ଅଧ୍ୟାପକ ବିଶ୍ୱରଞ୍ଜନ

ଲେଖକ ଏବଂ ଇଂରାଜୀ ଭାଷାର ପ୍ରଫେସର ସ୍ୱର୍ଗତଃ ଗଣେଶ୍ୱର ମିଶ୍ରଙ୍କ ସମ୍ପର୍କରେ ସମାଜର ବିଭିନ୍ନ ବର୍ଗର ପରିଚିତ ବ୍ୟକ୍ତିଙ୍କ ସ୍ମୁତିଚାରଣ। ବର୍ତ୍ତମାନ ଓ ପରବର୍ତ୍ତୀ  ପିଢିସହ ଗଣେଶ୍ୱରଙ୍କୁ ଯୋଡ଼ିବା ଲାଗି ଓଡ଼ିଶାଲାଇଭର ଏହି କ୍ଷୁଦ୍ର ପ୍ରୟାସ।

ଶ୍ରୀକ୍ଷେତ୍ର ପୁରୀ। ମହୋଦଧିର ସହର। ଯେଉଁ ସହରରୁ ଦିନେ ଆପଣଙ୍କ ଜୀବନ ଯାତ୍ରା ଆରମ୍ଭ ହୋଇଥିଲା, ସେଇଠି ପୁଣି ସମ୍ପନ୍ନ ହେଲା ଶେଷ ଯାତ୍ରାର ଶେଷ ଦୃଶ୍ୟ। ସେଇ ମହୋଦଧି କୂଳରେ, ସ୍ୱର୍ଗଦ୍ୱାର ବାଲୁକା ଶଯ୍ୟାରେ ଶାୟିତ ଆପଣଙ୍କ ପ୍ରାଣହୀନ କ୍ଷୀଣ ଶରୀରକୁ କେତେ ଶୀଘ୍ର ଭେଦ କରିଗଲା

କେଇଖଣ୍ଡ କାଷ୍ଠ ଓ ଘୃତ ସଂଯୋଜିତ ଅଗ୍ନିର ବଳୟ। ବିଦାୟର କେତେମାସ ପୂର୍ବରୁ ଅସୁସ୍ଥତା ଭିତରେ ଥାଇ ସୁଦ୍ଧା ଆପଣ ବ୍ୟାକୁଳ ହୃଦୟରେ ଚାହିଁଛନ୍ତି ‘ମହୋଦଧି’କୁ ଭେଟିବାକୁ, ଯେଉଁ ‘ମହୋଦଧି’ ପୃଷ୍ଠାରେ ହିଁ ଆରମ୍ଭ ହୋଇଥିଲା ଆପଣଙ୍କ ସାର୍ଥକ ସର୍ଜନଶୀଳ ଜୀବନର ଅଭିଯାତ୍ରା।

ପୁରୀ ଜିଲା ସ୍କୁଲର ମୁଖପତ୍ର ‘ମହୋଦଧି’, ଷଷ୍ଠ ଶ୍ରେଣୀରୁ ଏକାଦଶ ଶ୍ରେଣୀଯାଏଁ ପ୍ରତିବର୍ଷ ଏଥିରେ ପ୍ରକାଶିତ ଆପଣଙ୍କର ଚମତ୍କାର କବିତା ହିଁ ମୋତେ ସଂଯୁକ୍ତ କରିଥିଲା ଆପଣଙ୍କ ସହିତ ଜଣେ ଉତ୍ତରସୂରୀ ଅନୁଜ ଭାବରେ। କେତେଥର ମୋତେ କହିଛନ୍ତି- ‘ବିଶ୍ବରଞ୍ଜନ, ପୁରୁଣା ‘ମହୋଦଧି’ ଖୋଜି ଆଣନ୍ତ ନାହିଁ?’ ମୁଁ ଚେଷ୍ଟା କରିଥିଲି। ପୁରୀରେ ରହୁଥିବା ଜିଲା ସ୍କୁଲର ଆପଣଙ୍କ ସମୟର ଶିକ୍ଷକ ମଧୁସୂଦନ ପଟ୍ଟନାୟକ, ମୋତେ ତା’ର ସନ୍ଧାନର ସୂଚନା ଦେଇଥିଲେ। ମାତ୍ର ସମୟ ଆପଣଙ୍କୁ ତାର ସାକ୍ଷାତ ସୁଯୋଗ ଦେଲା ନାହିଁ।

