ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ବଡ଼ ବଡ଼ ସୁପରଷ୍ଟାର ଅଭିନୟ କରିଥିବା ଏପରି ଅନେକ ଫିଲ୍ମ ରହିଛି, ଯାହା ପରବର୍ତ୍ତୀ ସମୟରେ  ସୁପରଫ୍ଲପ୍ ହୋଇଛି। ଆସନ୍ତୁ ଜାଣିବା ସୁପରଫ୍ଲପ୍‌ ହୋଇଥିବା ଫିଲ୍ମ ସମ୍ପର୍କରେ…

ଚଳିତବର୍ଷ ରିଲିଜ୍‌ ହୋଇଥିବା ‘ଠଗ୍ସ ଅଫ୍‌ ହିନ୍ଦୋସ୍ତାନ୍‌’ରେ ଅମୀର ଖାନ୍ ଓ ଅମିତାଭ ବଚ୍ଚନଙ୍କ ପରି ଦୁଇ ମେଗାଷ୍ଟାର୍‌ଙ୍କୁ ଦର୍ଶକ ପ୍ରଥମ ଥର ପାଇଁ ଏକାଠି ଦେଖିବାକୁ ପାଇଥିଲେ। ଏ ଦୁଇ ଜଣଙ୍କୁ ପ୍ରଥମ ଥର ଏକାଠି ଦେଖି ଦର୍ଶକ ଆଶା କରିଥିଲେ ଯେ, ଫିଲ୍ମ ଭଲ ହୋଇଥିବ। ଏଥିସହ ବିତରକମାନେ ଆଶା ବାନ୍ଧିଥିଲେ ଯେ, ଫିଲ୍ମରୁ ସେମାନେ ଭଲ ଆୟ କରିବେ।

କିନ୍ତୁ ସେଭଳି କିଛି ଘଟିନାହିଁ  ‘ଠଗ୍ସ ଅଫ୍‌ ହିନ୍ଦୋସ୍ତାନ୍‌’ କ୍ଷେତ୍ରରେ। ୟଶରାଜ ଫିଲ୍ମସ ବ୍ୟାନରରେ ନିର୍ମିତ ତଥା ବିଜୟ କୃଷ୍ଣ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ରେକର୍ଡ ବ୍ରେକ୍‌ ଓପନିଂ ମିଳିଥିଲା ଅବଶ୍ୟ। ପ୍ରଥମ ଦିନ ଏହା ବକ୍ସ ଅଫିସରେ ୫୨.୫୦ କୋଟି ଟଙ୍କାର କଲେକସନ୍‌ କରିଥିଲା। ମାତ୍ର ତା’ପର ଦିନ ଏହାର କଲେକ୍ସନ୍‌ ଖସି ଆସିଥିଲା ୨୮.୨୫ କୋଟିକୁ, ପୁଣି ତା’ପରେ ୨୨.୭୫, ୧୭.୨୫, ୫.୫୦, ୪.୩୫ କୋଟି ଏମିତି ପ୍ରଥମ ସପ୍ତାହରେ ଠଗ୍ସ ଅଫ୍‌ ହିନ୍ଦୋସ୍ତାନ୍‌’ ମାତ୍ର ୧୩୩ କୋଟି ଟଙ୍କାର ସର୍ବମୋଟ ଆୟ କରିଛି।

ସିନେମା ଟ୍ରେଡ୍‌ ବିଶ୍ଲେଷକଙ୍କ ମତ ଅନୁଯାୟୀ ‘ଠଗ୍ସ ଅଫ୍‌ ହିନ୍ଦୋସ୍ତାନ୍‌’ର ଅଲଟାଇମ୍‌ ବ୍ୟବସାୟ ୧୫୦ ରୁ ୧୫୫ କୋଟି ମଧ୍ୟରେ ସୀମିତ ରହିବ। ସବୁଠୁ ବଡ଼ କଥା ହେଲା ଯେ, ଏହି ସିନେମାକୁ ସର୍ବାଧିକ ୫ ହଜାର ଥିଏଟରରେ ରିଲିଜ୍‌ କରାଯାଇଥିଲା।

କୁହାଯାଉଛି ଯେ, ୨୫୦ କୋଟି ଟଙ୍କାର ବଜେଟ୍‌ରେ ନିର୍ମିତ ଏହି ସିନେମା ତା’ର ବଜେଟ୍ ମଧ୍ୟ ବାହାର କରିବା କଷ୍ଟକର। ଖାଲି ସେତିକି ନୁହେଁ ଏଥିରେ କାଟ୍ରିନା କୈଫ୍‌ଙ୍କ ପରି ହଟ୍ ହିରୋଇନ୍‌ ଥାଇ ବି ଫିଲ୍ମକୁ ରକ୍ଷା କରିପାରିଲେନି। ଯାହା ଜଣାପଡ଼ୁଛି ଏହା ୨୦୧୮ର ଏବଂ ଅମୀର ଖାନ୍‌ଙ୍କ କ୍ୟାରିଅର୍‌ର ସବୁଠାରୁ ବଡ଼ ସୁପରଫ୍ଲପ୍‌ ଫିଲ୍ମ ଥିଲା।

