ଓଡ଼ିଶାଲାଇଭ୍‌ ବ୍ୟୁରୋ

କିନ୍ନର ସାଧନା ମିଶ୍ରଙ୍କ ସଂଘର୍ଷ, ସାଧନା ଓ ସଶକ୍ତିକରଣର କାହାଣୀ

“ଛୋଟ ବେଳେ ଆମ ଘରକୁ କେହି ଆସିଲେ ସେମାନେ ମତେ ଜାବୁଡ଼ି ଧରନ୍ତି”

“୫ କି ୬ ବର୍ଷର ଥିବା ବେଳେ ମୁଁ ରେପ୍‌ର ଶିକାର ହୋଇଛି”

ସ୍କୁଲରେ ପାଠ ପଢ଼ିବା ବେଳେ ସମସ୍ତେ କହୁଥିଲେ, “ପିଅନ ପୁଅଟା ମାଇଚିଆ”

ଘରୁ ବାହାରିଲେ ଶୁଣିବାକୁ ପଡ଼ୁଥିଲା, “ହେଇରେ ମାଇଚିଆ ଆସିଲା”

ଏଠି, ସେଠି, ସବୁଠି ଲୋକଙ୍କ ଟାହିଟାପରାକୁ ସାମ୍ନା କରି ସେଦିନର ସତ୍ୟସୁନ୍ଦର ଆଜି ସାଧନା ମିଶ୍ର ପାଲଟି ଯାଇଛନ୍ତି।  ସଂଘର୍ଷ କରି କିସ୍‌ରେ ସୋସିଆଲ ଡେଭଲପମେଣ୍ଟ ଅଫିସର ହୋଇ ସମାଜରେ ପ୍ରତିଷ୍ଠିତ ହୋଇପାରିଛନ୍ତି ସାଧନା।

ଘରର ସାନପୁଅ ସତ୍ୟସୁନ୍ଦର

କେନ୍ଦୁଝରର ଏକ ନିମ୍ନ ମଧ୍ୟବିତ ପରିବାରରେ ଜନ୍ମ ହୋଇଥିଲେ ସେଦିନର ସତ୍ୟସୁନ୍ଦର ଓ ଆଜିର ସାଧନା ମିଶ୍ର। ଘରର ସାନପୁଅ ହୋଇଥିବାରୁ ସମସ୍ତେ ଗେହ୍ଲାରେ ଡାକନ୍ତି ନିନି। ବାପା ଜଣେ ସରକାରି ସ୍କୁଲରେ ଥିଲେ ପିଅନ। ପିଲାଦିନେ ଦେଖିବାକୁ ଖୁବ୍ ଗୁଲୁ ଗୁଲିଆ ଥିଲେ ନିନି। ନିନି ପାଇଁ  ସମସ୍ତଙ୍କ ଆଦର ଅନେକ। ବିଶେଷକରି ବାପାଙ୍କର। ଗେହ୍ଲାପୁଅ ନିନିର ସବୁ ଅଳି ଅଝଟ ଥାଏ ବାପାଙ୍କ ପାଖରେ।

ପିଲାବେଳେ ନିଜ ଭଉଣୀଙ୍କ ଡ୍ରେସ ପିନ୍ଧିବା, ସଜେଇ ହେବା ପାଇଁ ନିନି ବେଶ୍ ପସନ୍ଦ କରେ। ହେଲେ ବୟସ ବଢ଼ିବା ସହିତ  ନିନିର ଏ ସବୁ ଇଚ୍ଛା ବି ବଢ଼ିବାକୁ ଲାଗିଲା। କିନ୍ତୁ ସେତବେଳେ ତା ଉପରେ ଲାଗିଲା ପରିବାରର କଟକଣା। ସେ ବୁଝିପାରୁ ନଥିଲା କ’ଣପାଇଁ ତା’ ସାଙ୍ଗେ ଘରଲୋକ ଏମିତି କରୁଛନ୍ତି। ସେ ସମସ୍ତଙ୍କୁ ପଚାରେ ହେଲେ କେହି କିଛି ଉତ୍ତର ଦିଅନ୍ତି ନାହିଁ।