ଗଳ୍ପ, ଉପନ୍ୟାସ, ଫିଚର, ଭ୍ରମଣକାହାଣୀ, ଅନୁବାଦ, ଶିଶୁସାହିତ୍ୟ ସାଙ୍ଗକୁ ଆପଣ ଯେ ଚମତ୍କାର ପ୍ରେମକବିତା ଲେଖିଛନ୍ତି, ତା’ର ପରିଚୟ ବୋଧହୁଏ ଆପଣଙ୍କର ଅଧିକାଂଶ ପାଠକ କିମ୍ବା ସାହିତ୍ୟିକ ବନ୍ଧୁ ପାଇନାହାନ୍ତି।

କାରଣ କ୍ୱଚିତ ଆଲୋଚନା ହୋଇଛି ଆପଣଙ୍କ ସୃଷ୍ଟି ସମୂହର। ଶୀର୍ଷକ ବିହୀନ ୫୧ଟି ନିରୋଳା ପ୍ରେମକବିତାର ଏକ ସଂକଳନ ‘ପ୍ରେମଚର୍ଯ୍ୟା’, ଥରେ ନୁହେଁ, ବହୁବାର ନିରୋଳା ମୁହୂର୍ତ୍ତରେ ମୁଁ ପଢ଼ିଛି ଏ ବହି ଏବଂ ଏବେ ବି ପଢ଼ିଲାବେଳେ ଆଶ୍ଚର୍ଯ୍ୟ ହେଉଛି ଯେ, ଆଦୌ ରୋମାଣ୍ଟିକ ଲାଗୁ ନଥିବା ବେଶ୍‌ ଚୁପ୍‌ଚାପ୍‌ ଗମ୍ଭୀର ଚେହେରା ଭିତରେ କିପରି ପ୍ରେମର ଚିରସ୍ରୋତା ଧାରାଟିଏ ବହି ଚାଲିଥିଲା ମୃତ୍ୟୁଠାରୁ ପ୍ରେମ ଶକ୍ତିଶାଳୀ। ମାତ୍ର ଜୀବନ ପାଇଁ ମୃତ୍ୟୁର ପ୍ରେମ ଯେ ଅଧିକ ଶକ୍ତିଶାଳୀ, ସେକଥା ସ୍ୱିକାର କରିବା ବ୍ୟତୀତ ଅନ୍ୟ ଉପାୟ ନାହିଁ। ଜୀବନର ନିର୍ଲ୍ଲଜ ଓ ସଚ୍ଚା ପ୍ରେମିକଟିଏ ହେଉଛି ମୃତ୍ୟୁ, ଯାହା କବଳରୁ କେବେହେଲେ ମୁକ୍ତି ମିଳେ ନାହିଁ। ସେଇ ମୃତ୍ୟୁ ହେଲେ କହିଦେଇଯାଇଥାଆନ୍ତା ଆପଣଙ୍କର ନୂଆ ଠିକଣା।

ହଜିଗଲା ଏବେ ଆପଣଙ୍କ ‘ନିଜ ଠିକଣା’- ଯେଉଁ ଠିକଣାରେ ଆମେ ପରସ୍ପରକୁ ଭେଟୁଥିଲେ। ଯେଉଁ ଠିକଣାରେ ମାତ୍ର କିଛି ଦିନ ତଳେ “ବିଶ୍ବରଞ୍ଜନଙ୍କ ବର୍ଷାର ଚିଠି”କୁ ମୁଁ ନିଜେ ପତ୍ରବାହକ ହୋଇ ଆପଣଙ୍କ ହାତକୁ ବଢ଼େଇ ଦେଇଆସିଥିଲି। ଆପଣ କଥା ଦେଇଥିଲେ, ଏହାର ପରବର୍ତ୍ତୀ ସଂଖ୍ୟା ପାଇଁ ନିଜର ସାଇତା ଚିଠିପେଡ଼ିରୁ କୌଣସି ବିଦେଶୀ ବନ୍ଧୁ ବା ବାନ୍ଧବୀଙ୍କ ଚିଠିଟିଏ ଅବଶ୍ୟ ଦେବେ।

