କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ

  • ପର୍ଯ୍ୟଟକଙ୍କୁ ଆନମନା କରୁଛନ୍ତି ବର୍ଷାଦିନିଆ ଚଢ଼େଇ
  • ଚଢ଼େଇମାନଙ୍କର ନିରାପଦ ଅନ୍ତୁଡ଼ିଶାଳ ଭିତରକନିକା
  • ଗଛ ଡାଳରେ ବସା ବାନ୍ଧିଛନ୍ତି ବିଭିନ୍ନ ପ୍ରଜାତିର ଚଢ଼େଇ
  • ଜୁନ୍ ମାସରେ ଭିତରକନିକାକୁ ଛୁଟି ଆସନ୍ତି ଚଢ଼େଇ
  • ଅଣ୍ଡା ଫୁଟିବା ପରେ ନଭେମ୍ବରରେ ଫେରି ଯାଆନ୍ତି
  • ଆଗରୁ ବଗଗହନରେ ଦେଉଥିଲେ ଅଣ୍ଡା, ଏବେ ମଠଆଡ଼ିଆ ନୂଆଠିକଣା

ଭିତରକନିକାରେ ପ୍ରକୃତି ତାର ସୌନ୍ଦର୍ଯ୍ୟ ପସରାକୁ ଅଜାଡ଼ି ଦେଇଛି। ବଉଳା କୁମ୍ଭୀରଙ୍କ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିବା ଭିତରକନିକାରେ ଏବେ ବର୍ଷାଦିନିଆ ଚଢ଼େଇଙ୍କ ଗହଳି ଲାଗିଛି। ଚଢ଼େଇମାନଙ୍କର କିଚିରି ମିଚିର ଶବ୍ଦ ପର୍ଯ୍ୟଟକଙ୍କୁ ଅନମନା କରୁଛି।

ଭିତରକନିକାର ଲୁଣା ଜଙ୍ଗଲର ଡାଳେ ଡାଳେ ବସା ବାନ୍ଧିଛନ୍ତି ନାନା ପ୍ରଜାତିର ବର୍ଷାଦିନିଆ ଚଢ଼େଇ। ଏବେ ବସାରେ ଅଣ୍ଡାରୁ ଛୁଆ ଫୁଟି ସାରିଲେଣି। ନବାଗତ ଅତିଥି ମାନଙ୍କ କିଚିରି ମିଚିରି ଶବ୍ଦରେ ଉଛୁଳି ପଡ଼ୁଛି ଗଗନପବନ। ମା’ ଚଢ଼େଇର ଥଣ୍ଟରୁ ଆହାର ଛଡ଼େଇ ଖାଇବାରେ ଲାଗିଲେଣି ସାବକମାନେ। ଏହି ଦୃଶ୍ୟ ଏବେ ଆନମାନା କରୁଛି ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକମାନଙ୍କୁ।

କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକର ସମୁଦ୍ର କୂଳକୁ ଲାଗି ରହିଛି ସନ୍ତସନ୍ତିଆ ଲୁଣା ଜଙ୍ଗଲ। ଏହି ଜଙ୍ଗଲ ଭିତରକନିକା ଅଭୟାରଣ୍ୟ ଭାବେ ପରିଚୟ ପାଇଛି। ବଉଳା କୁମ୍ଭୀରଙ୍କ ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ବଜାୟ ରଖିଥିବା ଭିତରକନିକା ବିଦେଶୀ ଏବଂ ଦେଶୀ ଚଢ଼େଇମାନଙ୍କର ଅନ୍ତୁଡିଶାଳ ପାଲଟିଛି। ଏଠାକୁ କାହିଁ କେଉଁ କାଳରୁ ବର୍ଷା ଦିନେ ବିଭିନ୍ନ ଅଞ୍ଚଳରୁ ଉଡ଼ି ଆସନ୍ତି ବର୍ଷାଦିନିଆ ଚଢ଼େଇ।

