ଡାକ୍ତର ସରୋଜିନୀ ଷଡ଼ଙ୍ଗୀ

ସଠିକ୍‌ ବୟସରେ ବିବାହ କରିଲେ ଏକ ସୁସ୍ଥ ଶିଶୁର ଜନନୀ ହେବା ସହ ଉଭୟ ମା’ ଓ ପିଲାର ଶରୀର ସୁସ୍ଥ ହୋ‌ଇଥାଏ।

ଝିଅଟିଏ ବାଳୁତକାଳର ଧୂଳି ଖେଳ ଛାଡ଼ି କିଶୋରୀ ବୟସରେ ପାଦଦେବା ମାତ୍ରେ ପିତା, ମାତା ତଥା ସମସ୍ତ ଆତ୍ମୀୟସ୍ଵଜନ ସଚେତନ ହୋଇପଡ଼ନ୍ତି। ଆଖିରେ ଆଖିଏ ଚିନ୍ତା ନେଇ ଭଲ ବରପାତ୍ରଟିଏ ଯୋଗାଡ଼ କରିବାକୁ ତତ୍ପର ହୋଇଉଠନ୍ତି।

ତା’ର ପାଠପଢ଼ା ତଥା ମାନସିକ ଅବସ୍ଥା ବୁଝିବା କଥା ଦୂରେ ଥାଉ କିପରି ଝିଅଟିର ବାହାଘର କରାଇ ଦେଲେ ସେମାନେ ନିଶ୍ଚିତ ହୋଇ ନିଶ୍ଵାସ ମାରିବେ ସେହି ଚିନ୍ତାରେ ସେମାନେ ଖାଇବା ଶୋଇବା ଭୁଲିଯାନ୍ତି। ଯେଉଁ ଝିଅଟିର ନିଜେ ନିଜକୁ ଚଳାଇବାର ମାନସିକ ତଥା ଶାରୀରିକ ସ୍ଥିରତା ଆସିନାହିଁ, ତା’ ଉପରେ ଏକ ଅପରିଚିତ ପରିବେଶରେ ଏକ ଅଚିହ୍ନା ପରିବାରଟିକୁ ସମ୍ପୂର୍ଣ୍ଣ ରୂପେ ଲଦି ଦେଲେ ଫଳ କ’ଣ ହେବ ବାପା-ମା’ କେବେ ଭାବିଥାନ୍ତି କି? ସେ ସୂଚାରୁ ରୂପେ ଘର ଚଳାଇପାରିବ ନା ଦାୟିତ୍ଵର ବୋଝରେ ଭାରାକ୍ରାନ୍ତ ହୋଇ ମାନସିକ ଭାରସାମ୍ୟ ହରାଇବସିବ ଏ ପ୍ରଶ୍ନ କେତେ ଜଣ ପିତା ମାତା ନିଜକୁ ପଚାରିଛନ୍ତି?

ଏ ସମସ୍ତ ବିଷୟ ଜାଣିବା ସତ୍ତ୍ଵେ ଝିଅଟିକୁ ଅଳ୍ପ ବୟସରେ ବିବାହ କରାଇଦେବା ପାଇଁ ପିତାମାତା ବ୍ୟାକୁଳ ହୋଇଉଠନ୍ତି। ଆମ ଦେଶର ଅନେକ ସ୍ଥାନରେ ଏବେ ମଧ୍ୟ ବାଲ୍ୟ ବିବାହ ପ୍ରଥା ବଳବତ୍ତର ରହିଛି। ସରକାର ବିବାହ ବୟସ ସୀମା ୧୮ ବର୍ଷ କଲେ ମଧ୍ୟ ଅନେକ ଲୁଚାଇ ଛପାଇ ଅଳ୍ପ ବୟସରେ ଝିଅମାନଙ୍କୁ ଏବେ ବି ବିବାହ କରି ଦେଉଛନ୍ତି।

ଆସନ୍ତୁ ବିଚାର କରିବା ଅଳ୍ପ ବୟସର ଝିଅମାନଙ୍କୁ ବିବାହ କଲେ କି ପ୍ରକାର ଶାରୀରିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

