ଓଡ଼ିଶାଲାଇଭ୍ ବ୍ୟୁରୋ

ମ୍ୟାଲେରିଆ ହ୍ରାସ କ୍ଷେତ୍ରରେ ଓଡିଶା ସରକାରଙ୍କ ଯୋଜନା ଏବେ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ୨୦୧୮ ବିଶ୍ୱ ମ୍ୟାଲେରିଆ ରିପୋର୍ଟରେ ଓଡିଶାରେ ମ୍ୟାଲେରିଆ ନିରାକରଣକୁ ଉଚ୍ଚ ପ୍ରଶଂସା କରାଯାଇଛି। ଭାରତରେ ମ୍ୟାଲେରିଆ ମୁକାବିଲା କ୍ଷେତ୍ରରେ ଓଡିଶା ରୋଲ୍ ମଡେଲ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଗ୍ଲୋବାଲ ମ୍ୟାଲେରିଆ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଡକ୍ଟର ପେଡ୍ରୋ ଆଲନ୍ସୋ ରିପୋର୍ଟ ଉନ୍ମୋଚନ ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ଏହି ରିପୋର୍ଟରେ କୁହାଯାଇଛି ଯେ, ୨୦୦୦ ମସିହା ବେଳକୁ ଦେଶର ଏହି ପୂର୍ବାଞ୍ଚଳ ରାଜ୍ୟ ଥିଲା ମ୍ୟାଲେରିଆ ପ୍ରବଣ। ଦେଶର ୪୦ ପ୍ରତିଶତ ମ୍ୟାଲେରିଆ ରୋଗୀ ଓଡିଶାରେ ଥିଲେ । କିନ୍ତୁ ରାଜ୍ୟ ସରକାରଙ୍କସଫଳ ପଦକ୍ଷେପ ଯୋଗୁଁ ରାଜ୍ୟରେ ମ୍ୟାଲେରିଆ ଏକ ପ୍ରକାର ନିପାତ ସ୍ଥିତିକୁ ଆସିଯାଇଛି।

ସୂଚନା ଅନୁଯାୟୀ, ୨୦୧୪ ମସିହାରେ ରାଜ୍ୟରେ ପାଖାପାଖି ୪ଲକ୍ଷ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବାବେଳେ ୮୯ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁସଂଖ୍ୟା କମି କମି ଗତବର୍ଷ ୨୪ରେ ପହଞ୍ଚିଥିବାବେଳେ ଚଳିତବର୍ଷ ଅକ୍ଟୋବରମାସ ମଧ୍ୟରେ ରାଜ୍ୟରେ ମାତ୍ର ୩ଜଣ ମ୍ୟାଲେରିଆରେ ମରିଥିବା ରେକର୍ଡ ହୋଇଛି।

ମ୍ୟାଲେରିଆ ନିରାକରଣ ଲାଗି ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା ‘ଦମନ’ ଯୋଜନାରୁ ବେଶ ସୁଫଳ ମିଳିଛି। ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରେ ଏହି ଯୋଜନାରେ ରାଜ୍ୟର ୨୪ଟି ମ୍ୟାଲେରିଆ ପ୍ରବଣ ଜିଲ୍ଲାରେ ତିନି ପର୍ଯ୍ୟାୟରେ ପ୍ରାୟ ୪୦୦୦ ରୁ ଅଧିକ ଶିବିର ଆୟୋଜନ ହୋଇଛି। ଏହି ଶିବିର ମାଧ୍ୟମରେ ୧୪ଲକ୍ଷରୁ ଅଧିକ ଲୋକଙ୍କ ରକ୍ତ ପରୀକ୍ଷା କରାଯାଇ ଚିହ୍ନଟ ରୋଗୀମାନଙ୍କୁ ସମ୍ପୂର୍ଣ୍ଣ ଚିକିତ୍ସା ଯୋଗାଯାଇଛି।

ଏହା ଫଳରେ ମ୍ୟାଲେରିଆ ରୋଗୀ ସଂଖ୍ୟା ଦ୍ରୁତ ବେଗରେ ହ୍ରାସ ପାଇବାରେ ଲାଗିଛି। ମ୍ୟାଲେରିଆ ରୋଗର ପ୍ରମୁଖ କାରଣ ମଶା କାମୁଡା ହୋଇଥିବାବେଳେ ମଶା କବଳରୁ ଲୋକଙ୍କୁ ରକ୍ଷା କରିବାପାଇଁ ୧୭ଟି ମ୍ୟାଲେରିଆ ପ୍ରବଣ ଜିଲ୍ଲାରେ ଏକ କୋଟି୧୩ଲକ୍ଷ ଔଷଧିୟ ମଶାରୀ ବଣ୍ଟନ କରାଯାଇଛି। ଏହାଦ୍ୱାରା ପ୍ରାୟ ୨କୋଟି ହିତାଧିକାରୀ ଉପକୃତ ହୋଇଥିବାବେଳେ ମ୍ୟାଲେରିଆ ନିୟନ୍ତ୍ରଣ କ୍ଷେତ୍ରରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିପାରିଛି।

ଏଥି ସହିତ ୨୧ଟି ଜିଲ୍ଲାରେ ଘର ଭିତରେ କୀଟନାଶକ ସିଞ୍ଚନ, ମ୍ୟାଲେରିଆ ନିରାକରଣ ସଂକାନ୍ତରେ ୪୭ହଜାରରୁ ଅଧିକ ଆଶାକର୍ମୀଙ୍କୁ ତାଲିମ, ତୁରନ୍ତ ରୋଗ ଚିହ୍ନଟ ପାଇଁ ରାପିଡ୍ କିଟ୍ ଓ ମ୍ୟାଲେରିଆ ଔଷଧ ଯୋଗାଣ ସହିତ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ରାଜ୍ୟ ସରକାର ହାତକୁ ନେଇଛନ୍ତି।
ଆସନ୍ତା ୨୦୩୦ ସୁଦ୍ଧା ଦେଶକୁ ମ୍ୟାଲେରିଆ ମୁକ୍ତ କରିବାପାଇଁ ଲକ୍ଷ୍ୟ ସ୍ଥିର ହୋଇଥିବାବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଓଡିଶାକୁ ଏ କ୍ଷେତ୍ରରେ ସାବାସୀ ପ୍ରଦାନ ଏବେ ଉଭୟ ରାଜ୍ୟ ଓ ମ୍ୟାଲେରିଆ ନିୟନ୍ତ୍ରଣ କ୍ଷେତ୍ରରେ କାର୍ଯ୍ୟରତ ଅଧିକାରୀମାନଙ୍କୁ ଉତ୍ସାହିତ କରିଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶଂସା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ନିରନ୍ତର ଉଦ୍ୟମ ଅର୍ନ୍ତଜାତୀୟ ସ୍ତରରେ ପ୍ରଶଂସିତ ହୋଇଥିବାବେଳେ ସମଗ୍ର ଦେଶପାଇଁ ଏହା ଅତ୍ୟନ୍ତ ଗୌରବର ବିଷୟ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସମ୍ପର୍କମନ୍ତ୍ରୀ ପ୍ରତାପ ଜେନା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟରେ ଓଡିଶାର ସଫଳତା ପାଇଁ ବିଭାଗକୁ ଧନ୍ୟବାଦ ଜଣାଇ ଧାର୍ଯ୍ୟ ସମୟ ପୂର୍ବରୁ ଓଡିଶାକୁ ସମ୍ପୂର୍ଣ୍ଣ ମ୍ୟାଲେରିଆମୁକ୍ତ କ୍ଷେତ୍ରରେ ମିଳିତଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି।

Comment