ଓଡ଼ିଶାଲାଇଭ୍ ଫିଚର

ଧନୁଯାତ୍ରା ଅବସରରେ ବରଗଡ଼ର ଅମ୍ବାପାଲି ଗାଁ ପାଲଟିଯାଏ ଦ୍ୱାପରର ଗୋପପୁର। ଗ୍ରାମବାସୀ ପାଲଟିଯାଆନ୍ତି ଗୋପର ପ୍ରଜା। ରାଜକୀୟ ଶାସନ ଢାଞ୍ଚାକୁ ଅପଣାଇ ନିଅନ୍ତି ଗ୍ରାମବାସୀ।

ଛୋଟ ମୋର ଗାଁଟି। ଭୂଗୋଳ ପୋଥି ପତରେ ପଛେ ନଥାଉ ତାର ନାଁଟି…

ଯଶସ୍ୱୀ କବି ସଚ୍ଚି ରାଉତଙ୍କ “ଛୋଟ ମୋର ଗାଁଟି” କବିତାର ଉପରୋକ୍ତ ପଦ ବେଶ୍ ପ୍ରଯୁଜ୍ୟ ହୁଏ ଅମ୍ବାପାଲି ଗାଁ ପାଇଁ। ବରଗଡ଼ ସହରଠୁ ଅନତି ଦୂରରେ ଥିବା ଏହି ଗାଁର ନାଁ ଭୂଗୋଳ ପୋଥିରେ ଥାଇ ନପାରେ, ହେଲେ ଧନୁଯାତ୍ରା ଅବସରରେ ଏହି ଗାଆଁ ଆଧୁନିକ “ଗୋପପୁର” ଭାବେ ଚର୍ଚ୍ଚାକୁ ଆସିଥାଏ।

ଗ୍ରାମବାସୀ ପାଲଟିଯାଆନ୍ତି ଗୋପର ପ୍ରଜା

ଧନୁଯାତ୍ରା ଅବସରରେ ଅମ୍ବାପାଲି ଗାଁ ପାଲଟିଯାଏ ଦ୍ୱାପରର ଗୋପପୁର। ଗ୍ରାମବାସୀ ପାଲଟିଯାଆନ୍ତି ଗୋପର ପ୍ରଜା। କିଛିଦିନ ପାଇଁ ହଟିଯାଏ ପଞ୍ଚାୟତିରାଜର ଭୂମିକା। ରାଜକୀୟ ଶାସନ ଢାଞ୍ଚାକୁ ଅପଣାଇ ନିଅନ୍ତି ଗ୍ରାମବାସୀ। ନନ୍ଦରାଜାଙ୍କୁ ଆନୁଗତ୍ୟ ଦେଖାନ୍ତି ପ୍ରଜାମାନେ।

“ଶ୍ରୀକୃଷ୍ଣ” ଆସନ୍ତି ମଥୁରାରୁ। ଅନ୍ୟ ଏକ ଚରିତ୍ର “ବଳରାମ” ଯୋଡ଼ି ହୋଇଯାଆନ୍ତି। ଏହାପରେ ଆରମ୍ଭ ହୁଏ “କୃଷ୍ଣଲୀଳା”।

ମଥୁରାମଙ୍ଗଳ କାବ୍ୟର ପୌରାଣିକ ଆଖ୍ୟାନକୁ ନେଇ ଘରର କାନ୍ଥଗୁଡ଼ିକ ପଟ୍ଟଚିତ୍ରରେ ଚିତ୍ରିତ ହୋଇ ଯାଆନ୍ତି। ପ୍ରତି ଅଗଣାରେ ଆଙ୍କି ହୋଇଯାଏ ଝୋଟି ଓ ମୁରୁଜ। ସୁନ୍ଦର ତୋରଣଗୁଡ଼ିକ ଛିଡ଼ା ହୋଇଯାଆନ୍ତି ଗାଁର ପ୍ରବେଶ ପଥରେ। ଅମ୍ବାପାଲିର ବିଭିନ୍ନ ଜାଗାରେ ଦେଖିବାକୁ ମିଳେ ଭିନ୍ନ ଭିନ୍ନ ରଙ୍ଗମଞ୍ଚ। ଏଥିସହ ଗାଁସାରା ଦିଶୁଥାନ୍ତି ଅନେକ ପୌରାଣିକ ଚରିତ୍ରର କଳାକାର। ଏହି ଗାଁରେ ହିଁ ଧନୁଯାତ୍ରାର ଗୁରୁତ୍ବପୂର୍ଣ୍ଣ ଘଟଣା ଘଟିଥାଏ। ଭୂଗୋଳ ପୋଥି ପତରେ ଯେଉଁ ଗାଁର ନାଁ ନାହିଁ, ତାହା ପାଲଟିଯାଇଛି ପୃଥିବୀର ଏକ ବିଶେଷ ରଙ୍ଗଶାଳା।

ଆମିଷ ଖାଆନ୍ତି ନାହିଁ ଗ୍ରାମବାସୀ

ଧନୁଯାତ୍ରା ଅବସରରେ ଅମ୍ବାପାଲି ଗାଁର ଲୋକେ ଅନେକ ରୀତିନୀତି ମାନି ଚଳିଥାନ୍ତି। ୧୧ ଦିନ ଯାଏଁ କେହି ଆମିଷ ଖାଆନ୍ତି ନାହିଁ। ସକାଳରୁ ସଞ୍ଜଯାଏଁ କେବଳ କୃଷ୍ଣ ନାମରେ ଝଙ୍କୁରିତ ହେଉଥାଏ ଅମ୍ବାପାଲି ଗାଁ। କୃଷ୍ଣମୟ ହୋଇ ଉଠେ ଗାଁର ପରିବେଶ। ଶ୍ରୀକୃଷ୍ଣଙ୍କର ନିକଟତର ହେବା ପାଇଁ ଲୋକଙ୍କ ଭିତରେ ପ୍ରତିଯୋଗିତା ଚାଲେ।

