ଓଡ଼ିଶାଲାଇଭ୍ ବ୍ୟୁରୋ

୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ଗୁରୁବାର ଅଯୋଧ୍ୟା ମାମଲାର ଶୁଣାଣି ହେବ।

ବହୁ ବିବାଦୀୟ ରାମ ଜନ୍ମଭୂମି- ବାବ୍ରି ମସଜିଦ ମାମଲାର ଗୁରୁବାର ଶୁଣାଣି କରିବେ ସୁପ୍ରିମକୋର୍ଟ। ଏନେଇ ସୁପ୍ରିମକୋର୍ଟ ୫ ଜଣିଆ ଖଣ୍ଡପୀଠ ଗଠନ କରିଛନ୍ତି। ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଖଣ୍ଡପୀଠରେ ଏସ୍‌ ଏ ବୋବଡେ, ଏନ୍‌ ଭି ରମଣ, ୟୁ୍ୟୁ ଲଳିତ, ଡିୱାଇ ଚନ୍ଦ୍ରଚୂଡ଼ ରହିଛନ୍ତି।

ପୂର୍ବରୁ ଜାନୁଆରୀ ୪ରେ ମାମଲାର ଶୁଣାଣି ହୋଇଥିଲେ ହେଁ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ପରବର୍ତ୍ତୀ ନିଷ୍ପତ୍ତି ୧୦ ତାରିଖରେ ହେବ ବୋଲି କହିଥିଲେ।

ଏହି ମାମଲାରେ ୨୦୧୦ରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ୧୪ଟି ପିଟିଶନ ଦାଏର ହୋଇଥିଲା।

୨.୭୭ ଏକର ବିବାଦୀୟ ଜମିକୁ ଆଲ୍ଲାହାବାଦ ହାଇକୋର୍ଟ ସୁନି ୱାକପ୍ ବୋର୍ଡ, ନିର୍ମୋହି ଆଖଡ଼ା ଏବଂ ରାମଲାଲାଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ରାୟକୁ ବିରୋଧ କରି ବିଭିନ୍ନ ସଙ୍ଗଠନ ପକ୍ଷରୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯାଇଥିଲା।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ଗୁରୁତ୍ଵପୂର୍ଣ୍ଣ ରହିଛି। ତେଣୁ ସମସ୍ତଙ୍କର ନଜର ଏହି ମାମଲା ଉପରେ ରହିଛି।

Comment