ଭିତରକନିକା ଲୁଣା ଜଙ୍ଗଲ ମଧ୍ୟରେ ଏହି ଚଢ଼େଇମାନେ ଏମିତି ସ୍ଥାନକୁ ବାଛିନେଇଛନ୍ତି ଯେଉଁଠାରେ କାହାରି କେବେ ପାଦ ପଡ଼ିନଥିଲା। ଚଢ଼େଇମାନେ ଯେଉଁ ସ୍ଥାନକୁ ବାଛି ନେଇଛନ୍ତି ତାର ନାମ ‘ବଗଗହନ’ ନାଁରେ ନାମିତ କରିଛି ବନ ବିଭାଗ। ତେବେ କିଛି ବର୍ଷ ତଳେ ବଗଗହନକୁ ଛାଡ଼ି ପକ୍ଷୀମାନେ ଆଉ ଏକ ନିରାପଦ ସ୍ଥାନକୁ ବାଛି ନେଇଛନ୍ତି। ଏହି ସ୍ଥାନର ନାଁ ଦିଆଯାଇଛି ମଠଆଡ଼ିଆ।

ମାଇଲ ମାଇଲ ପରିବ୍ୟାପ୍ତ ଜଙ୍ଗଲ ମଧ୍ୟରେ ନିର୍ଭୟରେ ବିଚରଣ କରୁଛନ୍ତି ଲକ୍ଷ ଲକ୍ଷ ଚଢ଼େଇ। ଏଠି ନା ରହିଛି ଶିକାରୀମାନଙ୍କର ଭୟ ନା ଝଡ଼ ବର୍ଷାର ଭୟ। ବଗଗହନ ଜଙ୍ଗଲକୁ ଦେଖିଲେ ଯେକେହି କହିବ ପ୍ରକୃତିରାଣୀ ଏହି ଚଢ଼େଇମାନଙ୍କ ପାଇଁ ତିଆରି କରିଛି ସ୍ୱତନ୍ତ୍ର ବ୍ୟବସ୍ଥା। ଚାରି ପାଖରେ ଉଚ୍ଚ ଉଚ୍ଚ ଗଛ ଆଉ ମଝିରେ ରହିଛି ଛୋଟ ଛୋଟ ଗଛ

ନୂଆ ଠିକଣା ମଠଆଡ଼ିଆ

ପ୍ରାୟ ୫ ହେକ୍ଟର ବୃତ୍ତାକାର ଏହି ବଗଗହନ ଜଙ୍ଗଲ ଦେଖିବାକୁ ଏକ ଗହୀରିଆ ପଲମ ସଦୃଶ। ଚାରି ପାଖରେ ବଡ଼ବଡ଼ ଗଛ ପ୍ରାଚୀର ଭଳି ଛିଡ଼ା ହୋଇଛନ୍ତି। ଝଡ଼ ବର୍ଷା ହେଲେ ଭିତରକୁ ପବନ ପ୍ରବେଶ କରିବାର ସମ୍ଭାବନା ନାହିଁ। ନିଜ ଛୁଆମାନଙ୍କୁ ଧରି ନିରାପଦରେ ଗଛ ଡାଳରେ ରହିଥାନ୍ତି ଚଢ଼େଇମାନେ। କାହିଁ କେଉଁ କାଳରୁ ଏହି ଲୁଣା ଜଙ୍ଗଲର ଡାଳରେ ଏମାନେ ବସା ବାନ୍ଧି ଅଣ୍ଡା ଦେଇ ଆସୁଛନ୍ତି। ବଗଗହନକୁ ସେମାନଙ୍କର ନିରାପଦ ପ୍ରଜନନ ସ୍ଥାନ ବାଛିଥିବା ଏହି ଚଢ଼େଇମାନେ କିଛି ଦୂରରେ ରହିଥିବା ମଠଆଡ଼ିଆ ନାମକ ଆଉ ଏକ ସ୍ଥାନକୁ ପ୍ରଜନନ ସ୍ଥାନ ଭାବେ ବାଛି ନେଇଛନ୍ତି।

