ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡରେ ବେଳେବେଳେ ଏଭଳି ଓଡ଼ିଆ ସିନେମା ତିଆରି ହୋଇଥାଏ, ଯେଉଁଥିରେ ନାୟକ ନୂଆ ଆଉ ନାୟିକା ବି ନବାଗତା ହୋ‍ଇଥା’ନ୍ତି ଆସନ୍ତୁ ଜାଣିବା ଓଲିଉଡକୁ ଆସୁଛନ୍ତି କେଉଁ ନୂଆ ଯୋଡ଼ି

ଅତୀତରେ ନବାଗତ ନାୟକ-ନାୟିକାଙ୍କ ଯୋଡ଼ିକୁ ନେଇ ବେଶ୍ କେତୋଟି ଓଡ଼ିଆ ଛବି ତିଆରି ହୋଇଛି। କେତେକ ସୁପରହିଟ୍‌ ହୋଇଛି ତ ପୁଣି କେତୋଟି ସୁପରଫ୍ଲପ୍‌।

ଏବେ ପୁଣି ଏକ ନୂଆ ପେଆରଙ୍କୁ ନେଇ ଓଡ଼ିଆ ସିନେମା ନିର୍ମିତ ହେଉଛି। ଏହି ଫିଲ୍ମର ଟାଇଟଲ୍‌ ହେଲା ‘ତୁ ମୋ ହାର୍ଟ ବିଟ୍‌’। ଏଥିରେ ଦର୍ଶକ ଯେଉଁ ନୂଆ ନାୟକଙ୍କୁ ଭେଟିବେ, ତାଙ୍କର ନାଁ ହେଲା ରୁଦ୍ରାଂଶ। ଠିକ୍‌ ସେହିପରି ଏହି ଓଡ଼ିଆ ସିନେମାରେ ନାୟିକା ଭୂମିକାରେ ଅଛନ୍ତି ନବାଗତା ମଧୁସ୍‌ ପ୍ରିୟା।

ନାୟକ ରୁଦ୍ରାଂଶଙ୍କ ଅନୁଯାୟୀ ସେ ଓଲିଉଡରେ ଭଲ ବ୍ରେକ୍ ଅପେକ୍ଷାରେ ଥିଲେ। ତାଙ୍କୁ ‘ତୁ ମୋ’ ହାର୍ଟବିଟ୍‌’ ସିନେମାରେ ନିଜ ମନଲାଖି ଭୂମିକାଟିଏ ମିଳିଛି। ଏହାର ଏକ ଟିନ୍ ଏଜ୍‌ ଲଭଷ୍ଟୋରି ହୋଇଥିଲେ ବି ଏଥିରେ ପ୍ରେମ, ପ୍ରତାରଣା ଓ ପ୍ରତିଶୋଧ ବି କାହାଣୀ ରହିଛି।

ଅପରପକ୍ଷରେ ଏହାର ନାୟିକା ମଧୁସପ୍ରିୟା ମଧ୍ୟ ନିଜର ଭୂମିକାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। ଏଥିରେ ଜଣେ କଲେଜ୍ ଛାତ୍ରୀ ଚରିତ୍ରରେ ଅଛନ୍ତି ମଧୁସପ୍ରିୟା।

‘ତୁ ମୋ’ ହାର୍ଟବିଟ୍’ର ପ୍ରଯୋଜନା କରିଛନ୍ତି ଲୋକନାଥ ଦାଶ। ଏହାର ନିର୍ଦ୍ଦେଶକ ହେଲେ ଅମର ଅମରେନ୍ଦ୍ର। ଚନ୍ଦ୍ରଶେଖର ଫିଲ୍ମସ ବ୍ୟାନରରେ ନିର୍ମିତ ଏହି ଓଡ଼ିଆ ସିନେମାର ଚିତ୍ରନାଟ୍ୟ ଓ ସଂଳାପକାର ହେଲେ ଜିତେନ୍ଦ୍ର କୁମାର ବରାଳ। ଏନ୍ ପାଢ଼ୀଙ୍କ ନିର୍ଦ୍ଦେଶିତ ନୂଆ ସିନେମା ‘ପାଗଳ ମୁଁ ତୋ ପାଇଁ’ରେ ଏକ ନୂଆ ଯୋଡ଼ି ଆସୁଛନ୍ତି। ଏମାନେ ହେଲେ ଅଙ୍କିତ କୁମାର- ଲଭ୍‌ଲି ଲିଲି।

