ଓଡ଼ିଶାଲାଇଭ୍‌ ବ୍ୟୁରୋ

୯ ୱିକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କଲା ଭାରତୀୟ ମହିଳା କ୍ରିକେଟ ଟିମ୍‌।

ଭାରତୀୟ ପୁରୁଷ କ୍ରିକେଟ ଟିମ୍‌ର ବାଜିମାତ୍‌ ପରେ ଭାରତୀୟ ମହିଳା କ୍ରିକେଟ ଦଳର ଜଲୱା। ଭାରତ ଏବଂ ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳ ମଧ୍ୟରେ ଖେଳା ଯାଇଥିବା ପ୍ରଥମ ଦିନିକିଆରେ ଭାରତ ବିଜୟ ମୁକୁଟ ପିନ୍ଧିଛି। ନ୍ୟୁଜିଲାଣ୍ଡ ମାଟିରେ ନ୍ୟୁଜିଲାଣ୍ଡକୁ ୯ ୱିକେଟରେ ପରାସ୍ତ କରିଛି ଭାରତୀୟ ମହିଳା ଟିମ୍‌।

ଟସ ଜିତି ଭାରତୀୟ ମହିଳା ଟିମ୍‌ ପ୍ରଥମେ ବୋଲିଂ ପାଇଁ ନିଷ୍ପତି ନେଇଥିଲା। ୪୮.୪ ଓଭରରେ ନ୍ୟୁଜିଲାଣ୍ଡ ୧୯୨ରେ ଅଲ୍‌ଆଉଟ କରିଥିଲା ଟିମ୍‌ ଇଣ୍ଡିଆ। ନ୍ୟୁଜିଲାଣ୍ଡ ମହିଳା ଦଳ ତରଫରୁ ସୁଜି ବେଟ୍‌ସ ସର୍ବାଧିକ ୩୬ ରନ କରିଥିବା ବେଳେ ଅଧିନାୟିକା ଆମି ୩୧ରନ୍‌ ସଂଗ୍ରହ କରି ପାଭିଲିୟନକୁ ଫେରିଥିଲେ। ସେହିପରି ଭାରତୀୟ ଦଳ ପକ୍ଷରୁ ଏକତା ବିଷ୍ଟ ଓ ପୁନମ ଯାଦବ ତିନୋଟି ଲେଖାଏଁ ୱିକେଟ ହାସଲ କରିଥିବା ବେଳେ ଦିପ୍ତି ଶର୍ମାଙ୍କୁ ୨ଟି ଏବଂ ଶିଖା ପାଣ୍ଡେଙ୍କୁ ଗୋଟିଏ ୱିକେଟ ମିଳିଥିଲା।

ଖେଳର ଦ୍ୱିତୀୟ ପାରିରେ ଭାରତ ସାମ୍ନାରେ ୧୯୩ ରନର ଟାର୍ଗେଟ ଥିଲା। ଭାରତୀୟ ଦଳର ସ୍ମୃତି ମନ୍ଧାନାଙ୍କ ଚମତ୍କାରୀ ବ୍ୟାଟିଂ ପ୍ରଦର୍ଶନ ବଳରେ ଟିମ୍‌ ଇଣ୍ଡିଆ ଅତି ସହଜରେ ବିଜୟ ହାସଲ କରିଥିଲା। ସ୍ମୃତି ମନ୍ଧାନା ୧୦୫ ରନ କରି ନଟ୍‌ଆଉଟ ରହିଥିଲେ। ସେହିପରି ଦଳର ଜେମିମା ରୋଡ୍ରିଗସ୍ ୮୧ ରନ ସଂଗ୍ରହ କରିଥିଲେ। ଭାରତୀୟ ମହିଳା ଦଳ ୩୩ ଓଭରରେ ମାତ୍ର ଗୋଟିଏ ୱିକେଟ ହରାଇ ୧୯୩ ରନର ଟାର୍ଗେଟକୁ ପୂରା କରିଥିଲେ।

Comment