ବର୍ଷାର ସଙ୍କେତ ଦିଅନ୍ତି ଚଢ଼େଇ

ଜୁନ ମାସ ଆରମ୍ଭ ହେଉ ହେଉ ଆକାଶରେ ଚଢ଼େଇମାନେ ଉଡ଼ି ବୁଲିବାର ଦୃଶ୍ୟ ଦେଖିବାକୁ ମିଳେ। ଆକାଶରେ ଏମାନଙ୍କୁ ବହୁ ସଂଖ୍ୟାରେ ଦେଖିଲେ ସ୍ଥାନୀୟ ଲୋକେ ବର୍ଷା ଦିନ ଆସିଗଲା ବୋଲି ଧରି ନିଅନ୍ତି। ଏତେ ସଂଖ୍ୟାରେ ପକ୍ଷୀ କୁଆଡ଼ୁ ଆସନ୍ତି ତାହା କହିବା ମୁସ୍କିଲ।

ଏକାଠି ହୁଅନ୍ତି ୧୦ ପ୍ରଜାତିର ପକ୍ଷୀ

ବର୍ଷା ଦିନେ ୧୦ ପ୍ରଜାତିର ପକ୍ଷୀମାନଙ୍କୁ ଏଠି ଦେଖିବାକୁ ମିଳିଥାଏ। ସେମାନଙ୍କ ମଧ୍ୟରେ ରହିଛନ୍ତି  ଗେଣ୍ଡାଳିଆ, ରାଣୀ ବଗ, ମଝିଆଁ ବଗ, ଚୁଳିଆ ବଗ, ଖଇରା ବଗ, ଅଞ୍ଜନା ବଗ, ଅନ୍ଧାରିଆ ବଗ, ଦା ବେଣ୍ଟିଆ, ପାଣି କୁଆ ଓ କାପର ଖାଇ। ଏମାଙ୍କ ପ୍ରଜାତି ଅଲଗା ଅଲଗା ହେଲେ ମଧ୍ୟ ପ୍ରଜନନ ସ୍ଥାନ ଅଲଗା ନୁହେଁ। ଲୁଣା ଜଙ୍ଗଲରେ ବିଭିନ୍ନ ଗଛ ରହିଥିବା ବେଳେ  ଏମାନେ କେବଳ ନିର୍ଦ୍ଦିଷ୍ଟ ଲୁଣା ଗଛ ବନି ଓ ଗୁଆଁ ଡାଳରେ ବସା ବାନ୍ଧିଥାନ୍ତି। ଚଳିତ ବର୍ଷ କେବଳ ଚୋରନ୍ଦା ନାମକ ଏକ ଗଛରେ କିଛି ପକ୍ଷୀ ବସା ବାନ୍ଧି ଥିବାର ଲକ୍ଷ୍ୟ କରାଯାଇଛି।

ପକ୍ଷୀମାନଙ୍କର ପରିବାର

ମଣିଷ ଯେମିତି ପରିବାର ନେଇ ଜୀବନଯାପନ କରିଥାନ୍ତି ଠିକ୍ ସେମିତି ଏହି ପକ୍ଷୀମାନେ ପରିବାର ନେଇ ବଞ୍ଚିଥାନ୍ତି। ଯେତେବେଳେ ପୁରୁଷ ଓ ମା’ ଚଢ଼େଇ ଜଙ୍ଗଲକୁ ଆସନ୍ତି ସେତେବେଳେ ସେମାନେ ବୁଲି ବୁଲି ଗଛର ଡାଳ ଖୋଜି ବୁଲନ୍ତି। ନିରାପଦ ଡାଳ ମିଳିଗଲା ପରେ ଗଛ ଡାଳରେ ବସି ରହେ ମା’ ଚଢ଼େଇ। ପୁରୁଷ ଚଢ଼େଇ ଚାଲିଯାଏ ଜଙ୍ଗଲକୁ। ବସା ତିଆରି କରିବା ପାଇଁ ଖୋଜିଥାଏ ଡାଳ ପତ୍ର। ଜଙ୍ଗଲରୁ ଖଣ୍ଡିଏ ଖଣ୍ଡିଏ ଡାଳ ଥଣ୍ଟରେ ବୋହି ଆଣେ ପୁରୁଷ ଚଢ଼େଇ। ବଢେଇ ଦିଏ ମା’ ଚଢ଼େଇ ନିକଟକୁ। ମା’ ଚଢ଼େଇ ଗଛ ଡାଳରେ ବସା ବାନ୍ଧେ। ବସା ବାନ୍ଧିବା ପରଠାରୁ ବସା ଛାଡ଼ି ଯାଏନା ମା’ ଚଢ଼େଇ। କିଛି ଦିନ ପରେ ମା’ ଚଢ଼େଇଟି ଅଣ୍ଡା ଦିଏ ବସାରେ। ପୁରୁଷ ଚଢ଼େଇଟି ଚାଲିଯାଏ ଖାଦ୍ୟ ସଂଗ୍ରହରେ।

