ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାମ୍ପ୍ରତିକ ସମୟରେ ଆଞ୍ଚଳିକ ଚଳଚ୍ଚିତ୍ର ଶିଳ୍ପର ବ୍ୟାପକ ବିକାଶ ଘଟିଛି । ଚଳଚ୍ଚିତ୍ର ସମୀକ୍ଷକ ଡକ୍ଟର ପିୟୁଷ ରାୟ ‘ଫିଲ୍ମି ଚକ୍କର-୨’ରେ ଯୋଗ ଦେଇ ଏହା କହିଛନ୍ତି।

ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି), ଢେଙ୍କାନାଳରେ ଆରମ୍ଭ ହୋଇଛି ତିନି ଦିନିଆ କାର୍ଯ୍ୟକ୍ରମ ‘ଫିଲ୍ମି ଚକ୍କର-୨’। ୧୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଚଳଚ୍ଚିତ୍ର ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଛି ।

ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତ ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ସମୀକ୍ଷକ ଡକ୍ଟର ପିୟୁଷ ରାୟ।

“ଚଳଚ୍ଚିତ୍ର କେବଳ ଲୋକଙ୍କ ମନୋରଞ୍ଜନ କରେନି ବରଂ ଏହା ଜ୍ଞାନ ମାଧ୍ୟମରେ ସମସ୍ତଙ୍କୁ ଆଲୋକିତ କରାଏ। ଏହା ଜନମତକୁ ପ୍ରଭାବିତ ମଧ୍ୟ କରିପାରେ। ଭାରତୀୟ ମନୋରଞ୍ଜନ ଶିଳ୍ପରେ ସବୁଠୁଁ ଅଧିକ ଲୋକ ନିୟୋଜିତ ହୋଇଛନ୍ତି। ପ୍ରତିବର୍ଷ ପାଖାପାଖି ୨୦୦ କୋଟି ଟିକେଟ୍ ବିକ୍ରି ହୋଇଥାଏ। ସେହିପରି ସାମ୍ପ୍ରତିକ ସମୟରେ ଆଞ୍ଚଳିକ ଚଳଚ୍ଚିତ୍ର ଶିଳ୍ପର ବ୍ୟାପକ ବିକାଶ ମଧ୍ୟ ଘଟିଛି। ଯଦି ଚଳଚ୍ଚିତ୍ର ଶିଳ୍ପ ଏତେ ବଡ଼ ତେବେ ଏହାର ବିଭିନ୍ନ ଦିଗ ଉପରେ ସଚେତନ ରହିବା ଦରକାର। ଏ ଉଦ୍ଦେଶ୍ୟରେ ଆୟୋଜିତ ଏହି କର୍ମଶାଳା”, ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇ କହିଛନ୍ତି ପିୟୁଷ ରାୟ।

ସେ ଆହୁରି କହିଛନ୍ତି, “ମନୋରଞ୍ଜନ ସାମ୍ବାଦିକମାନେ ଚଳଚ୍ଚିତ୍ର ସମ୍ପର୍କିତ ଖବର ପରିବେଷଣ ବେଳେ ବିଶେଷ ଧ୍ୟାନ ଦେବା ଦରକାର। ଆଜିର ଜାଲି ଖବର ଯୁଗରେ କେଉଁଟା ଠିକ୍, କେଉଁଟା ଭୁଲ ତାହା ସାମ୍ବାଦିକମାନେ ଜାଣିବା ଜରୁରୀ। ସେଥିପାଇଁ ଭାରତୀୟ ଚଳଚ୍ଚିତ୍ରର ଇତିହାସ ମଧ୍ୟ ଜାଣିବା ଦରକାର ବୋଲି ସେ ପ୍ରକାଶ କରିଛନ୍ତି।”

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଆଇଆଇଏମ୍ସିର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ କହିଛନ୍ତି, “ଆମ ସାଂସ୍କୃତିକ ଜୀବନରେ ଚଳଚ୍ଚିତ୍ରର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଅନେକ ସମୟରେ ଚଳଚ୍ଚିତ୍ରକୁ କଳାର ଗନ୍ତାଘର ଭାବେ ବିବେଚିତ କରାଯାଏ।”