ଅମ୍ବାପାଲିର ନାଟ୍ୟଧାରାରେ ସାମିଲ ହୋଇ ଅନେକ କଳାକାର ନିଜକୁ ଭାଗ୍ୟବାନ ମନେ କରିଥାନ୍ତି। ଦିବଙ୍ଗତ କଳାକାରଙ୍କୁ ମନେ ପକାନ୍ତି। ବର୍ତ୍ତମାନର କଳାକାରମାନେ ଦିବଙ୍ଗତ କଳାକାରଙ୍କ ପାଦଚିହ୍ନ ଉପରେ ନିଜ ପାଦ ଥାପି ଆଗକୁ ଚାଲନ୍ତି। ନାଟ୍ୟଧାରା ସହିତ ଦର୍ଶକମାନେ ଯେତେବେଳେ ଚରିତ୍ରଟିଏ ପାଲଟି ଯାଆନ୍ତି, ସେତେବେଳେ ବାସ୍ତବତା ଅପସରି ଯାଉଥାଏ ଅମ୍ବାପାଲି ଗାଁରୁ।

କୃଷ୍ଣମୟ ହୋଇ ଉଠେ ଅମ୍ବାପାଲି

ପରିକଳ୍ପିତ ଅମ୍ବାପାଲିର ଗୋପଦାଣ୍ଡ ହୋଇଯାଏ କୃଷ୍ଣମୟ। କୃଷ୍ଣଙ୍କ ନାମ ରସରେ ଭିଜନ୍ତି ଗ୍ରାମବାସୀ। ଗାଁ ଦାଣ୍ଡରେ ଚାଲେ କୃଷ୍ଣଙ୍କ ଲୀଳା। ଶ୍ରୀକୃଷ୍ଣ ଓ ବଳରାମ ଗୋପବାଳକମାନଙ୍କ ସହ ଗାଁ ବୁଲନ୍ତି। ବିଭିନ୍ନ ଲୀଳାରେ ମଜି ଯାଆନ୍ତି। ଏହି ଦୃଶ୍ୟକୁ ଉପଭୋଗ କରନ୍ତି ଦର୍ଶକ। ଏହାସହ ଗୋପୀଙ୍କ ଦହିବିକା, ନନ୍ଦଉତ୍ସବ, ସଂକୀର୍ତ୍ତନ ଆଦି କାର୍ଯ୍ୟକ୍ରମ ବେଶ୍ ଉପଭୋଗ୍ୟ ହୋଇଥାଏ। ପ୍ରତି ଅଗଣାରେ ଶ୍ରୀକୃଷ୍ଣ – ବଳରାମଙ୍କୁ ସ୍ୱାଗତ କରାଯାଏ। ମନେହୁଏ ଯେପରି ଅମ୍ବାପାଲି ପାଲଟିଯାଇଛି ‘କୃଷ୍ଣଚେତନାର’ ଏକ ପୀଠସ୍ଥଳୀ। କଳା ସହିତ ଭକ୍ତିଭାବର ସଂଯୋଜିତ ରୂପ ଭାବପ୍ରବଣ କରିଦିଏ ଦର୍ଶକଙ୍କୁ। ଭଗବାନଙ୍କ ଉପସ୍ଥିତିକୁ ନେଇ ଦର୍ଶକଙ୍କ ମଧ୍ୟରେ ଏକ ବିଶ୍ବାସ ସୃଷ୍ଟି ହୋଇଥାଏ।

ଧୀରେ ଧୀରେ ନାଟ୍ୟଧାରା ସରିଆସେ। ଅନ୍ତିମ ପର୍ଯ୍ୟାୟକୁ ଅପେକ୍ଷା କରିଥାନ୍ତି ଆଧୁନିକ ଗୋପପୁର ଅମ୍ବାପାଲିର ଜନତା। ଶ୍ରୀକୃଷ୍ଣ ଗୋପପୁରବାସୀଙ୍କ ସବୁ ସମ୍ପର୍କ ତୁଟାଇ ଅକୁରଙ୍କ ସହିତ ମଥୁରାକୁ ଚାଲି ଯାଉଥାନ୍ତି। ଲୁହରେ ଭିଜିଯାଉଥାଏ ଗୋପପୁରବାସୀଙ୍କ ଆଖି। ଏହି ଦୃଶ୍ୟ ହୃଦୟବିଦାରକ ହୋଇଥିଲେ ମଧ୍ୟ ଲୋକେ ଏହାକୁ ଉପଭୋଗ କରିଥାନ୍ତି। ନାଟ୍ୟଧାରା ଶେଷ ହୋଇଯାଏ, ହେଲେ ଅନେକ ସ୍ମୃତି ଅନେକ ଦିନଯାଏ ଜମାଟ ବାନ୍ଧିଦିଏ ଅମ୍ବାପାଲିର ପ୍ରତିଟି ମଣିଷର ହୃଦୟରେ। ଏହା ହିଁ ନାଟ୍ୟକଳା ସହିତ ଜୀବନକୁ ଯୋଡ଼ିବା, ଜୀବନ ସହିତ ନାଟ୍ୟକଳାକୁ ଯୋଡ଼ିବାର ଏକ ଅନନ୍ୟ ପ୍ରୟାସ।

Comment