ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଧାନସଭା ନିର୍ବାଚନ ପାଖେଇ ଆସୁଥିଲା ବେଳେ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ପ୍ରାର୍ଥୀ – ରାଜନୀତି ଜୋର ଧରିଛି। ଏହି ଆସନ ପାଇଁ ପ୍ରାର୍ଥୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।

ଶାସକ ଦଳରେ ଫାଟ

ତିର୍ତ୍ତୋଲରେ ଶାସକ ଦଳ ପାଇଁ ସମସ୍ୟା ହେଉଛି ଗୋଷ୍ଠୀ କନ୍ଦଳ। ନିର୍ବାଚନ ମଣ୍ଡଳୀର ଅଧା ପଞ୍ଚାୟତ ସମିତି ସଭ୍ୟ ଓ ସରପଞ୍ଚ ବର୍ତ୍ତମାନର ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କୁ ସମର୍ଥନ କରୁଥିବା ବେଳେ ବାକି ଅଧା ସଦସ୍ୟ ଜିଲ୍ଲା ବିଜେଡି ସଭାପତି ତଥା ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କୁ ସମର୍ଥନ କରୁଥିବା ପରିଲକ୍ଷିତ ହେଉଛି। ଏହି ଆସନଟି ତିର୍ତ୍ତୋଲ ପ୍ରପର, ବିରିଡ଼ି ବ୍ଲକର ୪୮ଟି ପଞ୍ଚାୟତକୁ ନେଇ ଗଠିତ। ବିଷ୍ଣୁ ଦାସ ଏଥର ଏହି ଆସନ ପାଇଁ ଆଗ୍ରହୀ କାରଣ ଏଠାରୁ ଜଣେ ଅନୁସୂଚିତ ଜାତି ପ୍ରାର୍ଥୀ ହିଁ ଲଢ଼ିପାରିବେ।

ବିଷ୍ଣୁ ଦାସଙ୍କ ନିର୍ଦ୍ଦେଶ କ୍ରମେ ରାଜଶ୍ରୀଙ୍କ ବିରୋଧୀ ନେତାମାନେ ଗତ କିଛି ଦିନ ଧରି ବିଭିନ୍ନ ପଞ୍ଚାୟତରେ ସଭାମାନ ଅନୁଷ୍ଠିତ କରି ବିଷ୍ଣୁଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି। ଉଭୟ ରାଜଶ୍ରୀ ଓ ବିଷ୍ଣୁ ଦାସଙ୍କ ମଧ୍ୟରେ ଝଗଡ଼ା ପ୍ରଥମେ  ୨୦୧୬ରୁ ଆରମ୍ଭ ହୋଇଥିଲା। ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ରାଜଶ୍ରୀ ଦଳ ବିରୋଧୀ କାମ କରୁଥିବା ଅଭିଯୋଗ କରିଥିଲେ ବିଷ୍ଣୁ ଦାସ। ସେହି ଦିନଠାରୁ ଦୁଇ ନେତାଙ୍କ ଭିତରେ ପଟୁନାହି।

ରାଜଶ୍ରୀଙ୍କ ଦୟନୀୟ ସ୍ଥିତି ଦେଖି ବହୁ ବିଜେଡି ନେତା ବିଷ୍ଣୁ ଦାସଙ୍କ ସପକ୍ଷରେ ହାୱା ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଛନ୍ତି। ଏହି ନେତାଙ୍କ ଭିତରେ ଅଛନ୍ତି ପୂର୍ବତନ ବିଧାୟକ ରବୀନ୍ଦ୍ର ଭୋଇ, ମିନତି ବେହେରା, ଯୁଧିଷ୍ଠିର ସେଠୀ ଓ ବିଷ୍ଣୁ ସେଠୀ ପ୍ରମୁଖ। ଅନୁମାନ କରାଯାଉଛି ବିଷ୍ଣୁ ତାଙ୍କ ଉଦ୍ୟମରେ ସଫଳ ହୋଇ ପାରନ୍ତି।

କଂଗ୍ରେସରେ ପ୍ରାର୍ଥୀ ମାଳମାଳ

ତିର୍ତ୍ତୋଲ ଆସନରେ କଂଗ୍ରେସର ମଧ୍ୟ ଏକା ଅବସ୍ଥା। ଏଠାରୁ ଟିକେଟ ପାଇବା ପାଇଁ ବହୁ ନେତା ଆଗ୍ରହୀ। ଆଡଭୋକେଟ ରାଜକିଶୋର ବେହେରା, ପ୍ରତିମା ମଲ୍ଲିକ, ଦେବେନ୍ଦ୍ର ମଲ୍ଲିକ ପ୍ରଭୃତିଙ୍କ ନାମ ପ୍ରାର୍ଥୀ ଭାବେ ଆଗକୁ ଆସିଥିବା ଶୁଣାଯାଉଛି। ହେଲେ ୨୦୧୯ ପାଇଁ କଂଗ୍ରେସ ପକ୍ଷରୁ ଏହି ଆସନରେ ନୂଆ ମୁହଁ ଦିଆଯିବ ବୋଲି ଚର୍ଚ୍ଚା ହେଉଛି।

ତିର୍ତ୍ତୋଲ ଆସନ ପାଇଁ ବିଜେପିର କିନ୍ତୁ କୌଣସି ସମସ୍ୟା ନାହିଁ। ଏଠାରୁ ରମାକାନ୍ତ ଭୋଇ ପ୍ରାର୍ଥୀ ଭାବେ ଛିଡ଼ା ହେବା ପ୍ରାୟ ନିଶ୍ଚିତ। ୨୦୧୪ ନିର୍ବାଚନରେ ରାଜଶ୍ରୀ ମଲ୍ଲିକ ୫୫ ପ୍ରତିଶତ ଭୋଟ ପାଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ କଂଗ୍ରେସ ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୩୫, ୪୪୮ ଭୋଟରେ ହରାଇଥିଲେ। ଏଣୁ ବିଜେପି ତୃତୀୟ ସ୍ଥାନରେ ହିଁ ରହିବା ଦେଖାଯାଉଛି।

Comment