ଅମୀର ଖାନ୍‌ଙ୍କ ପୂର୍ବରୁ ୨୦୧୮ରେ ଆଉ ଜଣେ ସୁପରଷ୍ଟାର୍ ଖାନ୍‌ଙ୍କର ବି ଗୋଟିଏ ଫିଲ୍ମ ଫ୍ଲପ୍ ହୋଇଛି। ସେ ହେଲେ ବଲିଉଡର ଦବଙ୍ଗଷ୍ଟାର ସଲମାନ୍ ଖାନ୍‌। ତାଙ୍କ ଅଭିନୀତ ଫିଲ୍ମ ‘ରେସ୍-୩’କୁ ୨୦୧୮ର ଏକ ସୁପରଫ୍ଲପ୍‌ ଫିଲ୍ମ ଭାବେ ଗ୍ରହଣ କରାଯାଉଛି। ଏହା ବକ୍ସ ଅଫିସରେ ମାତ୍ର ୧୬୬ କୋଟି ଟଙ୍କାର କଲେକ୍ସନ୍ କରିଥିଲା।

ବିଗତ କିଛି ବର୍ଷ ଧରି ସଲମାନ୍‌ ଖାନ୍‌ଙ୍କ ଅଭିନୀତ ଅଧିକାଂଶ ଫିଲ୍ମ ବକ୍ସ ଅଫିସରେ ସୁପରହିଟ୍ ସାବ୍ୟସ୍ତ ହୋଇଛି। ସେଗୁଡ଼ିକ ୨୦୦ ଓ ୩୦୦ କୋଟିରୁ ମଧ୍ୟ ଅଧିକ କଲେକ୍ସନ୍‌ କରିଛି, ମାତ୍ର ‘ରେସ୍‌-୩’ କ୍ଷେତ୍ରରେ ତାହା ଘଟିନଥିଲା।

୨୦୧୮ର ଏକ ବହୁ ପ୍ରତିକ୍ଷିତ ସିନେମା ଥିଲା ‘ଫନ୍ନେ ଖାନ୍‌’। ଏଥିରେ ଐଶ୍ୱର୍ଯ୍ୟା ରାୟବଚ୍ଚନ, ରାଜ କୁମାର ରାଓ ଏବଂ ଅନୀଲ କପୁର ମୁଖ୍ୟ ଭୂମିକାରେ ଥିଲେ। ଏହା ବି ବକ୍ସ ଅଫିସରେ ସୁପରଫ୍ଲପ୍‌ ହୋଇଛି। ଏହା ୧୬.୫୫ କୋଟି ଆୟ କରିଛି। ଠିକ୍‌ ସେହିପରି ସୈଫ୍ ଅଲ୍ଲୀ ଖାନଙ୍କ ଅଭିନୀତ ଫିଲ୍ମ ‘ବାଜାର୍’ ବି ସୁପରଫ୍ଲପ୍‌ ହୋଇଛି। ଏହା ମାତ୍ର ୨୨.୫୨ କୋଟି ଟଙ୍କାର ଆୟ କରିଛି।

ଠିକ୍ ସେହିପରି ଶାହିଦ୍‌ କପୁର ଷ୍ଟାରର ମୁଭି ‘ବତ୍ତି ଗୁଲ୍‌ ମିଟର ଚାଲୁ’ ମୋଟ ୪୪.୬୩ କୋଟି ଟଙ୍କାର ଲାଇଫ୍‌ ଟାଇମ୍‌ ଆୟ କରି ଚଳିତବର୍ଷ ଫ୍ଲପ୍‌ ତାଲିକାଭୁକ୍ତ ହୋଇଛି। ସୋନାକ୍ଷୀ ସିହ୍ନାଙ୍କ ‘ହାପି ଫିର୍‌ ଭାଗ ଜାଏଗି’ ବି ମାତ୍ର ୨୭.୮୫ କୋଟି ଟଙ୍କାର କଲେକ୍ସନ୍‌ କରି ଫ୍ଲପ୍‌ ତାଲିକାକୁ ଆସିଯାଇଛି।

ଠିକ୍‌ ସେହିପରି ଅର୍ଜୁନ କପୁର ଓ ପରିଣୀତି ଚୋପ୍ରା ଷ୍ଟାରର ବହୁ ପ୍ରତିକ୍ଷିତ ମୁଭି ‘ନମସ୍ତେ ଇଂଲଣ୍ଡ’ ମଧ୍ୟ ସୁପରଫ୍ଲପ୍‌ ହୋଇଛି। ଅପରପକ୍ଷରେ ସିଦ୍ଧାର୍ଥ ମାଲହୋତ୍ରା ଷ୍ଟାରର ମୁଭି ‘ଅୟାରି’ ବି ବକ୍ସ ଅଫିସରେ ମାତ୍ର ୨୯.୨୩ କୋଟି ଟଙ୍କାର କଲେକ୍ସନ୍‌ କରି ସୁପରଫ୍ଲପ୍‌ ହୋଇଛି ଏବର୍ଷ।

Comment