ଚୁପ୍‌ଚାପ୍‌ ବସି ଭାବୁଛି- ବହି ଯାଇଥିବା ସମୟ ଓ ସମ୍ପର୍କର କଥା। ଏକା ସହରର ପାଣି ପବନ ଏବଂ ଖୋଲାମେଲା ସାଂସ୍କୃତିକ ପରିବେଶରେ ଆମ ଉଭୟଙ୍କର ଜନ୍ମ ଏବଂ ଶିକ୍ଷାର୍ଥୀ, ଶିକ୍ଷକ ତଥା ସାହିତ୍ୟିକ ଜୀବନର ବିକାଶ ଓ ବିସ୍ତାର ଘଟିଛି। ସେଇ ଏକା ସ୍କୁଲ (ଦଇତାପଡ଼ାସାହି ପ୍ରାଇମେରୀ ସ୍କୁଲ ଓ ପୁରୀ ଜିଲାସ୍କୁଲ) ଏବଂ ଏକା କଲେଜରେ (ସାମନ୍ତ ଚନ୍ଦ୍ରଶେଖର କଲେଜ) ଆମ ଉଭୟଙ୍କ ପାଠପଢ଼ା ଓ କିଛିକାଳ ପଢ଼େଇବା ମଧ୍ୟ ସମ୍ଭବ ହୋଇଚି। ଜିଲା ସ୍କୁଲରେ ମୁଁ ଷଷ୍ଠ ଶ୍ରେଣୀର ଛାତ୍ର ଥିଲାବେଳେ ଆପଣ ଦଶମ ଶ୍ରେଣୀରେ, ଆଉ ମୁଁ କଲେଜରେ ପ୍ରବେଶ କଲାବେଳକୁ ଆପଣ କଲେଜ ଛାଡ଼ୁଛନ୍ତି। ମାତ୍ର ପରବର୍ତ୍ତୀ ଜୀବନରେ ଆପଣ ପୁରୀରୁ ବାହାରି ଦେଶବିଦେଶରେ ‘ନୂତନମାଟିର ସ୍ପର୍ଶ’ ପାଇଛନ୍ତି ଏବଂ ନିଜର ଶିକ୍ଷା ଓ ସାହିତ୍ୟ ସର୍ଜନାରେ ଶିଖରକୁ ପହଞ୍ଚିପାରିଛନ୍ତି, ମୁଁ ପାରିନାହିଁ।

କେବଳ ଜଣେ ଅନୁଜ ଭାବରେ ଦୂରରୁ ବା କେତେବେଳେ ନିକଟରେ ଥାଇ ଆପଣଙ୍କ ଅଗ୍ରଗତିକୁ ଲକ୍ଷ୍ୟ କରିଛି। ଜୀବନର ନାନା ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ସଂଘର୍ଷ ଭିତରେ ସଫଳତାର ସୋପାନ ଆହୋରଣରେ ଆପଣଙ୍କ ଧୈର୍ଯ୍ୟ ଓ ନିଷ୍ଠା ଦୃଷ୍ଟିରୁ ଆପଣ ମୋ ପାଇଁ ପ୍ରେରଣାର ପ୍ରତୀକ ପାଲଟିଯାଇଛନ୍ତି।

ଆପଣଙ୍କ ‘ସକାଳର ମୁହଁ’ରେ ମୁଁ ନିଜ ମୁହଁ ଦେଖିବାର ପ୍ରୟାସ କରିଛି ଏବଂ ମୋର ମନେ ହୋଇଛି, ଆପଣଙ୍କର ପ୍ରତ୍ୟେକ ସୃଷ୍ଟି ‘ନିଜ ଠିକଣାରେ’ ଲେଖୁଥିବା ଗୋଟିଏ ଗୋଟିଏ ଚିଠି। ଏବେ ଆପଣଙ୍କ ଠିକଣା ଖୋଜୁଛି। କେଉଁ ଠିକଣାରେ ପଠେଇବି ମୋର ଏ ଚିଠି?

ସୌଜନ୍ୟ-‘ଗଣେଶ୍ୱର ଗରିମା’

Comment