“ଛୋଟ ବେଳେ ଯେଉଁମାନଙ୍କୁ ମୁଁ ମାମୁ, କକା ବୋଲି ଡାକୁଥିଲି। ସେମାନେ ମତେ ଦେଖିଲେ ଡ୍ରେସ୍ ଖୋଲି ଜାବୁଡ଼ି ଧରନ୍ତି। ମୋ ସହିତ କିଛି ଅଲଗା ବ୍ୟବହାର କରନ୍ତି। ହେଲେ ମୁଁ କିଛି ସେତେବେଳେ ବୁଝି ପାରୁ ନଥିଲି। ମୋ ସହିତ କାହିଁକି ସେମାନେ ଏମିତି କରୁଛନ୍ତି ଜାଣିପାରୁ ନଥିଲି। ମତେ ସେତେବେଳେ ଏସବୁ କଷ୍ଟ ଦେଉଥିଲା। ହେଲେ କାହାକୁ କିଛି କହିପାରୁ ନଥିଲି”।

ଘରୁ ବାହାରିଲେ ଶୁଣିବାକୁ ପଡ଼ୁଥିଲା ‘ମାଇଚିଆ’

ନିନି ଧୀରେ ଧୀରେ ବଡ଼ ହେଲା। ଘରୁ ବାହାରି ସ୍କୁଲ ଗଲା। ହେଲେ କଣ ହେଲା କେଜାଣି ସେ ଜୁଆଡେ ଗଲା ସମସ୍ତେ ତାକୁ ମାଇଚିଆ ବୋଲି ଡାକିଲେ। ତା କାନକୁ ଏଇ ଡାକ ଆଦୌ ଭଲ ଲାଗୁ ନଥିଲା। ଘରେ କହିଲାରୁ ଓଲଟା ତା’ ଉପରେ ଗାଳି ପଡ଼ୁଥିଲା। ବୁଝିପାରୁ ନଥିଲା ସେ କିଛି ବି। ଲୋକଙ୍କ ଟାହି ଟାପରା ଶୁଣି ଆଖିରୁ ଲୁହ ଗଡ଼ି ଆସିଲେ ବି ନିନିର ଲୁହକୁ କେହି ଦେଖି ପାରନ୍ତି ନାହିଁ।

ସ୍କୁଲରେ ବି ଟାହିଟାପରା

ଦିନ ପରେ ଦିନ ଗଡ଼ି ଚାଲିଲା। ନିନି ସ୍କୁଲ୍ ଗଲା। ତାଙ୍କ ବାପା ଯେଉଁ ସ୍କୁଲରେ ପିଅନ ଚାକିରି କରୁଥିଲେ ସେହି ସ୍କୁଲ୍‌ରେ ହିଁ ନିନି ପାଠ ପଢ଼ିଲା। ହେଲେ ସେଠି ବି ନିନିର କାନରେ ବାରମ୍ବାର ବାଜିଲା ‘ମାଇଚିଆ’ ଶବ୍ଦ। ସ୍କୁଲରେ ମଧ୍ୟ ସମସ୍ତେ ପିଅନ ପୁଅଟା ମାଇଚିଆ ବୋଲି କହୁଥିଲେ। ହେଲେ ନିନିକୁ ଏହା ଭଲ ଲାଗୁ ନଥିଲା।

ବାପାଙ୍କ ସମ୍ମାନକୁ ତଳେ ନପକାଇବା ପାଇଁ ନିନି ପୁଅ ହେବାକୁ ଚେଷ୍ଟା କଲା। ହେଲେ ପାରୁ ନଥିଲା।

“ବାପା ମତେ ବହୁତ ଭଲ ପାଉଥିଲେ। କାହିଁକି ଏତେ ଭଲ ପାଉଥିଲେ ତାହା ମୁଁ ଜାଣିନି। ହେଲେ ସ୍କୁଲରେ ଯେତେବେଳେ ସମସ୍ତେ ପିଅନ ପୁଅଟା ମାଇଚିଆ ବୋଲି କହୁଥିଲେ ସେତେବେଳେ ମତେ ଖରାପ ଲାଗୁଥିଲା। ବାପାଙ୍କ ମୁଣ୍ଡ ତଳକୁ ନକରିବା ପାଇଁ ମୁଁ ପୁଅ ହେବା ପାଇଁ ଚେଷ୍ଟା କଲି। ହାପ୍‌ ପ୍ୟାଣ୍ଟ ପିନ୍ଧି ସ୍କୁଲ ଯିବା ଆସିବା କଲି। କିନ୍ତୁ ଲୋକମାନେ ମତେ ଅଲଗା ନଜରରେ ଦେଖିଲେ। ସ୍କୁଲ ଗଲା ବେଳେ ମତେ କଟମଟ କରି ଅନାଉଥିଲେ ସମସ୍ତେ। ହେଲେ ମୁଁ ତଳକୁ ମୁହଁ ପୋତି ଆଣ୍ଠୁ ତଳକୁ ପ୍ୟାଣ୍ଟ ଭିଡ଼ିଭିଡ଼ି ରାସ୍ତାରେ ଯାଉଥିଲି”, ସେଦିନର ସ୍ମୃତିକୁ ମନେପକାଇଛନ୍ତି କିନ୍ନର ସାଧନା।

