫ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ପୁଞ୍ଜି ନିବେଶ କରାଯାଉଛି। ଇତିମଧ୍ୟରେ ପାରାଦୀପ ପିସିପିଆଇଆର ପ୍ରକଳ୍ପ ପାଇଁ ଚିଠା ମାଷ୍ଟର ପ୍ଲାନ ପ୍ରସ୍ତୁତି ଶେଷ ହୋଇଛି। ଏବେ ପରିବେଶ ପ୍ରଭାବ ମୂଲ୍ୟାଙ୍କନ ସର୍ଭେ କାର୍ଯ୍ୟ ଆରମ୍ଭ କରାଯାଇଛି।

ଶ୍ରୀ ରାଓ କହିଲେ ଯେ ଗୁଜରାଟର ଦହେଜ ପିସିପିଆଇଆର ପ୍ରକଳ୍ପ ପାଇଁ ବିକାଶ ଯୋଜନାକୁ ମଞ୍ଜୁରି ମିଳିଛି। ଏହାଛଡା ଏହି ପ୍ରକଳ୍ପକୁ ଗତ ବର୍ଷ ସେପ୍ଟେମ୍ବରରେ ଉପକୂଳ ଅଂଚଳ ଜୋନ ମଞ୍ଜୁରି ମଧ୍ୟ ମିଳିଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଦହେଜ ପିସିପିଆଇଆର ପ୍ରକଳ୍ପ ପାଇଁ ୮୫,୯୨୮ କୋଟି ଟଙ୍କା ନିବେଶ କରାଯାଉଛି ଏବଂ ସେଠାରେ ୧.୩୨ ଲକ୍ଷ ଲୋକଙ୍କ ପାଇଁ କର୍ମ ନିଯୁକ୍ତିର ସୁଯୋଗ ସୃଷ୍ଟି କରାଯାଉଛି ।

ଆନ୍ଧ୍ର ପ୍ରଦେଶର ବିଶାଖାପାଟନାମ୍ – କାକିନାଡା ପିସିପିଆଇଆର ପ୍ରକଳ୍ପ ପାଇଁ ୬୪୦ ବର୍ଗ କିଲୋମିଟର ଅଂଚଳରେ ପରିବ୍ୟାପ୍ତ ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ପ୍ରକଳ୍ପରେ ୪୩,୭୪୪ କୋଟି ଟଙ୍କା ବିନିଯୋଗ କରାଯାଇ ୧.୧୧ ଲକ୍ଷ ଲୋକଙ୍କ ପାଇଁ କର୍ମ ନିଯୁକ୍ତି ସୃଷ୍ଟି କରାଯାଉଛି।

ସେହିଭଳି ତାମିଲନାଡୁର କୁଡାଲୁର ଓ ନାଗପଟ୍ଟିନାମ୍ ପିସିପିଆଇଆର ପ୍ରକଳ୍ପ ୨୫୭ ବର୍ଗ କିଲୋମିଟର ଅଂଚଳରେ ପ୍ରତିଷ୍ଠା ହେବ ଏବଂ ଏଥିଲାଗି ପ୍ରାରମ୍ଭିକ ପର୍ଯ୍ୟାୟରେ ୮,୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି।

ଦେଶର ଏହି ୪ଟି ଯାକ ପିସିପିଆଇଆର ପ୍ରକଳ୍ପରେ ମୋଟ ୭.୬୩ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବାର କାର୍ଯ୍ୟକ୍ରମ ରହିଛି। ଏହା ସମ୍ପୂର୍ଣ୍ଣ ହେଲେ ମୋଟ ଉପରେ ୩୩.୯୬ ଲକ୍ଷ ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

Comment