ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ଏବେ କେତେଜଣ ଷ୍ଟାର ବାହା ହେବାକୁ ତରତର ହେଲେଣି। ଆସନ୍ତୁ ନଜର ପକାଇବା ସେମାନଙ୍କ ଉପରେ…

ବଲିଉଡର ଲୋକପ୍ରିୟ ନାୟିକା ଅନୁଷ୍କା ଶର୍ମା ଓ ସୋନମ୍ କପୁର ବିବାହ ବନ୍ଧନରେ ଆବଦ୍ଧ ହୋଇ ବେଶ୍ ସୁଖୀ ଦାମ୍ପତ୍ୟ ବିତାଉଥିବା କୁହାଯାଇଛି। ଏବେ ଆଉ କେତେକ ବଲିଉଡ ତାରକା ସେମାନଙ୍କ ପଛେ ପଛେ ବାହା ହେବାକୁ ହମ୍ ହମ୍ ହେଲେଣି। ଆସନ୍ତୁ ଜାଣିବା ସେମାନଙ୍କ ସମ୍ପର୍କରେ…

ପ୍ରିୟଙ୍କା ଚୋପ୍ରା

ବଲିଉଡ ଓ ହଲିଉଡରେ ନାୟିକା ଭାବେ ଲୋକପ୍ରିୟତା ହାସଲ କରିଥିବା ପ୍ରିୟଙ୍କା ଚୋପ୍ରା ବେଶ୍ କିଛି ଦିନ ତଳେ ନିଜର ବୟଫ୍ରେଣ୍ଡ୍ ନିକ୍ ଜୋନ୍‌ସଙ୍କ ସହ ଏନ୍‌ଗେଜମେଣ୍ଟ୍ ସାରିଛନ୍ତି। ଅର୍ଥାତ୍ ସେ ବିବାହ ହେବାକୁ ପ୍ରସ୍ତୁତ ହୋଇ ସାରିଛନ୍ତି। ଯାହା ଜଣାପଡ଼ୁଛି ପ୍ରିୟଙ୍କା ଆକସ୍ମିକ ଭାବେ ବିବାହ କରିପାରନ୍ତି।

ଦୀପିକା ପାଦୁକୋନ୍- ରଣବୀର ସିଂହ

ବଲିଉଡର ଲଭ ବାର୍ଡସ ଦୀପିକା ପାଦୁକୋନ୍ ଓ ରଣବୀର ସିଂହ ପ୍ରକାଶ୍ୟରେ କିଛି କହୁ ନଥିଲେ ବି ଉଭୟଙ୍କର ବାହାଘର ଲାଗି ଉଭୟଙ୍କ ପରିବାର ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଏହି ପ୍ରେମୀ ଯୁଗଳ ବିରାଟ- ଅନୁଷ୍କାଙ୍କ ଭଳି ବିଦେଶରେ ବିବାହ କରିବାର ମଧ୍ୟ ସୂଚନା ମିଳୁଛି। ଆହୁରି ମଧ୍ୟ କୁହାଯାଉଛି, ବାହାଘର ପାଇଁ ଦୀପିକା ଏବେ ବ୍ରେକ ନେଇଛନ୍ତି। ରଣବୀର ସିଂହ କିନ୍ତୁ ଫିଲ୍ମ ପରେ ଫିଲ୍ମ ସାଇନ୍ କରୁଛନ୍ତି।

ବରୁଣ ଧୱନ୍

ବଲିଉଡର ହାର୍ଟଥ୍ରୋବ୍ ବରୁଣ ଧୱନ ତାଙ୍କର ଗର୍ଲଫ୍ରେଣ୍ଡଙ୍କୁ ଖୁବ୍ ଶୀଘ୍ର ବାହା ହେବେ ବୋଲି ଶୁଣାଯାଉଛି। ଇତିମଧ୍ୟରେ ବରୁଣ ସେମାନଙ୍କ ରହିବା ଲାଗି ନୂଆ ଘର ମଧ୍ୟ କିଣି ସାରିଲେଣି। ତେବେ ବରୁଣ କେବେ ବାହା ହେବେ ତାକୁ ନେଇ ଫ୍ୟାନମାନଙ୍କ ମଧ୍ୟରେ ଉତ୍କଣ୍ଟା ଲାଗି ରହିଛି। ଯାହା ଜଣାଯାଉଛି ବରୁଣ ଏ ବର୍ଷ ନୁହେଁ, ବରଂ ଆରବର୍ଷ ବାହା ହେବେ।

ରଣବୀର କପୁର- ଆଲିଆ ଭଟ୍ଟ

ଯେବେଠୁଁ ‘ବ୍ରହ୍ମାସ୍ତ୍ର’ ସିନେମାରେ ରଣବୀର କପୁର ଓ ଆଲିଆ ଭଟ୍ଟ ଏକାଠି କାମ କରିଲେଣି, ସେବେଠାରୁ ଏ ଦୁହିଁଙ୍କର ପ୍ରେମ କାହାଣୀ ଲୋକଙ୍କ ମୁହଁରେ ରହିଛି। କିଛି ମାସ ତଳେ ଚର୍ଚ୍ଚା ହେଉଥିଲା ଯେ, ରଣବୀର ଓ ଆଲିଆଙ୍କ ବାହାଘର ପ୍ରସଙ୍ଗକୁ ନେଇ ଉଭୟ ପରିବାରଙ୍କ ଭିତରେ ସାକ୍ଷାତ ହେବ। କିନ୍ତୁ ସେଭଳି କିଛି ଘଟିନାହିଁ।

ଏଣେ ‘ବ୍ରହ୍ମାସ୍ତ୍ର’ର ନିର୍ମାତା କରଣ ଜୋହର ଚାହୁଁନାହାନ୍ତି କି ରଣବୀର ଓ ଆଲିଆ ଫିଲ୍ମଟି ରିଲିଜ୍ ହେବା ଆଗରୁ ବାହା ହୁଅନ୍ତୁ। ବୋଧହୁଏ ଏଥିପାଇଁ ଦୁହେଁ ଅଟକିଛନ୍ତି। ରଣବୀର ଓ ଆଲିଆ ବାହା ହେବାକୁ ତ ତରତର ହେଲେଣି, ମାତ୍ର ସେଥିପାଇଁ ଉପଯୁକ୍ତ ସମୟ ଆସିନାହିଁ ବୋଲି କୁହାଯାଉଛି।

ତମନ୍ନା

ବଲିଉଡରେ ହିମ୍ମତୱାଲା ଓ ହାଉସଫୁଲ-୩ ଭଳି ସିନେମାରେ ନାୟିକା ଭାବେ ନଜର ଆସିଥିବା ତମନ୍ନା ଭାଟିଆଙ୍କ ଘରେ ଶୀଘ୍ର ଶେହନାଇ ବାଜିବ ବୋଲି ଜଣାଗଲାଣି। ଇତିମଧ୍ୟରେ ତମନ୍ନାଙ୍କ ପାଇଁ ବରପାତ୍ର ଖୋଜା ସରିଲାଣି। କୁହାଯାଉଛି ଯେ, ତମନ୍ନାଙ୍କ ଭାବି ସ୍ୱାମୀ ବିଦେଶରେ ରହୁଛନ୍ତି। ଯାହା ଜଣାପଡ଼ୁଛି ତମନ୍ନା ବି ବାହା ହେବା ମୁଡ଼ରେ ଅଛନ୍ତି ଓ ଆସନ୍ତା ବର୍ଷ ବିବାହ ବନ୍ଧନରେ ଆବଦ୍ଧ ହେବେ।

Comment