ଲୁଚି ଲୁଚି ଭଉଣୀର ଫ୍ରକ୍ ପିନ୍ଧୁଥିଲା ନିନି

ପୁଅଙ୍କ ପରି ରହିବାକୁ ଚେଷ୍ଟା କରି ହାର୍ ମାନି ଯାଉଥିଲା ନିନି। ସେ ତା’ ଦୁନିଆରେ ରହିବାକୁ ପସନ୍ଦ କରୁଥିଲା। ହେଲେ ଘରର କଡ଼ା ତାଗିଦ ଓ କଟକଣା ପାଖରେ ମୁଣ୍ଡ ନୁଆଁଇ ଦେଇଥିଲା ସେ।

“ଘରେ କେହି ନଥିବା ବେଳେ ଲୁଚିକି ଭଉଣୀର ଫ୍ରକ୍ ପିନ୍ଧି ଦେଉଥିଲି। ନାଇତ ମା’ର ଲୁଗାକୁ ଗୁଡ଼େଇ ହୋଇ ପଡ଼ୁଥିଲି। ଏହି ସମୟରେ ଭାବୁଥିଲି ଯେମିତି ଦୁନିଆଟା ଏଇଠି ଅଟକି ଯାଆନ୍ତା କି?”

ହେଲେ ଏହା ସମ୍ଭବ ହେଲା ନାହିଁ ନିନିଙ୍କ କ୍ଷେତ୍ରରେ। ତାକୁ ଅନୁଭବ ହେଉଥିଲା ସତେ ଯେମିତି ଏ ଦୁନିଆରେ ସେ ଏକା। ତାକୁ ସେଠୁ ବାହାରିବାର ଥିଲା ନିଜର ଏକ ନୂଆ ପରିଚୟ ଖୋଜିବା ପାଇଁ।

ସତ୍ୟସୁନ୍ଦର ପାଇଁ ବନ୍ଦ ହୋଇଗଲା ଘରର କବାଟ

ଘର ଲୋକଙ୍କ ପାଇଁ  କିନ୍ନର ସାଧନା ମିଶ୍ର ଥିଲେ ପୁଅ। ପାଠ ପଢ଼ା ସରିବା ପରେ ଘରେ ବାଧ୍ୟ କଲେ ବାହାଘର ପାଇଁ। କିନ୍ତୁ ମନା କରି ଦେଇଥିଲା ନିନି। ସେ ନିଜକୁ ଝିଅ ଭଳି ମନେକରିଥାଏ। ବାହା ହେବନି ବୋଲି ସେଦିନ ଦୃଢ଼ ନିଷ୍ପତ୍ତି ନେଲା ନିନି। ଫଳରେ ଘରର କବାଟ ବନ୍ଦ ହୋଇଗଲା ସବୁଦିନ ନିନି ପାଇଁ।

“ମୁଁ ପୁରୁଷ ନୁହେଁ। ଏହା ଜାଣିବା ପରେ ମୁଁ ଆଉ ଜଣେ ଝିଅକୁ କେମିତି ବାହା ହୋଇଥାନ୍ତି? ଆଉ ଜଣଙ୍କ ଜୀବନକୁ କାହିଁକି ନଷ୍ଟ କରିଥାନ୍ତି? ହେଲେ ଘରେ ମୁଁ ଏସବୁ କହିପାରୁ ନଥିଲି।”

