ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ଅପରାଜିତା ଫେରୁଛନ୍ତି ଏକ ଦମଦାର ରୋଲରେ ଆସନ୍ତୁ ଜାଣିବା କେଉଁ ସିନେମାରେ ଏଭଳି ଏକ ଚାଲେଞ୍ଜିଙ୍ଗ ରୋଲରେ ଖୁବ୍ଶୀଘ୍ର ନଜର ଆସିବେ

ଓଡ଼ିଆ ସିନେଜଗତର ଅପ୍ରତିଦ୍ୱନ୍ଦ୍ୱୀ ଅଭିନେତ୍ରୀ ହେଲେ ଅପରାଜିତା। ସେ ଇତିମଧ୍ୟରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ୩୭ ବର୍ଷ ବିତାଇ ସାରିଲେଣି। ଏହି ସମୟ ଭିତରେ ଅପରାଜିତାଙ୍କୁ ଦର୍ଶକ ନାୟିକା, ସହ-ନାୟିକା ଆଦି ଭୂମିକାରେ ବେଶ୍‍ ପସନ୍ଦ କରିଛନ୍ତି।

ଅପରାଜିତାଙ୍କ ଯାତ୍ରା ଆରମ୍ଭ ହୁଏ ଶରତ ପୂଜାରୀଙ୍କ ନିର୍ଦ୍ଦେଶିତ ‘ଅସ୍ତରାଗ’ ସିନେମାରେ। କିନ୍ତୁ ପ୍ରଥମେ ମୁକ୍ତିଲାଭ କରେ  ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ‘ଫୁଲଚନ୍ଦନ’। ଏହା ସୁପରହିଟ୍ ହୁଏ। ପ୍ରଥମ ସିନେମାରେ ହିଁ ଉତ୍ତମ ମହାନ୍ତି-ଅପରାଜିତାଙ୍କ ଯୋଡି ବି ସୁପରହିଟ୍ ହୁଏ। ତା’ ପରେ ଅପରାଜିତା ଆଉ ପଛକୁ ଫେରି ଚାହିଁନାହାନ୍ତି।

ନାୟିକା ଭାବେ ଅପରାଜିତାଙ୍କ ଉଲ୍ଲେଖନୀୟ ସିନେମା ମଧ୍ୟରେ ରହିଛି ‘ଫୁଲଚନ୍ଦନ’, ‘ଦଣ୍ଡାବାଳୁଙ୍ଗା’, ‘ଜନନୀ’, ‘ଜଗା ହାତରେ ପଘା’, ‘ଚକାଭଉଁରୀ’, ‘ଏଇତ ଦୁନିଆଁ’, ‘ଏଇ ଆମ ସଂସାର’, ‘ମମତା ମାଗେ ମୂଲ’, ‘କପାଳ ଲିଖନ’, ‘ଉଦଣ୍ଡୀ ସୀତା’, ‘ଶଙ୍ଖା ସିନ୍ଦୁର’, ‘ବଧୁ ନିରୂପମା’, ‘ଶାସ୍ତି’, ତୁଣ୍ଡବାଇଦ’, ‘ଯାହାକୁ ରଖିବେ ଅନନ୍ତ’ ଆଦି।

ଅପରାଜିତା ନଜର ଆସିଥିଲେ ସୋ’ ମ୍ୟାନ୍ ବସନ୍ତ ନାୟକଙ୍କ ପ୍ରଯୋଜିତ ତଥା ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ଯଶୋଦା’ ସିନେମାରେ। ଏଥିରେ ମା’ ଭୂମିକାରେ ଅଭିନୟ କରିଥିଲେ ଅପରାଜିତା। ଏହି ସିନେମାରେ ତାଙ୍କର ଭୂମିକାଟି ବେଶ୍ ଦମଦାର ଥିଲା।

ତା’ପରେ ଅପରାଜିତାକୁ ଅନେକ ଓଡ଼ିଆ ସିନେମାରେ ପ୍ରଭାବଶାଳୀ ଭୂମିକାରେ ଦେଖିବାକୁ ପାଇଛନ୍ତି। ସେ ଅଧିକାଂଶ ଛବିରେ ମମତାମୟୀ ମା’ ତଥା ଭାଉଜ ଭୂମିକା ନିଭାଇ ପରଦାକୁ ଆସିଛନ୍ତି। ଆଉ ଦର୍ଶକ ବି  ବେଶ୍ ପସନ୍ଦ କରିଛନ୍ତି ଅପରାଜିତାଙ୍କୁ। ଏହି ଲୋକପ୍ରିୟ ଅଭିନେତ୍ରୀ ଅପରାଜିତାଙ୍କୁ ଦର୍ଶକ ବେଶ୍ କିଛି ବ୍ୟବଧାନରେ ପୁଣି ଏକ ଦମ୍‌ଦାର ରୋଲ୍‌ରେ ଦେଖିବାକୁ ପାଇବେ। ନାୟିକାରୁ ଅଭିନେତ୍ରୀ ଭାବେ ପରଦା ଉପରେ ନିଜର ଅଭିନୟ ଦକ୍ଷତା ବହୁବାର ପ୍ରତିପାଦିତ କରିଛନ୍ତି ଅପରାଜିତା।