ଏମାନଙ୍କ ପାଇଁ ଭତରକନିକା ବନାଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ସାଇତି ରଖିଛି ପ୍ରକୃତି। ମାଛ, କଙ୍କଡ଼ା, କୋଚିଆ, ଛୋଟଛୋଟ ସାପ ଆଦିକୁ ପୁରୁଷ ଚଢ଼େଇ ଥଣ୍ଟରେ ବୋହି ଆଣିଥାଏ ବସାକୁ। ଉଭୟେ ଆନନ୍ଦରେ ଖାଆନ୍ତି। ଯଦି ବସାରୁ କାଠି ଡାଳ କିଛି ଖସିପଡ଼େ ତାକୁ ମରାମତି ମଧ୍ୟ କରିଥାନ୍ତି ଏମାନେ।

ଅଣ୍ଡାରୁ ଛୁଆ ଫୁଟିବା ପରେ ମା’ ଚଢ଼େଇ ଛୁଆମାନଙ୍କୁ ନିଜ ଡେଣାରେ ଘୋଡ଼େଇ ରଖିଥାଏ।। ବର୍ଷା ପାଣିର ଛିଟା ଛୁଆମାନଙ୍କ ଉପରେ ପଡ଼ିବାକୁ ଦିଏନା ମା’। ଛୁଆମାନେ ଖାଇବା ଶିଖିଗଲେ ଉଭୟ ମା’ ଓ ପୁରୁଷ ଚଢ଼େଇ ଯାଆନ୍ତି ଛୁଆମାନଙ୍କ ପାଇଁ ଖାଦ୍ୟ ସଂଗ୍ରହରେ।

ଭିତରକନିକା ଅଭୟାରଣ୍ୟରେ ବୁଲି ବୁଲି ମା’ ଓ ପୁରୁଷ ଚଢ଼େଇ ବଡ଼ ବଡ଼ ମାଛ ଖାଇଥାନ୍ତି। ଛୁଆମାନଙ୍କ ପାଇଁ ଏମାନେ ଛୋଟଛୋଟ ମାଛ ସବୁ ସଂଗ୍ରହ କରି ଆଣିଥାନ୍ତି। ଛୋଟ ମାଛକୁ ଥଣ୍ଟରେ ଧରି  ମା’ ଛୁଆମାନଙ୍କ ଥଣ୍ଟ ଭିତରେ ଭର୍ତ୍ତି କରିଦିଏ। ଛୁଆ ଚଢ଼େଇ ବଡ଼ ହେବା ପରେ ଉଭୟ ମା’ ଓ ପୁରୁଷ ଚଢ଼େଇ ଏମାନଙ୍କୁ ଉଡ଼ିବା ଶିଖାଇଥାନ୍ତି। ପରେ ଛୁଆମାନେ ମା’ ଓ ପୁରୁଷ ଚଢ଼େଇମାନଙ୍କ ସହିତ ମିଶି ଖାଦ୍ୟ ସଂଗ୍ରହରେ ଯାଇଥାନ୍ତି।

ଛୁଆ ଉଡି ଶିଖିବା ସହିତ ଖାଦ୍ୟ ସଂଗ୍ରହ କରି ଶିଖିଲେ ଛୁଆମାନଙ୍କୁ ସାଙ୍ଗରେ ଧରି ଉଭୟ ମା’ ଓ ପୁରୁଷ ଚଢ଼େଇ ବସା ଛାଡ଼ି ଉଡ଼ି ଯାଆନ୍ତି ବୋଲି କହିଛନ୍ତି ଡାଙ୍ଗମାଳ ଗାଁର ପରିବେଶବିତ ବିଜୟ କୁମାର ଦାସ।