“ପାଠ ପଢ଼ା ଶେଷ ହେବା ବେଳକୁ ବାପା ଆରପାରିକୁ ଚାଲି ଯାଇଥିଲେ। ମା’ ବିଧବା ହୋଇଯାଇଥିଲେ। ଭାଇମାନେ ପ୍ରେସର କରୁଥିଲେ ବାହା ହେବାକୁ। ହେଲେ ମୁଁ ରାଜି ହେଲିନି। ଶେଷରେ ମୁଁ ଘର ଛାଡ଼ିଲି। ପରିବାରର ଲୋକେ ମତେ ସହଯୋଗ କଲେନି। ମୁଁ ମୋ’ ପରିଚୟ ଏବଂ ସମ୍ପ୍ରଦାୟ ପାଇଁ ନିଜେ ଲଢ଼େଇ ଆରମ୍ଭ କଲି”, କୋହଭରା କଣ୍ଠରେ କହିଛନ୍ତି ସାଧନା।

ନୂଆ ପରିଚୟ ପାଇଁ ଲଢ଼େଇ – ସତ୍ୟସୁନ୍ଦରରୁ ସାଧନା ମିଶ୍ର

“ମତେ ପ୍ୟାଣ୍ଟ ସାର୍ଟ ଦୁନିଆ ଭଲ ଲାଗୁ ନଥିଲା। ଅଣନିଶ୍ୱାସୀ ହୋଇଯାଉଥିଲି ମୁଁ। ଶେଷରେ ନିଷ୍ପତ୍ତି ନେଲି ମତେ କେନ୍ଦୁଝର ଛାଡ଼ିବାର ଅଛି। କେନ୍ଦୁଝର ଛାଡ଼ିଲି ଏବଂ ଭୁବନେଶ୍ୱରରେ ଏମ୍‌ଏସ୍‌ଡବ୍ଲ୍ୟୁ କୋର୍ସ କଲି। ପ୍ଲେସମେଣ୍ଟ ପାଇ ମୁଁ ଗୁଜରାଟ ଗଲି। କଲେଜ ପଢ଼ିବା ବେଳେ ଜାଣିଯାଇଥିଲି ଯେ ‘ମୁଁ ଜଣେ କିନ୍ନର’।”

ଗୁଜରାଟରେ ନୂଆ ପରିଚୟ ପାଇଁ ସଂଘର୍ଷ କରିବା ବେଳେ ଟାହିଟାପରା ଶୁଣିବାକୁ ମିଳିଲା। ଛୋଟ ବେଳେ ତା’ସହ ଯେଉଁସବୁ ଘଟଣା ଘଟୁଥିଲା ସେସବୁ ଗୁଜରାଟରେ ମଧ୍ୟ ସାମ୍ନା କରିବାକୁ ପଡ଼ିଲା। ‘ଟାନ୍ସଜେଣ୍ଡର ଆଉ ହିଞ୍ଜଡା’ କ’ଣ ତାହା ମୁଁ ସେଇଠି ହିଁ ଜାଣିଲି – ଆଖିରୁ ଲୁହ ପୋଛି ପୋଛି କହିଛନ୍ତି ସାଧନା।

“ପିଲାବେଳେ ମୋ ମତେ କହୁଥିଲା ମୁଁ ସ୍ପେଶାଲା। ଆଜି ବି କହୁଛି ୟେସ୍ ମୁଁ ସ୍ପେଶାଲ। ମୁଁ କେବେ ପାଦରେ ଘୁଙ୍ଗୁର ବାନ୍ଧି ଷ୍ଟେସନ କିମ୍ବା ରାସ୍ତାକଡ଼ରେ ଭିକ୍ଷାବୃତ୍ତି କରିବାକୁ ଚାହିଁ ନଥିଲି। ଅନ୍ୟମାନଙ୍କଠାରୁ କିଛି ଅଲଗା କରିବାକୁ ଚାହିଁଥିଲି। ତାହା ଆଜି ସଫଳ ହୋଇଛି”, କହିଛନ୍ତି ସାଧନା।

ଗୁଜରାଟରୁ ଭୁବନେଶ୍ୱର – କିସ୍‌ ଦେଲା ନୂଆ ପରିଚୟ

ଗୁଜରାଟରେ ବିଭିନ୍ନ ସୋସିଆଲ ସେକ୍ଟରରେ କାମ କରିବା ପରେ ଭୁବନେଶ୍ବର ଫେରିଥିଲେ ସାଧନା। କିନ୍ନର ମୀରା ପରିଡ଼ାଙ୍କ ସହ ମିଶି ସେ କିନ୍ନରମାନଙ୍କ ପାଇଁ ଏକ ସଙ୍ଗଠନଆରମ୍ଭ କରିଥିଲେ। ଏହା ସଫଳ ହୋଇଥିଲା।