ସେ ଏହା ମଧ୍ୟ କହିଛନ୍ତି ଯେ, “ଜୀବନର ବାସ୍ତବତାକୁ ଦେଖାଏ ଚଳଚ୍ଚିତ୍ର। ଏଥିରେ କଳାର ସମସ୍ତ ବିଭବ ରହିଛି।”

ବର୍ତ୍ତମାନର ଡିଜିଟାଲ୍ ଟେକ୍ନୋଲୋଜିର ପ୍ରଚଳନ ଫଳରେ ଚଳଚ୍ଚିତ୍ର ଆଉ ଏକ ସୋପାନରେ ପହଞ୍ଚି ପାରିଛି। ତେଣୁ ଏ ସମ୍ପର୍କିତ ଆଲୋଚନା ଜରୁରୀ ହୋଇପଡ଼ିଛି। ବିଶେଷତଃ ମନୋରଞ୍ଜନ ସାମ୍ବାଦିକତା ପ୍ରତି ଇଚ୍ଛୁକ ଛାତ୍ରଛାତ୍ରୀ ଚଳଚ୍ଚିତ୍ରର ବିଭିନ୍ନ ବୈଷୟିକ ଦିଗ ତଥା ଏହାର ରିପୋର୍ଟିଂ ଓ ସମୀକ୍ଷା ବିଷୟରେ ଜାଣିବା ନିହାତି ଲୋଡ଼ା। ଏହାକୁ ଆଖିଆଗରେ ରଖି ଆଇଆଇଏମ୍‌ସି ପକ୍ଷରୁ ଏ ତିନିଦିନିଆ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଦ୍ୱିତୀୟ ଅଧିବେଶନରେ ପିୟୁଷ ରାୟଙ୍କ ପରିଚାଳନାରେ ‘ଚଳଚ୍ଚିତ୍ର ଆପ୍ରିସିଏସନ୍ କର୍ମଶାଳା’ ଅନୁଷ୍ଠିତ ହୋଇଛି। ଏଥିରେ ଚଳଚ୍ଚିତ୍ରର ବୈଷୟିକ ଦିଗ ଓ ଚଳଚ୍ଚିତ୍ର ସମୀକ୍ଷା ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଛି ।

ସେହିପରି ଜାନୁଆରୀ ୧୬ରେ ହେବାକୁ ଥିବା ଆଲୋଚନା ଚକ୍ରର ବିଷୟବସ୍ତୁ ରହିଛି ‘ଭାରତୀୟ ଚଳଚ୍ଚିତ୍ରରେ ରାଜନୀତିର ପ୍ରତିଛବି’।

ଏହି ଅବସରରେ ଆଇଆଇଏମ୍‌ସିର ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ଦୈନିକ ରିପୋର୍ଟର ଉନ୍ମୋଚିତ ହୋଇଛି। ଏହାସହ ଡକ୍ଟର ପିୟୁଷ ରାୟଙ୍କ ପ୍ରାମାଣିକ ଚଳଚ୍ଚିତ୍ର ‘ପ୍ଲେଜର୍ସ, ପ୍ରିଜୁଡାଇସ୍, ପ୍ରାଇଡ୍- ଆନ୍ ଇଣ୍ଡିଆନ୍ ୱେ ଅଫ୍ ଫିଲ୍ମମେକିଂ’ ମୁକ୍ତିଲାଭ କରିଛି।

ଏହି କର୍ମଶାଳାରେ ଆଇଆଇଏମ୍‌ସି ସମେତ ରେଭେନ୍ସା ବିଶ୍ୱବିଦ୍ୟାଳୟ, ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ଓ କିଟ୍ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇଛନ୍ତି । ଏହାସହ ଚଳଚ୍ଚିତ୍ର ‘ଶଲାବୁଢ଼ା’ ଓ ଅନ୍ୟ ତିନୋଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେବା ପରେ ବିଭିନ୍ନ ବିଭବ ଉପରେ ଆଲୋଚନା ହୋଇଛି ।

