ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯଦି ଅକ୍ଷୟ ମହାନ୍ତିଙ୍କୁ ଓଡ଼ିଶାର କିଶୋର କୁମାର କୁହାଯିବ ଓ ପ୍ରଣବ ପଟ୍ଟନାୟକଙ୍କୁ ମୁକେଶ, ତାହାଲେ ଓଡ଼ିଆ ସଙ୍ଗୀତର ମହମ୍ମଦ ରଫି ହେଉଛନ୍ତି ଚିତ୍ତ ଜେନା। ତାଙ୍କର ପରଲୋକରେ ଓଡ଼ିଶା ଜଣେ ମହାନ କଳାକାରଙ୍କୁ ହରାଇଛି। ଚିତ୍ତ ଜେନା ପ୍ରକୃତ ଅର୍ଥରେ  ଥିଲେ ଜଣେ ସାଧକ। ମହମ୍ମଦ ରଫିଙ୍କ କଣ୍ଠରେ ଯେଉଁ ସାବଲୀଳତା ଥିଲା, ଯେଉଁ ଆକର୍ଷଣ ଥିଲା, ଚିତ୍ତ ଜେନାଙ୍କ କଣ୍ଠରେ ମଧ୍ୟ ସେହି ଯାଦୁକରୀ ସ୍ପର୍ଶ ଥିଲା। ଚିତ୍ତ ଜେନାଙ୍କ କଣ୍ଠର ମିଠାସ ପାହାଳ ରସଗୋଲାଠାରୁ ବି ଅଧିକ ମିଷ୍ଟ। ଓଡ଼ିଶାରେ ଏଭଳି କୌଣସି ଶ୍ରୋତା ନାହାନ୍ତି ଯିଏ ଚିତ୍ତ ଜେନାଙ୍କ ଗୀତକୁ ଭଲ ପାଇନାହାନ୍ତି – ତାହା ଭଜନ ହେଉ କି ଆଧୁନିକ ଗୀତ  ହେଉ କି ଚଳଚ୍ଚିତ୍ର ଗୀତ ହେଉ।

ଚିତ୍ତ ଜେନାଙ୍କ ଲୋକପ୍ରିୟତା ପ୍ରଥମେ ସାମ୍ନାକୁ  ଆସେ ମମତା ଚିତ୍ରର ସେହି ଗୀତ ‘ଦେଖି ସେ ବଣ ମଲ୍ଲୀ’ରୁ। ‘ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର'(ସେହି ମମତା ଫିଲ୍ମ) ତ ପିଢ଼ି ପିଢ଼ି ଧରି ଶ୍ରୋତାଙ୍କୁ ଧରି ରଖିଛି। ଚିତ୍ତ ଜେନା ଥିଲେ ଓଡ଼ିଆ ଚଳଚ୍ଚିତ୍ରର ସୁବର୍ଣ୍ଣ ଯୁଗର କଳାକାର। ଯେଉଁ ସମୟରେ ଅକ୍ଷୟ ମହାନ୍ତି, ସିକନ୍ଦର ଆଲାମ, ପ୍ରଫୁଲ୍ଲ କର, ପ୍ରଣବ ପଟ୍ଟନାୟକ ଓ ତାନ୍ସେନ
ସିଂହଙ୍କ ଓଡ଼ିଆ ଫିଲ୍ମ ପ୍ରଚ୍ଛଦପଟ ସଙ୍ଗୀତରେ ଖୁବ୍ ଦବଦବା ରହିଥିଲା।

ଚିତ୍ତ ଜେନା ଭଜନରେ ମଧ୍ୟ ଖୁବ୍ ଲୋକପ୍ରିୟ ଥିଲେ। ‘ବନ୍ଧୁ ମହାନ୍ତି’  ଚଳଚ୍ଚିତ୍ରର ସେହି ଭଜନ ବନ୍ଧୁରେ…କାହିଁ ଗଲେ ଶ୍ୟାମଘନ ଏ ଘନ କାଳରେ’ ଆଜି ପର୍ଯ୍ୟନ୍ତ ଲୋକେ ମନେ ରଖିଛନ୍ତି ଓ ଯିଏ ବି ଏହାକୁ ଶୁଣୁଛନ୍ତି ତାଙ୍କ ଶରୀରରେ ଶିହରଣ ଖେଳିବାର ଦୃଷ୍ଟାନ୍ତ ରହିଛି।

ଚିତ୍ତ ଜେନା ଏଭଳି ସମୟରେ ଗୀତ ଗାଉଥିଲେ ଯେତେବେଳେ ଗାୟକମାନଙ୍କୁ ପାରିଶ୍ରମିକ ଆକାରରେ ଯାହା ମିଳୁଥିଲା ତାହା ନଗଣ୍ୟ। ତାଙ୍କ  ଭଳି ଅକ୍ଷୟ ମହାନ୍ତି ମଧ୍ୟ ସଙ୍ଗୀତ ପାଇଁ ସବୁ କିଛି ତ୍ୟାଗ କରିଥିଲେ। ଚିତ୍ତ ଜେନା ଓ ଅକ୍ଷୟ ମହାନ୍ତିଙ୍କ ଯୋଡ଼ି ହିନ୍ଦୀ ଫିଲ୍ମ ଜଗତର ଯେ କୌଣସି ଯୋଡ଼ିଠାରୁ କମ ନଥିଲା। ଆଜି ଓଡ଼ିଆ ଚଳଚ୍ଚିତ୍ର ଗୀତ ଓ ସଙ୍ଗୀତ ତାର ମୌଳିକତା ହରାଇ ବସିଥିବା ବେଳେ ଚିତ୍ତ ଜେନାଙ୍କ ବିୟୋଗରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ତାହା ପୂରଣ କରିବା ସହଜ ନୁହେଁ।

Comment