ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ଶେଷ ହୋଇଛି ସଂସଦର ବଜେଟ୍ ଅଧିବେଶନ। ଷୋଡ଼ଶ ଲୋକସଭାର ଏହା ଥିଲା ଶେଷ ଅଧିବେଶନ। ସପ୍ତଦଶ ଲୋକସଭା ଗଠନ ହେବା ଯାଏଁ ସଂସଦର ଦୁଇ ସଦନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ରଖାଯାଇଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ବିଦାୟୀ ଭାଷଣ ଦେଇଛନ୍ତି। ଏହି ଭାଷଣରେ ମୋଦି ନିଜ ସରକାରର ସଫଳତା କଥା ବଖାଣିଥିଲେ। ଖାଲି ସେତିକି ନୁହେଁ, ଆଖି ମାରିବାଠାରୁ ଆରମ୍ଭ କରି କୋଳାଗ୍ରତ କରିବାକୁ ନେଇ ମୋଦି କଂଗ୍ରେସକୁ ସମାଲୋଚନା କରିଥିଲେ।

ପୂର୍ଣ୍ଣ ମହୁମତ ସରକାର ଉପରେ ଗୁରୁତ୍ୱ

ଭାଷଣ ଆରମ୍ଭରୁ ପ୍ରଧାନମନ୍ତ୍ରୀ ପୂର୍ଣ୍ଣ ବହୁମତ ସରକାର କଥା କହିଥିଲେ। ସେ କହିଥିଲେ ଯେ ଯଦି କୌଣସି ପ୍ରଧାନମନ୍ତ୍ରୀଙ୍କ ପାଖରେ ସଂଖ୍ୟା ଗରିଷ୍ଠତା ଥାଏ ତାହାଲେ ବିଶ୍ୱର ଅନ୍ୟ ଦେଶମାନେ ତାଙ୍କୁ ଗୁରୁତ୍ୱ ଦେଇଥାନ୍ତି। ମୋଦି ଆହୁରି କହିଥିଲେ ଯେ ୩୦ ବର୍ଷ ପରେ କଂଗ୍ରେସର ବିନା ସହାୟତରେ କୌଣସି ଦଳ ସଂଖାଗରିଷ୍ଠତା ହାସଲ କରି ସରକାର ଗଠନ କରିଛି।

ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ

ବିଦାୟୀ ଭାଷଣ ଦେବା ବେଳେ ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପରେ ମଧ୍ୟ ଜମେଇକି ବର୍ଷିଥିଲେ।

ମୋଦି କହିଥିଲେ, “ମୁଁ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ଲଢ଼ି ଏହି ପବିତ୍ର ଗୃହକୁ ଆସିଥିଲି। ସେତେବେଳେ କୁହାଯାଇଥିଲା କି ବଡ଼ ଭୂକମ୍ପ ଆସିବ ଏବଂ ସଂସଦରେ ଉଡ଼ା ଜାହାଜ ଉଡ଼ିବ। କିନ୍ତୁ ୫ ବର୍ଷ ଭିତରେ ନା କୌଣସି ଭୂମିକମ୍ପ ଆସିଲା ନା କୌଣସି ଉଡ଼ା ଜାହାଜ ସଂସଦକୁ ଛୁଇଁ ପାରିଲା।”

ଲୋକସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ, କଂଗ୍ରେସ ସାଂସଦ ରେଣୁକା ଚୌଧୁରୀ ଏବଂ ଟିଡିପି ସାଂସଦ ଏନ୍ ଶିବପ୍ରସାଦଙ୍କୁ ବି ମୋଦି ସମାଲୋଚନା କରିଥିଲେ।

Comment