ସ୍ଵାସ୍ଥ୍ୟ ଦୃଷ୍ଟିରୁ ଦେଖିଲେ ଝିଅଟିଏ ବାହା ହେଲାପରେ ଶାଶୂଘର ଓ ସ୍ଵାମୀକୁ ନେଇ ଅହେତୁକ ଭୟ ଓ ଆଶଙ୍କା ହେତୁ ତା’ର ସ୍ଵାମୀଙ୍କ ସହିତ ଶାରୀରିକ ସମ୍ପର୍କ ଆହତ ହୋଇଥାଏ। ଅଳ୍ପ ବୟସରେ ଡିମ୍ବାଣୁରୁ ଡିମ୍ବ ପ୍ରସ୍ପୁଟନ ଠିକ୍ ସମୟରେ ହୋଇପାରେ ନାହିଁ ବା ବେଳେ ବେଳେ ଆଦୌ ଓଭୁଲେସନ୍ ହୁଏ ନାହିଁ। ଏହାଛଡ଼ା ପ୍ରସବ କଷ୍ଟ ପାଇଁ ଆଗରୁ ଭୟ ବା ଆଶଙ୍କା ଏବଂ ସ୍ଵାମୀଙ୍କ ସହ ମାନସିକ ତଥା ଶାରୀରିକ ସମ୍ପର୍କ ନଥିବାରୁ ଅନେକ ସମୟରେ ଝିଅଟି ସନ୍ତାନ ସମ୍ଭବା ହୋଇପାରେ ନାହିଁ।

ଜରାୟୁର ବୃଦ୍ଧି ଠିକ୍ ଭାବେ ହୋଇନଥିବାରୁ ଗର୍ଭସଂଚାର ହେଲେ ମଧ୍ୟ ଏମାନଙ୍କର ପ୍ରଥମ ତିନି ମାସ ମଧ୍ୟରେ ଗର୍ଭପାତ ହୋଇଥାଏ, ଯଥା ସମ୍ପୂର୍ଣ୍ଣ ବା ଅସମ୍ପୂର୍ଣ୍ଣ ଗର୍ଭପାତ ବା ଅବଶ୍ୟମ୍ଭାବି ଗର୍ଭପାତ ବେଶୀ ହୋଇଥାଏ। ବେଳେବେଳେ ଅଳ୍ପବୟସ୍କା ଝିଅମାନଙ୍କର ସ୍ନାୟୁବିକ ଦୁର୍ବଳତା ଓ ମାନସିକ ବିକାର ଯୋଗୁଁ ଗର୍ଭାବସ୍ଥାରେ ଅତ୍ୟଧିକ ବାନ୍ତି ହୋଇଥାଏ। ଗର୍ଭଧାରଣର ପୂର୍ବରୁ ସେମାନେ ଅଳ୍ପ ଓଜନର ହୋଇଥିଲେ ରକ୍ତହୀନତା ଓ ପୁଷ୍ଟିହୀନତା ରୋଗ ଭୋଗିଥା’ନ୍ତି। ଏ ବୟସ ହେଉଛି ବଢ଼ିବା ବୟସ।

ଏ ସମୟରେ ନିଜ ଶରୀରର ବୃଦ୍ଧି ପାଇଁ ଝିଅଟିକୁ ନିଜ ଶରୀରର ଆବଶ୍ୟକତାଠାରୁ ଅଧିକ କ୍ୟାଲୋରି ଯୁକ୍ତ ସୁଷମ ଖାଦ୍ୟ ତଥା ଲୌହସାର ଖାଦ୍ୟ ଦରକାର ହୋଇଥାଏ। ତା’ ଉପରେ ଶିଶୁଟିର ଶରୀର ବୃଦ୍ଧି ପାଇଁ ମଧ୍ୟ ଅଧିକ ଖାଦ୍ୟ ଦରକାର ହୋଇଥାଏ, ଫଳରେ ଗର୍ଭସ୍ଥ ଶିଶୁ, ମା’ର ରକ୍ତହୀନତା ଯୋଗୁଁ ଖାଦ୍ୟସାର ଅଭାବରେ ଜରାୟୁରେ ଭଲ ଭାବରେ ବଢ଼ିପାରେ ନାହିଁ। ତେଣୁ ଅଳ୍ପ ଓଜନର ବା ଅପରିଣତ ଶିଶୁ ଜନ୍ମ ହୋଇଥାଏ।

