ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ଓଲିଉଡର କେତେକ ଖଳ ଚରିତ୍ର କରୁଥିବା ଅଭିନେତା ପରଦାରେ ନାୟକ ବି ବନିଛନ୍ତି। ଆସନ୍ତୁ ସେମାନଙ୍କ ଉପରେ ନଜର ପକାଇବା…

ପରଦାରେ ମୁଖ୍ୟତଃ ଦର୍ଶକ ସେମାନଙ୍କର ଖଳନାୟିକା ଦେଖିବାକୁ ଭଲ ପାଆନ୍ତି। ଏଥିପାଇଁ ତାଙ୍କୁ କୁହାଯାଏ ଓଲିଉଡର ଭିଲେନ୍‌। ସେହି ଅଭିନେତାମାନେ ଭିଲେନ୍‌ ଭାବେ ବି କ୍ୟାରିଅର୍‌ ଆରମ୍ଭ କରିଛନ୍ତି ଓଲିଉଡରେ ହେଲେ ସେମାନଙ୍କ ଭିତରୁ କେତେ ଜଣଙ୍କ ଭାଗ୍ୟରେ ନାୟକ ହେବାର ବି ସୁଯୋଗ ଜୁଟିଛି। ଆସନ୍ତୁ ସେମାନଙ୍କ ସମ୍ପର୍କରେ ଜାଣିବା…

ମନୋଜ ମିଶ୍ର

ଓଲିଉଡରେ ଏବେ ସବୁଠାରୁ ଅଧିକ ସିନେମାରେ ଖଳନାୟକ ଭୂମିକାରେ ଦେଖିବାକୁ ମିଳୁଛି ମନୋଜ ମିଶ୍ରଙ୍କୁ। ସେ ରବି କିନ୍ନାରୀଙ୍କ ନିର୍ଦ୍ଦେଶିତ ‘ସୁନା ଶଂଖାଳି’ରେ ପ୍ରଥମେ ଓଡ଼ିଆ ସିନେମାରେ ଅଭିନୟ କରିଥିଲେ ୨୦୦୪ରେ ରିଲିଜ୍‌ ହୋଇଥିବା ଏହି ଓଡ଼ିଆ ଛବିରେ ମନୋଜ ମିଶ୍ରଙ୍କୁ ଦେଖିବାକୁ ମିଳିଥିଲା ଏକ ଖଳନାୟକ ଭୂମିକାରେ।

ଇତିମଧ୍ୟରେ ମନୋଜ ମିଶ୍ର ଅନେକ ଓଡ଼ିଆ ସିନେମାରେ ଖଳ ଚରିତ୍ରରେ ଅଭିନୟ କରିଛନ୍ତି। ସେଥିମଧ୍ୟରୁ ସୁନା ଶଂଖାଳି, ତୁମକୁ ପାରୁନିତ ଭୁଲି, କେବେ ତୁମେ ନାହଁ, କେବେ ମୁଁ ନାହିଁ, ପର୍ଶୁରାମ, ତୁ ମୋ’ ଲଭ ଷ୍ଟୋରି, ଅଭୟ- ଏ କମନ୍‌ ମ୍ୟାନ୍‌’ ଆ’ ଜହ୍ନରେ ଲେଖିବା ନାଁ’ ଏବଂ ‘ପ୍ରେମର ନିଶା ନିଆରା ନିଆରା’… ଆଦି କେତୋଟି।

ହେଲେ ଆପଣ କ’ଣ ଜାଣନ୍ତି କି ଅଭିନେତା ମନୋଜ ମିଶ୍ର ଏକ ଓଡ଼ିଆ ସିନେମାରେ ନାୟକ ଭୂମିକାରେ ଅଭିନୟ କରିଛନ୍ତି। ହଁ ସେ ପ୍ରଖ୍ୟାତ ନିର୍ମାତା ଅକ୍ଷୟ କୁମାର ପରିଜାଙ୍କ ପ୍ରଯୋଜିତ ତଥା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ କଳାତ୍ମକ ଛବି ‘ଜୀଅନ୍ତା ଭୂତ’ରେ ନାୟକ ଭୂମିକା ନିଭାଇଥିଲେ। ଏଥିରେ ତାଙ୍କୁ ଜଣେ ନିରୀହ ଓ ଶୋଷିତ ଆଦିବାସୀ ଯୁବକ ଚରିତ୍ରରେ ଦେଖିବାକୁ ମିଳିଥିଲା। ଏହି ଚରିତ୍ର ପାଇଁ ମନୋଜ ଉଚ୍ଚ ପ୍ରଶଂସିତ ମଧ୍ୟ ହୋଇଥିଲେ।