ନାୟିକା ଚରିତ୍ରରେ ଅପରାଜିତା ‘ଯଶୋଦା’, ‘ସୁଭଦ୍ରା’, ‘ମା ପରି କିଏ ହେବ’, ‘ରକତ ଚିହ୍ନିଛି ନିଜର କିଏ’, ‘ଧର୍ମ ସହିଲେ ହେଲା’, ‘ଧନରେ ରଖିବୁ ଶପଥ ମୋର’ ସମେତ ବେଶ୍ କେତୋଟି ସିନେମାରେ ଚାଲେଞ୍ଜିଂ ଭୂମିକା ନିଭାଇଥିଲେ।

ଏବେ ସେହି ଧରଣର ଏକ ପ୍ରଭାବଶାଳୀ ଭୂମିକାରେ ଆସୁଛନ୍ତି ଅପରାଜିତା। ସେ ଏକ ଜଣାଶୁଣା କାହାଣୀ ଉପରେ ଆଧାରିତ ସିନେମାରେ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିବେ। ଏହି ଫିଲ୍ମର ନାଁ ହେଲା ‘ନାୟକର ନାଆଁ ଦେବଦାସ’। ଏହାର କଥାବସ୍ତୁ ପ୍ରଖ୍ୟାତ ଔପନ୍ୟାସିକ ଶରତ ଚନ୍ଦ୍ରଙ୍କ କାଳଜୟୀ ଉପନ୍ୟାସ ‘ଦେବଦାସ’ ଉପରେ ଆଧାରିତ ବୋଲି ଜଣାଯାଇଛି।

ଏହି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ। ଏଥିରେ ଅସିତ୍, ଅନୁ ଚୌଧୁରୀ, ଭୂମିକା, ବବି ମିଶ୍ର, ବିଜୟ ମହାନ୍ତି ପ୍ରମୁଖ ଅଭିନେତା ମଧ୍ୟ ନଜର ଆସିବେ। ‘ନାୟକର ନାଆଁ ଦେବଦାସ’ର ତିନି କେନ୍ଦ୍ରୀୟ ଭୂମିକା ହେଲା ଦେବଦାସ, ପାରୋ ଓ ଚନ୍ଦ୍ରମୁଖୀ। ଏହି ସିନେମାରେ ଚନ୍ଦ୍ରମୁଖୀର ମାଆ ଭୂମିକାରେ ଅଭିନୟ କରିଛନ୍ତି ଅପରାଜିତା।

ଏହି ଚରିତ୍ରରେ ଦର୍ଶକ ସଞ୍ଜୟ ଲୀଳା ଭଁସାଲିଙ୍କ ‘ଦେବଦାସ’ ସିନେମାରେ କିରଣ ଖେରଙ୍କୁ ଦେଖିଛନ୍ତି। ଏ ଦୃଷ୍ଟିରୁ ‘ନାୟକର ନାଆଁ ଦେବଦାସ’ ରିଲିଜ୍ ହେବା ପରେ ଦର୍ଶକ ନିଶ୍ଚିତ ଭାବେ କିରଣ ଶେଖରଙ୍କ ସହିତ ଅପରାଜିତାଙ୍କର ତୁଳନା କରିବେ। ଅପରାଜିତା ଉକ୍ତ ଚରିତ୍ରକୁ କେତେ ଦୂର ନ୍ୟାୟ ଦେଉଛନ୍ତି, ତାହା ଜଣାପଡ଼ିବ ‘ନାୟକର ନାଆଁ ଦେବଦାସ, ରିଲିଜ୍ ହେବା ପରେ। ତେବେ ଏଥିରେ ଖୁବ୍ ଦମ୍‌ଦାର ଅଭିନୟ କରିଛନ୍ତି ଅପରାଜିତା ବୋଲି ଚର୍ଚ୍ଚା ହେଉଛି।

Comment