ପୁସ୍ତକ  ‘ମନୋରଞ୍ଜନ  ସାମ୍ବାଦିକତା’  ଓ  ‘ପଥେ  ପ୍ରାନ୍ତରେ’  ଉନ୍ମୋଚିତ ଉଦ୍‌ଘାଟନୀ  ଉତ୍ସବରେ ଆଇଆଇଏମ୍ସି ପକ୍ଷରୁ ପ୍ରକାଶିତ ପୁସ୍ତକ ‘ମନୋରଞ୍ଜନ ସାମ୍ବାଦିକତା’ ଓ  ମୃଣାଳ ଚାଟାର୍ଜୀଙ୍କ ଲିଖିତ ପୁସ୍ତକ ‘ପଥେ ପ୍ରାନ୍ତରେ’ ଉନ୍ମୋଚିତ ହୋଇଛି।

‘ମନୋରଞ୍ଜନ ସାମ୍ବାଦିକତା’ ବହିରେ ଭାରତ ଓ ଓଡ଼ିଶାରେ ମନୋରଞ୍ଜନ ସାମ୍ବାଦିକତା ଏବଂ କିଛି କିମ୍ବଦନ୍ତୀ ଚଳଚ୍ଚିତ୍ର ବିଷୟରେ ବିଶେଷ ବର୍ଣ୍ଣନା ରହିଛି । ଏହାସହ ଚଳଚ୍ଚିତ୍ରର ପ୍ରକାରଭେଦ, ଚଳଚ୍ଚିତ୍ର ପ୍ରସ୍ତୁତିରେ ବିଭିନ୍ନ ପର୍ଯ୍ୟାୟ, ଚଳଚ୍ଚିତ୍ର ରିପୋର୍ଟିଂ, ସମୀକ୍ଷା, ସାକ୍ଷାତକାର, ସ୍ମୃତିଲେଖ, ସାଂସ୍କୃତିକ ସାମ୍ବାଦିକତା, ପର୍ବପର୍ବାଣି, ବିଶେଷ ଦିବସ ଓ ପୂଜା ରିପୋର୍ଟିଂ, ସାହିତ୍ୟ ସମ୍ପର୍କିତ ଖବର ତଥା ଜୀବନଶୈଳୀ ସାମ୍ବାଦିକତା ଉପରେ ବିଶେଷ ଆଲୋଚନା କରାଯାଇଛି।

ମୃଣାଳ ଚାଟାର୍ଜୀ ପୁସ୍ତକର ପରିକଳ୍ପନା କରିଥିବାବେଳେ ଗବେଷଣା ଓ ସଙ୍କଳନ କରିଛନ୍ତି ଇତିଶ୍ରୀ ସିଂହ ରାଠୋର ଓ ସୌମ୍ୟ ରଞ୍ଜନ ବିହାରା। ପ୍ରଚ୍ଛଦ ପ୍ରସ୍ତୁତ କରିଛନ୍ତି ଆଇଆଇଏମ୍ସିର ଏକାଡେମିକ କୋର୍ଡିନେଟର ଜିତେନ୍ଦ୍ର ପତି।

ସେହିପରି ‘ପଥେ ପ୍ରାନ୍ତରେ’ ହେଉଛି ସାମ୍ପ୍ରତିକ ଜୀବନର ଖଣ୍ଡକାବ୍ୟ। ଏଥିରେ ଖବରକାଗଜରେ ପ୍ରତି ସପ୍ତାହରେ ପ୍ରକାଶିତ ଲେଖକଙ୍କ କେତୋଟି ରମ୍ୟ ରଚନା, ଲଳିତ ନିବନ୍ଧ ସ୍ଥାନ ପାଇଛି । ସାଧାରଣ ଜୀବନରେ ଘଟୁଥିବା ବିଭିନ୍ନ ଘଟଣାକୁ ଅତି ଚମକ୍ରାର ଭାବେ ଲେଖକ ବର୍ଣ୍ଣନା କରିଛନ୍ତି। ଏହି ପୁସ୍ତକକୁ ଉନ୍ମୋଚିତ କରିଛନ୍ତି ଶ୍ୟାମବନ୍ଧୁ ଜେନା।

Comment