ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ 

ସଲମାନ୍‌ ଖାନ୍‌ ତାଙ୍କ ଅଭିନୀତ ବଲିଉଡ ଫିଲ୍ମ ‘ମୈନେ ପ୍ୟାର୍ କିୟା’ରେ ପ୍ରଥମଥର ପାଇଁ ଲିଡ୍ ରୋଲ୍‌ରେ ଅଭିନୟ କରିଥିଲେ। ହେଲେ ସେ ଏହି ଫିଲ୍ମ ପାଇଁ ପ୍ରଥମ ପସନ୍ଦ ନଥିଲେ। ଜାଣନ୍ତୁ ସୁପରଷ୍ଟାର ସଲମାନ୍ ଖାନ୍ ‘ମୈନେ ପ୍ୟାର୍ କିୟା’ ଫିଲ୍ମ କିପରି ପାଇଥିଲେ!

୧୯୮୮ରେ ରିଲିଜ୍ ହୋଇଥିଲା ଏକ ସୁପରହିଟ୍ ଫିଲ୍ମ, ଯାହାର ଟାଇଟଲ୍‌ ଥିଲା ‘ମୈନେ ପ୍ୟାର୍ କିୟା’। ଏହି ଫିଲ୍ମ ସଲମାନ୍‌ ଖାନ୍‌ଙ୍କୁ ଷ୍ଟାର ଆକ୍ଟରର ମାନ୍ୟତା ଦେଇଥିଲା। ଠିକ୍ ସେହିପରି ଏହାର ନିର୍ଦ୍ଦେଶନା ଦେଇଥିବା ସୂରଜ ବଡଜାତ୍ୟାଙ୍କୁ ମିଳିଥିଲା ଷ୍ଟାର୍-ଡିରେକ୍ଟରର ମର୍ଯ୍ୟାଦା। ଖାଲି ସେତିକି ନୁହେଁ, ସୁପ୍ତ ଅବସ୍ଥାରେ ଥିବା ପୁରାତନ ପ୍ରଯୋଜକ ସଂସ୍ଥା ରାଜଶ୍ରୀ ପ୍ରଡକ୍ସନ୍ସ ବି ପୁଣି ଥରେ ସୁପରହିଟ୍‌ ଫିଲ୍ମ ନିର୍ମାଣ କରିଥିଲା ‘ମୈନେ ପ୍ୟାର୍ କିୟା’ ଜରିଆରେ।

‘ମୈନେ ପ୍ୟାର୍ କିୟା’ ରିଲିଜ୍ ହେବାର ଇତିମଧ୍ୟରେ ୩୦ ବର୍ଷ ହୋଇଗଲାଣି। କିନ୍ତୁ ଲୋକେ ଆଜି ବି ଏହି ସିନେମା ଦେଖୁଛନ୍ତି। କାରଣ ଏହା ଏକ ଏଭରଗ୍ରିନ୍ ଫିଲ୍ମ। ଏହି ଫିଲ୍ମରେ ସଲମାନ୍ ଖାନ୍‌ଙ୍କ ବିପକ୍ଷରେ ନାୟିକା ଭୂମିକା ନିଭାଇଥିଲେ ନବାଗତା ଭାଗ୍ୟଶ୍ରୀ। ଏଥିରେ ସଲମାନ୍-ଭାଗ୍ୟଶ୍ରୀଙ୍କ ଯୋଡ଼ି ଜମି ଯାଇଥିଲା। ଏହା ଅବଶ୍ୟ ଭିନ୍ନ କଥା ଯେ ଭାଗ୍ୟଶ୍ରୀ ପ୍ରଥମ ସିନେମାରେ ଷ୍ଟାର୍‌ ବନିଥିଲେ ବି ପରେ ନିଜର ଷ୍ଟାରଡମ୍‌କୁ ବଜାୟ ରଖିବାରେ ସଫଳ ହୋଇନଥିଲେ।

ରାଜଶ୍ରୀ ପ୍ରଡକ୍ସନ୍ସ ଦ୍ୱାରା ପ୍ରଯୋଜିତ ତଥା ସୂରଜ ବଡଜାତ୍ୟାଙ୍କ ‘ମୈନେ ପ୍ୟାର୍ କିୟା’ରେ ସଲମାନ୍‌ଙ୍କ ଅଭିନୀତ ଭୂମିକାର ନାଆଁ ଥିଲା ‘ପ୍ରେମ୍’। ଏହି ସିନେମା ରିଲିଜ୍ ହେବା ପରେ ସଲମାନ୍ ବହୁ ସିନେମାରେ ‘ପ୍ରେମ୍’ ନାଆଁରେ ନଜର ଆସିଛନ୍ତି।