“ହଠାତ୍ ମୋ ପାଖକୁ ୟୁଏସ୍‌ ସରକାରଙ୍କ ପାଖରୁ ଏକ ଚିଠି ଆସିଲା। ହ୍ୱାଇଟ ହାଉସ୍‌ରେ ଏକ କାର୍ଯ୍ୟକ୍ରମରେ ଭାରତର ପ୍ରତିନିଧିତ୍ୱ କରିବା ପାଇଁ ଏହି ଚିଠିଟି ଥିଲା। କେନ୍ଦୁଝରରୁ ଭୁବନେଶ୍ୱର ଏବଂ ସିଧା ହ୍ୱାଇଟ୍ ହାଉସ୍ ଯାତ୍ରା ମୋ ଭାଗ୍ୟରେ ଜୁଟିବ ବୋଲି ମୁଁ କେବେ ଭାବି ନଥିଲି।”

ଭୁବନେଶ୍ୱର ଫେରିବା ପରେ କିଟ୍‌ ଓ କିସ୍ ପକ୍ଷରୁ ସାଧନାଙ୍କୁ ମିଳିଥିଲା ଅଫର୍। ଏବେ ସେ କିସ୍‌ରେ ସୋସିଆଲ ଡେଭଲପମେଣ୍ଟ ଅଫିସର ପ୍ରତିଷ୍ଠିତ ହୋଇଛନ୍ତି।

ସଂଘର୍ଷ କରିବା ପରେ ବି ହାର ମାନି ନାହାନ୍ତି ସାଧନା। ସେଥିପାଇଁ ଆଜି ସେ ଶହ ଶହ କିନ୍ନରଙ୍କ ପ୍ରେରଣା ହେବା ସହ ସମାଜରେ ବି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। କେବଳ ଏତିକି ନୁହେଁ ଅନେକ ସାମାଜିକ ସଙ୍ଗଠନ ସହ ଯୋଡ଼ି ହୋଇ ନିଜଭଳି କିନ୍ନରମାନଙ୍କୁ ସମାଜର ମୁଖ୍ୟଧାରାରେ ସାମିଲ କରାଇବାକୁ ତାଙ୍କର ଚେଷ୍ଟା ଜାରି ରହିଛି।

“ସେ ଜଣେ ଉଚ୍ଚ ଶିକ୍ଷିତା। ଏମ୍‌ବିଏ ପାଠ ପଢ଼ିଛନ୍ତି। ତାଙ୍କ ଦକ୍ଷତା ଅଛି। ସେ ଜଣେ କିନ୍ନର ବୋଲି କ’ଣ ଚାକିରି କରିପାରିବେନି ନା ସାମାଜିକ କାର୍ଯ୍ୟକ୍ରମରେ ଯୋଗଦାନ କରିପାରିବନି?  ଆମେ ତାଙ୍କ ଦକ୍ଷତାକୁ ଦେଖି ଉଚ୍ଚ ପଦପଦୀରେ ରଖିଛୁ। ସେ ତାଙ୍କ ଜାଗାରେ ରହି ଦକ୍ଷତା ପ୍ରତିପାଦନ କରୁଛନ୍ତି”, କହିଛନ୍ତି କିଟ୍ ଏବଂ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ।

“ସୋସିଆଲ ଡେଭଲପମେଣ୍ଟକୁ ଆଗକୁ ନେବା ପାଇଁ ଆମର ଯାହା ଉଦ୍ଦେଶ୍ୟ ଅଛି ତାହାକୁ ପୂରଣ କରିବାରେ ସାଧନା ମିଶ୍ରଙ୍କ ପାଖରେ ଦକ୍ଷତା ରହିଛି। ଡକ୍ଟର ସାମନ୍ତ ତାଙ୍କୁ ବାଚି ବାଛି କିସ୍‌ର ସୋସିଆଲ ଡେଭଲପମେଣ୍ଟ ଅଫିସର ଭାବେ ନିଯୁକ୍ତି ଦେଇଛନ୍ତି”, କହିଛନ୍ତି କିଟ୍‌ ଏବଂ କିସ୍‌ ସମ୍ପାଦକ ରବିନ୍ଦ୍ର ନାଥ ଦାଶ।

Comment