ରକ୍‌ ପାତ୍ର

ସମ୍ପ୍ରତି ଓଡ଼ିଆ ସିନେମାରେ ଜଣେ ଅଭିନେତାଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳୁଛି। ସେ ହେଲେ ରକ୍‌ ପାତ୍ର। ରକ୍‌ ଇତିମଧ୍ୟରେ ‘ମେଣ୍ଟାଲ୍, ଲଭ ଷ୍ଟେସନ୍’ ଗୁଣ୍ଡା ଓ ତୁ ମୋ’ ହିରୋ ଭଳି ବେଶ୍‌ କେତୋଟି ଛବିରେ ନେଗେଟିଭ୍‌ ରୋଲ୍ କରିଛନ୍ତି। ରକ୍‌କୁ ଦର୍ଶକ ଖୁବ୍‌ଶୀଘ୍ର ଭେଟିବେ ନାୟକ ଭୂମିକାରେ। ହଁ ସେ ସଂଗ୍ରାମ ମହାନ୍ତିଙ୍କ ନିର୍ଦ୍ଦେଶିତ ଆଗାମୀ ଓଡ଼ିଆ ଛବି ‘ବାଜି ବାଜି ବାବାଜୀ’ରେ ନାୟକ ଭୂମିକାରେ ନେଇ ଆସିବେ। ‘ବାଜି ବାଜି ବାବାଜୀ’ରେ ରକ୍‌ ପାତ୍ରଙ୍କ ବିପକ୍ଷରେ ନାୟିକା ଭାବେ ଦେଖା ଦେବେ ନବାଗତା ରତସୀ ଦତ୍ତ।

ହର ପଟ୍ଟନାୟକ

ଏକନା ଓଲିଉଡର ନମ୍ବର ଓ୍ବାନ୍ ଭିଲେନ୍ ଥିଲେ ହର ପଟ୍ଟନାୟକ। ସେ ଏଇ ଆମ ସଂସାର, ଦଇବ ଦଉଡ଼ି, ମା’, ବସ୍ତ୍ରହରଣ, ଗଙ୍ଗାଯମୁନା, ଭାଗ୍ୟ ହାତେ ଡୋରୀ, ସୁନା ଚଢ଼େଇ, ସୁନା ପଞ୍ଜୁରୀ, ସୁନା ଶଂଖାଳି, ସୁନା ସଂସାର, ନାରୀ ବି ପିନ୍ଧି ପାରେ ରକ୍ତ ସିନ୍ଦୂର, ଜୋର ଯା’ର ମୂଲକ ତାର, ପୁଅ ମୋର କଳା ଠାକୁର, ଚକାଡ଼ୋଳା କରୁଚି ଲୀଳା, ସାବତ ମା’ ଏବଂ ଓମ୍‌ ସାଇରାମ୍‌ ଆଦି ବହୁ ସିନେମାରେ ନିଜର ଭୟାନକ ଖଳନାୟିକୀ ଦେଖାଇଥିଲେ।

ତେବେ ସ୍ଵର୍ଗତଃ ହର ପଟ୍ଟନାୟକ ଏକ ଓଡ଼ିଆ ସିନେମାରେ ନାୟକ ଭୂମିକାରେ ବି ନଜର ଆସିଥିଲେ। ଏହି ସିନେମା ହେଲା ‘ଅଣ୍ଟି ଛୁରୀ ତଣ୍ଟି କାଟେ’। ବାସୁଦେବ ତ୍ରିପାଠୀଙ୍କ ପ୍ରଯୋଜିତ ତଥା ବସନ୍ତ ସାହୁଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ହର ପଟ୍ଟନାୟକଙ୍କ ବିପକ୍ଷରେ ସ୍ନିଗ୍ଧା ମହାନ୍ତିଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ। ଏହି ଫିଲ୍ମରେ ହର ଓ ସ୍ନିଗ୍ଧାଙ୍କ ଉପରେ ଏକ ଚମତ୍କାର ରୋମାଣ୍ଟିକ୍‌ ଗୀତ ‘ଏଇ ମନ୍ଦିର ସାକ୍ଷୀ ଏଇ ସିନ୍ଦୂର ସାକ୍ଷୀ… ବି ପିକଚରାଇଜ୍‌ ହୋଇଥିଲା।

ମୀନ କେତନ

ସ୍ଵର୍ଗତଃ ମୀନ କେତନ ମଧ୍ୟ ଓଲିଉଡର ଜଣେ ଆଗଧାଡ଼ିର ଖଳନାୟକ ଥିଲେ। ସେ ସର୍ବପ୍ରଥମେ ଡ. କମଳ ଲୋଚନ ସାହୁଙ୍କ ପ୍ରଯେୋଜିତ ତଥା ଶ୍ରୀନିବାସଙ୍କ ନିର୍ଦ୍ଦେଶିତ ‘ଗଙ୍ଗ ଶିଉଳି’ରେ ଜଣେ ଭିନ୍ନ ଢ଼ଙ୍ଗର ଖଳନାୟକ ଭୂମିକାରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ।

ଏହା ପରେ ମୀନକେତନ ୫୦ରୁ ଅଧିକ ଓଡ଼ିଆ ସିନେମାରେ ଦମ୍‌ଦାର୍‌ ଖଳନାୟିକୀ ଦେଖାଇଥିଲେ। ତାଙ୍କର କେତୋଟି ଉଲ୍ଲେଖନୀୟ ସିନେମା ଭିତରେ ଅଛି ‘ବନ୍ଦେ ଉତ୍କଳ ଜନନୀ’ ଓ ‘ଟାର୍ଗେଟ୍’ ଭଳି ଫିଲ୍ମ। ହେଲେ ସେ ଗୋଟିଏ ଓଡ଼ିଆ ଚଳଚ୍ଚିତ୍ରରେ ନାୟକ ଭୂମିକା ନିଭାଇଥିଲେ। ତାହା ହେଲା ‘ନୀଳ ମାଷ୍ଟ୍ରାଣୀ’। ଚକ୍ରଧର ସାହୁଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମୀନକେତନଙ୍କ ବିପକ୍ଷରେ ପ୍ରିୟଙ୍କା ମହାପାତ୍ର ନଜର ଆସିଥିଲେ।

Comment