ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ସରକାରଙ୍କ ବିନା ଅନୁମତିରେ ଆନ୍ଧ୍ରରେ ଯାଞ୍ଚ କରିପାରିବନି ସିବିଆଇ।

ରାଜ୍ୟ ସରକାରଙ୍କ ବିନା ଅନୁମତିରେ ଆନ୍ଧ୍ରପ୍ରଦେଶରେ ପ୍ରବେଶ କରିପାରିବନି ସିବିଆଇ। କେନ୍ଦ୍ର ସରକାରଙ୍କୁ ଶୁକ୍ରବାର ସିଧାସଳଖ ଏହି ଚାଲେଞ୍ଜ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ରାଜ୍ୟରେ ପ୍ରବେଶ କରିବା ପାଇଁ ସିବିଆଇକୁ ଦିଆଯାଇଥିବା ସ୍ୱତନ୍ତ୍ର ଅନୁମତିକୁ ଶୁକ୍ରବାର ଅପସାରଣ କରି ନେଇଛନ୍ତି ଆନ୍ଧ୍ରପ୍ରଦେଶ ସରକାର।

ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଚନ୍ଦ୍ରବାବୁଙ୍କ ଏହି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଦିଲ୍ଲୀ ସ୍ପେଶାଲ ପୋଲିସ ଏଷ୍ଟାବ୍ଲିସମେଣ୍ଟ ଆକ୍ଟକୁ ଆଧାର କରି ଆନ୍ଧ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି। ଚିଠିରେ ଦର୍ଶାଇଛନ୍ତି ଯେ ସିବିଆଇରେ ବର୍ତ୍ତମାନ ଚାଲିଥିବା  ଗଣ୍ଡଗୋଳ ଏହାର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଲଗାଇଛି।

ସିବିଆଇକୁ ଲଗାଇ ବିଜେପି ଆନ୍ଧ୍ରରେ ରାଜନୈତିକ ଗେମ୍ ଖେଳୁଥିବାରୁ ଏମିତି କିଛି ପଦକ୍ଷେପ ନେଇଛନ୍ତି ସରକାର। ବର୍ତ୍ତମାନ ରାଜ୍ୟ ଯାଞ୍ଚ ଏଜେନ୍ସି (ଏସିବି) ରାଜ୍ୟରେ ସିବିଆଇ ଭୂମିକା ନିଭାଇବ। ଚନ୍ଦ୍ରବାବୁ ନାଇଡ଼ୁଙ୍କ ଏହି ନିଷ୍ପତ୍ତିରେ କେନ୍ଦ୍ର ଏବଂ ରାଜ୍ୟ ସରକାର ମୁହାଁମୁହିଁ ସ୍ଥିତିକୁ ଆସିଛନ୍ତି।

ସିବିଆଇରେ ବର୍ତ୍ତମାନ ଯେଉଁ ବିବାଦ ସୃଷ୍ଟି ହୋଇଛି ତାହାଦ୍ୱାରା ସିବିଆଇ ତାହାର ପବିତ୍ରତା, ଅଖଣ୍ଡତା ଏବଂ ବିଶ୍ୱସନୀୟତାକୁ ହରାଇଥିବା ଆନ୍ଧ୍ର ସରକାର ଅନୁଭବ କରିଛନ୍ତି। ଏହି କାରଣରୁ ଆନ୍ଧ୍ର ମାମଲାରେ ସିବିଆଇର ହସ୍ତକ୍ଷେପକୁ ବରଦାସ୍ତ କରାଯିବନି। ଅନ୍ୟପଟେ ଚନ୍ଦ୍ରବାବୁଙ୍କ ନିଷ୍ପତ୍ତିକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମର୍ଥନ କରିଛନ୍ତି।

ମୋଦି ବିରୋଧୀ ମେଣ୍ଟର ନେତୃତ୍ୱ ନେଉଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଏମିତି ଏକ ଚିଠି ବଳରେ ବିଜେପିର ପ୍ରଭାବ ହ୍ରାସ କରିବାକୁ ଚେଷ୍ଟା କରିଛନ୍ତି ଚନ୍ଦ୍ରବାବୁ।

Comment