ଗର୍ଭାବସ୍ଥାରେ ରକ୍ତହୀନତା ଯୋଗୁଁ ମା’ର ଜୀବନ ମଧ୍ୟ ବିପର୍ଣ୍ଣ ହୋଇପଡ଼େ। ପ୍ରସବ ସମୟରେ ଅତ୍ୟଧିକ ରକ୍ତକ୍ଷରଣ ହେଲେ ମା’କୁ ଅଭିଘାତ ବା ସକ୍ ହୁଏ ବା ହାର୍ଟଫେଲିଓର୍ ହୁଏ। ତେଣୁ ଗର୍ଭାବସ୍ଥାରେ ରକ୍ତହୀନତା ମା’ ଓ ଶିଶୁ ଉଭୟଙ୍କ ପାଇଁ ଏକ ବିପଦଜନକ ପରିସ୍ଥିତି ସୃଷ୍ଟି କରେ।

ଅଳ୍ପ ବୟସର ମା’ ଏବଂ ପ୍ରଥମ ଗର୍ଭାମାନଙ୍କର ସାଧାରଣତଃ ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ ଓ ଟକ୍‌ସିମିଆ ଅଫ୍ ପ୍ରେଗ୍‌ନାନ୍ସି ହୋଇଥାଏ। ଏଥିରେ ହାତ ଗୋଡ଼ ଓ ମୁହଁ ଫୁଲିଯାଏ, ରକ୍ତଚାପ ବଢ଼ିଯାଏ ଏବଂ ପରିସ୍ରାରେ ଆଲବୁମିନ୍‌ ଯାଏ। ଏହାର ଚିକିତ୍ସା ନ କଲେ ଗର୍ଭବତୀ ମା’କୁ ଏକ୍ଲାମ୍ପସିଆ ହୁଏ ବା’ ବାତମାରେ। ଏହି ଅବସ୍ଥାରେ ଗର୍ଭସ୍ଥ ଶିଶୁ ମୃତ୍ୟୁ ମୁଖରେ ପଡ଼ିଥାଏ।

ମା’ ମଧ୍ୟ ଏହି ଗୁରୁତର ଅବସ୍ଥାରେ ଉପଯୁକ୍ତ ଚିକିତ୍ସା ନ ପାଇଲେ ମୃତ୍ୟୁମୁଖରେ ପଡ଼ିଥାଏ। ସମୟ ସମୟରେ ଅତ୍ୟଧିକ ରକ୍ତଚାପ ବା ପ୍ରି-ଏକ୍ଲାମ୍ପସିଆ ଥିଲେ ଜରାୟୁର ଊର୍ଦ୍ଧ୍ୱ ଅଂଶରେ ସ୍ଵାଭାବିକ ଭାବରେ ଥିବା ଗର୍ଭଫୁଲ, ସନ୍ତାନ ପ୍ରସବ ଆଗରୁ ବିଚ୍ଛିନ୍ନ ହୋଇ ରକ୍ତସ୍ରାବ ହୋଇଥାଏ। ଏହାକୁ ‘ଆକ୍‌ସିଡେଣ୍ଟାଲ ହେମ୍‌ରେଜ୍‌’ ବା ‘ଆକସ୍ମିକ ରକ୍ତସ୍ରାବ’ କୁହନ୍ତି। ଏଥିରେ ପ୍ରସୂତିର ଅତ୍ୟଧିକ ରକ୍ତସ୍ରାବ ହେତୁ ଶକ୍ ହୋଇଥାଏ କିମ୍ବା କିଡ୍‌ନୀ ଫେଲିଓର ହୋଇଥାଏ। ରକ୍ତ ଜମାଟ ନ ବାନ୍ଧି ରକ୍ତକ୍ଷରଣ ହୋଇ ଶତକଡ଼ା ୧୦ ଭାଗ ପ୍ରସୂତି ମୃତ୍ୟୁମୁଖରେ ପଡ଼ିଥାନ୍ତି। ଗର୍ଭସ୍ଥ ଶିଶୁର ଶ୍ଵାସରୁଦ୍ଧ ହୋଇ ମୃତ୍ୟୁ ମୁଖରେ ପଡ଼ିଥାଏ। ଏଥିରେ ପରିସ୍ରା ଅସୁବିଧା ହୋଇ ବନ୍ଦ ହୋଇଯାଇଥାଏ ବା ରେନାଲ୍ ଫେଲିଓର୍ ହୁଏ।