ବସାରେ ଫୁଟିଲାଣି ଅଣ୍ଡା

ଚଳିତ ବର୍ଷ ଭିତରକନିକାର ବଗଗହନ ଜଙ୍ଗଲକୁ ଛାଡ଼ି ମଠଆଡ଼ିଆ ଜଙ୍ଗଲର ଡାଳରେ ବସା ବାନ୍ଧିଛନ୍ତି ଏହି ଚଢ଼େଇମାନେ। ଗତବର୍ଷ ଏମାନଙ୍କ ସଂଖ୍ୟା ୧ ଲକ୍ଷ ୪ ହଜାର ୪୯୦ ଥିବା ବେଳେ ଚଳିତ ବର୍ଷ ଏମାନଙ୍କ ସଂଖ୍ୟା ୯୧ ହଜାର ୨୨୪ ରହିଛି।  ବସା ସଂଖ୍ୟା ରହିଛି ୧୯, ୮୯୦।  ଏବେ ସବୁ ବସାରେ ଅଣ୍ଡାରୁ ଛୁଆ ଫୁଟିଗଲେଣି। ପ୍ରାୟ ନଭେମ୍ବର ଶେଷ ଓ ଡିସେମ୍ବର ଆରମ୍ଭ ବେଳକୁ ଏମାନେ ନିଜ ନିଜ ଅଞ୍ଚଳକୁ ଫେରିଯିବେ। ପୁଣି ଲେଉଟିବେ ଆସନ୍ତା ବର୍ଷ ଜୁନ ମାସରେ।

ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ଭିଡ଼

ଭିତରକନିକାର ଏହି ବୈଭବ ସାଉଣ୍ଟିବାକୁ ବିଭିନ୍ନ ଆଡୁ ଛୁଟି ଆସନ୍ତି ପର୍ଯ୍ୟଟକ ଏବଂ ପ୍ରକୃତିପ୍ରେମୀ। ପ୍ରତିଦିନ ଶହ ଶହ ପର୍ଯ୍ୟଟକମାନଙ୍କର ପାଦପଡ଼େ ବଗଗହନର ଚଢ଼େଇ ପ୍ରଜନନ ସ୍ଥାନରେ। ହେଲେ ପର୍ଯ୍ୟଟକ ମାନଙ୍କ ପାଇଁ ସେତେଟା ସୁବିଧା ସୁଯୋଗ ଦେବାକୁ ସକ୍ଷମ ହୋଇ ନାହାନ୍ତି ବନ ବିଭାଗ।

କେବଳ ବଗଗହନଠାରେ ସୁଉଚ୍ଚ ଟାୱାର ନିର୍ମାଣ କରାଯାଇଛି। ଏହି ଟାୱାରରେ ଚଢ଼ି ପର୍ଯ୍ୟଟକମାନେ ଚଢ଼େଇମାନଙ୍କ ପ୍ରଜନନସ୍ଥଳକୁ ପାଖରୁ ଦେଖିପାରିବେ। ହେଲେ ମଠଆଡ଼ିଆଠାରେ ଏପର୍ଯ୍ୟନ୍ତ ନିର୍ମାଣ ହୋଇ ପାରିନି ଟାୱାର। ଏପରିକି ମଠଆଡିଆକୁ ବୁଲିଯିବାକୁ ସେତେ ଭଲ ବ୍ୟବସ୍ଥା କରାଯାଇପାରିନି। ଏବେ ଚଢ଼େଇମାନେ ବଗଗହନ ଛାଡ଼ି ମଠଆଡ଼ିଆରେ ଅଣ୍ଡା ଦେଉଥିବାରୁ ବନ ବିଭାଗ ପର୍ଯ୍ୟଟକମାନଙ୍କ ପାଇଁ ମଠଆଡ଼ିଆରେ ସ୍ୱତନ୍ତ୍ର ବ୍ୟବସ୍ଥା କରିପାରିଲେ ଭିତରକନିକା ଆହୁରି ଅଧିକ ପର୍ଯ୍ୟଟକମାନଙ୍କୁ ଆକର୍ଷଣ କରିପାରନ୍ତା।

Comment