ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅପକମିଂ ମୁଭି ସ୍ତ୍ରୀରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିବ ରାଜକୁମାର ରାଓ ଓ ଶ୍ରଦ୍ଧା କପୁରଙ୍କ ଯୋଡ଼ି ଆସନ୍ତୁ ନଜର ପକାଇବା ସ୍ତ୍ରୀ ସିନେମାର ରୋଚକ ବିଷୟବସ୍ତୁ ଉପରେ

ଦିନେଶ ବିଜନଙ୍କ ପ୍ରଯୋଜିତ ‘ସ୍ତ୍ରୀ’ ହେଉଛି ଏକ ହରର୍ କମେଡି ସିନେମା। ଏହାର କାହାଣୀ ଲେଖିଛନ୍ତି ସିଦ୍ଧାର୍ଥ-ଗାରିମା, ରାଜ ନିଦିଗୋରୁ ଓ କ୍ରିଷ୍ଣା ଡି-କେ। ଅମର କୌଶିକ୍‌ ଏହାର ନିର୍ଦ୍ଦେଶକ। ସଚିନ-ଜିଗର୍‌ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ‘ସ୍ତ୍ରୀ’ ସିନେମାର କାହାଣୀ ଜଣେ ଟେଲର ଓ ତାଙ୍କ ପତ୍ନୀଙ୍କ ସମ୍ପର୍କକୁ ନେଇ ତିଆରି ହୋ‍ଇଛି। ଏହି ଫିଲ୍ମରେ ରାଜ କୁମାର ଟେଲର୍ ଅବତାରରେ ଓ ଶ୍ରଦ୍ଧା କପୁର ଭୂତୁଣୀ ଭୂମିକାରେ ନଜର ଆସିବେ।

କୋଡିଏ ଦିନ ଧରି ଟେଲରିଂ ଶିଖିଲେ ରାଜ କୁମାର ରାଓ

କଳାକାରମାନେ ନିଜ ଅଭିନୀତ ଚରିତ୍ରକୁ ଜୀବନ୍ତ କରିବା ପାଇଁ ଅନେକ ପ୍ରକାରର ପରିଶ୍ରମ କରିଥାନ୍ତି। ଏକଥା ଆଗେ ଶୁଣିଛେ। ହେଲେ କେହି ଟେଲରିଂ ବି ଶିଖିଥିବେ, ତାହା ବୋଧହୁଏ ପ୍ରଥମ ଥର ପାଇଁ ହୋ‍ଇଛି ‘ସ୍ତ୍ରୀ’ ସିନେମାରେ।

‘ସ୍ତ୍ରୀ’ରେ ଅଭିନେତା ରାଜ କୁମାର ରାଓ ଜଣେ ଟେଲର ଭୂମିକାରେ ଅଭିନୟ କରିଥିବାରୁ ତାଙ୍କୁ ଟେଲରିଂ ଶିଖିବାକୁ ପଡ଼ିଥିଲା। ଫିଲ୍ମରେ ରାଜ କୁମାରଙ୍କୁ ଅନେକ ଦୃଶ୍ୟରେ ସିଲେଇ ମେସିନ୍‌ରେ ସିଲେଇ କରିବାକୁ ପଡ଼ୁଛି।

ରାଷ୍ଟ୍ରୀୟ ପୁରସ୍କାର ବିଜେତା ଅଭିନେତା ରାଜ କୁମାର ରାଓ ‘ସ୍ତ୍ରୀ’ ସିନେମାରେ ଅଭିନୟ କରିବା ପୂର୍ବରୁ ପ୍ରାୟ ୨୦ ଦିନ ଧରି ଟେଲରିଂ ଶିଖିଥିଲେ। ଜଣେ ଟେଲର ମାଷ୍ଟର ରାଜ କୁମାରଙ୍କ ଘରକୁ ଆସି ତାଙ୍କୁ ଟେଲରିଂ ଶିଖାଇଥିଲେ। ରାଜ କୁମାର ବି ୨୦ ଦିନ ଭିତରେ ଖୁବ୍ ଭଲ ଭାବେ ପ୍ରଶିକ୍ଷଣ ପାଇଗଲେ। ଏବେ ସେ ନିଜର କିଛି ଆବଶ୍ୟକୀୟ କପଡ଼ା ବି ସିଲେଇ କରିପାରୁଛନ୍ତି। ଏହି ଟ୍ରେନିଂ ପାଇଁ ତାଙ୍କୁ ପ୍ରଯୋଜନା ସଂସ୍ଥା ପକ୍ଷରୁ ଏକ ଟେଲରିଂ ମେସିନ୍‌ ଯୋଗାଇ ଦିଆଯାଇଥିଲା।

