ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ପିଲାମାନଙ୍କର ସବୁଠାରୁ ପସନ୍ଦଯୋଗ୍ୟ ଖାଦ୍ୟ ମ୍ୟାଗି ନୁଡୁଲ୍ସରେ ବିଷାକ୍ତ ‘ଲିଡ୍’ ବା ସିସା ରହିଛି। ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ଚାଲିଥିବା ସମୟରେ କମ୍ପାନିର ଓକିଲ ଏହାକୁ ସ୍ୱୀକାର କରିଛନ୍ତି।

ପୂର୍ବରୁ ମ୍ୟାଗି ନୁଡୁଲ୍ସରେ ବିଷାକ୍ତ ‘ଲିଡ୍’ ଓ ‘ଏମଏସଜି’ ରହିଥିବା ପ୍ରମାଣ ମିଳିବା ପରେ ମ୍ୟାଗିର ପ୍ରସ୍ତୁତକର୍ତ୍ତା ବହୁରାଷ୍ଟ୍ରୀୟ କମ୍ପାନି ନେସ୍‌ଲେ ବିରୋଧରେ ଏକ ଅପରାଧିକ ମାମଲା ଆଗତ ହୋଇଥିଲା। ଏଥିସହ ସରକାର ଏହି ଘଟଣାର ତଦନ୍ତ କରିବାକୁ ଚାହୁଁଥିବା ବେଳେ ନେସ୍‌ଲେ କମ୍ପାନି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇ ମମାଲା ଉପରେ ରହିତାଦେଶ ଆଣିଥିଲା।

ତେବେ, ନେସ୍‌ଲେ ବିରୋଧରେ ଆଗତ ହୋଇଥିବା ଅପରାଧିକ ମାମଲାକୁ ପ୍ରତ୍ୟାହାର କରିନେବା ପାଇଁ କମ୍ପାନି ପକ୍ଷରୁ ଏକ ପିଟିସନ ଆଗତ ହୋଇଥିଲା। ଏହି ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ବିଚାରପତି ଡି ଓ୍ଵାଇ ଚନ୍ଦ୍ରଚୂଡ ଜାତୀୟ ଖାଉଟି ବିବାଦ ସମାଧାନ କମିଶନଙ୍କୁ ପ୍ରଶ୍ନ କରିଛନ୍ତି, ‘ଲିଡ୍ ଓ ଏମଏସଜି ଭଳି ବିଷାକ୍ତ ପଦାର୍ଥ ରହିଥିବା ନୁଡୁଲ୍ସ ଆମେ ଖାଇବା କାହିଁକି?’ ଜଷ୍ଟିସ୍ ଚନ୍ଦ୍ରଚୂଡ କହିଛନ୍ତି ଯେ ମହୀଶୂର ପରୀକ୍ଷାଗାରରେ ମ୍ୟାଗିର ଯେଉଁ ପରୀକ୍ଷା କରାଯାଇଥିଲା, ସେଥିରେ ମାଗିରେ ଲିଡ୍ ରହିଥିବା ଜଣା ପଡ଼ିଥିଲା।

ତେବେ, ମ୍ୟାଗିର ପ୍ରସ୍ତୁତକର୍ତ୍ତା କମ୍ପାନି ନେସ୍‌ଲେ ଦାବି କରି କହିଥିଲା ଯେ ମ୍ୟାଗିରେ ମୋନୋସୋଡ଼ିୟମ ଗ୍ଲୁଟାମେଟ୍ ନଥିବା ପରୀକ୍ଷାରୁ ପ୍ରମାଣିତ ହୋଇଛି। ଏହାସତ୍ତ୍ୱେ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ଏହି ମାମଲାରେ ନେସ୍‌ଲେ କମ୍ପାନିକୁ ଦୋଷୀ ସାବ୍ୟସ୍ତ କରିବା ସହ ଏହାର ବିକ୍ରୟ, ପ୍ରସାର ଓ ବିଜ୍ଞାପନ ଉପରେ ନିଷେଧାଦେଶ ଲଗାଇଥିଲା।

ଖାଦ୍ୟର ମାନଦଣ୍ଡ ପୂରଣ କରୁନଥିବାରୁ ଗତବର୍ଷ ୫୫୦ ଟନ୍ ମ୍ୟାଗି ନଷ୍ଟ କରିଦିଆଯାଇଥିଲା। ଏଥିସହ ଖାଉଟି ସୁରକ୍ଷା ଆଇନ୍ ଦଫାରେ ୬୪୦ କୋଟିର ଜରିମାନା ଲଗାଇଥିଲା। ଏହା ବିରୋଧରେ ନେସ୍‌ଲେ କମ୍ପାନି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇ ତା’ ବିରୋଧରେ ଆଗତ ହୋଇଥିବା ଅପରାଧିକ ମାମଲାକୁ ଉଠାଇ ନେବାକୁ ଏକ ପିଟିସନ ଆଗତ କରିଥିଲା।

Comment