ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ ସିବିଆଇକୁ ନେଇ ଅନେକ ସମୟ ଧରି ବିବାଦ ଚାଲିଥିଲା। ଏନେଇ ମଙ୍ଗଳବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ସିଭିସି ନିଷ୍ପତ୍ତିକୁ ପ୍ରତ୍ୟାଖାନ କରିଛନ୍ତି ସୁପ୍ରିମକୋର୍ଟ। ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇବା ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ। ଏଥିରୁ ଜଣାପଡ଼ୁଛି ଯେ ଆଲୋକ ବର୍ମା ସିବିଆଇର ମୁଖ୍ୟ ଦାୟିତ୍ୱରେ ରହିବେ।

ଯଦିଓ ଏବେ ଆଲୋକ ବର୍ମା ପୁଣି ଥରେ କାର୍ଯ୍ୟାଳୟ ଯାଇପାରିବେ, ହେଲେ କୌଣସି ବଡ଼ ଧରଣର ନିଷ୍ପତ୍ତି ନେଇ ପାରିବେ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ଅକ୍ଟୋବର ମାସ ୨୦୧୮ରେ ସରକାରଙ୍କ ନିଷ୍ପତ୍ତି ଏବଂ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ୍‌ଙ୍କ ନିର୍ଦ୍ଦେଶରେ ଆଲୋକ ବର୍ମା, ତାଙ୍କ ଡେପୁଟୀ ରାକେଶ ଅସ୍ଥାନାଙ୍କୁ ଛୁଟିରେ ପଠାଇ ଥିଲେ।

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏନେଇ ଗତ ଡିସେମ୍ବର ୬ ତାରିଖରେ ଶୁଣାଣି ହୋଇଥିଲେ ମଧ୍ୟ ଏହାର ରାୟ ପ୍ରକାଶ ପାଇ ନଥିଲା।

ଅନ୍ୟପକ୍ଷରେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଏବଂ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନା ପରସ୍ପରଙ୍କ ବିରୋଧରେ ସଙ୍ଗିନ୍ ଲାଞ୍ଚ ଅଭିଯୋଗ ଆଣିଥିବାରୁ ତଦନ୍ତ ଲାଗି ଉଭୟଙ୍କୁ ଛୁଟିରେ ପଠାଯିବା ଜରୁରୀ ଥିଲା ବୋଲି ସରକାର ଦର୍ଶାଇଥିଲେ।

ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଆଲୋକ ବର୍ମାଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Comment