ଭୋପାଳରେ ହୋଇଥିଲା ସୁଟିଂ

‘ସ୍ତ୍ରୀ’ ଫିଲ୍ମର କାହାଣୀ ସତ୍ୟ ଘଟଣା ଉପରେ ଆଧାରିତ। ଏହା ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଜଣେ ଟେଲରଙ୍କ ଘରେ ସଂଘଠିତ ଅଦ୍ଭୁତ କାଣ୍ଡ ଉପରେ ପର୍ଯ୍ୟବସିତ। ତେବେ ଏହା ଏକ ହରର୍‌ କମେଡ଼ି।

ଫିଲ୍ମର କାହାଣୀକୁ ସତ୍ୟ ଭାବେ ଉପସ୍ଥାପିତ କରିବା ଲାଗି ପ୍ରଯୋଜନା ସଂସ୍ଥା ଓ ନିର୍ଦ୍ଦେଶକ ‘ସ୍ତ୍ରୀ’ର ସୁଟିଂ ଭୋପାଳରେ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ଏହାର ସୁଟିଂ ଗତ ଜାନୁଆରି ୧୩ ତାରିଖରେ ଆରମ୍ଭ ହୋଇଥିଲା ମଧ୍ୟପ୍ରଦେଶର ଚନ୍ଦ୍ରେଇଠାରେ। ଏହାର ଦ୍ୱିତୀୟ ପର୍ଯ୍ୟାୟ ସୁଟିଂ ମାର୍ଚ୍ଚ ମାସରେ ଭୋପାଳଠାରେ କରାଯାଇଥିଲା।

ଯେଉଁଠାରେ ଫିଲ୍ମର ସୁଟିଂ କରାଯାଉଥିଲା, ସେଠାକାର ଅଧିବାସୀମାନେ ୟୁନିଟକୁ ଯଥେଷ୍ଟ ସାବଧାନତା ଅବଲମ୍ବନ କରିବା ଲାଗି ପରାମର୍ଶ ଦେଇଥିଲେ। ଏ କଥାକୁ ଆଖିଆଗରେ ରଖି ‘ସ୍ତ୍ରୀ’ ଫିଲ୍ମ ୟୁନିଟ୍ ପକ୍ଷରୁ ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।

ଦୁର୍ଗ ଭିତରେ ଥିବା କୋଠରୀଗୁଡ଼ିକରେ ଅଘଟଣ ହେବାର ଆଶଙ୍କା ଥିଲା। ଏଣୁ ସେଠାରେ ନିରାପତ୍ତା ବ୍ୟବସ୍ଥା ସୁଦୃଢ଼ କରାଯାଇଥିଲା। ତେବେ ଫିଲ୍ମର ସୁଟିଂ ସମୟରେ କୌଣସି ଅଘଟଣ ଘଟିନଥିଲା।

ସ୍ତ୍ରୀରେ ନୋରା ଫତେହୀ

ବଲିଉଡରେ ‘ଦିଲ୍‌ବର୍‌ ଗର୍ଲ’ ରୂପେ ପପୁଲାର ଆଇଟମ୍‌ ଡ୍ୟାନ୍ସର ନୋରା ଫତେହୀଙ୍କୁ ମଧ୍ୟ ‘ସ୍ତ୍ରୀ’ରେ ଦେଖିବାକୁ ପାଇବେ ଦର୍ଶକ। ଏହି ସିନେମାରେ ରାଜ କୁମାର ରାଓ ଏବଂ ନୋରା ଫତେହୀଙ୍କ ଉପରେ ଏକ ଗୀତ ରହିଛି। ଅନ୍ୟମାନଙ୍କ ମଧ୍ୟରେ ପଙ୍କଜ ତ୍ରିପାଠୀ, ଅପରାଶକ୍ତି ଖୁରାନା, ଅଭିଷେକ ବାନାର୍ଜି, ବିଜୟ ରାଜ୍ ପ୍ରମୁଖ ‘ସ୍ତ୍ରୀ’ ସିନେମାରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

Comment