ତେବେ ଆପଣ କ’ଣ ଜାଣନ୍ତି କି ପ୍ରଥମେ ସଲମାନ୍ ଖାନ୍ ‘ମୈନେ ପ୍ୟାର୍ କିୟା’ର ପ୍ରେମ ଭୂମିକା ପାଇଁ ପସନ୍ଦ ନ ଥିଲେ ନିର୍ଦ୍ଦେଶକଙ୍କର। ଏହି କଥାର ଖୁଲାସା କରିଛନ୍ତି ଜଣାଶୁଣା ଚରିତ୍ର ଅଭିନେତା ପୀୟୁଷ ମିଶ୍ର। ହଁ, ପୀୟୁଷ ଥିଲେ ଏହି ଫିଲ୍ମର ନାୟକ ଭୂମିକା ଲାଗି ନିର୍ଦ୍ଦେଶକ ସୂରଜ ବଡଜାତ୍ୟାଙ୍କର ପ୍ରଥମ ପସନ୍ଦ। ଏ ସମ୍ପର୍କରେ ପୀୟୁଷ କହିଛନ୍ତି, “ମୁଁ କାହିଁକି ମୈନେ ପ୍ୟାର୍ କିୟା”ରେ କାମ କରିନଥିଲି, ତାହା ଆଜି ଯାଏଁ ବୁଝିପାରିନାହିଁ। ନିର୍ଦ୍ଦେଶକ ସୂରଜ ବଡ଼ଜାତ୍ୟା ମୋତେ ଡାକିଥିଲେ। ସେ ଚାହୁଁଥିଲେ ମୁଁ ‘ପ୍ରେମ୍’ ଚରିତ୍ରରେ ଅଭିନୟ କରେ। ସୂରଜ ମୋତେ ଲଞ୍ଚ୍ କରିବାକୁ ଚାହୁଁଥିଲେ। ସେତେବେଳେ ମୁଁ ଖୁବ୍ ଭଲ ଦିଶୁଥିଲି। କିନ୍ତୁ ସେହି ଫିଲ୍ମକୁ ମୁଁ ମନା କରିଥିଲି, କାରଣ ଥିଏଟରରେ ସକ୍ରିୟ ଥିଲି ଓ ସେଥିରେ କାମ କରିବାକୁ ଚାହୁଁଥିଲି। ସତ କହିବାକୁ ଗଲେ ମୋତେ ‘ମୈନେ ପ୍ୟାର୍‌ କିୟା’ ଫିଲ୍ମ କରିବାର ଥିଲା। ଏହା ମୋର ଏକ ଭୁଲ୍ ନିଷ୍ପତ୍ତି ଥିଲା।”

ହେଲେ ପୀୟୁଷ ମିଶ୍ରଙ୍କ ପରେ ବି ନିର୍ଦ୍ଦେଶକ ସୂରଜ ବଡଜାତ୍ୟା ସିଧାସଳଖ ସଲମାନ୍ ଖାନ୍‌ଙ୍କୁ ସାଇନ୍ କରିନଥିଲେ କି ଲଞ୍ଚ୍ କରିନଥିଲେ।

ପୀୟୁଷ ମିଶ୍ର ରାଜି ନ ହେବା ଫଳରେ ନିର୍ଦ୍ଦେଶକ ସୂରଜ ବଡଜାତା ଅନ୍ୟ ଜଣେ ବରିଷ୍ଠ ଅଭିନେତାଙ୍କ ପୁଅକୁ ରିଲଞ୍ଚ୍ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ହଁ, ବଲିଉଡର ମିଷ୍ଟର ଭାରତ ମନୋଜ କୁମାରଙ୍କ ପୁଅଙ୍କୁ ରିଲଞ୍ଚ୍ କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ମନୋଜଙ୍କ ପୁଅ କୁନାଲ୍ ଗୋସ୍ୱାମୀଙ୍କୁ ଅଫର୍ ଦେଇଥିଲେ।

କୁନାଲ ଗୋସ୍ୱାମୀ ପୂର୍ବରୁ ‘ଘୁଙ୍ଗ୍‌ରୁ’ ଓ ‘କଳାକାର’ ଆଦି ହିନ୍ଦୀ ସିନେମାରେ ହିରୋ ବନିସାରିଥିଲେ। କିନ୍ତୁ ଏ ଦୁଇଟି ଫିଲ୍ମକୁ ଖାସ୍ ସଫଳତା ମିଳିନଥିଲା। ଏଣୁ କୁନାଲ୍ ବଲିଉଡରୁ ଦୂରେଇ ଯାଇଥିଲେ। କୁନାଲଙ୍କୁ ସୂଜନଙ୍କ ‘ମୈନେ ପ୍ୟାର୍ କିୟା’ ପାଇଁ ଅଫର୍ ମିଳିବା ପରେ ମଧ୍ୟ ସେ ଏହାକୁ ଗମ୍ଭୀରତାର ସହିତ ନେଇ ନଥିଲେ କି ଏହି ପ୍ରୋଜେକ୍ଟ ଲାଗି ଆଗ୍ରହ ଦେଖାଇ ନଥିଲେ।

ତା’ପରେ ସଲମାନ୍ ଖାନ୍ ଆସିଥିଲେ ସାମ୍ନାକୁ। ଏହା ପରେ ସଲମାନ୍‌ଙ୍କୁ ସାଇନ୍‌ କରିଥିଲେ ସୂରଜ ବଡଜାତ୍ୟା। ସଲମାନଙ୍କର ସ୍କ୍ରିନ୍ ଟେଷ୍ଟ୍ ଓ ଅଡିସନ୍ ନେବା ପରେ ଯାଇ ତାଙ୍କୁ ମନୋନୀତ କରିଥିଲେ ନିର୍ଦ୍ଦେଶକ। ‘ମୈନେ ପ୍ୟାର୍ କିୟା’ ଲାଗି ସଲମାନ୍ ଖାନ୍‌ ବେଷ୍ଟ୍ ଡେବ୍ୟୁଟାଣ୍ଟ୍ ଆକ୍ଟରର ଆୱାର୍ଡ ମଧ୍ୟ ପାଇଥିଲେ।

Comment