ଅଳ୍ପ ବୟସରେ ସମୟ ସମୟରେ ଜରାୟୁର ସଙ୍କୋଚନ ଏବଂ ପ୍ରସାରଣ ବେଦନା ପ୍ରକୃତ ସମୟ ଆଗରୁ ଆରମ୍ଭ ହୋଇଯାଏ। ଫଳରେ ଅପରିଣତ ଶିଶୁ ଜନ୍ମ ନେଇଥାଏ। ପ୍ରସବ ପାଇଁ ଅହେତୁକ ଭୟ ଓ ଆଶଙ୍କା ହେତୁ ପ୍ରସବ ସମୟରେ ଜରାୟୁର ଅସ୍ଵାଭାବିକ ସଙ୍କୋଚନ କ୍ରିୟା ହେତୁ ନାନାରକମର ଅସାଧାରଣ ପରିସ୍ଥିତି ସୃଷ୍ଟି ହୁଏ। ଏଥିଯୋଗୁଁ ପ୍ରସବ କ୍ରିୟା ଦୀର୍ଘ ହୋଇଥାଏ ଏବଂ ମାନସିକ ଅସ୍ଥିରତା ଯୋଗୁଁ ଜରାୟୁର ସଙ୍କୋଚନ ଶିଥିଳ ହୁଏ।

ଦୀର୍ଘ ପ୍ରସବ ବେଦନା ହେଲେ ପ୍ରସୂତି ସମସ୍ତ ଶକ୍ତି ହରାଇ ପ୍ରସବର ବହୁ ଆଗରୁ କ୍ଲାନ୍ତି ହୋଇପଡ଼େ। ବେଳେବେଳେ ପାଣି ଥଳି ଅସମୟରେ ଫାଟି ଜୀବାଣୁ ସଂକ୍ରମିତ ହେବାର ଭୟ ଥାଏ। ତେଣୁ ଏ କ୍ଷେତ୍ରରେ ଯନ୍ତ୍ର ସାହାଯ୍ୟରେ ତଥା ଫୋରସେପ୍‌ସ୍‌ ଡେଲିଭରି ବା ସିଜରିଆନ୍‌ ସେକ୍‌ସନ୍‌ ହେବାର ସମ୍ଭାବନା ଅଧିକ ଥାଏ।

ଏ ପରିସ୍ଥିତିରେ ଉଭୟ ମା’ ଓ ଶିଶୁ ପାଇଁ ବିପଦଜନକ ଦୀର୍ଘ ପ୍ରସବ ବେଦନା ହେତୁ ଜରାୟୁର ସଙ୍କୋଚନ ଶିଥିଳ ହୋଇ ଅତ୍ୟଧିକ ରକ୍ତକ୍ଷରଣ ବା ପୋଷ୍ଟପାର୍ଟମ୍ ହେମରେଜ୍‌ ମଧ୍ୟ ହୋଇଥାଏ। ପ୍ରସବ ପରେ ଅଳ୍ପ ବୟସର ଜନନୀଟି ଶିଶୁକୁ ଠିକ୍‌ ରୂପେ ସ୍ତନ୍ୟପାନ କରାଇପାରେ ନାହିଁ ଏବଂ ପରେ ଶିଶୁର ଯତ୍ନ ଉପଯୁକ୍ତ ଲାଳନପାଳନ ଏବଂ ଶିକ୍ଷାଦାନ ମଧ୍ୟ ଠିକ୍ ରୂପେ କରାଇପାରେ ନାହିଁ।

ଅଳ୍ପ ବୟସରେ ଅନେକଗୁଡ଼ିଏ ସନ୍ତାନର ଜନନୀ ହେଲେ ରକ୍ତହୀନତା ସାଙ୍ଗକୁ ସ୍ଵାସ୍ଥ୍ୟ ରୁଗ୍‌ଣ ହୁଏ। ଅଳ୍ପ ବୟସରେ ବିବାହ ହେଲେ ଜରାୟୁର ଦ୍ଵାର ବା ସର୍ଭିକ୍ସରେ କର୍କଟ ରୋଗ ହେବାର ସମ୍ଭାବନା ଥାଏ। ଏଣେ ପରିବାରର ସମସ୍ତ କାମ ସାଙ୍ଗକୁ ନିଜ ସ୍ଵାମୀର ଓ ଶିଶୁର ଯତ୍ନ ନେବାରେ ଅବହେଳା ହେବା ଏକ ସ୍ଵାଭାବିକ କଥା ହୋଇଯାଏ।

(ସୌଜନ୍ୟ – ଗର୍ଭବତୀ ନାରୀର ଯତ୍ନ)

Comment