ଓଡ଼ିଶାଲାଇଭ୍‌ ବ୍ୟୁରୋ

କର୍ଣ୍ଣାଟକରେ ମନ୍ଦିରର ପ୍ରସାଦ ଖାଇ ୧୩ଜଣ ଲୋକ ମୃତ୍ୟୁବରଣ କରିଥିବାବେଳେ ୯୦ଜଣ ଅସୁସ୍ଥ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

ଶୁକ୍ରବାର କର୍ଣ୍ଣାଟକର ଚାମରାଜନଗର ଜିଲ୍ଲା ଅନ୍ତର୍ଗତ ସୁଲିବାଦି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ମନ୍ଦିରର ପ୍ରସାଦ ଖାଇ ୧୩ଜଣ ଲୋକ ମୃତ୍ୟୁବରଣ କରିଥିବାବେଳେ ୯୦ଜଣ ଅସୁସ୍ଥ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ପୋଲିସର ସୂଚନା ମୁତାବିକ, ୧୧ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ,ମୈସୁରକୁ ସ୍ଥାନାନ୍ତର କରାଯାଇଛି।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ୱାମୀ ଶୁକ୍ରବାର ବିଳମ୍ବିତ ରାତିରେ ଡାକ୍ତରଖାନାରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ପ୍ରସାଦରେ ବିଷ ମିଶାଯାଇଥିବାର ଅନୁମାନ କରାଯାଉଛି ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି। ପୋଲିସ ମନ୍ଦିରର ଦୁଇ କର୍ମାଚାରୀଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। ଅନ୍ୟପକ୍ଷରେ ପ୍ରସାଦର ନମୁନାକୁ ଜାଞ୍ଚ୍‌ପାଇଁ ପଠାଯାଇଛି।

ଗୁରୁବାର ମରମ୍ମା ମନ୍ଦିର ଭିତ୍ତିପ୍ରସ୍ତର ଉତ୍ସବରେ ପ୍ରସାଦ ବଣ୍ଟାଯାଉଥିଲା। ପ୍ରସାଦ ଖାଇଲା ପରେ ଲୋକଙ୍କ ପେଟ ଦରଜ ଓ ବାନ୍ତି ହୋଇଥିଲା। ଧିରେ ଧିରେ ଘଟଣା ଭୀଷଣ ରୂପନେଇ ୧୦ରୁ ଅଧିକ ଲୋକଙ୍କ ଜୀବନ ନେଇଗଲା। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ୱାମୀ ଅସୁସ୍ଥଙ୍କ ଚିକିତ୍ସା ତଥା ସବୁ ପ୍ରକାରର ବ୍ୟବସ୍ଥା କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Comment