ଆଉ ଏକ ଓଡ଼ିଆ ସିନେମା ‘ଭାଇଜାନ୍’ରେ ବି ଦର୍ଶକ ଏକ ନୂଆ ଯୋଡ଼ିଙ୍କୁ ପରଦା ଉପରେ ଦେଖିବାକୁ ପାଇବେ। ଏହି ଯୋଡ଼ି ହେଲେ ସୂରଜ-ଦେବସ୍ମିତା। ସୂରଜଙ୍କୁ ଦର୍ଶକମାନେ ଆଗରୁ ‘କ୍ରିଷ୍ଣା ଗୋବିନ୍ଦା’ ଓ ଦେବସ୍ମିତାଙ୍କୁ ‘ରଘୁପତି ରାଘବ ରାଜାରାମ’ ସିନେମାରେ ଦେଖିବାକୁ ପାଇଛନ୍ତି।

ସୂର୍ଯ୍ୟକାନ୍ତ ମହାଲିକଙ୍କ ପ୍ରଯୋଜିତ ‘ଭାଇଜାନ୍’ର ନିର୍ଦ୍ଦେଶକ ହେଲେ ଟି. ଗଣେଶ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସରୋଜ ଦାଶ ଓ ପ୍ରଦ୍ୟୁମ୍ନ ଲେଙ୍କାଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ନୂଆ ସିନେମା ‘ତୁ ଅଛୁ ତ ମୁଁ ଅଛି’ରେ ଦର୍ଶକ ପୁଣି ଏକ ନୂଆ ଯୋଡ଼ିଙ୍କୁ ଭେଟିବେ ଦର୍ଶକ। ଏହି ଯୋଡ଼ି ହେଲେ ଚନ୍ଦନ-ରିଆନା। ଏହା ରିଆନାଙ୍କର ପ୍ରଥମ ଓଡ଼ିଆ ସିନେମା। କିନ୍ତୁ ଚନ୍ଦନ ‘ବାବୁ ଆଇ ଲଭ୍‌ ୟୁ’ରୁ ଆରମ୍ଭ କରି ଅନେକ ସିନେମାରେ ନାୟକ ଭୂମିକାରେ ନଜର ଆସିଛନ୍ତି।

ସ୍ନେହା ଫିଲ୍ମ ଆଣ୍ଡ୍ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ନୂଆ ଓଡ଼ିଆ ସିନେମା ହେଲା ‘ପ୍ରେମୀ ଦିୱାନା’। ଅୟସକାନ୍ତଙ୍କ ପ୍ରଯୋଜିତ ଏହି ଓଡ଼ିଆ  ଛବିରେ ନାୟକ ଗୁହାଙ୍କ ବିପକ୍ଷରେ ନବାଗତା ସୋଲାଙ୍କୀଙ୍କୁ ଦେଖିବାକୁ ମିଳିବ। ଏହା ହେବ ରୁଦ୍ର-ସୋଲାଙ୍କୀଙ୍କ ଯୋଡ଼ିର ପ୍ରଥମ ସିନେମା।

ଓଲିଉଡର ଦୁଇ ଜଣାଶୁଣା ନାୟକ-ନାୟିକାଙ୍କ ଯୋଡ଼ିଙ୍କୁ ଖୁବ୍‌ ଶୀଘ୍ର ପରଦାରେ ଦେଖିବାକୁ ମିଳିବ। ଏହି ଯୋଡ଼ି ହେଲେ ଜ୍ୟୋତି- ଅନୁଭା। ଏହି ଯୋଡ଼ି ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ‘ସାଥୀ ତୁ ଫେରିଆ’ରେ ପ୍ରଥମ ଥର ପାଇଁ ନଜର ଆସିବେ।

ଠିକ୍‌ ସେହିପରି ଜ୍ୟୋତିଙ୍କ ବିପକ୍ଷରେ ପ୍ରଥମ ଥର ପାଇଁ ନଜର ଆସିବେ ବଙ୍ଗୀୟ ନାୟିକା ଏଲ୍‌ସା ଏକ ସିନେମାରେ। ଏହି ସିନେମାର ଟାଇଟଲ୍‌ ହେଲା ‘ତୁ ମୋ’ ସୁନା ଚଢ଼େଇ’। ଦିଲୀପ ପଣ୍ଡାଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଜ୍ୟୋତି-ଏଲସାଙ୍କ ଯୋଡ଼ି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିବେ ନିଶ୍ଚୟ।

Comment