ଓଡ଼ିଶାଲାଇଭ୍‌ ବ୍ୟୁରୋ

 ଅମିତ ଶାହଙ୍କ ପରେ ଏବେ ରାମଲାଲ ମେଡିକାଲରେ। ଅରୁଣ ଜେଟଲୀ ଆମେରିକାରେ।

ଆଗାମୀ ଲୋକସଭା ନିର୍ବାଚନ ବିଜେପି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଦଳ ପକ୍ଷରୁ ଏଥିପାଇଁ ବଡ଼ବଡ଼ ରାଲି ଓ ଶୋଭାଯାତ୍ରା କରିବା ପାଇଁ ଯୋଜନା ମଧ୍ୟ କରାଯାଇଛି। କିନ୍ତୁ ଏହି ରାଲି ହୋଇପାରିବ କି ନାହିଁ ତାକୁ ନେଇ ସସପେନ୍ସ ଜାରି ରହିଛି। କାରଣ ଦଳୀୟ ନେତାଙ୍କ ପାଇଁ ଏବେ ସମୟ ଭଲ ନଥିବା ଦେଖାଦେଇଛି। ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଏବେ ବିଜେପିର ତୁଙ୍ଗ ନେତା ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି। ଚିକିତ୍ସା ଦାୟିତ୍ୱରେ ବରିଷ୍ଠ ବିଶେଷଜ୍ଞ ଡାକ୍ତରମାନେ ନିୟୋଜିତ ଅଛନ୍ତି। ଶାହଙ୍କୁ ଭିଭିଆଇପି ୱାର୍ଡ ୩୦୧ ନମ୍ବର ରୁମରେ ରଖାଯାଇଛି। ଛାତିରେ ଯନ୍ତ୍ରଣା ସହ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଦିନେ ଦୁଇଦିନ ମଧ୍ୟରେ ସୁସ୍ଥ ପରେ ହସ୍ପିଟାଲରୁ ଡିସଚାର୍ଜ ହେବେ ବୋଲି ମେଡିକାଲ ପକ୍ଷରୁ ସୂଚନା ରହିଛି।

କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ମଧ୍ୟ ସ୍ୱାସ୍ଥ୍ୟଜନିତ ସମସ୍ୟାରେ ପୀଡ଼ିତ। ଚିକିତ୍ସା ପାଇଁ ଗତ ରବିବାର ଜେଟଲୀ ଆମେରିକା ଗସ୍ତରେ ଯାଇଛନ୍ତି। ଆସନ୍ତା ସପ୍ତାହରେ ଚିକିତ୍ସା ସାରି ଭାରତ ଫେରିପାରନ୍ତି। ଜେଟଲୀ କେଉଁ ରୋଗରେ ପୀଡ଼ିତ ଅଛନ୍ତି ସ୍ପଷ୍ଟ ଜଣାପଡ଼ି ନଥିଲାବେଳେ କ୍ୟାନସର ରୋଗରେ ପୀଡ଼ିତ ଥିବା ଚର୍ଚ୍ଚା ହେଉଛି।

କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଏବେ ହସ୍ପିଟାଲରୁ ଚିକିତ୍ସା ପରେ ଡିସଚାର୍ଜ ହୋଇଛନ୍ତି। ତାଙ୍କୁ ଆଇସିୟରୁ ପ୍ରାଇଭେଟ୍ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଥିଲା। ଶ୍ୱାସନଳୀରେ ସମସ୍ୟା ଯୋଗୁଁ କେନ୍ଦ୍ରମନ୍ତ୍ରୀଙ୍କୁ ଗତ ସୋମବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଏହି କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି।

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଗତ ୧୧ ମାସ ଧରି ଅଗ୍ନାଶୟ ରୋଗରେ ପୀଡ଼ିତ ଅଛନ୍ତି। ୨୦୧୮ ବର୍ଷ ଆରମ୍ଭରୁ ୩ ମାସ ଧରି ଆମେରିକାରେ ଚିକିତ୍ସିତ ହେବା ପରେ ଏବେ ଏମ୍‌ସରେ ଚିକିତ୍ସିତ ହେଉଥିଲେ।  ଗତ ଡିସେମ୍ବର ୧୬ରେ ଏମ୍‌ସରୁ ଡିସଚାର୍ଜ ହୋଇଥିଲେ। ପାଖାପାଖି ୨ ମାସ ପରେ ସାର୍ବଜନିକ ଭାବେ କାର୍ଯ୍ୟରେ ଯୋଗଦେଇଥିଲେ। ସ୍ୱାସ୍ଥ୍ୟବସ୍ଥା ଭଲ ଥିଲେ ମଧ୍ୟ ବର୍ତ୍ତମାନ ଦୁର୍ବଳ ଅନୁଭବ କରୁଛନ୍ତି ପାରିକର।

ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ମଧ୍ୟ ବର୍ତ୍ତମାନ ସମୟରେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ନାହାନ୍ତି। ଏହି ସମସ୍ୟା ପାଇଁ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ପୂର୍ବରୁ ନିଷ୍ପତ୍ତି ନେଇସାରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ୨୦୧୬ ମସିହାରେ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିଲେ। ଏବେ ବିଦେଶ ମନ୍ତ୍ରୀ ସୁସ୍ଥ ଥିବାବେଳେ ଡାଏଲିସସ୍ ଚାଲୁରହିଛି ।

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ମଧ୍ୟ କିଛି ଦିନ ହେଲା ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ିଛନ୍ତି। ଏକ ସଭାକାର୍ଯ୍ୟରେ ଯୋଗ ଦେଇଥିବାବେଳେ ସୁଗାର ପରିମାଣ ବଢ଼ିଯିବାରୁ ଘଟଣାସ୍ଥଳରେ ବେହୋସ ହୋଇଯାଇଥିଲେ। ସେହିପରି ଭାଜାପା ରାଷ୍ଟ୍ରୀୟ ମହାସଚିବ ରାମ ଲାଲ ଜ୍ୱରରେ ପୀଡ଼ିତ ଥିବାରୁ ନୋଏଡାସ୍ଥିତ କୈଳାଶ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି।

Comment